‘ନିକୁଞ୍ଜ ବସନ୍ତଙ୍କ ବିୟୋଗ ବାମପନ୍ଥୀ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ବିରାଟ ଶୂନ୍ୟସ୍ଥାନ’

ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ବାମପନ୍ଥୀ ନେତା ନିକୁଞ୍ଜ ବସନ୍ତରାୟଙ୍କ ଉଦ୍ଦେଶ୍ୟରେ ସିପିଆଇ(ଏମ୍‌) ପକ୍ଷରୁ ଏକ ସ୍ମତିଚରଣ ତଥା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନୂଆବଜାରସ୍ଥିତ ପରିବହନ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ସିଆଇଟିୟୁର ରାଜ୍ୟ ସମ୍ପାଦକ ଉଲାସ ସ୍ୱାଇଁ, ରାଧାରମଣ ଷଡ଼ଙ୍ଗୀ, ବିଜୟ ପାତ୍ର, ବରିଷ୍ଠ ନାଗରିକ ମଞ୍ଚ ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରା, ଏଆଇଟିୟୁସି ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ପ୍ରତିରକ୍ଷା କର୍ମଚାରୀ ନେତା ରବିନାରାୟଣ ମିଶ୍ର, ପୌର କର୍ମଚାରୀ ନେତା ରବୀନ୍ଦ୍ର ବେହେରା, ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଓକିଲ ସଂଘର ସଭାପତି ମନୋଜ ନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନମାନଙ୍କ ପକ୍ଷରୁ ସୀତାଂଶୁ ସେନାପତି, ପ୍ରେମରଂଜନ ପାତ୍ର, ବନ୍ଦନା ବିଶ୍ୱାସ, ଈଷାଣୀ ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ଜେନା, ଜୟନ୍ତ ଦାସ, ଅନୀଲ ପଟ୍ଟନାୟକ, ଶ୍ୟାମସୁନ୍ଦର ଜେନା, ପ୍ରଶାନ୍ତ ପରିଡ଼ା ଓ ଦିଲୀପ ଗିରି ପ୍ରମୁଖ ଏଥିରେ ଯୋଗଦେଇ ଦିବଂଗତ ନିକୁଞ୍ଜ ବସନ୍ତ ରାୟଙ୍କ ଜୀବନାଦର୍ଶ ଓ ଅମ୍ଳାନ ବ୍ୟକ୍ତିତ୍ୱ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଦରଦୀ, ଆଦର୍ଶବାନ ସଙ୍ଗଠକ ତଥା ନିରଳସ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତ୍ତମାନ ବାମପନ୍ଥୀ ଗଣତାନ୍ତ୍ରିକ ଆନ୍ଦୋଳନ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ଆଦର୍ଶକୁ ଗ୍ରହଣ କରି ବର୍ତ୍ତମାନର ପୁଞ୍ଜିବାଦୀ ବ୍ୟବସ୍ଥାର ବିଲୋପ ପାଇଁ ସଂଗ୍ରାମକୁ ବଳଶାଳୀ କଲେ ତାହା ସ୍ୱର୍ଗତ ନିକୁଞ୍ଜଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ଏହି ସ୍ମୃତିଚାରଣ ସଭାରେ ମତ ପ୍ରକାଶ କରିଥିଲେ । ଅବିଭକ୍ତ ବାଲେଶ୍ୱର ଜିଲା ଭଦ୍ରକ ଅଞ୍ଚଳର ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଜୀବନ ବ୍ୟାପୀ ଗରିବ, ଶ୍ରମିକ, କୃଷକଙ୍କ ସମସ୍ୟା ସମାଧାନ ଓ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥା ବିରୋଧି ଆନ୍ଦୋଳନର ସେ ନେତୃତ୍ୱ ନେଇଆସୁଥିଲେ । ଏମିତିକି ତାଙ୍କର ଚକ୍ଷୁ ଓ ଶରୀରର ଅଙ୍ଗକୁ ଦାନ ପାଇଁ ତାଙ୍କର ଇଚ୍ଛାକୁ ପରିବାର ପୂରଣ କରିଛନ୍ତି ସମସ୍ତେ ମତ ଦେଇଥିଲେ । ସିପିଆଇ(ଏମ୍‌)ର ଜିଲା ସମ୍ପାଦକ ଶିଶିର ହୁଇ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାଥମିକ ସୂଚନା ଦେଇଥିବା ବେଳେ କେତେକ ବ୍ୟକ୍ତି ଏହି ଅବସରରେ ସେମାନଙ୍କର ଅଙ୍ଗଦାନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭରେ ସ୍ୱର୍ଗତ ବସନ୍ତରାୟଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ ନିରବ ପ୍ରାର୍ଥନା ଦ୍ୱାରା ସମସ୍ତେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ