ଗ୍ରାମାଞ୍ଚଳ ବଜାରରେ ପରିବା ଦର ଆକାଶଛୁଆଁ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବିଗତ ଦୁଇମାସ ହେବ ପରିବା ଦର ଅଳପ ବହୁତ ବଢୁଥିବାବେଳେ ଏବେ କାର୍ତ୍ତିକ ମାସ ଆରମ୍ଭ ହେବା କ୍ଷଣି ମୂଲ୍ୟବୃଦ୍ଧି ଦିନକୁ ଦିନ ବଢୁଥିବା ଦେଖାଯାଉଛି । ତଦନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଗ୍ରାମ୍ୟ ବଜାରରେ ପରିବାଦର ଏବେ ଆକାଶଛୁଆଁ ହୋଇଯାଇଛି । ବ୍ଲକର ବାରିକପୁର ଠାରୁ ଆରମ୍ଭ କରି ଆଖୁଆପଦା, ମଞ୍ଜୁରୀରୋଡ, କୁଲଣା, ପରମାନନ୍ଦପୁର, ମଞ୍ଜୁରୀ, ମାଳଦା, ପଟ୍ଟାପୋଲ ପ୍ରମୁଖ ଗ୍ରାମ୍ୟ ବଜାରରେ ଦିନକୁ ଦିନ ପନିପରିବା ମୂଲ୍ୟ ବୃଦ୍ଧି ହେଉଥିବା ଦେଖାଯାଉଛି । ସୂଚନା ଅନୁସାରେ ଏବେ ପୋଟଳ କେଜି ପ୍ରତି ୬୦ଟଙ୍କା ବିକ୍ରୟ ହେଉଥିବାବେଳେ ଭେଣ୍ଡି, ବାଇଗଣ, ବିଲାତି, ଫୁଲକୋବି, କାକୁଡି ପ୍ରମୁଖ ପନିପରିବା କେଜିପ୍ରତି ୫୦ଟଙ୍କାରେ ବିକ୍ରୟ ହେଉଛି । ଏହାଛଡା କାଙ୍କଡ, ବିମ, ସଜନା ଛୁଇଁ କେଜିପ୍ରତି ୮୦ରୁ ୧୦୦ଟଙ୍କାରେ ବିକ୍ରୟ ହେଉଥିବା ଦେଖାଯାଉଛି । ଏପରିକି ବିଭିନ୍ନ ଶାଗ ମଧ୍ୟ କେଜି ପ୍ରତି ୪୦ ସହିତ କେଉଁଠି କେମିତି ବିଡା ପ୍ରତି ୧୦ଟଙ୍କାରେ ବିକ୍ରୟ ହେଉଥିବା ଜଣାପଡିଛି । ପରିସ୍ଥିତି ଏଭଳି ହୋଇଛି ଯେ ସାଧାରଣ ଗରୀବ , ମଧ୍ୟବିତ୍ତ ପରିବାରର ଲୋକଟିଏ ପନିପରିବା କ୍ରୟ ପାଇଁ ସାହସ ଜୁଟାଇପାରୁନାହାଁନ୍ତି । ବିଶେଷକରି ଜିଲ୍ଲା ବାହାରୁ ଯେଉଁ ପରିବା ସ୍ଥାନୀୟ ବଜାରକୁ ଆସୁଥିଲା ତାହା ଏବେ ଅପେକ୍ଷାକୃତ କମ ଆସୁଥିବାରୁ ଏଥିପାଇଁ ଦିନକୁଦିନ ମୂଲ୍ୟବୃଦ୍ଧି ହେଉଥିବା କିଛି ବ୍ୟବସାୟୀ କହିଛନ୍ତି । ଏପଟେ ସ୍ଥାନୀୟ ଅଞ୍ଚଳରେ କୌଣସି ଚାଷୀଙ୍କ ପାଳବାଡିରୁ ପରିବା ବାହାରିନଥିବାରୁ ମୂଲ୍ୟବୃଦ୍ଧିର ଅନ୍ୟତମ କାରଣ ବୋଲି ଜଣାପଡିଛି । ସେ ଯାହାବି ହେଉ ବର୍ତ୍ତମାନ କାତ୍ତିକ ମାସ ପାଇଁ ସମସ୍ତେ ପ୍ରାୟ ନିରାମିଶ ଖାଦ୍ୟ ଉପରେ ନିର୍ଭର କରୁଥିବାରୁ ପରିବା ଦର ହୁହୁ ହୋଇ ବଢିବା ଲୋକଙ୍କୁ କଷ୍ଟ ଦେଉଛି । ଏହା ଉପରେ ସରକାରୀ ଭାବେ ଦୃଷ୍ଟିଦିଆଗଲେ କିଛିମାତ୍ରାରେ ପରିବାର ଦର ନିୟନ୍ତ୍ରଣ ହୋଇପାରନ୍ତା ବୋଲି ବୃଦ୍ଧିଜୀବି ମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ