ସ୍ୱୟଂ ସହାୟକ ସଙ୍ଗଠନ ଓ ଦୁର୍ନୀତିମୁକ୍ତ ଓଡ଼ିଶା

ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଘୋଷଣା କରିଥିଲେ ଯେ ଏଥର ଫାଇଲ ରକେଟ ଗତିରେ ଯିବ । ଇଆଡ଼େ ସରକାରଙ୍କ ଗୋପଦ ଅଭିଯାନରେ ପ୍ରଶାସନ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ଅଭାବ, ଅଭିଯୋଗ ଶୁଣି ତୁରନ୍ତ ଓ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ସେବା ସମଗ୍ର ଓଡ଼ିଶାରେ ପ୍ରଶାସନ ଓ ରାଜନୀତି ମହଲରେ ଏକ ପ୍ରକାର ହଲଚଲ କରିସାରିଲାଣି । କିଛିଦିନ ତଳେ ସରକାରଙ୍କ ଏହି ୫ଟି ଆକ୍ସନ ମୋଡ଼କୁ ନେଇ ବିଜେପି, କଂଗ୍ରେସ ଓ ବିଜେଡ଼ି ଭିତରେ କାଦୁଅ ଫିଙ୍ଗା ଚାଲିଛି । ଖୋଦ୍ ଓଡ଼ିଶା ସରକାରଙ୍କ ସକ୍ରିୟ ଓ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିର ଅଘୋଷିତ ଚାଣକ୍ୟ ଭି.କେ. ପାଣ୍ଡିୟାନ ୫ଟି ବିଭାଗର ସଚିବ ଭାବେ ଯେଉଁ ଭାବରେ ବିଭିନ୍ନ ଡାକ୍ତରଖାନା ଗସ୍ତ କରି ତକ୍ରାଳ କାର୍ଯ୍ୟାନୁଷ୍ଠାନ ଓ ସରକାରୀ ସହାୟତା ପ୍ରଦାନ କରୁଛନ୍ତି ଏହା ଚର୍ଚ୍ଚିତ “ନାୟକ’ ଚଳଚ୍ଚିତ୍ରର ଅନୀଲ କାପୁରଙ୍କ ଭୂମିକା ପରି ଲାଗୁଛି । ଚଳଚ୍ଚିତ୍ରରେ ଅନୀଲ କାପୁର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଚଳଚ୍ଚିତ୍ରର ମୁଖ୍ୟମନ୍ତ୍ରୀ ଅଭିନେତା ଅମ୍ବ୍ରେଶପୁରୀଙ୍କ ଚର୍ଚ୍ଚିତ ମନ୍ତବ୍ୟ ମଧ୍ୟ ଦର୍ଶକଙ୍କ ଭିତରେ ମନେରହିଛି । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜେଡ଼ିର ବଡ଼ ଭୋଟପୁଞ୍ଜି ମହିଳାମାନେ ବୋଲି ବିଚାର କରି ସେମାନଙ୍କ ପାଇଁ ଅନେକ କଲ୍ୟାଣମୂଳକ ଯୋଜନା ହାତକୁ ନେଉଛନ୍ତି । ସମସ୍ତ ବିରୋଧୀ ଦଳ ମଧ୍ୟ ଏହା ସ୍ୱୀକାର କରିବାକୁ ବାଧ୍ୟ ହେଉଛନ୍ତି ଯେ ପ୍ରକୃତରେ ମୁଖ୍ୟମନ୍ତ୍ରୀ ଜଣେ ସଂସାରୀ ନହୋଇ ମଧ୍ୟ ମହିଳା ମାନଙ୍କ ତେଲଲୁଣର ସଂସାର ଓ ସମ୍ମାନକୁ ବେଶ ଭଲ ଭାବେ ବୁଝିଛନ୍ତି । ଭାରତୀୟ ରାଜନୀତି ନିର୍ବାଚନ ଇତିହାସରେ ସମସ୍ତ ରାଜନୈତିକ ଦଳକୁ ଚମକାଇ ଦେଇ ଗତ ଆସ୍କା ଲୋକସଭା ଆସନରେ ଜଣେ ସ୍ୱଳ୍ପ ଶିକ୍ଷିତା ମହିଳା ପ୍ରମିଳା ବିଶୋଇଙ୍କୁ ଲୋକସଭା ଟିକେଟ ଦେଇ ତାଙ୍କୁ ବିଜୟର ଟୀକା ମଧ୍ୟ ଦେଇପାରିଥିଲେ । ନିଜ ଗାଁ ମୂଲକରେ ଅପରିଚିତ ଏହି ସ୍ୱୟଂ ସହାୟକ ସଙ୍ଗଠନର ସଭାନେତ୍ରୀ ମହିଳା ଜଣଙ୍କ ଆଜି ଏକ ଅନାମଧ୍ୟେୟ ଗାଁରୁ ଗଣତନ୍ତ୍ରର ମନ୍ଦିର ସଂସଦରେ ପାଦ ଦେଇଛନ୍ତି । ଚଳିତଥର ମଧ୍ୟ ବିଜେଡ଼ି ରେକର୍ଡ଼ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇ ଦଳର ମହିଳାଙ୍କ ପ୍ରତି ଆଦର ଓ ସମ୍ମାନକୁ ପ୍ରମାଣିତ କରିଛନ୍ତି । ହେଲେ ଦୁର୍ଭାଗ୍ୟର ପ୍ରସଙ୍ଗ ହେଉଛି ଏହା ଦୀପ ତଳ ଅନ୍ଧାର ପରି ଅନେକ ପ୍ରତିକୂଳକୁ ସାମ୍ନା କରି ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଯେଉଁ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଉଦ୍ୟମ ଓ ସରକାରଙ୍କ କିଞ୍ôଚତ ସହାୟତାରେ ଆଗକୁ ବଢ଼ିବା ପାଇଁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ମିଥ୍ୟା ତଥ୍ୟ ବିହୀନ ବିଭିନ୍ନ ଭ୍ରମାତ୍ମକ ଅଭିଯୋଗ ଆଣି ନିନ୍ଦିତ କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଓଡ଼ିଶାରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି ଯେଉଁମାନେ ରାଜନୀତି, ପ୍ରଶାସନ ଓ ଗଣମାଧ୍ୟମର କିଛି ବତୀ ପେଲା ଟାଉଟରଙ୍କ ଆକ୍ରୋଷର ଶିକାର ହେଉଛନ୍ତି କାରଣ ସେମାନେ ଏହି ଯୋଜନାବଦ୍ଧ ରାକେଟର ମୁଣ୍ଡିଆଳ ମାନଙ୍କୁ ଅର୍ଥ ଓ ଅନ୍ୟାନ୍ୟ ସହାୟତା ପାଇଁ ଅରାଜି ହେଉଥିବାରୁ ।
ଗ୍ରାମୀଣ ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଶକ୍ତି ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ ଯୋଜନାରେ ସାମିଲ କରି ସ୍ୱାବଲମ୍ବୀ କରିବାକୁ ପ୍ରୟାସ କରୁଥିଲା ବେଳେ କେତେକ ମୁଷ୍ଟିମେୟ ଓ ଦୁର୍ନୀତିଖୋର ଅଧିକାରୀ ଏବଂ ଦଲାଲମାନଙ୍କ ଦ୍ୱାରା ମହିଳା ସଂଗୋଷ୍ଠୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଯାଜପୁର ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ପୁଷ୍ଟିକର ଛତୁଆ ଯୋଗାଣ କରୁଥିବା ମହିଳା ଗୋଷ୍ଠୀଙ୍କର ବାର୍ଷିକ ଏଗ୍ରିମେଂଟ ନବୀକରଣ ନାମରେ ପଚାଶ ହଜାର ଟଙ୍କାର ଅର୍ଥରାଶି ଦାବି କରୁଥିବା ନେଇ ବଡ଼ଚଣା ବ୍ଲକର ସାଇବାବା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦିକା ଗୁରୁତର ଅଭିଯୋଗ କରିଛନ୍ତି । ଦୁଇ ହଜାର ଆଠ ମସିହାରୁ ଏହି ମହିଳା ଗୋଷ୍ଠୀ ଗଠନ କରାଯାଇ ବଡ଼ଚଣା ବ୍ଲକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ସୁଚାରୁରୂପେ ବଂଟନ କରିଆସୁଥିବା ବେଳେ ଜିଲ୍ଲାରେ ତିନିମାସ ତଳେ ଯୋଗ ଦେଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସିଡ଼ିପିଓମାନଙ୍କ ଜରିଆରେ ପ୍ରତି ମାସରେ ମହିଳା ଗୋଷ୍ଠୀମାନଙ୍କଠାରୁ ଅର୍ଥରାଶି ନେବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସାଇବାବା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସଂପାଦିକା ଯାଜପୁରର ଭାରପ୍ରାପ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ସାକ୍ଷାତ୍ କରି ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିବା ଜଣାଯାଇଛି । ମହିଳା ଗୋଷ୍ଠୀ ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ଇତିମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମହିଳା ଗୋଷ୍ଠୀ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ହଇରାଣ କରୁଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଇତିମଧ୍ୟରେ ମହିଳା ଗୋଷ୍ଠୀର ଛତୁଆ ବଂଟନ ପ୍ୟାକେଟରେ ଇଂରେଜୀରେ ଲେଖା ହୋଇଥିବା, ଛତୁଆ ଓଜନ କମ୍ ଥିବା, ବାଦାମ ଲଡୁ ଠିକ୍ ମାନର ନଥିବା ନେଇ ମହିଳା ଗୋଷ୍ଠୀକୁ ଏକ କୈଫୟିତ ମାଗିଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପର କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ବଂଟନ ସମୟରେ ଉପସ୍ଥିତ ରହି କୁଆଡ଼େ ଛତୁଆର ଉପରୋକ୍ତ ତ୍ରୁଟିଥିବା ତାଙ୍କ ପତ୍ରରେ ଦର୍ଶାଇଥିଲେ ମଧ୍ୟ ଉକ୍ତ ଦୁଇ ଗ୍ରାମର ହିତାଧିକାରୀମାନେ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଥିବା ଜଣାଯାଇଛି । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଏଭଳି କାର୍ଯ୍ୟ ମହିଳା ଗୋଷ୍ଠୀମାନଙ୍କୁ ନିରୁତ୍ସାହିତ କରୁଥିବାରୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଗୋଷ୍ଠୀ ଦାବି କରିଛନ୍ତି । ମହିଳା ଗୋଷ୍ଠୀର କର୍ମକର୍ତ୍ତାମାନେ ଜଣାଇଛନ୍ତି ଯେ, ଜିଲ୍ଲାରେ ସର୍ବପ୍ରଥମେ ସାଇବାବା ମହିଳା ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରି ସୁନାମ ଅର୍ଜନ କରିଛନ୍ତି । ବିଭିନ୍ନ ସମୟରେ ଜିଲ୍ଲା ଓ ଜିଲ୍ଲା ବାହାରେ ନିଜ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରି ଏହା ଉଚ୍ଚ ପ୍ରଶଂସିତ ହୋଇଛି । ଅନ୍ୟ ମହିଳା ଗୋଷ୍ଠୀ ମଧ୍ୟ ଏଠାରୁ ପ୍ରଶିକ୍ଷଣ ନେଇ ଛତୁଆ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଛତୁଆର ଗୁଣାତ୍ମକ ମାନ ପରଖି ଉଚ୍ଚ ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ଏହି ମହିଳା ଗୋଷ୍ଠୀ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେବା ଓ ସହାୟତାର ହାତ ବଢ଼ାଇ ଦୁର୍ଗତମାନଙ୍କୁ ସାହାଯ୍ୟ କରିପାରିଛି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ନିଜର ଅବଦାନ ପାଇଁ ରାଜ୍ୟସ୍ତରରେ ଓ ଜିଲ୍ଲା ସ୍ତରରେ ବହୁବାର ପୁରସ୍କୃତ ହୋଇଥିବା ଏହି ଗୋଷ୍ଠୀକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବାରୁ ମହିଳା ଗୋଷ୍ଠୀର ସଦସ୍ୟାମାନେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଥିବାର ଘଟଣା କିଛି ଗଣମାଧ୍ୟମରେ ପ୍ରକ।। ପାଇଛି । ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନା ଅଧୀନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଅନେକ କ୍ଷେତ୍ରରେ ନିରାଶ ଓ ହତାଶ ହୋଇପଡ଼ୁଛନ୍ତି । ଓଡ଼ିଶାରୁ ଦୁର୍ନୀତି ହଟିଲେ ରାଜ୍ୟର ବିକାଶ ହୋଇପାରିବ । ଘର, ପରିବାର, ନିଜ ଅଞ୍ଚଳ, ରାଜ୍ୟ ଓ ଦେଶର ତଥା ସମାଜର ମଙ୍ଗଳ କାମନାରେ ମହିଳା ମାନଙ୍କ ଅବିସ୍ମରଣୀୟ ଭୂମିକା ରହିଛି । ଅନେକ ସଙ୍ଗଠନ ଆଜି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ସୁନାମ ମଧ୍ୟ ବଢ଼ାଇ ପାରିଛନ୍ତି । ସରକାରଙ୍କ ୫ଟି ସଚିବ ଯେଉଁପରି ସରପ୍ରାଇଜ ଗସ୍ତ କରି ଅନେକ ଓଡ଼ିଆଙ୍କ ଆଶା ବିଶ୍ୱାସ ଓ ଭରଷାକୁ ବଢ଼ାଇ ପାରୁଛନ୍ତି, ମହୋଦୟ ସ୍ୱୟଂ ସହାୟକ ସଙ୍ଗଠନ ମାନେ କିପରି ନିଜ ମାଟିରେ ଓ ପ୍ରଶାସନର ସହଯୋଗରେ ଆଗକୁ ବଢ଼ିପାରିବେ ଆନ୍ତରିକ ଦୃଷ୍ଟି ରଖିଲେ ଓଡ଼ିଶାର ପ୍ରଗତି ସାକାର ହେବ ଓ ଦୁର୍ନୀତିମୁକ୍ତ ଗଠନ ହେବା ସମ୍ଭବ ହୋଇପାରିବ ।
ବିଶ୍ୱ ପ୍ରକାଶ ଦେବତା
ରାଜ୍ୟ ସଭାପତି, ଇଣ୍ଟରନ୍ୟାସନାଲ ଆଣ୍ଟି କରପ୍‌ସନ୍ ଫୋରମ,
୪ବି, ସତ୍ୟନଗର, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ