କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ଶାନ୍ତିଶୃଙ୍ଖଳା ସହ ପୂଜା ଶେଷ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । କୋଭିଡ଼ ନିୟମ ଅନୁଯାୟୀ ପୂଜା ମଣ୍ଡପ ଗୁଡିକ ସମ୍ମୁଖରେ ଜରିପାଲ ଟଙ୍ଗା ଯାଇଛି । ସାମାଜିକ ଦୂରତା ରକ୍ଷା କରାଯାଇ ମା’ଙ୍କ ପୂଜା ଆରମ୍ଭ ହୋଇଛି । ସହରର ୬୯ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି । ପୂଜା କମିଟି କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷା କରି କେବଳ ବିଧି ରକ୍ଷା ପୂର୍ବକ ପୂଜା କରୁଛନ୍ତି । କୌଣସି ମଣ୍ଡପରେ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିନାହିଁ । ପ୍ରତି ପୂଜା ମଣ୍ଡପରେ ପୋଲିସ କର୍ମଚାରୀ ଜଗି ରହିଛନ୍ତି । କମିଟି କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନଙ୍କୁ ତୁଣ୍ଡି ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଇଛି । ସନ୍ଧ୍ୟାରେ ପାଗ ଭଲ ଥିବାରୁ ସହରରେ ଟିକେ ଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ଛକ ଜାଗାମାନଙ୍କରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାତି ୧୦ ପରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଥିବାରୁ ଲୋକମାନେ ରାତି ୧୦ଟା ପୂର୍ବରୁ ବଜାର ଛାଡି ଦେଇଛନ୍ତି । ତେଣୁ ସନ୍ଧ୍ୟାରେ ବଜାରରେ ଟିକେ ଅଧିକ ଗହଳଚହଳ ଲାଗି ରହିଥିଲା । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ନିଜେ ସହର ସାରା ବୁଲି ତଦାରଖ କରୁଥିବା ଦେଖାଯାଇଛି । ବିଭିନ୍ନ ଛକରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ଲୋକମାନଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ସାମନ୍ତରାୟ ନିର୍ଦେଶ ଦେଇଥିଲେ । ଗଜଲକ୍ଷ୍ମୀ ପୂଜା ପାଇଁ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କର ସହରବାସୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ମଡ଼କର ପୁରୁଣା ବସଷ୍ଟାଣ୍ଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଲେ ଯେ ସମୁଦାୟ ସହରକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି । ସେକ୍ଟର -୧ରେ ଜଣେ ପୋଲିସ ଅଧିକାରୀଙ୍କ ଦାୟୀତ୍ୱରେ ୧୦ଟି ପୂଜା ମଣ୍ଡପ ଥିବା ବେଳେ ୨ନମ୍ବର ସେକ୍ଟରରେ ୧୫ଟି ପୂଜା ମଣ୍ଡପ, ୩ନମ୍ବର ସେକ୍ଟରରେ ୧୩ଟି ୪ନମ୍ବର ସେକ୍ଟରରେ ୯ଟି, ୫ନମ୍ବର ସେକ୍ଟରରେ ୧୦ଟି ଓ ୬ନମ୍ବର ସେକ୍ଟରରେ ୧୨ଟି ପୂଜା ମଣ୍ଡପ ପାଇଁ ଜଣେ ଜଣେ ପୋଲିସ ଅଧିକାରୀଙ୍କୁ ଦାୟୀତ୍ୱରେ ରଖାଯାଇଛି । ସେହିପରି ୨ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୫୫ଜଣ ପୋଲିସ ଅଧିକାରୀ ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ସମାପନ ପାଇଁ ଦାୟୀତ୍ୱ ନିର୍ବାହ କରୁଛନ୍ତି । କରୋନା କଟକଣା ମଧ୍ୟରେ ଗଜଲକ୍ଷ୍ମୀ ପୂଜା ସମାପନ କରିବା ପାଇଁ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ଯଦି କୌଣସି ପୂଜା କମିଟି ନିୟମ ନ ମାନନ୍ତି ଓ ଏ ସଂକ୍ରାନ୍ତରେ ଖବର ମିଳେ ତେବେ ପୋଲିସ ସେହି କମିଟିର କର୍ମକର୍ତ୍ତାମାନଙ୍କୁ ସଚେତନ କରିବ । ଗଜଲକ୍ଷ୍ମୀ ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ କରୋନା କଟକଣାକୁ ଅନୁପାଳନ ପୂର୍ବକ ସମାପନ ହେବ ସେ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରିଶ ପାଣ୍ଡେ, କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ଡିଏସ୍‌ପି କାର୍ତ୍ତିକ ମଲ୍ଲିକ, ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ବିଭିନ୍ନ ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ