କପା ଋତୁ ପାଇଁ କ୍ଷତି ଭରଣା ନିମନ୍ତେ ବ୍ୟୟ ପ୍ରସ୍ତାବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧ ମୂଲ୍ୟ ସମର୍ଥନ ଯୋଗାଇ ଦେବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୨୦୧୪-୧୫ ଠାରୁ ୨୦୨୦-୨୧ କପା ବର୍ଷ ପର‌୍ୟ୍ୟନ୍ତ କପା ଋତୁ (୩୦.୦୯.୨୦୨୧) ପାଇଁ ସିସିଆଇକୁ ଏହି ସହାୟତା ପ୍ରଦାନ କରାଯିବ । ଏମଏସପି ମୂଲ୍ୟ ସହିତ କପା ମୂଲ୍ୟ ସମାନ ହେବା କାରଣରୁ କପା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ୨୦୧୪-୧୫ରୁ ୨୦୨୦-୨୧ କପା ବର୍ଷ ପର‌୍ୟ୍ୟନ୍ତ ମୂଲ୍ୟ ସମର୍ଥନ ପରିଚାଳନା କରିବାର ଆବଶ୍ୟକତା ରହିଥିଲା । ଏହାର କାର‌୍ୟ୍ୟକାରିତା ଦେଶର ଆର୍ଥିକ ଗତିବିଧିରେ କପା ଚାଷୀଙ୍କ ସମାବେଶୀତାକୁ ବୃଦ୍ଧି କରିଥାଏ । ମୂଲ୍ୟ ସହାୟତା ପରିଚାଳନା କରାଯିବା କାରଣରୁ କପା ମୂଲ୍ୟ ସ୍ଥିର ରହିଥାଏ ଏବଂ ଚାଷୀଙ୍କ ସମସ୍ୟା ଦୂର ହୋଇଥାଏ । କପା ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥକରୀ ଫସଲ ମଧ୍ୟରୁ ଅନ୍ୟତମ । ଏହା ପାଖାପାଖି ୫୮ ଲକ୍ଷ କପା ଚାଷୀ ଏବଂ କପା ପ୍ରକ୍ରିୟାକରଣ ଓ ବାଣିଜ୍ୟରେ ନିୟୋଜିତ ରହିଥିବା ୪ରୁ ୫ କୋଟି ଲୋକଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ୨୦୨୦-୨୧ କପା ଋତୁରେ, ୧୩୩ ଲକ୍ଷ ହେକ୍ଟରରେ କପା ଚାଷ କରାଯାଇଥିଲା । ଏଥିରୁ ଆନୁମାନିକ ୩୬୦ ଲକ୍ଷ ବେଲ୍ସ କପା ଉତ୍ପାଦନ କରାଯାଇଥିଲା । ବିଶ୍ୱସ୍ତରରେ ଉତ୍ପାଦିତ ହେଉଥିବା କପାର ଏହା ଥିଲା ୨୫ ପ୍ରତିଶତ । ସିଏସିପିର ସୁପାରିସକୁ ଆଧାର କରି ଭାରତ ସରକାର କପା ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ନିର୍ଦ୍ଧାରଣ କରିଥିଲେ । ଭାରତ ସରକାର ସିସିଆଇକୁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ନିୟୋଜିତ କରିଥିଲେ । କପା ମୂଲ୍ୟ ଏମଏସପି ସ୍ତର ଠାରୁ ତଳକୁ ଖସିଯିବା ପରେ ବିନା କୌଣସି ଧାର‌୍ୟ୍ୟ ସୀମାରେ ଚାଷୀଙ୍କ ଠାରୁ ସମସ୍ତ ଏଫଏକ୍ୟୁ ମାନର କପା କିଣିବା ଲାଗି ସିସିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୂଲ୍ୟହ୍ରାସ ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷା ଦେବା ଲାଗି ଏମଏସପି ପରିଚାଳନା ଜରୁରି ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ