ହିଞ୍ଜିଳିକାଟୁରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳକାଟୁ ସହରକୁ ଦୀର୍ଘ ୩ ବର୍ଷ ହେଲା ପୌରପରିଷଦର ମାନ୍ୟତା ମିଳିଥିଲେ ମଧ୍ୟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ହିଞ୍ଜିଳିକାଟୁ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ଘୋଡ଼ାହାଡ଼ ସେତୁ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପ୍ୱାର୍ଶ୍ବରେ ଉଠା ଦୋକାନୀଙ୍କ କବଜ୍ଜାରେ ରହିଥିବା ଯୋଗୁଁ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଛି । ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଉଛାଶକ୍ତିର ଅଭାବ ଯୋଗୁଁ ସ୍ଥାନୀୟ ସହରରେ ଏଯାବତ୍ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ପାରୁନଥିବାରୁ ଉଠା ଦୋକାନୀ ମାନଙ୍କ କବଜ୍ଜାରେ ୫୯ ନଂ ଜାତୀୟ ରାଜପଥ ରହିଛି । ବିଶେଷ କରି ସହରର ବଇଁଚବଣିଆ, ଲକ୍ଷ୍ମୀ ବଜାର ଓ ବିଜୁ ପଟ୍ଟନାୟକ ଛକ ଅଞ୍ଚଳରେ ପାର୍କିଂ ସ୍ଥାନ ନଥିବାରୁ ରାଜପଥ ଉପରେ ମନଇଛା ଯାନବାହାନ ଗୁଡ଼ିକ ରହୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।୫୯ ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ସହରକୁ ଯାଇଥିବାରୁ ବିଭିନ୍ନ କମ୍ପାନୀର ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ସଡ଼କ ପଥରେ ଏହି ରାସ୍ତା ଦେଇ ଯାତାୟତ କରୁଛି । ଶହଶହ ସଂଖ୍ୟାରେ ଟ୍ରଲର ସମେତ ବଡ଼ବଡ଼ ମାଲ ପରିବହନକାରୀ ଟ୍ରକ ଅନବରତ ଯାତାୟତ କରୁଥିବା ଯୋଗୁଁ ବହୁ ସମୟରେ ରାସ୍ତା ଜାମ୍ ରହୁଥିବା ସହ ଧୁଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଟ ହୋଇପଡ଼ିଲେଣି । ବାରମ୍ବାର ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ଏପର୍ଯ୍ୟନ୍ତ ପଡ଼ି ପାରୁନାହିଁ । ଅନ୍ୟପକ୍ଷରେ ସହରରେ ଦିନକୁ ଦିନ ଠେଲା ଗାଡ଼ି, ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ସଙ୍କୁଚିତ ହେବାରେ ଲାଗିଛି । ଏପରିକି ଏମାନେ ରାସ୍ତାଘାଟ, ଡ଼୍ରେନ ଏମାନଙ୍କ କବଜ୍ଜାରୁ ବାଦ୍ ପଡ଼ିନାହିଁ । ଏସବୁ ଜାଣିଶୁଣି ସ୍ଥାନୀୟ ପୌରପ୍ରଶାସନ ନିରବ ସାଜୁଛନ୍ତି । ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ସହର ମଧ୍ୟରେ ଅନେକ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ବୃଦ୍ଧି ଫଳରେ ଏଠାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସହରରେ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ଅତୀତରେ ଜଣେ ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ହୋଇଥିଲେ । ସେହି ସମୟରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା କିଛିଟା ମାତ୍ରାରେ ସୁଧାର ଆସିଥିଲା ପର ମୁହୁର୍ତ୍ତରେ ଟ୍ରାଫିକ କନେଷ୍ଟବଳ ଜଣକ ଅନ୍ୟତ୍ର ବଦଳି ହେବା ପରେ ତାଙ୍କରି ସ୍ଥାନରେ ଏଯାବତ୍ ଅନ୍ୟ କେହି ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ହୋଇପାରିନଥିବା ଜଣାପଡ଼ିଛି । ସହରର ପରିବା ବଜାର ଓ ବିଜୁ ପଟ୍ଟନାୟକ ଛକ ଅଞ୍ଚଳରେ କେବଳ ୩/୪ ଜଣ ହୋମଗାର୍ଡ଼ ନିଯୁକ୍ତି ରହି ଟ୍ରାଫିକ ସଜାଡ଼ୁଥିବାର ଦେଖାଯାଉଛି । ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ଗତ ଦିନରେ ପୌର ପ୍ରଶାସନ ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ ପାର୍କିଂ ବ୍ୟବସ୍ଥାର ବିକଳ୍ପ କରାଯାଇଥିଲା । ମାତ୍ର ଆବଶ୍ୟକ ପୋଲିସ ବାହୀନି ନଥିବାରୁ ସବୁବେଳେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସକାଶେ ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସହରର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ