କରୋନା ପରିପ୍ରେକ୍ଷୀରେ ହସ୍ତ ପ୍ରକ୍ଷାଳନ

ବିପିନ ବିହାରୀ ମହାନ୍ତି
ପ୍ରତିଦିନ ସକାଳୁ ଉଠି ମୁହଁ ଧୋଇବା ଏବଂ ଖାଇବା ପୂର୍ବରୁ ହାତମୁହଁ ପ୍ରକ୍ଷାଳିବା ତଥା ହାତଦ୍ୱାରା ଶୌଚ ହେବା ଆମର ଏକ ନିୟମିତ ଅଭ୍ୟାସ ହେଲେ ହେଁ କାହିଁକି ଏକଥା କରୁ ନିଜକୁ ପଚାରି କେହି କେବେ ବୁଝିଛନ୍ତି କି ? ତେବେ ଏତିକି କହିଲେ ଠିକ୍ ହୋଇପାରେ ଯେ ଏହାଦ୍ୱାରା ଆମେ ହାତ ଶୁଦ୍ଧ ବା ଶୋଧନ କରୁ ଯାହାଫଳରେ କି ଆମ ଶରୀରକୁ ହାତର ସ୍ପର୍ଶ ଦ୍ୱାରା ରୋଗ ଜୀବାଣୁ ବା ଭୂତାଣୁ ପ୍ରବେଶ କରିବାକୁ ଦେଉନଥାଏ । ଆମ ଶରୀରରେ ହାତର ସଂପର୍କ ବିଶେଷ ଭାବରେ ମୁଖ, ନାସା ଏବଂ ଆଖି ସହିତ ସଂପର୍କିତ ଥାଏ । ଜୀବାଣୁ ବା ଭୂତାଣୁଯୁକ୍ତ ହାତ ଯଦି ମୁଖ, ନାସା ଏବଂ ଆଖି ସ୍ପର୍ଶ କରେ, ସେମାନେ ଶରୀର ମଧ୍ୟରେ ପ୍ରବେଶ କରି ନାନା ରୋଗ ସୃଷ୍ଟି କରନ୍ତି । ଏଇଥିପାଇଁ ବୋଧେ ବହୁ ପ୍ରାଚୀନକାଳରୁ ଖାଇବା, ନିଦ୍ରାରୁ ଶୋଇକି ଉଠିବା ଏବଂ ବାହାରକୁ ଯାଇ ଫେରିବାରେ ଆମେ ହାତଗୋଡ଼ ଭଲଭାବରେ ଧୋଇ ପ୍ରବେଶ କରିବାର ଅଭ୍ୟାସ ପ୍ରଚଳିତ ଅଛି । ଅଥଚ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ କରୁ । ଏହି ଯେମିତି ଗୋଡ଼ ହାତ ନଧୋଇ ଘରେ ପଶିଯିବା ଓ ହାତ ମୁହଁ ନଧୋଇ ଜଳଖିଆ ବା କୌଣସି ଫଳ ଇତ୍ୟାଦି ସେହି ହାତରେ ଭକ୍ଷଣ କରିବା ଏବଂ ଗୋଡ଼ ନଧୋଇ ବାହାର ଜୀବାଣୁକୁ ଘରକୁ ଡାକି ଆଣିବା ଇତ୍ୟାଦି କରୁଥାଏଁ । ଏଣୁ ଏହାର ବ୍ୟତିକ୍ରମରେ ଆମେମାନେ ଅନେକ ରୋଗର ଶୀକାର ହେଉଥାଏଁ ।
ହାତ ଧୋଇବା ଏକ ସ୍ୱାସ୍ଥ୍ୟ ପ୍ରଦାୟକ ଉତ୍ତମ ଅଭ୍ୟାସ ଓ ଲକ୍ଷଣ । ଏହା ପିଲାଙ୍କୁ ଶିକ୍ଷାଦେବା ଉଚିତ୍ । ଆମେ ଜାଣିବା କଥା ଯେ ଅପରିଷ୍କାର ହାତ ହେଲେ ଅଧିକ ସଂଖ୍ୟାରେ ଜୀବାଣୁ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ସେଥିପାଇଁ ପ୍ରତ୍ୟେକ କାମ କଲା ପରେ ସାବୁନପାଣିରେ ଭଲ କରି ହାତ ଧୋଇବା ଦରକାର । କାରଣ ସାବୁନ ଏକ ଲବଣ ଓ ବିଶୋଧକ । ଏହା ଜୀବାଣୁମାନଙ୍କୁ ମାରିଦେଇଥାଏ ତଥା ହାତକୁ ସଫାସୁତୁରା ରଖିଥାଏ । ଅପରିଷ୍କାର ହାତକୁ ସଂକ୍ରମଣ ଅଧିକ ରହିଥାଏ । ବିଶ୍ୱର ପ୍ରତିଟି ବ୍ୟକ୍ତି ହାତକୁ ନିୟମିତ ଭାବେ ସାବୁନ ପାଣିରେ ସଫା କଲେ ସାଧାରଣ ଭାବେ ସମଗ୍ର ବିଶ୍ୱରୁ ମହାମାରୀ ହ୍ରାସ ପାଇବ । ୨୦୦୬ ମସିହାରୁ ଆମେରିକାର “ଗ୍ଲୋବାଲ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ ଫର ହାଣ୍ଡ ୱାସିଙ୍ଗ’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପ୍ରୟୋଜିତ ‘ଗ୍ଲୋବାଲ ହାଣ୍ଡ ୱାସିଙ୍ଗ ଡେ’ ପ୍ରଥମ କରି ଭାରତ ସମେତ ବିଶ୍ୱର ଅନେକ ଦେଶରେ ଅକ୍ଟୋବର ୧୫ ତାରିଖରେ ପାଳନ କରାଯାଇଥିଲା ।
ବିଶ୍ୱସ୍ତରରେ ଜାତିସଂଘର ନିଷ୍ପତ୍ତି କ୍ରମେ ପ୍ରଥମେ ଷ୍ଟକ୍‌ହୋମ୍‌ରେ ୨୦୦୮ରେ ଏହି ଦିବସଟିକୁ ହାତଧୁଆ ଦିବସ ରୂପେ ପାଳିତ ହୋଇଥିଲା । ଏଣୁ ପ୍ରତି ୧୫ ଅକ୍ଟୋବରକୁ ଆମେ ଆନ୍ତର୍ଜାତିକ ହାତଧୁଆ ଦିବସ ରୂପେ ଏହାକୁ ପାଳୁଥାଏଁ ଏବଂ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ ଶହ ନିୟୁତ ଲୋକ ଅଂଶଗ୍ରହଣ କରିଥାନ୍ତି । ଏହାର ମୂଳଲକ୍ଷ୍ୟ ହେଲା ଶିଶୁ ସମାଜ ତଥା ସମଗ୍ର ମାନବ ସମାଜକୁ ହାତଧୁଆ ନେଇ ସଚେତନ କରାଇବା । ଜାତିସଂଘର କର୍ମକର୍ତ୍ତାଙ୍କ ମତରେ ହସ୍ତପ୍ରକ୍ଷାଳନ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏକଥା ଖାଲି ଶିଶୁ ନୁହେଁ, ସମସ୍ତେ ଅବଗତ ହେବା ନିମନ୍ତେ ନିତ୍ୟାନ୍ତ ଜରୁରୀ । ୨୦୧୪ ଅକ୍ଟୋବର ୧୫ରେ ଆମ ଭାରତର ମଧ୍ୟପ୍ରଦେଶରୁ ୧୨,୭୬,୪୨୫ ଛାତ୍ରଛାତ୍ରୀ ଏହି ହାତଧୁଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଥିଲେ ।
ଏବେ ବିଶ୍ୱର ୨୧୩ଟି ଦେଶରେ ମହାମାରୀ କରୋନା(କୋଭିଡ୍‌-୧୯) ସଂକ୍ରମିତ କରିଛି । ଏଥିରେ ଦୈନିକ ହଜାର ହଜାର ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହାର ପ୍ରତିରୋଧ ପାଇଁ ଏଯାଏଁ କୌଣସି ଟିକା ବା ଔଷଧ ବାହାରି ନାହିଁ । ବହୁ ଚିନ୍ତା, ବୈଜ୍ଞାନିକ ଗବେଷଣା ଏବଂ ଡାକ୍ତରୀ ବିଦ୍ୟା ଅନୁଯାୟୀ ବର୍ତ୍ତମାନ ଏଥିରୁ ମୁକ୍ତି ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ସହ ସାବୁନରେ ହାତ ଧୋଇବା, ନିର୍ଦ୍ଦିଷ୍ଟ ସମୟାନ୍ତରରେ ହାତକୁ ସାନିଟାଇଜ୍ କରିବା ତଥା ସାମାଜିକ ବା ଶାରୀରିକ ଦୂରତା ଅନ୍ତତଃ ୬ ଫୁଟ ଦୂରେଇ ରଖିବା ଉଚିତ୍ । ଏହା ବର୍ତ୍ତମାନ ଆମ ପାଇଁ ଏକମାତ୍ର ସୁରକ୍ଷା କବଚ । ଏଠାରେ ସୂଚାଇଦେଉ ଯେ ଊନବିଂଶ ଶତାବ୍ଦୀରେ ଡା. ଇଗ୍‌ନାଜ ସେମ୍‌ଲିଡ୍‌ସ ହାତ ଧୋଇବାର ଉପକାର ଦର୍ଶାଇ ଅଜ୍ଞାତ ରୋଗକୁ ଅନେକ ଜୀବନକୁ ସୁରକ୍ଷିତ ରଖିପାରିଥିଲେ ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଅଜ୍ଞାତ ରୋଗ ବ୍ୟାପୀ ବହୁ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିଲେ । ସେତେବେଳେ ହାତରେ ଲାଗିଥିବା ଜୀବାଣୁ, ଭୂତାଣୁ ଦ୍ୱାରା ରୋଗ ବ୍ୟାପୀ ପାରେ ବୋଲି ଲୋକଙ୍କର ବିଶେଷ ଜ୍ଞାନ ନଥିଲା । ଏପରିକି ନିଜେ ଡାକ୍ତରମାନେ ମଧ୍ୟ ହାତ ଧୋଉ ନଥିଲେ । ସେହି ସମୟରେ ହଙ୍ଗୋରୀର ଜନୈକ ଚିକିତ୍ସକ ଏବଂ ବୈଜ୍ଞାନିକ ଡା.ଇଗ୍‌ନାଜ ସେମଲିଡ୍‌ସ ହାତ ଧୋଇବା ଦ୍ୱାରା ସଂକ୍ରମଣ ରୋକାଯାଇପାରିବ ବୋଲି ପ୍ରଥମେ ଡାକ୍ତରମାନଙ୍କୁ ବୁଝାଇଥିଲେ ଏବଂ ଲୋକଙ୍କୁ ଏହାକୁ ଅଭ୍ୟାସ କରିବା ନିମନ୍ତେ କହିଥିଲେ । ପରେ ଜନସାଧାରଣ ଏହାକୁ ଗ୍ରହଣ କରିବା ପରେ ମୃତ୍ୟୁହାର ଦ୍ରୁତବେଗରେ ହ୍ରାସ ପାଇଥିଲା । ଏଥିପାଇଁ ଆମେ ଡା. ସେମଲିଡ୍‌ସଙ୍କୁ ସଂକ୍ରମଣ ନିୟନ୍ତ୍ରଣର ଜନକ ବୋଲି କହିଥାଉଁ ।
ବର୍ତ୍ତମାନ ସାରା ବିଶ୍ୱ ତାଙ୍କରି ପଦ୍ଧତିକୁ ଗ୍ରହଣ କରିଛି । ଏବେ ଯାହା ଦେଖାଯାଏ ଲୋକେ ଏଥିପ୍ରତି ସଚେତନ ରହିବାରୁ ବର୍ତ୍ତମାନ ବିଶ୍ୱରେ ଏହାର ସଂକ୍ରମଣ ଏବଂ ମୃତ୍ୟୁହାର କମିବାରେ ଲାଗିଛି । ଅବଶ୍ୟ ଆମେ ଭବିଷ୍ୟତ କଥା ଏଇନେ କହିପାରିବା ନାହିଁ । ଏବେ କରୋନା ସଂକ୍ରମଣ କାଳରେ ବଡ଼ମାନଙ୍କ ସହ ପିଲାମାନଙ୍କୁ ବି ସ୍ୱଚ୍ଛ ରହିବା ଲାଗି ହସ୍ତ ପ୍ରକ୍ଷାଳନ ଶିଖାଇବା ଜରୁରୀ ହୋଇପଡ଼ିଛି । ବିଶେଷକରି ଫଳ ଏବଂ ପନିପରିବା କାଟିବା କିମ୍ବା ରୋଷେଇ କରିବା ପୂର୍ବରୁ ଓ ପରେ ହାତ ଧୋଇବା ନିହାତି ଆବଶ୍ୟକ ହୋଇପଡ଼ିଛି । କୌଣସିି ଜିନିଷ ଖାଇବା ପୂର୍ବରୁ ଭଲଭାବରେ ହାତ ଧୁଅନ୍ତୁ । ଅସୁସ୍ଥ ବ୍ୟକ୍ତିଙ୍କ ସେବା କରୁଥିଲେ ବି ବାରମ୍ବାର ହାତ ଧୋଇବା ଜରୁରୀ ହୋଇଥାଏ । ସେମିତି ଘା, ଘେଉଡି ଉପଚାର କରିବା ପୂର୍ବରୁ ଓ ପରେ ହାତକୁ ଧୋଇବା ଉଚିତ୍ । କୌଣସି ପଶୁଙ୍କୁ ଖାଦ୍ୟ ଦେଉଥିଲେ, ଆବର୍ଜନ ସଫା କରୁଥିଲେ, ଶୌଚାଳୟ ବ୍ୟବହାର କରିବା ପରେ ପିଲାଙ୍କ ପୋଷାକ ବଦଳାଇବା ପରେ, ନାକ ପୋଛିବା ସହ କାଶିବା ଏବଂ ଛିଙ୍କିବା ପରେ ମଧ୍ୟ ହାତ ଧୋଇବା ଜରୁରୀ । ହାତକୁ ସାବୁନ, ହ୍ୟାଣ୍ଡ ୱାସ୍ ଆଦି ଲଗାଇ ଧୋଇପାରିବେ । ଆଲକୋହଲ୍ ଯୁକ୍ତ ସାନିଟାଇଜରରେ ବି ହାତ ସଫା କରିପାରିବେ । ତେବେ ହାତ ଧୋଇବା ସହ ଏହାକୁ ଶୁଖାଇବା ଆବଶ୍ୟକ । କାରଣ କେତେକଙ୍କ ମତରେ ଓଦା ହାତରେ ଅଧିକ ଜୀବାଣୁ ଲାଗି ସଂଖ୍ୟାବୃଦ୍ଧି କରିବାର ଆଶଙ୍କା ଥାଏ । ଏବେ କରୋନା ସଂକ୍ରମଣ ବେଳେ ଗାମୁଛା ବା କପଡ଼ାରେ ହାତ ପୋଛିବା ଅପେକ୍ଷା ଡିସ୍‌ପୋଜେବଲ୍ ଟିସୁ ପେପରରେ ହାତ ପୋଛି ଶୁଖାଇବାରେ ଅଧିକ ଉପକାର ମିଳିଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ଏହା ଜାଣିବା କଥା ଯେ କୌଣସି ପାଗ, ଥଣ୍ଡା ବା ଉଷ୍ମତା ସହିତ ଏ ଜୀବାଣୁ ସଂକ୍ରମଣର ବାଧକ ନୁହେଁ । ଏହା ଯେକୌଣସି ପରିସ୍ଥିତିରେ ଓ ପରିବେଶରେ ସଂକ୍ରମିତ ହୋଇଥାଏ । ଏଥିପାଇଁ ଉପରବର୍ଣ୍ଣିତ ତଥ୍ୟ ଅନୁସାରେ ତଥା ଆମ ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶକୁ ଅକ୍ଷର ଅକ୍ଷରେ ପାଳନ କରିବା ଉଚିତ୍ । ନିଜେ ବଂଚିଥିଲେ ଯୁଗଭୋଗୀ । ଏହା ବି ଆମେ ଜାଣୁ ଯେ ରୋଗ ନିବାରଣ ଅପେକ୍ଷା, ଏହାର ନିରାକରଣ ସବୁଠୁ ଶ୍ରେଷ୍ଠ ଉପାୟ । ଏଣୁ ଆସ ଏ କରୋନା ମହାମାରୀ ପରିପ୍ରେକ୍ଷୀରେ ନିଜକୁ ନିଜେ ବଂଚାଇବା ପାଇଁ ଚେଷ୍ଟା କରିବା ଏବଂ ଏ ବିଶ୍ୱର ଏ ମହାମାରୀକୁ ନିଶ୍ଚିହ୍ନ କରିବା ନୋହିଲେ ଏ ମଣିଷ ଜାତି ନିଶ୍ଚିହ୍ନ ହୋଇପାରେ ।
ଅନ୍ତର୍ଜାତୀୟ ହାତଧୁଆ ଦିବସ ଉପଲକ୍ଷେ
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ