ଯୁଗେ ଯୁଗେ ଦେବୀ

ବିପିନ ବିହାରୀ ମହାନ୍ତି
ଏ ପୃଥିବୀ ଏକ ମହାଜାଗତିକ ପିଣ୍ଡ । ଏହାର ସୃଷ୍ଟି ସମୟରେ ଏହା ଥିଲା ଏକ ଗ୍ୟାସୀୟ ଜ୍ୱଳନ୍ତ ପିଣ୍ଡ । ପରବର୍ତ୍ତୀ ସମୟରେ ଏହା ଶୀତଳ ହେଲା । ଏଥିରେ ପ୍ରଥମେ ଜଳରାଶି ସୃଷ୍ଟିହେଲା । ଏହି ଜଳରୁ ପ୍ରଥମେ ଜଳଜୀବ ପରେ ଉଭୟଚର ଏବଂ ଶେଷରେ ସ୍ଥଳଜୀବ ସୃଷ୍ଟି ହେଲେ । ବିଜ୍ଞାନ ମତେ ଏହା ହିଁ ସୃଷ୍ଟି ତତ୍ତ୍ୱ ବା ଯେତେ ସୃଷ୍ଟି ସମସ୍ତେ ଶକ୍ତିର ଉତ୍ସରୁ ସୃଷ୍ଟି । ଶକ୍ତିର ବନ୍ଧନ ହେଲେ ଜଡ଼ ବା ଜୀବ । ଯେମିତି ଜଳ ଉଦ୍‌ଜାନ ଓ ଅମ୍ଳଜାନର ୨:୧ ବନ୍ଧନରୁ ସୃଷ୍ଟି । ଉଦ୍‌ଜାନ ବା ଅମ୍ଳଜାନ ଏମାନେ ଗୋଟିଏ ଗୋଟିଏ ଗ୍ୟାସୀୟ ଶକ୍ତି । ସେମିତି ବୈଜ୍ଞାନିକ ପଦ୍ଧତିରେ ଜଳକୁ ଭାଙ୍ଗିଲେ ମିଳେ ଉଦ୍‌ଜାନ ଏବଂ ଅମ୍ଳଜାନ । ଏହି ଶକ୍ତିର ଉତ୍ସ ଗୋଟିଏ । ତାହାକୁ କୁହନ୍ତି ପୋଷକ କୁଣ୍ଡ । ଶକ୍ତିର ହ୍ରାସ ବୃଦ୍ଧି ନାହିଁ, ରୂପାନ୍ତର ଅଛି । ଶକ୍ତି ଯେଉଁଠି ଆସେ । ସେଇଠିକୁ ଫେରିଯାଏ । ଜଳ ଗଠନ ଦୃଷ୍ଟାନ୍ତରୁ ଜାଣିଲେ ଯେ ଏମିତି ଶକ୍ତିର ଅରୂପରୁ ରୂପ ହିଁ ସମ୍ଭବ । ଅର୍ଥାତ୍ ନିରାକାରରୁ ଆକାର । ଏଣୁ ଶକ୍ତି ହିଁ ଈଶ୍ୱର ଯିଏ ସବୁ ସୃଷ୍ଟିର କାରଣ ।
ବିଜ୍ଞାନ ମତେ କୌଣସି ଧର୍ମ, ବିଜ୍ଞାନ ରହିତ ନୁହେଁ । ଏବେ ଆସନ୍ତୁ ଧାର୍ମିକ ମତେ ସୃଷ୍ଟିର ରହସ୍ୟ ସଂପର୍କରେ କିଛି ଆଲୋକପାତ କରିବା ।
ପୁରାଣ ଓ ଶାସ୍ତ୍ର ଅନୁଯାୟୀ ବିଶ୍ୱବ୍ରହ୍ମାଣ୍ଡରେ ତିନିପୁର ଅବସ୍ଥିତ : ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ । ଏଥିରେ ସାଧାରଣତଃ ତିନି ଶ୍ରେଣୀର ଅଧିବାସୀ ବାସ କରନ୍ତି । ସ୍ୱର୍ଗରେ ଦେବତା, ପାତାଳରେ ଦାନବ ଓ ମର୍ତ୍ତ୍ୟରେ ମାନବ ମାନେ ବାସ କରନ୍ତି । ଦେବତା ଓ ଦାନବ ପରେ ମାନବ ଓ ଅନ୍ୟାନ୍ୟ ପ୍ରାଣୀ ପୃଥିବୀରେ ଅବତୀର୍ଣ୍ଣ ହେଲେ ଏବଂ ଏ ସୃଜନୀର କାରଣ କେଉଁଠି ଆଦିମାତା ବା ଆଦ୍ୟାଶକ୍ତି । ଯିଏ ଶିବଙ୍କ ସହଯୋଗରେ ମୈଥୁନରୁ ସୃଷ୍ଟି କଲେ ମାନବ ଓ ଅନ୍ୟାନ୍ୟ ପ୍ରାଣୀ । ଦେବତାମାନେ ନପୁଂସକ କାରଣରୁ ମୈଥୁନର ବଂଶ ବିସ୍ତାର କରିପାରି ନଥାନ୍ତି । ଦାନବମାନେ ନିଜସ୍ୱ କାରଣରୁ ବଂଶ ବିସ୍ତାର କରିଥାନ୍ତି ।
ଆଦ୍ୟାଶକ୍ତି କେଉଁଠି ଏସବୁ ସୃଷ୍ଟିର ଚାବିକାଠି । ତେବେ ଏ ଆଦ୍ୟାଶକ୍ତି କିଏ ? କେମିତି ତାଙ୍କର ସ୍ୱରୂପ ? ଆସନ୍ତୁ ଜାଣିବା ।
ବିଜ୍ଞାନମତେ ଯେତେବେଳେ କେହି ନଥିଲେ, ଶକ୍ତି ଥିଲା । ସେମିତି ପୁରାଣ ମତେ ଯେତେବେଳେ କେହି ନଥିଲେ, ଏମିତିକି ଆମ ବିଶ୍ୱାସର ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ସକଳ ଦେବଦେବୀ ମାନବ, ଦାନବ କି ଜୀବବିଶେଷ ଇତ୍ୟାଦି, ସେତେବେଳେ ଏକା ଆଦ୍ୟାଶକ୍ତି ଥିଲେ । ପ୍ରଳୟ ପୟୋଧି ଜଳରେ ମଧ୍ୟ ସେ ଥିଲେ । ତାଙ୍କଠୁ ସବୁର ସୃଷ୍ଟି ସେ ସବୁର ପାଳନକର୍ତ୍ତୀ ଏବଂ ସଂହାରକାରିଣୀ । ତାଙ୍କ ଇଚ୍ଛାରୁ ସବୁ ଦେବତାଙ୍କୁ ସୃଷ୍ଟି କରନ୍ତି ଏବଂ ସୃଷ୍ଟିରେ ତାଙ୍କ ତରଫରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସୃଜନ, ପାଳନ ଓ ସଂହାର କାର୍ଯ୍ୟ କରିଥାନ୍ତି । ସେ ପୃଥିବୀର ମଙ୍ଗଳାର୍ଥେ ପ୍ରକଟ ହୋଇଥା’ନ୍ତି ଭିନ୍ନ ଭିନ୍ନ ରୂପରେ ।
ସୃଷ୍ଟିର ବହୁଦିନ ପର୍ଯ୍ୟନ୍ତ ଏ ମାନବ ଈଶ୍ୱର ବା ଆଦ୍ୟାଶକ୍ତିଙ୍କ ସ୍ୱରୂପ ଓ ତାଙ୍କ ସୃଷ୍ଟିର କାରଣ ଉପରେ ଅଜ୍ଞାତ ଥିଲା । ବେଦଯୁଗରେ ଏକଦା ଜହ୍ନ ରାତିରେ ଦଳେ ଆର୍ଯ୍ୟ ବସି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ଏହି ସମୟରେ ‘ଚେତସ’ ବୋଲି ଗୋଟେ ବାଳକ ଯାଇ ସେମାନଙ୍କ ମଧ୍ୟରୁ ତା’ ଜେଜେଙ୍କୁ କିଏ ପଚାରିଲା : ଆକାଶର ଯେଉଁ ତାରା, ଏ ଜହ୍ନ ରାତିର ଆକାଶ ନଦୀର କୁଳୁକୁଳୁ ଶବ୍ଦ, ପକ୍ଷୀଙ୍କ କାକ୍‌କଳି, ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ, ଜନ୍ମ ମୃତ୍ୟୁ, ଏସବୁ କରୁଛି କିଏ? ମୋତେ ବୁଝାଅ ତ?
ସମସ୍ତେ ଭାବିଲେ ସତେ ତ! ଏହା ଜାଣିବା ପାଇଁ ଦଳେ ଜ୍ଞାନୀ, ଆର୍ଯ୍ୟ ଧ୍ୟାନରେ ବସିଲେ । ଅନ୍ୟମାନେ ତାଙ୍କୁ ନିରାପତ୍ତା ଦେଲେ । ଅନେକ ଦିନ ପରେ ଏ ଧ୍ୟାନୀମାନେ ଏକ ସମୟରେ ଚିତ୍କାର କରି ଉଠିଲେ : ଆମେ ପାଇଗଲୁ । ସେମାନେ ଅନ୍ୟମାନଙ୍କୁ ଜଣାଇଲେ ଯେ ଆମେ ଅନ୍ତରରେ ଏକ ପରମଜ୍ୟୋତି ଦର୍ଶନ କଲୁ । ଏ ଜ୍ୟୋତି ଅନ୍ଧକାରର ପରପାରିରେ କୋଟି ସୂର୍ଯ୍ୟର ତେଜିୟାନଠାରୁ ଆହୁରି ଉଜ୍ଜ୍ୱଳ ଥିଲା । ସେ ଏକା ପରମବ୍ରହ୍ମ, ସବୁର କାରଣ । ସେମାନେ ଏ ପରମ ଜ୍ୟୋତିର ନାମ ରଖିଲେ ଈଶ୍ୱର ବା ପରମ ଶକ୍ତି ପରମବ୍ରହ୍ମ ଆଦ୍ୟାଶକ୍ତି । ସେବେଠୁ ଏ ଈଶ୍ୱର ବା ଆଦ୍ୟାଶକ୍ତିଙ୍କୁ ପାଇବାରେ ଆଉ କିଛି ଅସୁବିଧା ହେଲା ନାହିଁ । ଯିଏ ତାଙ୍କୁ ଯେମିତି ଡାକିଲା, ସେମିତି ପାଇଲା, ଯାହା ଚାହିଁଲା ତାକୁ ମଧ୍ୟ ମିଳିଲା । ଏଇଟା ମାନବ ପକ୍ଷରେ ସମ୍ଭବ ହେଲା । ପୁରାଣରେ ବେଦବ୍ୟାସ ଉପପୁରାଣ ମାନ ଲେଖିବା ପୂର୍ବରୁ ଦେବୀ ମହତ୍ତ୍ୱ ଓ ତତ୍ତ୍ୱ ଜାଣିବା ପାଇଁ ପ୍ରଥମେ ତାଙ୍କୁ ହିମାଳୟରେ ତପସ୍ୟା କଲେ । ପରେ ଆକାଶ ବାଣୀ ପାଇ ସେ ବ୍ରହ୍ମଲୋକ ଗଲେ । ସେଠାରେ ପରମ ଜ୍ୟୋତି ସ୍ୱରୂପିଣୀ ସନାତନୀ ଜଗଦମ୍ବା ପ୍ରକଟ ହୋଇ ଦର୍ଶନ ଦେଲେ । ସେତେବେଳେ ତାଙ୍କଠି ହଜାର ହଜାର ସୂର୍ଯ୍ୟଙ୍କ ଆଭା ଏବଂ କୋଟି କୋଟି ଚନ୍ଦ୍ରଙ୍କ ଶୀତଳ ପ୍ରଭାବ ଥିଲା । ତାଙ୍କର ସହସ୍ର ଭୁଜରେ ବିଭିନ୍ନ ଆୟୂଧ ଥିଲା ଏବଂ ଦିବ୍ୟାଳଙ୍କାରରେ ସେ ବିଭୁଷିତ ଥିଲେ । ସେ ମଧ୍ୟରେ ବିଭିନ୍ନ ରୂପରେ ଦର୍ଶନ ଦେଇଥିଲେ- କେବେ ବାମରେ ରାଧାଙ୍କ ସହ କୃଷ୍ଣ ରୂପରେ ତ, କେବେ ବାମରେ ସାବିତ୍ରୀଙ୍କ ସହ ବ୍ରହ୍ମା ରୂପରେ, କେବେ ବାମରେ ଗୌରୀଙ୍କ ସହ ଶିବ ରୂପରେ ପ୍ରତୀୟମାନ ହୋଇଥିଲେ । ସେତେବେଳେ ସେ ଥିଲେ ସର୍ବବ୍ୟାପୀ ବ୍ରହ୍ମ ଚାରିଣୀ ।
ଏମିତିରେ ଦେବୀ ବେଦବ୍ୟାସଙ୍କୁ ତାଙ୍କ ଅରୂପରୁ ରୂପର ଦର୍ଶନ ଦେଇ ତାଙ୍କର ସନ୍ଦେହ ମୋଚନ କରିଥଲେ । ଏଥିରୁ ପ୍ରମାଣିତ ହେଲା ଯେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତାଙ୍କରିଠୁ ସୃଷ୍ଟି ଏବଂ ସେ ସୃଷ୍ଟିର ହିତାର୍ଥେ ସେମାନଙ୍କର ପତ୍ନୀ ରୂପେ ଆର୍ବିଭୂତା ହେବାଟା ନିଶ୍ଚିତ ହୁଏ ।
ଭିନ୍ନ ଏକ କାହାଣୀରେ କୁହାଯାଇଛି ଯେ ଏକଦା ମନ୍ଦରାଞ୍ଚଳ ପର୍ବତ ଉପରେ ବିଷ୍ଣୁଙ୍କ ସମେତ ସମସ୍ତ ଦେବତା ଉପସ୍ଥିତ ଥିଲେ । ନାରଦ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କୁ ପ୍ରଶ୍ନ କଲେ ଯେ ଆପଣମାନଙ୍କୁ ଉପାସନା କଲେ ଜୀବକୁ ପରମ ପଦ ମିଳେ । ଇନ୍ଦ୍ର ପରି ଦେବତାମାନେ ସେହି କାରଣରୁ ଆପଣମାନଙ୍କୁ ମାନନ୍ତି । ଏବେ ମୋର ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ: ଆପଣ ତିନି ଜଣଙ୍କର ଉପାସ୍ୟ ଦେବତା କିଏ? ଆପଣ କେଉଁ ଅବିନାସୀ ଦେବତାଙ୍କୁ ଆରଧନା କରନ୍ତି କି? ଭଗବାନ ଶିବ ସମାଧିସ୍ଥ ହେଲେ ଏବଂ କିଛି ସମୟ ସମାଧି ଭଗ୍ନ କରି କହିଲେ, ଶୁଦ୍ଧ ଶାଶ୍ୱତ ପ୍ରକୃତି ରୂପିଣୀ ଭଗବତୀ ଜଗଦମ୍ବା ସାକ୍ଷାତ ପରବ୍ରହ୍ମ ଅଟନ୍ତି । ସେ ଆମର ଉପାସ୍ୟ ଦେବୀ/ଦେବତା ଅଟନ୍ତି । ନିରାକାର ହେଲେ ବି ମହାଦେବୀ ନିଜସ୍ୱ ଲୀଳାରେ ଦେହ ଧାରଣ କରନ୍ତି । ଏହାଙ୍କ ଦ୍ୱାରା ଏହି ବିଶ୍ୱର ସୃଷ୍ଟି ପାଳନ ଓ ସଂହାର ଲୀଳା ସମାହିତ ହୁଏ । ତାଙ୍କରି କାରଣରୁ ଏ ଜଗତ ମୋହଗ୍ରସ୍ତ ଥାଏ ।
ସେ ପୁଣି କହିଲେ ଯେ କାଳ ଓ ସମୟାନୁଯାୟୀ ଏହି ପୂର୍ଣ୍ଣା ଭଗବତୀ ନିଜସ୍ୱ ଲୀଳା କାରଣରୁ ଯଥାକ୍ରମେ ଦକ୍ଷକନ୍ୟା ସତୀ ରୂପରେ ଓ ହିମାଳୟଙ୍କ କନ୍ୟା ପାର୍ବତୀ ରୂପରେ ଜନ୍ମ ନେବେ ତଥା ନିଜ ଅଂଶରୁ ବିଷ୍ଣୁଙ୍କ ଭାର୍ଯ୍ୟା ଲକ୍ଷ୍ମୀରୂପରେ ଓ ସରସ୍ୱତୀ ରୂପରେ ତଥା ବ୍ରହ୍ମାଙ୍କ ସ୍ତ୍ରୀ ସାବିତ୍ରୀ ରୂପେ ପ୍ରକଟ ହେବେ । ସେ ପୂର୍ଣ୍ଣ ପ୍ରକୃତି ରୂପେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ନିଯୁକ୍ତି ଦେଇ କହିଛନ୍ତି ମୁଁ ଏ ସୃଷ୍ଟି ନିମନ୍ତେ ତୁମ ତିନିଜଣକୁ ଉତ୍ପନ୍ନ କରିଛିି । ଏଣୁ ମୋ ଇଚ୍ଛାନୁଯାୟୀ ତୁମେମାନେ କାର୍ଯ୍ୟ କର । ମୁଁ ନିଜେ ସାବିତ୍ରୀ, ସରସ୍ୱତୀ, ଲକ୍ଷ୍ମୀ, ଗଙ୍ଗା ତଥା ସତୀ । ଏହି ପାଞ୍ଚ ଦେବୀଙ୍କ ରୂପରେ ତୁମମାନଙ୍କ ସ୍ତ୍ରୀ ରୂପେ ବିହାର କରିବି ଏବଂ ପ୍ରାଣୀମାନଙ୍କ ମଧ୍ୟରେ ନାରୀରୂପ ଧାରଣ କରି ଶିବଙ୍କ ସହଯୋଗରେ ସମସ୍ତଙ୍କୁ ଜନ୍ମଦେବି । ଏହିପରି ବାର୍ତ୍ତା ଓ ଦର୍ଶନ ଦେଇ ପରାପ୍ରକୃତି ମହାବିଦ୍ୟା ଅନ୍ତର୍ଦ୍ଧାନ ହୋଇଗଲେ ।
ଯା’ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ତିତା
ଯା’ଦେବୀ ସର୍ବଭୂତେଷୁ ନାରୀ ରୂପେଣ ସଂସ୍ତିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମୋ ନମଃ ।ା
ଉପରୋକ୍ତ ଆଲୋଚନାରୁ ପ୍ରମାଣସିଦ୍ଧ ଯେ ମାତା ଜଗଦମ୍ବା ଆଦ୍ୟାଶକ୍ତି ଏ ସୃଷ୍ଟ ଆରମ୍ଭରୁ ଥିଲେ, ଅଛନ୍ତି ଓ ଥିବେ । ସେ ହିଁ ଜନ୍ମ ମୃତ୍ୟୁ ରହିତା ଚିରବର୍ତ୍ତମାନ ସବୁର କାରଣ ।
ସୃଷ୍ଟିର ଆରମ୍ଭ ପୂର୍ବରୁ ଯେମିତି ଆଦ୍ୟାଶକ୍ତି ସତ୍ୟ, ସେମିତି ତାଙ୍କ ସୃଷ୍ଟି ସର୍ଜନା ପରେ ସେ ନିଜେ ହିଁ ପ୍ରଥମ ଏବଂ ତାଙ୍କ ଦ୍ୱାରା ସୃଷ୍ଟ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଅନ୍ୟାନ୍ୟ ଦେବମାନେ ମଧ୍ୟ ପ୍ରଥମ । ସେ ଏକ ସମୟରେ ଦେବ, ଦାନବ ସୃଷ୍ଟି କରିଥିଲେ । ଦେବ-ଦାନବଙ୍କ ମଧ୍ୟରେ ନିଜର ଶକ୍ତି ଓ ଆଧିପତ୍ୟ ବିସ୍ତାର ନେଇ ରୀତିମତ ଗଣ୍ଡଗୋଳ ଓ ଯୁଦ୍ଧ ଲାଗିରହିଥିଲା । ଦାନବମାନଙ୍କର ଉଦ୍ଦେଶ୍ୟ ଥିଲା ସେମାନେ ତିନିପୁରର ମାଲିକ ହେବେ ଦେବତାମାନେ ତାଙ୍କ ଅଧୀନରେ ରହିବେ । ଈର୍ଷା ଯେ ସମୁଦ୍ର ମନ୍ଥନ ବେଳେ ପ୍ରାପ୍ତ ଅମୃତ ପାଇ ଦେବତାମାନେ ଅମର ବେଳେ, ଦାନବମାନେ ଥିଲେ ମର । ତେଣୁ ସଦାକାଳେ ତପସ୍ୟା / ଧ୍ୟାନ ବଳରେ ଦାନବମାନେ ବ୍ରହ୍ମା, ବିଷ୍ଣୁ ବା ମହେଶ୍ୱରଙ୍କୁ ସନ୍ତୁଷ୍ଟ କରି କିପରି ଅମରତ୍ୱ ଲାଭ କରିବେ ସେମିତି ବର ମାଗୁଥିଲେ । ହେଲେ ସେମାନେ ଯେତେ ବର ମାଗୁଥିଲେ, ତା’ ଭିତରେ କୋଉଠିନା କୋଉଠି ଗୋଟିଏ ଗଳିଆ ରାସ୍ତା ଥିଲା, ଯାହା ତାଙ୍କର ମୃତ୍ୟୁର କାରଣ ଥିଲା ।
ସୃଷ୍ଟିର ଆରମ୍ଭରେ ଆଦିଦୈତ୍ୟ ଥିଲା ହିରଣ୍ୟ କଶିପୁ । ତା’ର ନାତି ଦୁର୍ଗମ । ସେ ବ୍ରହ୍ମାଙ୍କ ଠାରୁ ବର ପାଇଥିଲା ଯେ ସେ କୌଣସି ପ୍ରାଣୀ ବା ପୁରୁଷ ଦ୍ୱାରା ମରିପାରିବ ନାହିଁ, ଏଣୁ ତ୍ରିଲୋକର ଅଧିପତି ହେବାରେ ତା’ର ସ୍ୱପ୍ନ ଥିଲା । ଖାଲି ସେତିକି ନୁହେଁ ସେ ମଧ୍ୟ ସ୍ୱର୍ଗପୁରରୁ ଦେବ ଅପହରଣ କରି ନେବାର ପ୍ରଚାର ହେଉଥିଲା । ଏହି କାରଣରୁ ଦେବତାମାନଙ୍କୁ ବାରମ୍ବାର ଆକ୍ରମଣ କରୁଥିଲା ଏବଂ ଦେବତାମାନେ ତାଦ୍ୱାରା ବାରମ୍ବାର ପରାସ୍ତ ହେଉଥିଲେ ଏବଂ ଭୟରେ ତ୍ରାହି ତ୍ରାହି ଡାକୁଥିଲେ ।
ଏକଦା ଦୁର୍ଗମ ସହିତ ଏମିତି ଏକ ଯୁଦ୍ଧ ବେଳେ ବୃହସ୍ପତି ଓ ଇନ୍ଦ୍ର ଇତ୍ୟାଦି ଦେବତାମାନେ ଏକ ପରମ ଜ୍ୟୋତି ଦେଖିଲେ । ସେମାନେ ଭାବିଲେ ଇଏ ବୋଧେ ଦୁର୍ଗମର ମାୟା । ସେମାନେ ତାକୁ ଯେତେ ଅସ୍ତ୍ର ପ୍ରୟୋଗ କଲେ ସେମାନେ ନିଜେ ପରାସ୍ତ ହେଲେ । ହଠାତ୍ ସେମାନେ ତାଙ୍କ ମୁଣ୍ଡ ଉପରେ ପରମ ଜ୍ୟୋତିକୁ ଦେଖି ବିନମ୍ର ପ୍ରାର୍ଥନା କଲେ, ହେ ପରମ ଜ୍ୟୋତି ଆମେ ଆପଣଙ୍କ ଶରଣ ପଶୁଛୁ । ଆପଣ ଆମକୁ ଏବଂ ସୃଷ୍ଟିର ମଙ୍ଗଳକାରୀ ଚାରିଦେବଙ୍କୁ ଦୁର୍ଗମାସୁରଠାରୁ ରକ୍ଷା କରନ୍ତୁ । ସେହି ଜ୍ୟୋତି ମଧ୍ୟରେ ଦେବତାମାନେ ପ୍ରଥମ ଥର ପାଇଁ ଚତୁର୍ଭୁଜା କୌଣସି ଏକ ନାରୀ ପ୍ରତିମା ଦେଖିଲେ । ସେ ଗୋଟିଏ ହସ୍ତରେ ବରଦାନ କରୁଥିଲେ । ଗୋଟିଏ ହସ୍ତରେ ପାଶ ଥିଲା, ଗୋଟିଏ ହସ୍ତରେ ଅଙ୍କୁଶ ଥିଲା ଏବଂ ଚତୁର୍ଥ ହସ୍ତରେ ସେ ଅଭୟ ପ୍ରଦାନ କରୁଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ଯେଉଁ ବେଦଗୁଡିକ ପାଇଁ ଦେବତାମାନେ ଦୁର୍ଗମ ଭୟରେ ଆତୁର ଥିଲେ, ସେଗୁଡିକ ତାଙ୍କ ପଦତଳରେ ଥିଲା, ଅର୍ଥାତ୍ ସେ ବେଦର ରକ୍ଷାକାରିଣୀ ଥିଲେ ।
ସେଦିନ ଦେବୀ ସେମାନଙ୍କୁ କହିଥିଲେ, ତୁମେ ମୋତେ ଚିହ୍ନିନପାରି ଆକ୍ରମଣ କଲ । ତଥାପି ମୁଁ ତୁମକୁ କ୍ଷମା କରୁଛି । ତୁମ୍ଭେମାନେ ଯୁଦ୍ଧରୁ ନିବୃତ୍ତ ହୁଅ ମୁଁ ତାକୁ ବଧ କରୁଛି ।
ଦୁର୍ଗମାସୁରର ପୁରୁଷ ହାତରେ ମରିବାର ନଥିଲା । ମା’ ଭଗବତୀ ତାଙ୍କୁ ନାରୀ ରୂପରେ ବଧ କଲେ । ଦୁର୍ଗମାସୁରକୁ ମାରି ମା’ ଦେବତାମାନଙ୍କ ଦୁଃଖ ହରଣ କରିଥିବାରୁ ସେବେଠୁ ମା’ ହେଲେ ଦୁର୍ଗା ।
ଭଗବତୀଙ୍କ ଇଚ୍ଛା ପୂର୍ବ ଯୋଜନା ତଥା ବ୍ରହ୍ମାଙ୍କ ତପସ୍ୟା କାରଣରୁ ସୃଷ୍ଟିର ସୃଜନ ପାଇଁ ମା’ ଶିବଙ୍କ ପତ୍ନୀ ହେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି ଏବଂ ତଦନୁଯାୟୀ ତାଙ୍କୁ ପାଇବା ପାଇଁ ଶିବ ତପସ୍ୟା କରି ମା’ଙ୍କ ଆଶୀର୍ବାଦ ପାଆନ୍ତି । ଏଥୁ ଅନ୍ତେ ସେଇ ବ୍ରହ୍ମାଙ୍କ କାରଣର ଦକ୍ଷ ତପସ୍ୟା କରି ମା’ ଭଗବତୀଙ୍କୁ କନ୍ୟା ରୂପେ ପାଆନ୍ତି ଏବଂ ତାଙ୍କ ନାମ ହୁଏ ସତୀ । ଦକ୍ଷଙ୍କ ଅନିଚ୍ଛା ସତ୍ତ୍ୱେ ସତୀଙ୍କର ଶିବଙ୍କ ସହ ବିବାହ ହୁଏ । ଶିବ ଶ୍ମଶାନବାସୀ ଥିବାରୁ ଏବଂ ତାଙ୍କ ଅଧୀନତ୍ୱ ସ୍ୱୀକାର କରୁନଥିବାରୁ ତାଙ୍କ ପ୍ରତି ଦକ୍ଷଙ୍କର ବିଦ୍ୱେଷଭାବ ଥିଲା । ସେ ସତୀଙ୍କୁ ପ୍ରଥମରୁ ଶିବଙ୍କୁ ଦେବାକୁ ଚାହୁଁନଥିଲେ, କିନ୍ତୁ ବ୍ରହ୍ମାଙ୍କ ମଧ୍ୟସ୍ଥତା କାରଣରୁ ଏହା ସମ୍ଭବ ହେଲା ସିନା ତାଙ୍କ କ୍ରୋଧ କମିଲା ନାହିଁ । ସେ ଶିବଙ୍କୁ ନିନ୍ଦିତ ଓ ଅପମାନିତ କରିବା ଉଦ୍ଦେଶ୍ୟରେ ଏକ ଯଜ୍ଞ କଲେ ଯେଉଁଥିକୁ ସେ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଅଥଚ ସତୀ ଯିବା ପାଇଁ ଜିଦ୍ କରନ୍ତି । ତଥାପି ସତୀ ନଛୋଡ଼ବନ୍ଧା । ଶେଷରେ ସତୀ ତାଙ୍କ ଦଶ ମହାବିଦ୍ୟା ମହାକାଳୀ, ତାରା, ଷୋଡଶୀ, ଛିନମସ୍ତା, ଭୁବନେଶ୍ୱରୀ, ବଗଳାମୁଖୀ, ଧୁମାବତୀ, କମଳା, ମାତଙ୍ଗୀ ଓ ଭୈରବୀ ରୂପ ମାନ ଦେଖାଇ ଶିବଙ୍କୁ ଭୟଭୀତ କରାନ୍ତି । ପରବର୍ତ୍ତୀ ସମୟରେ ଏହି ମହାବିଦ୍ୟାମାନେ ସ୍ଥଳ ବିଶେଷରେ ନିଜ ନିଜର କରିସ୍ମା ଦେଖାନ୍ତି । ଶିବ ଏ ଦର୍ଶନରେ ଭୟଭୀତ ହୋଇ ସତୀଙ୍କୁ ଅନୁମତି ଦେଲେ ।
ସତୀଙ୍କୁ ଯଜ୍ଞ ସ୍ଥଳୀରେ ତାଙ୍କ ମା’ ଓ କେଇଜଣ ଭଉଣୀ ବ୍ୟତୀତ ଅନ୍ୟମାନେ ଆଡ ଆଖିରେ ଦେଖନ୍ତି । ଅନାବୃତେ ପ୍ରବଶ୍ୟତେ କାରଣରୁ ତାଙ୍କର ଆଦର ନାହିଁ । ତଥାପି ଯଜ୍ଞରେ ସେ ସ୍ୱାମୀଙ୍କ ଯଜ୍ଞ ଭାଗ ଦାବି କଲେ ଅଥଚ ଅପମାନିତ ହେଲେ । ଏଣୁ ସେଠାରେ ସେ ପତି ନିନ୍ଦା ସହିପାରନ୍ତି ନାହିଁ । ତେଣୁ ସେ ନିଜର ଦେହରୁ ଛାୟାସତୀ ସୃଷ୍ଟି କରି ଯଜ୍ଞସ୍ଥଳୀ ଧ୍ୱସ୍ତ-ବିଧ୍ୱସ୍ତ କରିଦିଅନ୍ତି ଏବଂ ଶେଷରେ ଯଜ୍ଞାଗ୍ନିରେ ଆତ୍ମ ବିସର୍ଜନ କରନ୍ତି । ଏହା ହିଁ ଶିବଙ୍କୁ କ୍ରୋଧାନ୍ୱିତ କରାଏ ଏବଂ ସେ ବୀରଭଦ୍ର ରୂପେ ଯଜ୍ଞ ଧ୍ୱଂସ କରନ୍ତି ଏବଂ ଦକ୍ଷଙ୍କ ମୁଣ୍ଡ କାଟି ଯଜ୍ଞ କୁଣ୍ଡରେ ଜାଳିଦିଅନ୍ତି । ପରେ ଦେବତାମାନଙ୍କ ଅନୁରୋଧ କ୍ରମେ ଶିବ ଆସନ୍ତି, ଯଜ୍ଞ ସମାପନ ହୁଏ ଏବଂ ଦକ୍ଷଙ୍କୁ ଛେଳିମୁଣ୍ଡ ଯୋଡି ଜୀବନ ଦାନ କରନ୍ତି । ହେଲେ ଶିବ କ’ଣ ସତୀଙ୍କୁ ଭୁଲି ପାରନ୍ତି? ଏଥୁ ଅନ୍ତେ ସତୀଙ୍କ ଦଗ୍ଧମରପିଣ୍ଡ ଯଜ୍ଞ କୁଣ୍ଡରୁ ଆଣି ତାକୁ କାନ୍ଧରେ ଧରି ଆରମ୍ଭ କରି ଦିଅନ୍ତି ତାଣ୍ଡବ ନୃତ୍ୟ । ପୃଥିବୀ କମ୍ପେ । ଦେବତାମାନେ ଭୟଭୀତ ଏହା ଦେଖି ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ସେ ପିଣ୍ଡକୁ ଖଣ୍ଡ ଖଣ୍ଡ କରନ୍ତି ଏବଂ ସତୀଙ୍କ ଦେହର ଏହି ଛେଦିତ ଅଂଶ ଭାରତ ଓ ଭାରତ ବାହାରେ ବିଭିନ୍ନ ଭୂଭାଗରେ ପତିତ ହୁଏ ଯାହାକି ପରବର୍ତ୍ତୀ ସମୟରେ ପାଲଟିଯାଏ ୫୧ଟି ଭିନ୍ନ ମତେ ୧୦୮ଟି ଶକ୍ତିପୀଠ ।
ସତୀ ବିନା ଶିବ ବଞ୍ôଚବା ଅସମ୍ଭବ ମନେ କରନ୍ତି । ସେ କାମ ରୂପ ଯେଉଁଠି କି ସତୀଙ୍କ ଯୋନି ପତିତ ହୋଇଥିଲା । ସେଠି ସତୀଙ୍କ ପାଇଁ ତପସ୍ୟା କରନ୍ତି । ଅନେକ ଦିନ ପରେ ଦେବୀ ପ୍ରସନ୍ନ ହୋଇ କହନ୍ତି ଯେ ସେ ହିମାଳୟଙ୍କ ପତ୍ନୀ ମେନକାଙ୍କ ଗର୍ଭରୁ ଜନ୍ମ ନେବେ । ତାଙ୍କ ନାମ ହେବ ଉମା ଏବଂ ପରେ ପାର୍ବତୀ । ସେତେବେଳେ ଶିବଙ୍କ ସହିତ ତାଙ୍କର ବିବାହ ହେବ । ତାହା ହିଁ ହେଲା ଅଥଚ ଏଥିପାଇଁ ତପସ୍ୟା କରିବାକୁ ହେଲା ପ୍ରାୟ ୩୦୦୦ ବର୍ଷ । ଏହା ପରେ ସେମାନେ ଧରନ୍ତି ସୃଜନର ଚାବିକାଠି ।
ଏହାପରେ ତାଙ୍କ ଆଶୀର୍ବାଦରୁ ଜନ୍ମ ନିଅନ୍ତି କାର୍ତ୍ତିକେୟ ସେ ବଧ କରନ୍ତି ତାରକାସୁର । ପରେ ପରେ ଭଗବାନ ବିଷ୍ଣୁ ନିଜେ ଗଣେଶ ଶିବ ପାର୍ବତୀଙ୍କର ପୁତ୍ର ରୂପେ ଜନ୍ମ ନିଅନ୍ତି । ଶିବ ଅଜ୍ଞାନ୍ତବଶତଃ ଗଣେଶଙ୍କର ଶିର ଛେଦ କରନ୍ତି ଏବଂ ପରେ ଭୁଲ ବୁଝି ହସ୍ତୀର ମୁଣ୍ଡଟିଏ ଯୋଡ଼ିଦେଇ ଜୀବନ୍ୟାସ ଦେଇଛନ୍ତି ଗଣେଶଙ୍କୁ । ସେ ହୁଅନ୍ତି ଅଗ୍ରପୂଜ୍ୟ । ସବୁରି ଗଜାନନ ।
ଏକଦା ମାତା ସତୀଙ୍କ କାରଣରୁ ଜଳନ୍ଧର ଓ ଶିବଙ୍କ ମଧ୍ୟରେ ଯୁଦ୍ଧ ହୁଏ । ଅଥଚ ଯୁଦ୍ଧର ପରିଣାମ ମିଳେନି । ପ୍ରତିଥର ଜଳନ୍ଧର ପତ୍ନୀ ବୃନ୍ଦାଙ୍କ ସତୀତ୍ୱ କାରଣରୁ ବଞ୍ôଚଯାଏ ସିଏ । ଯେପର୍ଯ୍ୟନ୍ତ ବୃନ୍ଦାଙ୍କର ସତୀତ୍ୱ ନଷ୍ଟ କରାନଯାଇଛି ସେ ଯାଏଁ ଯୁଦ୍ଧ ସରିନାହିଁ ବୋଲି ଦେବୀ ଜାଣିଲେ । ସେ ବିଷ୍ଣୁଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେ ଛଦ୍ମ ବେଶରେ ଯାଇ ବୃନ୍ଦାଙ୍କ ସତୀତ୍ୱ ଅପହରଣ କରନ୍ତୁ । ତାହା ହିଁ ହେଲା । ଏଥର ଶିବ ଜଳନ୍ଧରକୁ ବଧ କଲେ । ତେବେ ବିଷ୍ଣୁ ତାଙ୍କର ଏ ଅପରାଧ ପାଇଁ ବୃନ୍ଦାଙ୍କୁ ବର ଦେଲେ ଯେ ସେ ସର୍ବକାଳ ପାଇଁ ତାଙ୍କ କଣ୍ଠର ମାଳା ହେବେ ଏବଂ ସେ ବିଷ୍ଣୁଙ୍କ ପ୍ରିୟ ଭାବରେ ପୂଜା ହେବେ । ସେ ହେବେ ତୁଳସୀ ଏବଂ ତାଙ୍କ ପତ୍ରକୁ ଲୋକେ ମହାପ୍ରସାଦ ପରି ପାଇବେ ।
ଏହାପରେ ମା’ ପାର୍ବତୀ ଆଦ୍ୟାଶକ୍ତି ରୂପେ ଚାମୁଣ୍ଡା ଚଣ୍ଡ-ମୁଣ୍ଡ ଓ ମା’ କାଳୀ ରୂପେ ଶୁମ୍ଭ ନିଶୁମ୍ଭଙ୍କୁ ବଧ କରନ୍ତି ଏବଂ ଦୁର୍ଗା ରୂପରେ ପୂଜନ ପରେ ମହିଷାସୁରକୁ ମଧ୍ୟ ବଧ କରନ୍ତି । ତାରା ରୂପେ ହୟଗ୍ରୀବ, କନ୍ୟାକୁମାରୀ ରୁପେ ବାଣାସୁର, ମହାକାଳୀ ରୂପେ ମଧୁ ବୈଟର ଓ ରକ୍ତବୀଜ ଙ୍କୁ ସଂହାର କରନ୍ତି ଏବଂ କାର୍ଯ୍ୟ ନେଇ କାହାକୁ କିପରି ଦଣ୍ଡ ଦେବା କଥା ଦିଅନ୍ତି ସେମିତି ମଧ୍ୟ ପାପକୁ ଦଣ୍ଡ । ଦୃଷ୍ଟାନ୍ତ ସ୍ୱରୂପ କୁବେରଙ୍କ ତାଙ୍କ ପ୍ରତି ଆଖି କାରଣରୁ ସେ ତାଙ୍କର ଗୋଟିଏ ଆଖି ନଷ୍ଟ କରିଦେଇଥିଲେ । ସେହିପରି ଉତ୍ତମ ଆଚରଣ ପାଇଁ ଅନେକଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି ।
ବୃତ୍ତାସୁର ନାମକ ଏକ ରାକ୍ଷସକୁ ବଧ କରିବା ପାଇଁ ଇନ୍ଦ୍ରଙ୍କର ଦଧିଚି ଋଷିଙ୍କ ଅସ୍ଥିରେ ବାଣ ପ୍ରସ୍ତୁତ କରିବାର ଥିଲା । ସେ ନେଇ ସେ ଦଧିଚିଙ୍କୁ ଅନୁରୋଧ କଲେ । ଦଧିଚି ପରୋପକାରାର୍ଥେ ଶରୀର ତ୍ୟାଗ କଲେ । ସେ ଅସ୍ଥିରେ ବାଣ ପ୍ରସ୍ତୁତ ହେଲା । ବୃତ୍ତାସୁର ମଲା ଅଥଚ ଇନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଲା । ଏଥିରୁ ମୁକ୍ତି ପାଇଁ ସେ ଦେବୀଙ୍କୁ ଶରଣ ଗଲେ । ମା’ ତାଙ୍କୁ ଦର୍ଶନ ଦେଇ ପାପମୁକ୍ତ କଲେ ।
ଏକଦା ନିମନ୍ତ୍ରଣ ପାଇ ସସ୍ତ୍ରିକ ଶିବ ବୈକୁଣ୍ଠପୁରକୁ ଯାଇଥିଲେ । ସେଠି ବିଷ୍ଣୁଙ୍କ ଅନୁରୋଧ କ୍ରମେ ସଂଗୀତରେ ବିମୋହିତ ହୋଇ ଦେବୀ ଗଙ୍ଗାମାତା ରୂପେ ବ୍ରହ୍ମାଙ୍କ କମଣ୍ଡଳକୁ ପହଞ୍ôଚଗଲେ । ପରେ ଲୋକେ କଲ୍ୟାଣ ନିମନ୍ତେ ପୃଥିବୀ ଉପରେ ଅବତରଣ କଲେ । ବିଷ୍ଣୁଙ୍କ କାରଣରୁ ସୃଷ୍ଟି ହେତୁ ସେ ହେଲେ ବିଷ୍ଣୁପଦୀ । ସେହିପରି ବାମନାବୀରରେ ବାଳୀକୁ ତୃତୀୟ ପଦରେ ପାତାଳ ଦାବିଲା ବେଳେ ଗଙ୍ଗାମାତା ବ୍ରହ୍ମାଙ୍କ କମଣ୍ଡଳରୁ ଖସି ତାଙ୍କ ପାଦତଳେ ସ୍ଥିର ରହିଗଲେ । ସେହି କାରଣରୁ ଗଙ୍ଗାମାତାଙ୍କୁ ବିଷ୍ଣୁପଦାମ୍ଭୁଦା ସମ୍ଭୁତା କୁହାଯାଏ ।
ଦେବୀ ଗଙ୍ଗା ରୂପେ ଗତିକଲା ବେଳେ ବହୁଧା ବିରକ୍ତି ହୋଇଛନ୍ତି ସେ । କାର୍ଯ୍ୟ ନେଇ ବିଭିନ୍ନ ଯାଗାରେ ଭିନ୍ନ ଭିନ୍ନ ନାମ ବହନ କରିଛନ୍ତି । ପୁରାଣ ମତେ ସାଗରବଂଶ ଉଦ୍ଧାର କାରଣେ ଭଗୀରଥ ତାଙ୍କୁ ପୃଥିବୀ ଅବତାରଣ କରାଇଛନ୍ତି । ତେଣୁ ତାଙ୍କ ନାମ ଅନୁସାରେ ସେ ହେଲେ ଭାଗୀରଥି । ଏ ସମସ୍ତ ତଥ୍ୟ ଗଙ୍ଗା ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି । ଦେବୀଙ୍କ ମହିମା ଅପାର । କେତେ ବର୍ଣ୍ଣିବ?
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ରାମ ଅବତାର ଗ୍ରହଣ କରିଥିଲେ । ରାବଣ ସୀତାଙ୍କୁ ଅପହରଣ କରି ଲଙ୍କାରେ ରଖିଥିଲା । ସୀତାଙ୍କ ଉଦ୍ଧାର ଏବଂ ରାବଣ ବଧ ପାଇଁ ଶ୍ରୀରାମ ମା’ ଭଗବତୀଙ୍କର ଶରଣ ପଶିଲେ । ଯଦିଓ ମା’ ଭଗବତୀ ପୂର୍ବରୁ ରାବଣ ତପସ୍ୟାରେ ପ୍ରୀତ ହୋଇ ତାକୁ ତ୍ରିପୁର ବିଜୟୀ ବରଦାନ ଦେଇଥିଲେ ଏବଂ ତା ଲଙ୍କାପୁରୀରେ ନିବାସ କରୁଥିଲେ, ତଥାପି ସେ ରାମଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାଙ୍କୁ ରାବଣ ବଧର ଉପାୟ କହିଥିଲେ ଏବଂ ସେ ପଥ ପରିସ୍କାର ପାଇଁ ନିଜେ ଲଙ୍କା ପରିତ୍ୟାଗ କରିଥିଲେ । ଫଳରେ ଅସୁରକୁଳ ସହିତ ରାବଣ ବଧ ହେଲା ଏବଂ ମାତା ସୀତା ଉଦ୍ଧାର ହେଲେ । ସେମିତି ସପ୍ତମ ଅବତାର ଧାରଣ କରି ସହସ୍ରାର୍ଜୁନ ବଧ କରିଥିଲେ । ମା ଭଗବତୀ ଏକଦା କୈଳାସ ପର୍ବତରେ ବିହାର କରୁଥିବା ବେଳେ ଶିବ ପାର୍ବତୀଙ୍କୁ କୌତୁହଳବଶତଃ କହିଲେ ଯେ ଦ୍ୱାପର ଯୁଗରେ ମୁଁ ଶ୍ରୀରାଧା ହୋଇ ବୃଷଭାନୁ କନ୍ୟା ଭାବେ ଏବଂ ତୁମେ ଶ୍ରୀକୃଷ୍ଣ ହୋଇ ଦେବକୀ-ବସୁଦେବଙ୍କ ପୁତ୍ର ଭାବେ ଜନ୍ମ ହୁଅନ୍ତେ ନାହିଁ? ଆମେ ଏକ ମାନବୀୟ ଲୀଳା କରନ୍ତେ । ଏ କଥା କେମିତି ହୁଅନ୍ତା? ଏକଥାକୁ ପାର୍ବତୀ ସମ୍ମତି ପ୍ରଦାନ କଲେ । ତାହା ହିଁ ହେଲା । ଭଗବାନ ବିଷ୍ଣୁ ହେଲେ ଶ୍ରୀକୃଷ୍ଣ ଏବଂ ଜ୍ୟୋଷ୍ଠ ଭ୍ରାତା ବଳରାମ । ଏହି ଲୀଳା ଆଦିମାତା ଓ ଶିବ ଯଥାକ୍ରମେ ଶ୍ରୀକୃଷ୍ଣ ଓ ରାଧା ହୋଇ କଂସର ଅଷ୍ଟମଲ୍ଲ ସହ, ଅଘା, ବକା ଇତ୍ୟାଦି ଯେତେ ଅସୁର ଏବଂ ପୁତନା ପରି ରାକ୍ଷସୀକୁ ବଧ କରି ପରମ ପ୍ରବଳ ପ୍ରତାପୀ ଅତ୍ୟାଚାରୀ କଂସକୁ ବଧ କଲେ । କେବଳ ସେତିକି ନୁହେଁ, ମହାଭାରତ ଯୁଦ୍ଧରେ ପାଣ୍ଡବ ପକ୍ଷର ଅର୍ଜୁନଙ୍କ ସାରଥୀ ଥିଲେ ଏବଂ ସମସ୍ତ ସହାୟତା ଯୋଗାଇଥିଲେ । ଫଳରେ ଅନ୍ୟାୟୀ କୌରବମାନଙ୍କର ପତନ ହେଲା ।
ପ୍ରକୃତରେ ଦ୍ୱାପର ଯୁଗ ଆସିବାରୁ ଦାନବଗଣ ମାନବରୂପ ଧାରଣ କରି ଅବତାର ଗ୍ରହଣ କଲେ । ଏଣେ ଧରିତ୍ରୀ ମାତା ବ୍ରହ୍ମାଙ୍କ ପାଖରେ ଅଭିଯୋଗ କାରଣରୁ ବ୍ରହ୍ମା ଦେବତାମାନଙ୍କୁ ଆଦେଶ ଦେଲେ ଯେ ସେମାନେ ମାନବ ଅବତାର ଗ୍ରହଣ କରନ୍ତୁ । ଏଣୁ ଦେବତାମାନଙ୍କର ମୁଖ୍ୟ ବିଷ୍ଣୁ ଏ ପୃଥିବୀରେ କୃଷ୍ଣ ରୂପେ ଅବତାର ଗ୍ରହଣ କରିବାକୁ ବାଧ୍ୟ ହେଲେ । ଯେହେତୁ ଦାନବ ଓ ଦେବତାମାନେ ପୃଥିବୀ ଉପରେ ଜନ୍ମ ନେଲେ, ସେମାନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଯେଉଁ ମହାଭାରତ ଯୁଦ୍ଧ କଥା କହିଛେ ଏହା ହିଁ ଥିଲା ଆଗରୁ ଜନ୍ମ ନେଇଥିବା ଦେବଦାନବର ଯୁଦ୍ଧ । ମହାଭାରତ ଯୁଦ୍ଧର ପରିସମାପ୍ତି ହିଁ ଥିଲା ଦେବ-ଦାନବ ମଧ୍ୟରେ ଥିବା ବିବାଦର ଶେଷ ।
ପୃଥିବୀ ଉପରେ ଦାନବମାନଙ୍କର ରାଜଧାନୀ ଶୋଣିତ ନଗରରେ ଥିଲା । ଏଠାରେ ଦିତିପୁତ୍ର ହିରଣ୍ୟ କଶ୍ୟପଙ୍କର ବଂଶଧର (ହିରଣ୍ୟ କଶ୍ୟପ, ପ୍ରହ୍ଲାଦ) ବିରୋଚନ ୍ଡ ବଳି ୍ଡ ବାଣାସୁରୀ ୍ଡବାଣାସୁର ଶାସନ କରୁଥିଲେ । ସେତେବେଳେ ଦ୍ୱାରକାର ଅଧିପତି ଥିଲେ କୃଷ୍ଣ ।
ବାଣାସୁର ବିଷ୍ଣୁ ଭକ୍ତ ଥିଲେ ହେଁ ଶିବ ଓ ପାର୍ବତୀ ଉଭୟଙ୍କର ସେ ଥିଲା ପରମଭକ୍ତ । ସେ ସେମାନଙ୍କୁ ତା’ ଭକ୍ତିରେ ଆପ୍ୟାୟିତ କରି ତୃତୀୟ ପୁତ୍ର ପାଲଟିଗଲା । ବର ସ୍ୱରୂପ ତାଙ୍କଠୁ ତା’ ପାଇଁ ଅମାପ ବଳ ଓ ସହସ୍ର ଭୁଜ କରିନେଲା । ଖାଲି ସେତିକି ନୁହେଁ, ତା’ ରାଜଧାନୀରେ ସେ ସେମାନଙ୍କ ଆବାସସ୍ଥଳୀ ବନାଇଦେଲା । ସେ ହେଲା ତ୍ରୈଲୋକ ଈଶ୍ୱର । ତେବେ ଦୁଃଖ ଥିଲା ଯେ ସେ ତା’ ବଳ କଷିବା ପାଇଁ କୋଉ ସମକକ୍ଷ ଯୋଦ୍ଧା ନଥିଲେ । ସେ କଥା ମହାଦେବଙ୍କୁ କୁହନ୍ତେ ସେ କହିଲେ ଯେ ସେ କିଛି କାଳ ଅପେକ୍ଷା କରିବେ । ସବୁ ପାର୍ବତୀଙ୍କର ମାୟା । ସେ ଚାହୁଁଥିଲେ କିଛି ପରିବର୍ତ୍ତନର ବାତାବରଣ ସୃଷ୍ଟି ହେଉ । ସେ ତାଙ୍କ ମାୟାରେ ଦାନବ ବାଣାସୁରର ଝିଅ ଉଷା/ଓଖା ସହିତ ମାନବ ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧ ସହିତ ପ୍ରେମ ସଂପର୍କ ଯୋଡି ଦେଲେ । ବାଣାସୁରର ସେନାପତି କୁମ୍ଭାଣ୍ଡ । ତା’ କନ୍ୟାର ନାମ ଚିତ୍ରଲେଖା । ଚିତ୍ରଲେଖା ମଧ୍ୟସ୍ଥତାରେ/ ମାଧ୍ୟମରେ ଓଖା ଅନିରୁଦ୍ଧଙ୍କୁ ଅପହରଣ କରିନଥିଲେ । ଏହାକୁ ନେଇ ବାଣାସୁର ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୁଏ । ଶିବ ବାଣାସୁରର ପକ୍ଷ ଥିଲେ । ଏଣୁ ଯୁଦ୍ଧ ପ୍ରକୃତରେ ବାଣାସୁର-କୃଷ୍ଣଙ୍କ ଯୁଦ୍ଧ କୁହାନଯାଇ ଏହାକୁ ଶିବ-ଶ୍ରୀକୃଷ୍ଣ ଯୁଦ୍ଧ କୁହାଯିବ । ଶିବ ଯଦି ପଶୁପତି ଅସ୍ତ୍ର ଏବଂ କୃଷ୍ଣ ନାରାୟଣ ଅସ୍ତ୍ର ପ୍ରୟୋଗ କରନ୍ତି, ତେବେ ଏ ପୃଥିବୀର କ’ଣ ହେବ?
ଏଥିରେ ବ୍ରହ୍ମା ମଧ୍ୟସ୍ଥତା କରି ଶିବଙ୍କୁ କହିଲେ, ହେ କରୁଣା ସାଗର । ଆପଣଙ୍କ କ୍ରୋଧ ସମ୍ବରଣ କରନ୍ତୁ । ସମସ୍ତଙ୍କୁ କ୍ଷମା କରନ୍ତୁ । ହେ ପ୍ରଭୁ ଆପଣଙ୍କର ପ୍ରେରଣା ଦ୍ୱାରା ଶ୍ରୀକୃଷ୍ଣ ସମସ୍ତ ଅସୁରକୁଳକୁ ବିନାଶ କରିବାକୁ ଜନ୍ମ ନେଇଛନ୍ତି । ଆଦ୍ୟାଦେବୀ ପାର୍ବତୀ ଦେବୀଙ୍କ ବରଦାନ ଯୋଗୁ ଏଭଳି ପରିସ୍ଥିତି ସଷ୍ଟି ହୋଇଛି । ଆଦ୍ୟାଦେବୀ ତ ପାର୍ବତୀ ରୂପରେ ଏ ସବୁ କାର୍ଯ୍ୟ କରାଉଛନ୍ତି । ଏହା ତ ତାଙ୍କ ଲୀଳା…. ସବୁ କଥା ତା ବାଟରେ ଚାଲୁ । ଆପଣ ଆପଣଙ୍କ ଅସ୍ତ୍ର ସବୁ ଫେରାଇ ନିଅନ୍ତୁ । ଏଥିକୁ ଶିବ ଶାନ୍ତ ପଡିଲେ ।
ଶିବ ବାଣାସୁରକୁ ଡକାଇ ସବୁ ବୁଝାଇ ଦେଲେ ଏବଂ ଶତ୍ରୁତା ଭୁଲି ଯାଇ କୃଷ୍ଣଙ୍କ ସହିତ ମିତ୍ରତା ସ୍ଥାପନ କରିବାକୁ ପରାମର୍ଶ ଦେଲେ । ଖାଲି ସେତିକି ନୁହେଁ ସେ ତାକୁ ତାଙ୍କ ଭୂତଗଣଙ୍କର ଅଧିପତି ଭାବେ ନିଯୁକ୍ତି ଦେଲେ ଏବଂ ତାକୁ ମହାକାଳ ବୋଲି ନାମିତ କଲେ ।
ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର, ତ୍ରିନାଥଙ୍କ ଉପସ୍ଥିତିରେ ଅନିରୁଦ୍ଧ ଓ ଓଖାଙ୍କର ବିବାହ ହେଲା । ଶ୍ରୀକୃଷ୍ଣ ତାଙ୍କ ପୁତ୍ର ଶାମ୍ବ ପାଇଁ ମଧ୍ୟ ଓଖାଙ୍କ ସଖୀ ଚିତ୍ରଲେଖାଙ୍କ ହାତ ମାଗି ନେଲେ । ଦେବୀ ପାର୍ବତୀ ନିଜେ ନେଇ ଓଖାଙ୍କୁ ରଥରେ ବସାଇଲେ ଏବଂ କହିଲେ: ସୃଷ୍ଟି ଆରମ୍ଭରୁ ଦେବଗଣ ଓ ଅସୁରଗଣଙ୍କ ମଧ୍ୟରେ ଲାଗି ରହିଥିବା ଶତ୍ରୁତାର ଆଦି ବିନାଶ ଘଟିଲା । ଏଣୁ ତୋତେ କଲ୍ୟାଣ କରୁଛି ଯେ ତୁ ଉଭୟକୁଳକୁ ଉଜ୍ଜ୍ୱଳ କର । ଠିକ୍ ଏତିକି ବେଳେ ବ୍ରହ୍ମା “ଶିବ-ଶିବାଙ୍କୁ ପ୍ରସନ୍ନ କଲେ : ଏବେ ମୋ ପାଇଁ କ’ଣ ନିର୍ଦ୍ଦେଶ… ଏବେ ସମୟ କ’ଣ ଆସିଛି ପ୍ରଭୁ?
ଶିବ ଆଖି ବନ୍ଦ କରିଦେଲେ । ଏତିକି ବେଳକୁ ପାର୍ବତୀ ମହାଦେବଙ୍କ ଦେହରେ ମିଶି ଅଦୃଶ୍ୟ ହୋଇଗଲେ । ଯେଭଳି ଭାବରେ କାଳୀ ରୂପେ ଜନ୍ମ ଗ୍ରହଣ କରିଥିବା ଉମାଦେବୀ ଶିବଙ୍କୁ ବିବାହରେ ପରେ ଶିବଙ୍କ ସହ ମିଶି ଯାଇଥିଲେ ଏବଂ କାଳୀରୁ ଗୋରୀ ହୋଇଯାଇଥିଲେ; ଠିକ୍ ସେହିଭଳି ଶିବ ଏବେ ଶିବଙ୍କ ଦେହରେ ଭିନ୍ନ ଜନ୍ମ ପାଇଁ ଅଦୃଶ୍ୟ ହୋଇଗଲେ ।
ବ୍ରହ୍ମା ଶିବଙ୍କର ଅର୍ଦ୍ଧନାରୀଶ୍ୱର ରୂପ ସ୍ମରଣ କଲେ ଅଥଚ ଶିବା ମିଶିଯିବା ପରେ ଶିବଙ୍କ ଶରୀର ପୁରୁଷ କିମ୍ବା ନାରୀର ତାହା ଜଣାପଡିଲା ନାହିଁ । ଶିବ-ଶିବାଙ୍କ ମିଶ୍ରିତ ଶରୀର ଯୋନିହୀନ ଦିବ୍ୟ ଶରୀରରେ ପରିଣତ ହୋଇଗଲା । …ଏ ଦିବ୍ୟ ରୂପେ ହଠାତ୍ ଅଦୃଶ୍ୟ ହୋଇଗଲା । ପୁନଶ୍ଚ ଆଦ୍ୟାଶକ୍ତି ।
ବ୍ରହ୍ମାଙ୍କ କଣ୍ଠରୁ ସ୍ୱତଃ ବାହାରି ଆସିଲା:
କାଳରାତ୍ରି ନିମସ୍ତୁଭ୍ୟଂ କୌମାର୍ଯ୍ୟ ଚ ନମୋ ନମଃ
କାନ୍ତାର ବାସିନୀଂ ଦେବୀଂ ନମସ୍ୟାମି କୃତାଞ୍ଜଳିଃ… ।ା
ଏଥର ବିଜ୍ଞାନକୁ ଫେରି ଆସିବା । ଆଇନଷ୍ଟାଇନଙ୍କ ତତ୍ତ୍ୱ ବସ୍ତୁତ୍ୱର ବିଲୋପରୁ ଶକ୍ତି ଜାତ ହୁଏ । ଶକ୍ତିର ବନ୍ଧନରୁ ବସ୍ତୁତ୍ୱ । ଶକ୍ତିର ହ୍ରାସ ବୃଦ୍ଧି ନାହିଁ । ଏହା ସ୍ଥିର । ସେମିତି ଆଦ୍ୟାଶକ୍ତି ଦୁର୍ଗା ଯେଉଁ ରୂପରେ ହେଲେ ବି ସଦା ବର୍ତ୍ତମାନ । “ଶକ୍ତି”
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ