ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଲେ ମଣ୍ଡଳ ଶିକ୍ଷାଧିକାରୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):“ଶିକ୍ଷାଦାନ ସମୟରେ ଶିଶୁମାନଙ୍କ ମନସ୍ତତ୍ତ୍ୱକୁ ହୃଦୟଙ୍ଗମ କରି ସେମାନଙ୍କ ସହିତ ଶିଶୁର ମାନସିକତା ରଖି ମିଶିପାରିଲେ ଜଣେ ଶିକ୍ଷକର ଶ୍ରେଣୀ ଶିକ୍ଷାଦାନ ସଫଳ ହୋଇପାରିବ” ବୋଲି ଗୋପ ମଣ୍ଡଳ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଦାଶ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୁରୁବାର ଗୋପ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥ ନୋଡାଲ ଉପ୍ରା ସ୍କୁଲ୍ କ୍ଲଷ୍ଟର ପରିସରରେ ଆୟୋଜିତ ଏକ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ବିଇଓ ଦାଶ ମୁଖ୍ୟ ଅତିଥିରୂପେ ଯୋଗଦେଇ ଦେଢଘଣ୍ଟାଧରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ କୋଭିଡ ପରବର୍ତ୍ତୀ ସ୍କୁଲ ଶିକ୍ଷାଦାନ ସମୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଏବଂ ତାହାର ସମାଧାନ କୌଶଳ ସଂପର୍କରେ ଆଲୋଚନା କରିଥିଲେ । ଦୀର୍ଘ ଦିନଧରି ସ୍କୁଲ ଶିକ୍ଷାଦାନରୁ ବଂଚିତ ପିଲାମାନଙ୍କ ମନରେ ବିଦ୍ୟାଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ସ୍ୱଳ୍ପ ସମୟାବଧି ମଧ୍ୟରେ ଆସନ୍ତା ବାର୍ଷିକ ପରିକ୍ଷା ପୂର୍ବରୁ ସମସ୍ତ ବିଷୟର ପାଠ୍ୟକ୍ରମକୁ ପିଲାମାନଙ୍କୁ ବୋଧଗମ୍ୟ କରାଇବା ଜରୁରୀ । ଏଥିପାଇଁ ପ୍ରତ୍ୟେକ ଶିକ୍ଷକ ଶ୍ରେଣୀଗୃହକୁ ଆସିବା ପୂର୍ବରୁ ନିଜେ ପାଠପଢି ପ୍ରସ୍ତୁତ ହୋଇ ପିଲାମାନଙ୍କୁ ସାମନା କରିବା ଅପରିହାର୍ଯ୍ୟ ବୋଲି ବିଇଓ ଦାଶ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଜଗନ୍ନାଥ ନୋଡାଲ ସିଆରସିସି ଅରବିନ୍ଦ ସାହୁଙ୍କ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନୟାହାଟ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ରତିକାନ୍ତ ଦାଶ ପୌରୋହିତ୍ୟ କରିଥିଲେ । ଅଧ୍ୟାପକ ଦାଶ ଶିକ୍ଷାଦାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲ ଓ ଘରୋଇ ସ୍କୁଲ ପରିବେଶର ଏକ ତୁଳନାତ୍ମକ ଅଧ୍ୟୟନ ଉପସ୍ଥାପିତ କରିଥିଲେ । ଗୋପ ବିଆରସିସି ବ୍ରଜବନ୍ଧୁ ବେହେରା ଓ ରାଧା ଦାମୋଦର ବିଦ୍ୟାପୀଠ, କଦମ୍ବପାଟଣାର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସ୍ୱାଇଁ ଅନ୍ୟତମ ଅତିଥିରୂପେ ଯୋଗଦେଇ ମଧୁବନ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟଗୁଡିକର ଶୈକ୍ଷିକ ସଫଳତା ସଂପର୍କରେ ଆଲୋଚନା କରିବା ସହିତ ଏହି ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଶିବିରରେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଏହି ଶୈକ୍ଷିକ କାର୍ଯ୍ୟକ୍ରମରେ କଦମ୍ବପାଟଣା ନୋଡାଲ ୟୁପି ସ୍କୁଲର ବରିଷ୍ଠ ପ୍ରଧାନଶିକ୍ଷକ ଅଶୋକ କୁମାର ବେହେରା, ଅରେଇସ୍ଥିତ ରାଧାନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ନବଘନ ସାହୁ, ଭୈରବ ନୋଡାଲ ସିଆରସିସି ରବୀନ୍ଦ୍ରନାଥ ବାହିନୀପତି, ସିଂଘପାନିଆ କ୍ଲଷର ସିଆରସିସି ନିରଂଜନ କାଣ୍ଡି, ରାଜ୍ୟସ୍ତରୀୟ ସାଧନକର୍ମୀ ଶିକ୍ଷକ ଲଲାଟଚନ୍ଦ୍ର ବେହେରା, ପ୍ରଧାନଶିକ୍ଷୟିତ୍ରୀ ବିଳାସିନୀ ମଲ୍ଲଙ୍କ ସମେତ ଜଗନ୍ନାଥ ନୋଡାଲ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ କ୍ଲଷ୍ଟର ପକ୍ଷରୁ ବିଇଓ ଦାଶଙ୍କ ସମେତ ଅନ୍ୟ ସମସ୍ତ ଅତିଥି ପ୍ରଶିକ୍ଷକ ଏବଂ ଲେବୁଲ-୪ ଓ ଗ୍ରାଜୁଏଟ୍ ଶିକ୍ଷକ ପଦବୀକୁ ପଦୋନ୍ନତି ପାଇଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ