ଧାନ କିଣାର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଦୀର୍ଘ ମାସର ବ୍ୟବଧାନ ପରେ ଗୁରବାର ବନ୍ତ ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଶେଷକରି କୃଷି ବିଭାଗର ଅପରାଗତାକୁ ବହୁ ଜନପ୍ରତିନିଧି ଆକ୍ଷେପ କରିବା ସହିତ ଚଳିତ ଖରିଫ ଋତୁରେ ଧାନ କିଣାକୁ କିପରି ସଠିକ୍ ଉପାୟରେ କରାଯାଇ ପାରିବ ସେନେଇ ଦାବୀ ଉଠାଇଥିଲେ । ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏଥିରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଡିଓ ଶୁଭଦର୍ଶନ ମିଶ୍ର, ତହସିଲଦାର ଅଙ୍କିତା ବାରିକ, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ସିଡିପିଓ ରେଣୁବାଳା ଦାଶ, ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ବ୍ଲକ୍ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ବନ୍ତ ଥାନାର ଏସ୍‌.ଆଇ. ପ୍ରସାଦ କୁମାର ଜେନା, ବିପିସି ଚୀରଞ୍ଜୀବ ଦାସ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ, ଜିପିଇଓ ଜମାଦାର ମୁଣ୍ଡା, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ, ସହକାରୀ ପ୍ରାଣୀ ଚିକିତ୍ସକ କମଳଲୋଚନ ବେହେରା, ମୁଖ୍ୟକିରାଣୀ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଉପସ୍ଥିତ ଥିଲେ । ଅଧିକାରୀ ଓ କର୍ମଚାରୀ ମାନେ କାଗଜକଲମରେ ସୀମିତ ନରହି ପ୍ରତି ପଞ୍ଚାୟତ ଯାଇ ଲୋକ ମାନଙ୍କ ସମସ୍ୟା ବୁଝିବାକୁ ସାଂସଦ ଶ୍ରୀ ମଣ୍ଡଳ ପରାମର୍ଶ ଦେଇଥିଲେ । ଯେଉଁ ମାନଙ୍କ ପାଇଁ ଯୋଜନା ସେମାନେ ପାଉନାହାନ୍ତି, ଯେଉଁ ମାନଙ୍କ ପାଇଁ ନୁହେଁ ସେମାନେ ଚାଲାକି କରି ଯୋଜନାକୁ ହାତେଉଛନ୍ତି ବୋଲି ବିଧାୟକ ଶ୍ରୀ ସାମଲ କହିଥିଲେ । କୃଷକ ମାନଙ୍କ ତାଲିକା କିଏ ଦେଇଥିଲା ବୋଲି ସରପଞ୍ଚ ନିହାରିକା ରାଉତ ପ୍ରଶ୍ନ କରିଥିଲେ । କୃଷି ବିଭାଗର ନାନାଦି ଅସୁବିଧା ସୃଷ୍ଟି ହେଉଛି । କୃଷକ ଯୋଜନାରେ କଣ ହେଉଛି ତାହା କେହି ଜାଣି ପାରୁନାହାନ୍ତି । ରୋଗ ନିରାକରଣ ପାଇଁ ଚାଷୀ ମାନଙ୍କୁ ସଚେତନତା କରାଯାଉନାହିଁ । କୃଷକ ମାନଙ୍କ ପାଇଁ ଆସୁଥିବା ଯୋଜନା କୃଷକ ମାନଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ଜିଲା ପରିଷଦ ସଭ୍ୟା ରେବତୀ ନାୟକ କହିଥିଲେ । ଉଦ୍ୟାନ, ଶିକ୍ଷା ବିଭାଗର କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି ଏବଂ ତହସିଲଦାର ବୈଠକ ଆସି ପଳାଇ ଯାଉଥିବା ନେଇ କାଦବରାଙ୍ଗ ସମିତି ସଭ୍ୟ ରମେଶ ପହି ଅଭିଯୋଗ କରିଥିଲେ । ଆର୍‌.ଏସ୍‌. ପୋର୍ଟାଲ ଓ ପି.ଏମ୍‌.ଏ.ୱାଇ ଯୋଜନାରେ ବହୁ ଅନିୟମିତତା ହୋଇଥିବା ନେଇ ସମିତି ସଭ୍ୟ ରବିନ୍ଦ୍ର ଧଳ ଅଭିଯୋଗ କରିଥିଲେ । ପଧାନପଡା ସେବା ସମବାୟ ସମିତିରେ ୩ ପଞ୍ଚାୟତ ରହୁଥିବାରୁ ଚାଷୀ ମାନେ ଧାନ ବିକ୍ରୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତି ପଞ୍ଚାୟତର ମହିଳା ମହାସଂଘକୁ ଧାନ କିଣା ଦାୟୀତ୍ୱ ଦେବା, ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷକ ସାଥୀଙ୍କ କାର୍ଯ୍ୟଧାରା ଠିକ୍ ରହୁନଥିବା ଏବଂ ବ୍ଲକରେ କୃଷି ଅଧିକାରୀ ଉପସ୍ଥିତ ରହୁନଥିବା ନେଇ ନିଳୋକ ସରପଞ୍ଚ ଅଶୋକ କୁମାର ମହାନ୍ତି ଅଭିଯୋଗ କରିଥିଲେ । ସେହିପରି କୋଭିଡ୍ ବେଳେ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ମାନଙ୍କୁ ଦିଆଯାଇଥିବା ଖାଇବା ବାବଦ ଅର୍ଥ ମିଳିନଥିବା ସେ କହିଥିଲେ । ବ୍ଲକର ଅଧିକାଂଶ ଚାଷ ଜମି ଶାଳପଡା ଜଳସେଚନ ଡିଭିଜନ ଅଧିନରେ ରହୁ ଥିବାରୁ ଉକ୍ତ ବିଭାଗର ଅଧିକାରୀ ମାନେ ପ୍ରତି ସମିତି ବୈଠକରେ ଉପସ୍ଥିତ ହେବାକୁ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ ଦାବୀ କରିଥିଲେ । ସମସ୍ତ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ବିଡିଓ ପ୍ରତିଶୃତି ଦେଇଥିଲେ । ବୈଠକରେ ୨୫ ପଞ୍ଚାୟତର ଜନପ୍ରତିନିଧି ଓ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ