ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ : ଫଳକ ଲାଗିଛି, ହିତାଧିକାରୀଙ୍କୁ ମିଳିନି ଟଙ୍କା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଘର ଆଗରେ ଲାଗିଛି ଇନ୍ଦିରା ଆବାସ ଯୋଜନାର ଫଳକ । ଅଥଚ ହିତାଧିକାରୀ କହୁଛନ୍ତି ତାଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ମୁଁ ନୂଆରେ ଆସିଛି, ତେଣୁ କିଛି ଜାଣିନି । ଫୁଲବାଣୀ ବ୍ଲକ୍‌ କଟ୍ରିଙ୍ଗିଆ ପଞ୍ଚାୟତ କାତାକେରୀ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଢିପାସାହିରେ ରହୁଥିବା ପୀତବାସ କହଁର ଓ ନିତ୍ୟାନନ୍ଦ କହଁରଙ୍କ ଘର ଆଗରେ ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନାର ଫଳକ ଲଗାଯାଇଛି । ଫଳକରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରେ ଏମାନଙ୍କୁ ଘର ନିର୍ମାଣ ପଇଁ ୭୫ ହଜାର ଲେଖାଏଁ ଟଙ୍କା ଅନୁଦାନ ମିଳିଛି । ଫୁଲବାଣୀ ବ୍ଲକ୍‌ରୁ ମିଳିଥିବା ଏହି ଆର୍ଥିକ ବର୍ଷର ଆବାସ ଯୋଜନାର ତାଲିକାରେ ମଧ୍ୟ ଏହି ଦୁଇ ହିତାଧିକାରୀଙ୍କ ନାଁ ରହିଛି । ହେଲେ ଉଭୟଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ନିତ୍ୟାନନ୍ଦଙ୍କ ଘର ଆଦୌ ତିଆରି ହୋଇନଥିବା ବେଳେ ପୀତବାସ ରହୁଛନ୍ତି ୨୦୦୪ରେ ତାଙ୍କ ବାପାଙ୍କ ଦ୍ୱାରା ନିର୍ମିତ ହୋଇଥିବା ଘରେ । ନିତ୍ୟାନନ୍ଦଙ୍କ ଝାଟିମାଟିର ଘରକୁ ଦେଖିଲେ ଫଳକରେ ଦିଆ ଯାଇଥିବା ସୂଚନା କେତେଦୂର ସତ, ତାହା ସ୍ପଷ୍ଟ ବାରି ହୋଇଯାଉଛି । ଉଭୟ ଏ ନେଇ ସ୍ଥାନୀୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ସେମାନେ ଏ ବିଷୟରେ କିଛି ଜାଣିନଥିବା କହୁଛନ୍ତି । ପୀତବାସ ଓ ନିତ୍ୟାନନ୍ଦଙ୍କ କହିବା ଅନୁଯାୟୀ, ଗତ ଜୁଲାଇରେ ବ୍ଲକ୍‌ର ଜଣେ କର୍ମଚାରୀ ଆସି ସେମାନଙ୍କ ଘର ଆଗରେ ଏହି ଫଳକ ଲଗାଇନ୍ତି । ତେବେ ୨୦୧୩-୧୪ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଅନୁଦାନର ଫଳକ ୨୦୨୧ରେ କାହିଁକି ମରାଗଲା ତାହା ମଧ୍ୟ ଅନ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉଭୟ ଏ ସମ୍ପର୍କରେ ଫୁଲବାଣୀ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ତେବେ ତିନି ଥର ବ୍ଲକ୍‌କୁ ଯିବା ପରେ ମଧ୍ୟ ସେମାନଙ୍କୁ କୌଣସି ସଠିକ୍‌ ତଥ୍ୟ ମିଳିନାହିଁ । ବିଡିଓ ତାଙ୍କୁ କେବଳ କିଛି ଦିନ ଅପେକ୍ଷା କରିବାକୁ କହିଛନ୍ତି ବୋଲି ପୀତବାସ କହିଛନ୍ତି । ଉଭୟଙ୍କ ବ୍ୟାଙ୍କ୍‌ ଜମାଖାତାକୁ ମଧ୍ୟ ଏ ବାବାଦରେ କୌଣସି ଟଙ୍କା ଆସିଥିବାର ମଧ୍ୟ ପ୍ରମାଣ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ