ଅଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨) ଅଧୀନରେ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡ଼କ ସଂଯୋଗ କାର୍ଯ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏ ବାବଦରେ ୨ଠ୨୧-୨୨ରୁ ୨ଠ୨୪-୨୫ ଅବଧି ମଧ୍ୟରେ ୧,୧୨,୪୧୯ କୋଟି ଟଙ୍କା ରାଜ୍ୟର ଅଂଶ ସହିତ ଏହି ଯୋଜନାରେ ବିନିଯୋଗ କରାଯାଇ ଚାଲିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ୯ଟି ରାଜ୍ୟର ୪୪ଟି ଜିଲ୍ଲାରେ ରହିଥିବା ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳରେ ୨ଠ୧୬ ମସିହା ଠାରୁ ଏପର୍ଯ୍ୟନ୍ତ ୧ଠ୫ଟି ପୋଲ ସହିତ ୪୪୯ଠ କିଲୋମିଟର ସଡ଼କ ନିର୍ମାଣ ଶେଷ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଆଜି ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨)କୁ ୨ଠ୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ସଡ଼କ ନିର୍ମାଣ କାର୍ଯ୍ୟ ସରି ନଥିବା ପ୍ରକଳ୍ପଗୁଡ଼ିକୁ ୨ଠ୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଯୋଜନା (୧) ଅଧୀନରେ ସମତଳ ଅଞ୍ଚଳର ୫ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମ ଏବଂ ଉତ୍ତର-ପୂର୍ବାଞ୍ଚଳ ତଥା ହିମାଳୟ ଅଞ୍ଚଳରେ ୨୫ଠ ଏବଂ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି । ସେହିପରି ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ୧ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି । ଏହି ଯୋଜନା ଅଧିନରେ ୧,୮୮,୪୪୪ଟି ଗ୍ରାମକୁ ୭୫୨୩ଟି ପୋଲ ସହିତ ୬୪୪୫୬୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି । ଏ ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆଉ ମାତ୍ର ୧୯୭୪ଟି ପୋଲ ଏବଂ ୨ଠ,୯୫ଠ କିଲୋମିଟର ରାସ୍ତା ବାକି ରହିଛି । ଏହି ଯୋଜନା (୨) ଅଧୀନରେ ୫ଠ ହଜାର କିଲୋମିଟର ସଡ଼କ ନିର୍ମାଣ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିବା ବେଳେ ୪୯,୮୮୫ କିଲୋମିଟର ରାସ୍ତା ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୪୨୪ଠ କିଲୋମିଟର ସଡ଼କ ଏବଂ ୨୫୪ଟି ପୋଲ କାମ ଅଳ୍ପଦିନ ମଧ୍ୟରେ ଶେଷ ହେଲେ ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । କରୋନା ସଂକ୍ରମଣ, ଅତିବୃଷ୍ଟି, ପ୍ରବଳ ଥଣ୍ଡା ଏବଂ ପାର୍ବତ୍ୟ ଅଞ୍ଚଳରେ ଜଙ୍ଗଲରେ ସଡ଼କ ନିର୍ମାଣଜନିତ ଅସୁବିଧାଗୁଡ଼ିକ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିଲା । ୨ଠ୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହିସବୁ ନିର୍ମାଣ କାର୍ଯ୍ୟ ଶେଷ ହେବ । ୯ଟି ରାଜ୍ୟର ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ୪୪ଟି ଜିଲ୍ଲାରେ ୨ଠ୧୬ ମସିହାରେ ୫୭୧୪ କିଲୋମିଟର ସଡ଼କ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଆଉ ୧୮୮୭ କିଲୋମିଟର ସଡ଼କ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଗଲା । ଏବେ ୩୯୮ଟି ପୋଲ ସମେତ ସମୁଦାୟ ୭୬ଠ୧ କିଲୋମିଟର ସଡ଼କ ନିର୍ମାଣ ୨ଠ୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅଧିନରେ ସଡ଼କ ନିର୍ମାଣ ପାଇଁ ସବୁଜ ବୈଷୟିକ କୌଶଳ ପ୍ରୟୋଗ କରାଯାଉଛି । ଏଥିରେ ସ୍ଥାନୀୟ ଭାବେ ମିଳୁଥିବା ସମାଗ୍ରୀ ବ୍ୟବହାର କରାଯାଇ ୧ ଲକ୍ଷ କିଲୋମିଟର ଦୀର୍ଘ ସଡ଼କପଥ ନିର୍ମାଣ କରାଯିବ । ଏଥିମଧ୍ୟରୁ ୬୧ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ ହେଲାଣି । ଏହି ଯୋଜନା ଅଧିନରେ କାର୍ଯ୍ୟର ମାନର ସୁନିଶ୍ଚିତତା ପାଇଁ ତିନୋଟି ସ୍ତର ନିର୍ଦ୍ଧାରଣ କରାଯାଇଛି । ଏହା ଫଳରେ ଉଚ୍ଚମାନର ସଡ଼କ ନିର୍ମିତ ହୋଇପାରୁଛି । ୨ଠ୧୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୨) କାର୍ଯ୍ୟକାରୀ କରାଗଲା । ୨ଠ୨୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ୧ ଲକ୍ଷ ୨୫ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ରାଜ୍ୟ ଅଂଶକୁ ମିଶାଇ ୧,୧୨,୪୧୯ କୋଟି ଟଙ୍କା ବିନିଯୋଗ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ