ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ଇନସପେକ୍ଟରଙ୍କ ଆଙ୍ଗୁଠିକୁ କାମୁଡ଼ିଦେଲେ

ଫୁଲବାଣୀ : ପ୍ରଶାସନରେ ଅଧିକ ସ୍ୱଚ୍ଛତା ଓ ସକ୍ରିୟତା ପାଇଁ ସରକାର ୫-ଟିକୁ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରି ସାରିଲେଣି । ଏହା ସତ୍ତ୍ୱେ ସରକାରୀବାବୁଙ୍କ ଲାଞ୍ଚ ମୋହ ତୁଟୁନି । ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନସ ପଞ୍ଝାରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା । ତେବେ କୌତୂହଳର ବିଷୟ ହେଉଛି, ଲାଞ୍ଚ ଟଙ୍କା ନେଇ ଧରା ପଡ଼ିଯିବାରୁ ଶ୍ରୀ ବେହେରା ଭିଜିଲାନ୍ସ ଇନସପେକ୍ଟରଙ୍କ ଆଙ୍ଗୁଠି କାମୁଡ଼ି ଖଣ୍ଡିଆ କରି ଦେଇଛନ୍ତି । ଶ୍ରମିକ କାର୍ଡଧାରୀ କୌଣସି ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ମିଳିବାର ନିୟମ ରହିଛି । ଏଥିନିମନ୍ତେ ଟିକାବାଲି ଅଞ୍ଚଳର ଯୋଗ୍ୟ ଆବେଦନକାରୀ ନିରୋଜ ପ୍ରଧାନ, ଇନ୍ଦିରା କହଁର, ଗଜପତି ପ୍ରଧାନ ଓ କଣ୍ଟିମାଳ ପ୍ରଧାନ ମୃତ୍ୟୁକାଳୀନ ସହାୟତା ଟଙ୍କା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅବେଦନ କରିଥିଲେ । ସହାୟତା ରାଶି ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ଅନୁମୋଦନ କରିଥାନ୍ତି । ମାତ୍ର ଏ କ୍ଷେତ୍ରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରା ବିଭିନ୍ନ ଆଳ ଦେଖାଇ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଉ ନ ଥିଲେ । ଆବେଦନକାରୀଙ୍କୁ ସହାୟତା କରୁଥିବା ଟିକାବାଲି ଅଞ୍ଚଳର ଶ୍ରମିକ ସଂଗଠକ ବାବୁଜା ପ୍ରଧାନ ଏ ନେଇ ଯୋଗାଯୋଗ କରିବାରୁ ଜିଲ୍ଲା ଶ୍ରମ ଅଧିକାରୀ କାଳେ ଏଥିପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ । ଶ୍ରମିକ ସଂଗଠକ ବାବୁଜା ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ଅପରାହ୍ନ ୪ଟା ସମୟରେ କାର୍ଯ୍ୟାଳୟକୁ ଯାଇ ଏହି ଟଙ୍କା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ଦେଇଥିଲେ । ଫୁଲବାଣୀ ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା ଓ ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆ ପହଞ୍ଚି ଚଢ଼ଉ କରିବା ଦେଖି ଜିଲ୍ଲା ଶ୍ରମ ଅଧିକାରୀ ଟେବୁଲ ଡ୍ର’ରେ ରଖିଥିବା ଟଙ୍କାକୁ ପାଟିରେ ପୂରାଇ ଦେଇଥିଲେ । ତେବେ ଇନସପେକ୍ଟର ଶ୍ରୀ ଛତ୍ରିଆ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଟିରେ ହାତ ପୂରାଇ ଟଙ୍କା ବାହାର କରିବା ସହ ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ । ଟଙ୍କା ଜବତ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ତାଙ୍କ ସରକାରୀ କ୍ୱାର୍ଟର୍ସରେ ଖାନତଲାସ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ