ଦଶ ମହାବିଦ୍ୟା

ବିପିନ ବିହାରୀ ମହାନ୍ତି
ଦଶ ମହାବିଦ୍ୟାଙ୍କ ଉତ୍ପତ୍ତି :
ଦେବୀ ଶକ୍ତିଙ୍କ ୧୦ଟି ସ୍ୱରୂପ ୧୦ ମହାବିଦ୍ୟାଙ୍କ ଉତ୍ପତି ସମ୍ପର୍କରେ ଏକ ପୌରାଣିକ ଆଖ୍ୟାନ ପ୍ରଚଳିତ । ଦେବୀ ସତୀ ଭଗବାନ ଶିବଙ୍କୁ ବରଣ କରିବା ପରେ ତାଙ୍କ ପିତା ପ୍ରଜାପତି ଦକ୍ଷ ରୁଷ୍ଟ ହୋଇଥିଲେ । ଦକ୍ଷ ଏକ ଯଜ୍ଞର ଆୟୋଜନ କଲେ । ସେଥିରେ ସବୁ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମାତ୍ର ଜାଣିଶୁଣି ଦକ୍ଷ ନିଜ ଜାମାତା ଶିବ ଏବଂ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିନଥିଲେ । ପିତାଙ୍କ ଠାରୁ ନିମନ୍ତ୍ରଣ ପାଇନଥିଲେ ମଧ୍ୟ ଦେବୀ ସତୀ ଯଜ୍ଞସ୍ଥଳକୁ ଯିବା ଲାଗି ଇଚ୍ଛା ପ୍ରକଟ କଲେ । ମାତ୍ର ଅପମାନିତ ହେବାର ଆଶଙ୍କାରେ ଶିବ ତାଙ୍କୁ ଏଥିପାଇଁ ବାରଣ କରିଥିଲେ ।
ତେବେ ଦେବୀ ସତୀ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବାରୁ ଶିବ ବିରକ୍ତ ହୋଇ ତାଙ୍କୁ ଅନୁମତି ଦେଇଥିଲେ । ଶିବଙ୍କ ଏହି ବିରକ୍ତ ଭାବ ସତୀଙ୍କ ହୃଦୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସେ କ୍ରୋଧିତ ହୋଇ ଦଶ ମହାବିଦ୍ୟାର ପ୍ରଥମ ସ୍ୱରୂପ କାଳୀ ରୂପ ଧାରଣ କରିଥିଲେ । ମହାକାଳୀଙ୍କ ଭୟଙ୍କର ସ୍ୱରୂପକୁ ଦେଖି ଭଗବାନ ଶଙ୍କର ଭୟଭୀତ ହୋଇ ପଳାୟନ କରିଥିଲେ । ମାତ୍ର ସେ ଯେଉଁ ସ୍ଥାନକୁ ଯାଉଥିଲେ ସେଠାରେ ଜଣେ ଜଣେ ମହାବିଦ୍ୟା ପ୍ରକଟ ହେଉଥିଲେ । ଏହିପରି ଶବ ଦଶ ଦିଗକୁ ପଳାୟନ କରିବାକୁ ଉଦ୍ୟମ କରିବାରୁ ଦଶଜଣ ମହାବିଦ୍ୟା ପ୍ରକଟ ହୋଇଥିଲେ । ପ୍ରଥମେ କାଳୀ ଓ ପରେ ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା ରୂପରେ ପ୍ରକଟ ହୋଇ ଦେବୀ ଶକ୍ତି ଶିବଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ଶେଷରେ ଦେବୀ କମଳା ରୂପ ଧାରଣ କରିଥିବାରୁ ଶିବଙ୍କ ଭୟ ଲୋପ ପାଇଥିଲା । ପରବର୍ତ୍ତୀ ସମୟରେ ଦେବୀ ଏହି ଅବତାରରେ ପୁନଃ ପ୍ରକଟ ହୋଇ ଦୁଷ୍ଟମାନଙ୍କର ସଂହାର କରିଥିଲେ ।
ଦଶ ମହାବିଦ୍ୟାଙ୍କ ପ୍ରଥମ ସ୍ୱରୂପ ଦେବୀ କାଳୀ
ଦେବୀ ଶକ୍ତିଙ୍କ ଦଶ ଦିବ୍ୟ ସ୍ୱରୂପ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ପ୍ରଥମେ ପ୍ରକଟ ହୋଇଥିଲେ ଦେବୀ କଳୀ । ଦେବୀ କାଳୀଙ୍କୁ ମା’ଶକ୍ତିଙ୍କ ମୂଳ ସ୍ୱରୂପ ଅଟନ୍ତି । ଦେବୀ କାଳୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ସେ ସଂସାର ପାଇଁ କଲ୍ୟାଣକାରୀ । ସେ ଦୁଷ୍ଟମାନଙ୍କର ସଂହାର କରି ସଂସାରରେ ସଜ୍ଜନମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ଦେବୀ ‘କାଳୀ’ଙ୍କ ନାମ ‘କାଳ’ ଅର୍ଥାତ ସଂସହାରର ଦେବତା ଭଗବାନ ଶିବଙ୍କ ନାମାନୁସାରେ ହୋଇଛି । କାଳୀଙ୍କୁ କାଳୀକା ପୁରାଣରେ ଆଦି ଶକ୍ତି ଏବଂ ପରାଶକ୍ତି ଭାବେ ବର୍ଣ୍ଣନା କରାଯାଇଛି । ଦେବୀ ଶକ୍ତି ଅସୁର ରକ୍ତବୀର୍ଯ୍ୟର ସଂହାର ପାଇଁ କାଳୀରୂପ ଧାରଣ କରିଥିଲେ । ତାଙ୍କ କ୍ରୋଧ ଶାନ୍ତ ନହେବାରୁ ମହାଦେବଙ୍କୁ ତାଙ୍କ ପାଦ ତଳେ ଶୋଇବାକୁ ପଡ଼ିଥିଲା । କାଳୀ ମହାଦେବଙ୍କ ଉପରେ ପାଦ ରଖିଦେବାରୁ ତାଙ୍କ ଜିଭ ପଦାକୁ ବାହାରି ଆସିଥିଲା । ଦେବୀଙ୍କ ଏହି ରୂପକୁ ସର୍ବତ୍ର ପୂଜା କରାଯାଏ । ଏହି ପ୍ରକଟରେ ଆଦ୍ୟ।।କ୍ତି ମହାକାଳୀ ଏବଂ ଭଗବାନ ରୁଦ୍ର ମହାକାଳ ଅଟନ୍ତି ।
ଦଶ ମହାବିଦ୍ୟାଙ୍କ ଦ୍ୱିତୀୟ ସ୍ୱରୂପ ଦେବୀ ତାରା
ଦେବୀ ତାରା ହେଉଛନ୍ତି ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟାଙ୍କ ସ୍ୱରୂପଙ୍କ ମଧ୍ୟରୁ ଦ୍ୱିତୀୟ । ଦେବୀ ତାରାଙ୍କ ସ୍ୱରୂପ ଦେବୀ କାଳୀଙ୍କ ଭଳି । ତାଙ୍କ ମୂର୍ତ୍ତି ଭଗବାନ ଶିବଙ୍କ ଉପରେ ଛିଡ଼ା ହୋଇଥିବା ଅବସ୍ଥାରେ ପୂଜା କରାଯାଏ । ଦେବୀ କାଳୀ ବର୍ଣ୍ଣ କଳା ହୋଇଥିବା ବେଳେ ଦେବୀ ତାରାଙ୍କ ବର୍ଣ୍ଣ କୃଷ୍ଣକଳା । ଶ୍କତି ଉପାସନାରେ ଦେବୀ ତାରାଙ୍କ ସ୍ଥାନ ମହତ୍ତ୍ୱପୂର୍ଣ୍ଣ । ଦେବୀ ମହାଭାଗବତରେ ଥିବା ବର୍ଣ୍ଣନା ଅନୁଯାୟୀ ଦେବୀ ତାରାଙ୍କ ଠାରୁ ହିଁ ସଂସାରରେ ଜନ୍ମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ହଳାହଳ ବିଷ ପାନ କରି ସମଗ୍ର ସଂସାରରୁ ବିଷ ଜ୍ୱାଳାରୁ ରକ୍ଷା କରିଥିଲେ । ତେବେ ବିଷ ପ୍ରଭାବରୁ ସେ ଅଚେତ ହୋଇପଡିଥିଲେ । ଏହାପରେ ଦେବୀ ତାରା ମହାଦେବଙ୍କୁ ଏକ ଶିଶୁ ରୂପରେ ପରିଣତ କରାଇବା ସହ ତାଙ୍କୁ ସ୍ତନ୍ୟପାନ କରାଇଥିଲେ । ଏହାଫଳରେ ବିଷ ଜ୍ୱାଳା ପ୍ରଭାବରୁ ଭଗବାନ ଶିବ ମୁକ୍ତ ହୋଇପାରିଥିଲେ । ଶିବଙ୍କ ଦ୍ୱିତୀୟ ଗୁପ୍ତାବତାରହେଉଛି ‘ତାର’ । ଏଣୁ ଭୈରବୀ ହିସାବରେ ଦେବୀଙ୍କ ନାମ ହୋଇଛି ତାରା ।
ଦଶ ମହାବିଦ୍ୟାଙ୍କ ତୃତୀୟ ସ୍ୱରୂପ ଦେବୀ ତ୍ରିପୁରସୁନ୍ଦରୀ
ଆଦିଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପଙ୍କ ମଧ୍ୟରୁ ତୃତୀୟ ସ୍ୱରୂପ ହେଉଛନ୍ତି ଦେବୀ ତ୍ରିପୁରସୁନ୍ଦରୀ । ତାଙ୍କୁ ରାଜରାଜେଶ୍ୱରୀ, ଲଳୀତା, ଷୋଢଶୀ ରୂପରେ ମଧ୍ୟ ପୂଜା କରାଯାଇଥାଏ । ଏହି ଦେବୀଙ୍କ ସ୍ୱରୂପ ଅତ୍ୟନ୍ତ ଦିବ୍ୟ । ତନ୍ତ୍ର ଶାସ୍ତ୍ରରେ ଦେବୀଙ୍କୁ ଶ୍ରୀବିଦ୍ୟା ନାମରେ ପୂଜା ଯାଇଥାଏ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ତିନିପୁରରେ ଦେବୀଙ୍କ ଦିବ୍ୟ ସ୍ୱରୂପ ସହ କେହି ତୁଳନୀୟ ନୁହନ୍ତି । ସ୍ଥୂଳ, ସୂକ୍ଷ୍ମ ଏବଂ ପାରା ରୂପରେ ସେ ସର୍ବତ୍ର ବିଦ୍ୟମାନ । ଶକ୍ତି ଉପାସନାରେ ତ୍ରିପୁର ସିନ୍ଦରୀଙ୍କର ବିଶେଷ ମହତ୍ତ୍ୱ ରହିଛି । ସେ ସିଂହାସନରେ ବିରାଜମାନ ଥାଆନ୍ତି । ତାଙ୍କର ଚାରି ଭୂଜାରେ ଆଖୁ, ପୁଷ୍ପଗୁଚ୍ଛ, ଫାଶ ଏବଂ ଅଙ୍କୁଶ ଶୋଭା ପାଇଥାଏ । ଲଳିତା ସହସ୍ରନାମ ଆଦି ଶଙ୍କରାଚାର୍ଯ୍ୟଙ୍କ ସୌନ୍ଦର୍ଯ୍ୟ ଲହରୀ, ଲଳିତା ଉପାଖ୍ୟାନ, ତ୍ରିପୁରସୁନ୍ଦରୀ ଅଷ୍ଟକମ୍‌ରେ ଦେବୀଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ବିଦ୍ୟାରେ ରୁଦ୍ର ହେଉଛନ୍ତି ଶ୍ରୀବିଦ୍ୟେଷୀ (ତ୍ରିପୁରସୁନ୍ଦର) ଏବଂ ଭୈରବୀ ହେଲେ ତ୍ରିପୁର ସୁନ୍ଦରୀ ଶ୍ରୀ ବିଦ୍ୟେଶ୍ୱରୀ
ଦଶ ମହାବିଦ୍ୟାଙ୍କ ଚତୁର୍ଥ ସ୍ୱରୂପ ଦେବୀ ଭୁବନେଶ୍ୱରୀ
ଦଶ ମହାବିଦ୍ୟାଙ୍କ ଚତୁର୍ଥ ସ୍ୱରୂପ ହେଉଛନ୍ତି ଦେବୀ ଭୁବନେଶ୍ୱରୀ । ରୁଦ୍ରଙ୍କର ଭିନ୍ନ ଏକ ଅବତାର ଭୁବନେଶ୍ୱର । ଏଣୁ ଦେବୀ ହେଲେ ଭୁବନେଶ୍ୱରୀ । ସମଗ୍ର ଭୁବନର ଦେବୀ ହୋଇôଥବାରୁ ତାଙ୍କ ନାମ ଭୁବନେଶ୍ୱରୀ ମଧ୍ୟ (ଭୁବନ+ଈଶ୍ୱରୀ) ହୋଇଛି । ସମଗ୍ର ଭୁବନ ଗଠନରେ ତାଙ୍କର ଭୂମିକା ରହିଛି । ତାଙ୍କରି କୃପାରୁ ସମଗ୍ର ଭୁବନ ପରିଚାଳିତ ହୋଇଥାଏ । ଦେବୀ ଭୁବନେଶ୍ୱରୀଙ୍କର ଶକ୍ତି ଉପାସନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେବୀ ଭୁବନେଶ୍ୱରୀଙ୍କ ଆରାଧନା ଭକ୍ତର ସମସ୍ତ ମନୋସ୍କାମନା ପୂରଣ କରିଥାଏ । ଏପରିକି ଭୁବନେଶ୍ୱରୀଙ୍କ କୃପାରୁ ନବଗ୍ରହଙ୍କ ପ୍ରଭାବ ମଧ୍ୟ ହ୍ରାସ ପାଏ । ଭାରତର ବିଭିନ୍ନ ସ୍ଥାନରେ ଦେବୀ ଭୁବନେଶ୍ୱରୀଙ୍କ ଉପାସନା ସ୍ଥଳୀ ରହିଛି । ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରର ନାମ ଦେବୀ ଭୁବନେଶ୍ୱରୀଙ୍କ ନାମାନୁସାରେ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର, ତାମିଲନାଡୁର ପୁଡୁକୋଟ୍ଟାଇ, ଶ୍ରୀଲଙ୍କାର ମାନିପଲ୍ଲବମ୍ ଆଦି ସ୍ଥାନରେ ଭୁବନେଶ୍ୱରୀଙ୍କର ପୀଠ ରହିଛି । ଦେବୀ ସମଲେଶ୍ୱରୀ ଏବଂ କଟକ ଚଣ୍ଡୀ ପୀଠରେ ମଧ୍ୟ ଭୁବନେଶ୍ୱରୀଙ୍କ ଉପାସନା କରାଯାଏ ।
ଦଶ ମହାବିଦ୍ୟାଙ୍କ ପଞ୍ଚମ ସ୍ୱରୂପ ଦେବୀ ଭୈରବୀ
ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପଙ୍କ ମଧ୍ୟରୁ ପଞ୍ଚମ ସ୍ୱରୂପ ହେଉଛନ୍ତି ଦେବୀ ଭୈରବୀ । ସେ ହେଉଛନ୍ତି ଭଗବାନ ଭୈରବଙ୍କ ସହଚରୀ । ସେ ଅଗ୍ନିଶମ ତେଜିୟାନ । ଦୁଷ୍ଟଙ୍କ ସଂହାର ପାଇଁ ସେ ଭୟଙ୍କର ରୂପ ଧାରଣ କରିଛନ୍ତି । ସାଧୁଙ୍କ ପାଇଁ ସେ କରୁଣାମୟୀ ଦେବୀ । ସେ ହେଉଛନ୍ତି ସମଗ୍ର ସଂସାର ପାଇଁ ଅଗ୍ନି, ବିଦ୍ୟୁତ୍ ଏବଂ ସୂର୍ଯ୍ୟ ଶକ୍ତିର ଦେବୀ । ତାଙ୍କୁ ଶୁଭଙ୍କରୀ ନାମରେ ମଧ୍ୟ ଉପାସନା କରାଯାଏ । ଦେବୀଙ୍କର ତ୍ରିନେତ୍ରୀ ରହିଛି । ଦୁର୍ଗା ସପ୍ତଶତିରେ ତାଙ୍କୁ ଚଣ୍ଡୀ ରୂପରେ ବର୍ଣ୍ଣନା କରାଯାଇଛି । ଭୟଙ୍କର ସ୍ୱରୂପରେ ଥିବା ସମୟରେ ସେ ଗଧ ଉପରେ ବସିଥାନ୍ତି । ତାଙ୍କ ହାତରେ ତ୍ରୀଶୁଳ, ପର୍ଶୁ ଏବଂ ବଜ୍ର ଶୋଭାପାଏ । ତେବେ ଦେବୀଙ୍କର ଅଭୟ ମୁଦ୍ରା ରହିଛି । ଏହି ସ୍ୱରୂପରେ ସେ ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦକ୍ଷିଣ ଭାରତରେ ବିଶେଷ ଭାବେ ଦେବୀ ଭୈରବୀଙ୍କ ପୂଜା କରାଯାଏ । କୋଲକାତାରେ କାଳୀପୂଜା ସମୟରେ ଏବଂ ନେପାଳର ବାଗମତି ନଦୀକୂଳରେ ଥିବା ଶକ୍ତିପୀଠରେ ଦେବୀ ଭୈରବୀଙ୍କ ଉପାସନା କରାଯାଇଥାଏ ।
ଦଶ ମହାବିଦ୍ୟାଙ୍କ ଷଷ୍ଠ ସ୍ୱରୂପ ଦେବୀ ଛିନ୍ନମସ୍ତା
ଆଦିଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପ ମଧ୍ୟରୁ ଛିନ୍ନମସ୍ତାଙ୍କ ସ୍ଥାନ ଷଷ୍ଠ । ତାଙ୍କର ମସ୍ତକ ଗଣ୍ଡିଠାରୁ ଅଲଗା ଥାଏ । ଏହି ମସ୍ତକ ଦେବୀଙ୍କ ଗୋଟିଏ ହାତରେ ଶୋଭା ପାଉଥିବା ବେଳେ ଅନ୍ୟ ହାତରେ ଖଡ୍‌ଗ ଥାଏ । ଦେବୀଙ୍କ କଟିଯାଇଥିବା ବେକରୁ ରକ୍ତର ଦ୍ରୁତ ଧାରା ବୋହିଥାଏ । ଗୋଟିଏ ଧାରାକୁ ଦେବୀ ନିଜେ ପାନ କରୁଥବା ବେଳେ ଅନ୍ୟ ଧାରା ବର୍ଣ୍ଣୀ ଏବଂ ଶାକିନୀ ନାମକ ଦୁଇଜଣ ସଖୀଙ୍କୁ ଦେବୀ ପ୍ରଦାନ କରିଥାନ୍ତି । ଦେବୀ ଛିନ୍ନମସ୍ତାଙ୍କୁ ଆତ୍ମବଳିଦାନର ଦେବୀ ରୂପରେ ପୂଜା କରାଯାଇଥାଏ । ସେ ନିଜର କୁଣ୍ଡଳିନୀକୁ ଜାଗ୍ରତ କରି ସିଦ୍ଧି ପ୍ରାପ୍ତ କରିଛନ୍ତି । ତନ୍ତ୍ରସାଧନାରେ ଦେବୀ ଛିନ୍ନମସ୍ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରାପ୍ତ ହୋଇଛି । ଗୁହ୍ୟାତିଗୁହ ତନ୍ତ୍ରରେ ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପଙ୍କର ଭଗବାନ ବିଷ୍ଣୁଙ୍କ ଦଶ ଅବତାର ସହ ସମ୍ବନ୍ଧ ଥିବା କୁହାଯାଇଛି । ଦଶମହାବିଦ୍ୟାଙ୍କ କାରଣରୁ ଭଗବାନ ବିଷ୍ଣୁଙ୍କ ଦଶ ଅବତାରର ସୃଷ୍ଟି ସମ୍ଭବ ହୋଇପାରିଥିଲା । ପ୍ରତ୍ୟେକ ମହାବିଦ୍ୟାଙ୍କ ସହ ଭଗବାନ ବିଷ୍ଣୁଙ୍କ ଗୋଟିଏ ଅବତାରର ସମ୍ବନ୍ଧ ରହିଛି । ଏହି ଦୃଷ୍ଟିରୁ ଦେଖିଲେ ଦେବୀ ଛିନ୍ନମସ୍ତାଙ୍କର ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ସହ ସମ୍ପର୍କ ରହିଛି । ଦେବୀଙ୍କୁ ଛିନ୍ନମସ୍ତିକା ଏବଂ ପ୍ରଚଣ୍ଡଚଣ୍ଡୀକା ନାମରେ ମଧ୍ୟ ଉପାସନା କରାଯାଇଥାଏ । ଏଠାରେ ରୁଦ୍ର ହେଉଛନ୍ତି ଛିନ୍ନ ମସ୍ତକ ।
ଦଶ ମହାବିଦ୍ୟାଙ୍କ ସପ୍ତମ ସ୍ୱରୂପ ଧୂମାବତୀ
ଦେବୀ ଧୂମବତୀଙ୍କ ସ୍ଥାନ ଦଶ ମହାବିଦ୍ୟାଙ୍କ ମଧ୍ୟରେ ସପ୍ତମ । ତାଙ୍କ ସ୍ୱରୂପ ଧୂଆଁ ବା ଧୂମ ସମାନ ପ୍ରତିୟମାନ । ସେ ସର୍ବଦା ଏକ ଘୋନା ବିହୀନ ରଥ କିମ୍ବା କାଉ ଉପରେ ବିରାଜମାନ କରିଥାନ୍ତି । କୁହାଯାଏ ଯେ ଦେବୀ ସତୀ ଯେତେବେଳେ ନିଜ ପିତା ପ୍ରଜାପତି ଦକ୍ଷଙ୍କ ଯଜ୍ଞ କୁଣ୍ଡରେ ଝାସ ଦେଇ ପ୍ରାଣତ୍ୟାଗ କଲେ ସେ ସମୟରେ ଯଜ୍ଞ କୁଣ୍ଡରୁ ନିର୍ଗତ ଧୂଆଁରୁ ଦେବୀ ଧୂମାବତୀଙ୍କ ରୂପ ପ୍ରକଟ ହୋଇଥିôଲା । ଥରେ ଭଗବାନ ଧୂମାବତୀଙ୍କୁ ଭୋକ ଲଗାଇଲା । ସେ ଭଗବାନ ଶିବଙ୍କୁ ଖାଦ୍ୟ ମାଗିଲେ । ମାତ୍ର ଶିବ ତାଙ୍କ କ୍ଷୁଧା ମେଣ୍ଟାଇବାରେ ସକ୍ଷମ ନହେବାରୁ ସେ ଶିବଙ୍କୁ ଗିଳି ଦେଇଥିଲେ । ଏଥିପାଇଁ ଭଗବାନ ଶିବ ଦେବୀଙ୍କୁ ବିଧବା ନାରୀ ଭଳି ରୂପ ଧାରଣ କରିବା ଲାଗି ଅଭିଶାପ ଦେଇଥିଲେ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ଦେବୀ ଧୂମାବତୀଙ୍କ ଯୋଗୁ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାର ସୃଷ୍ଟି ହୋଇଥିଲା ବୋଲି ଗୁହ୍ୟାତିଗୁହ ତନ୍ତ୍ରରେ ଉଲ୍ଲେଖ ରହିଛି । ସେହିପରି ମୁଣ୍ଡମାଳ ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ଦେବୀ ଧୂମାବତୀଙ୍କ ଯୋଗୁ ଭଗବାନ ବିଷ୍ଣୁଙ୍କ ବାମନ ଅବତାର ସୃଷ୍ଟି ହୋଇଥିଲା । ଦେବୀଙ୍କ ସ୍ୱରୂପ ଏକ ବିଧବା ସ୍ତ୍ରୀ ଲୋକ ଭଳି ଦେଖାଯାଇଥାଏ । ତାଙ୍କ ସ୍ୱରୂପ ଦେଖି ଅଜ୍ଞାନୀ ବ୍ୟକ୍ତି ଦେବୀଙ୍କୁ ଅଶୁଭତାର ପ୍ରତୀକ ବୋଲି କହିଥାନ୍ତି । ମାତ୍ର ଦେବୀ ମହାପ୍ରଳୟ ସମୟରେ ଉପସ୍ଥିତ ଥାଆନ୍ତି । ତାଙ୍କ ରଙ୍ଗ ମହାପ୍ରଳୟର ବାଦଲ ଭଳି । ବ୍ରହ୍ମାଣ୍ଡର ଆୟୁ ଶେଷ ହୋଇଗଲେ, କାଳ ଶେଷ ହୋଇଗଲେ ଏବଂ ସ୍ୱୟଂ ମହାକାଳ ଅନ୍ତର୍ଦ୍ଧାନ ହୋଇଗଲେ, ମାତା ଧୂମାବତୀ ଅନ୍ତରୀକ୍ଷରେ ବିଦ୍ୟମାନ ଥାଆନ୍ତି । ସେ ପରକାଳର ଶକ୍ତି ସାଧ୍ୟ କରିଥାନ୍ତି । ସେ ସମୟରେ ନା ପୃଥିବୀ, ନା ଚନ୍ଦ୍ର ନା ସୂର୍ଯ୍ୟ, ନା ତାରାଗଣଙ୍କ ଅସ୍ତିତ୍ୱ ଥାଏ, ଚାରିଆଡ଼େ କେବଳ ଧୂଆଁ ଏବଂ ପାଉଁଶ ବ୍ୟାପି ଯାଇଥାଏ । ସେହି ସମୟରେ କେବଳ ମାତା ଧୂମାବତୀ ପୁନଃ ଆରମ୍ଭ ନିମନ୍ତେ ଉପସ୍ଥିତ ଥାଆନ୍ତି । ରୁଦ୍ରଙ୍କର ସପ୍ତମ ଅବତାର ନାମଥିଲା ଧୂମବର୍ଣ୍ଣ । ଏଣୁ ଦେବୀ ଧୂମାବତୀ ନାମେ ପରିଚିତା ।
ଦଶ ମହାବିଦ୍ୟାଙ୍କ ଅଷ୍ଟମସ୍ୱରୂପ ବଗଳାମୁଖୀ
ମାତା ବଗଳାମୁଖୀ ମହାବିଦ୍ୟାଙ୍କ ମଧ୍ୟରୁ ଅଷ୍ଟମ ମହାବିଦ୍ୟା । ତାଙ୍କୁ ମାତା ପୀତାମ୍ବରୀ ମଧ୍ୟ କୁହାଯାଇଥାଏ । ମାତା ହେଉଛନ୍ତି ସ୍ତମ୍ଭନର ଦେବୀ । ସମଗ୍ର ବ୍ରହ୍ମାଣ୍ଡର ଶକ୍ତି ଦେବୀ ବଗଳାମୁଖୀଙ୍କ ସହ ତୁଳନୀୟ ନୁହନ୍ତି । ଶତ୍ରୁନାଶ, ବାକ୍‌ସିଦ୍ଧି, ବାଦବିବାଦରେ ବିଜୟ ହାସଲ ପାଇଁ ଦେବୀଙ୍କ ଉପାସନା କରାଯାଇଥାଏ । ଦେବୀ ବଗଳାମୁଖୀଙ୍କ ଉପାସନା ଦ୍ୱାରା ଶତ୍ରୁନାଶ ହୁଏ ଏବଂ ଜୀବନରୁ ସମସ୍ତ ସଂକଟ ଦୂର ହୁଏ । ମା’ ଭଗବତୀ ବଗଳାମୁଖୀ ସମସ୍ତ ଦେବୀଙ୍କ ମଧ୍ୟରେ ବିଶିଷ୍ଟ ସ୍ଥାନ ଅଧିକାର କରିଛନ୍ତି । ଦେବୀଙ୍କ ସମଗ୍ର ବିଶ୍ୱରେ ମାତ୍ର ତିନୋଟି ପୀଠ ରହିଛି । ଯାହାକୁ ସିଦ୍ଧପୀଠ କୁହାଯାଏ । ମଧ୍ୟପ୍ରଦେଶର ଦାତିଆ, ହିମାଚଳର କାଙ୍ଗଡ଼ା, ମଧ୍ୟପ୍ରଦେଶର ନଲକେଡ଼ାରେ ଦେବୀ ବଗଳାମୁଖୀଙ୍କ ମନ୍ଦିର ରହିଛି । ବଗଳାମୁଖୀ ଦେବୀଙ୍କ ବର୍ଣ୍ଣ ହେଉଛି ସୁବର୍ଣ୍ଣ । ସେ ହଳଦୀ ରଙ୍ଗର ବସ୍ତ୍ରଧାରଣ କରିଛନ୍ତି । ସାଗର ମଧ୍ୟରେ ଥିବା ଏକ ପଦ୍ମ ସିଂହାସନରେ ଦେବୀ ବିରାଜମାନ କରିଥାନ୍ତି । ଦେବୀଙ୍କ ଦ୍ୱିଭୂଜ ଏବଂ ଚତୁର୍ଭୂଜ ରୂପ ମଧ୍ୟ ରହିଛି । ଦିଭୂଜ ରୂପରେ ତାଙ୍କର ଗୋଟିଏ ହାତରେ ଶସ୍ତ୍ର ଥାଏ ଏବଂ ଅନ୍ୟ ହାତରେ ଅସୁରର ଜିହ୍ୱାକୁ ସେ ଟାଣି ଧରିଥାନ୍ତି । ଏହି ବିଦ୍ୟାରେ ରୁଦ୍ର ହେଉଛନ୍ତି ବଗଳାମୁଖ ।
ଦଶ ମହାବିଦ୍ୟାଙ୍କ ନବମ ସ୍ୱରୂପ ମାତଙ୍ଗୀ
ଭଗବାନ ଶିବ ହେଉଛନ୍ତି ମାତଙ୍ଗ । ତାଙ୍କ ଶକ୍ତି ହେଲେ ମାତଙ୍ଗୀ । ଏହି ଦେବୀ ଶ୍ୟାମଳ ବର୍ଣ୍ଣା ଏବଂ ସେ ନିଜ ମସ୍ତକରେ ଚନ୍ଦ୍ରମା ଧାରଣ କରିଅଛନ୍ତି । ଦେବୀ ମାତଙ୍ଗୀ ପୂଣ୍ୟତୟା ଏବଂ ବାଗ୍‌ଦେବୀ । ଏହାଙ୍କ ବାହୁରେ ଚାରିବେଦ ଶୋଭା ପାଇଥାଏ । ସେହିପରି ଦେବୀଙ୍କ ହସ୍ତରେ ଖଡ୍‌ଗ, ବୀଣା ଏବଂ ଶୁଆ ମଧ୍ୟ ରହିଥାଏ । ମା’ ମାତଙ୍ଗୀଙ୍କୁ ବେଦଜ୍ଞମାନେ ସରସ୍ୱତୀ ରୂପରେ ମଧ୍ୟ ପୂଜା କରିଥାନ୍ତି । ଦେବୀ ମାତଙ୍ଗୀଙ୍କୁ ପଳାସ, ମଲ୍ଲିକା ପୁଷ୍ପ ଏବଂ ବେଲପତ୍ର ଦ୍ୱାରା ଉପାସନା କରିବା ଦ୍ୱାରା ମନୁଷ୍ୟର ଅଧ୍ୟାତ୍ମିକ ଜ୍ଞାନର ବିକାଶ ଏବଂ ସ୍ତମ୍ଭନ ଶକ୍ତିର ବୃଦ୍ଧି ହୋଇଥାଏ । ଦେବୀ ମାତଙ୍ଗୀଙ୍କ ଉପାସନା ଦ୍ୱାରା ସିଦ୍ଧି ପ୍ରାପ୍ତ କରୁଥିବା ଉକ୍ତ କ୍ରୀଡାକୌଶଳ, କଳା, ସଂଗୀତ ଦୁନିଆରେ ପ୍ରସିଦ୍ଧି ହାସଲ କରିଥାଏ । ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପ ମଧ୍ୟରୁ ମାତଙ୍ଗୀଙ୍କ ସ୍ଥାନ ନବମ ।
ଦଶ ମହାବିଦ୍ୟାଙ୍କ ଦଶମ ସ୍ୱରୂପ ଦେବୀ କମଳା
ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପ ମଧ୍ୟରୁ ଦେବୀ କମଳା ବା କମଳାତ୍ମିକାଙ୍କ ସ୍ଥାନ ହେଉଛି ଦଶମ । କମଳାଙ୍କୁ ସୌଭାଗ୍ୟର ଦେବୀ ଭାବେ ଉପାସନା କରାଯାଇଥାଏ । ଦେବୀଙ୍କ ବର୍ଣ୍ଣ ସୁବର୍ଣ୍ଣ । ସେ ଚାରିଭୂଜାଧାରିଣୀ । ଦେବୀଙ୍କ ଦୁଇ ହାତରେ ଦୁଇଟି ପଦ୍ମ ପୁଷ୍ପ ଏବଂ ଅନ୍ୟ ଦୁଇଟି ହାତ ଅଭୟ ମୁଦ୍ରା ଏବଂ ବରମୁଦ୍ରାରେ ଥାଏ । ଦେବୀ ନିଜର ଭକ୍ତମାନଙ୍କୁ ସର୍ବଦା ସୌଭାଗ୍ୟର ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦୁଇଟି ବିଶାଳକାୟ ଧଳା ହସ୍ତୀ ସୁବର୍ଣ୍ଣ କଳସରେ ଦେବୀଭ୍‌କ ଜଳାଭିଷେକ କରିଥାନ୍ତି । ଦେବୀ ହେଉଛନ୍ତି ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପ୍ରତିରୂପ । ଧନରତ୍ନ, ଶସ୍ୟ ଆଦି ପ୍ରାପ୍ତି ନିମନ୍ତେ ମା’ କମଳାତ୍ମିକାଙ୍କ ପୂଜା କରାଯାଇଥାଏ । “ଓଁ ଶ୍ରୀଂ ଶ୍ରୀଂ କମଳାତ୍ମିକା ଶ୍ରୀଂ ସ୍ୱାହା” ମନ୍ତ୍ର ଦ୍ୱାରା ଦେବୀଙ୍କର ଆରାଧନା କରିବା ଦ୍ୱାରା ଦେବୀଙ୍କ କୃପାରୁ ସୌଭାଗ୍ୟ ବୃଦ୍ଧି ପାଇଥାଏ । ଏହି ବିଦ୍ୟାରେ ରୁଦ୍ର ହେଉଛନ୍ତି କମଳ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ