ଜନସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାରବାରକୁ ନେଇ ତେଜୁଛି ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସକାଶେ ୩ କୋଟିରୁ ଉର୍ଦ୍ଧ ଟଙ୍କାର ଖର୍ଚ୍ଚ ଅଟକଳ ନେଇ ପ୍ରକଳ୍ପ ଆରମ୍ଭ ହେଲା । କିନ୍ତୁ ଦୀର୍ଘ ଦିନ ବିତିଯିବା ପରେ ବି ସେ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ସରିଥିଲେ ବି ଇନଟେକ୍ ୱେଲ ଆବଶ୍ୟକତା ଅନୁସାରେ ଖୋଲାଯାଇ ପାରିନାହିଁ । କାଶୀନଗରର କାର୍ଯ୍ୟରତ ବିଭାଗୀୟ ସରକାରୀ ଯନ୍ତ୍ରୀଙ୍କୁ ଯେତେବେଳେ ପଚାରିଲେ ବି ସେ ଗୋଟିଏ ଉତ୍ତର ହିଁ ଦେଉଛନ୍ତି, ଭୁବନେଶ୍ୱରରୁ ଅଲଗା ମେସିନ ଆସିଲେ ଇନ୍‌ଟେକ ୱେଲ ଖୋଳା କାମ ସମ୍ପୂର୍ଣ୍ଣ ହେବ । ମାତ୍ର ମେସିନ ଆସୁନାହିଁ କି କାମ ସରୁନାହିଁ । ସୁବିଧାରେ ଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଘରକୁ ପାଇପ ସଂଯୋଗ ନେଇଥିବା ଲୋକମାନେ ଏଣେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ୧, ୨, ୩, ୱାର୍ଡ ବାସିନ୍ଦା କହିଛନ୍ତି ଯେ, ପାଖରେ ନଦୀ ନଥିଲେ ସେମାନଙ୍କ ଅବସ୍ଥା ଅସମ୍ଭାଳ ହୋଇ ସାରନ୍ତାଣି । ନଦୀର ଦୂଷିତ ଜଳ ପିଇବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ଦୂଷିତ ଜଳ ପିଇବା ଯୋଗୁଁ ହଇଜା ବା ଡାଇରିଆ ପରି ରୋଗ ବ୍ୟାପିଲେ ଜନସ୍ୱାସ୍ଥ୍ୟ ବିଭାଗ ହିଁ ସେଥିପାଇଁ ଦାୟୀ ରହିବ । ଅନ୍ୟ ଏକ ସମସ୍ୟା ହେଲା ଦୁଇ ନମ୍ବର ୱାର୍ଡ ଡ୍ରେନ୍ ନିର୍ମାଣ ପରେ ରାସ୍ତା ଟିକିଏ ପ୍ରଶସ୍ତ ହୋଇଥିବା ଯୋଗୁଁ ପୂର୍ବର ସଂକୀର୍ଣ୍ଣ ରାସ୍ତା କଡରେ ଥିବା ପାଇପ ଗୂଡିକ ସେମିତି ରହିଯାଇଛି । ଏ ନେଇ ବାରମ୍ବାର କାର୍ଯ୍ୟରତ ଅଫିସର ମାନଙ୍କୁ ଜଣାଇଲେ ବି କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଏହି ତିନି ୱାର୍ଡର ଲୋକମାନେ ଅସନ୍ତୋଷ କରିବା ସହ ଆଗାମୀ ଦିନରେ ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ