ଗିରଫ ହୋଇ ଜେଲ ଯିବା ପରେବି କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ ଥାନାରେ ସଂଗୀନ ଅଭିଯୋଗ ହେବା ପରେ ତାଙ୍କୁ ପୋଲିସ ଗିରଫ କରି ଜେଲ ପଠାଇବାର ୨ସପ୍ତାହ ପରେବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବେଲତଳ ଗ୍ରାମର ଚନ୍ଦ୍ରଶେଖର ରାଉତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାଉତ ପଟ୍ଟାମୁଣ୍ଡାଇ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ମନୋଜ କୁମାର ରାଉତ ଜମିବାଡି ଝମେଲାକୁ ନେଇ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କୁ ଗାଳିଗୁଲଜ କରିବା, ମାଡମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲକ୍ଷ୍ମୀପ୍ରିୟା ପଡୋଶୀଙ୍କୁ ଡାକପକାଇବାରେ ମନୋଜ ତାଙ୍କ ଇଜ୍ଜତ ନେବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏସମ୍ପର୍କରେ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଥାନାରେ ଥାନା କେଶ ନମ୍ବର – ୬୩୯/୨୧ରେ ଆଇପିସିର ଧାରା ୨୯୪, ୩୨୩, ୩୨୫, ୩୦୭, ୩୫୪, ୩୪୧ ଓ ୩୪ଦଫାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଚଳିତମାସ ୧୫ତାରିଖରେ ଅଭିଯୁକ୍ତ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କନିଷ୍ଠ କିରାଣୀ ମନୋଜ ରାଉତ ପୋଲିସ ଦ୍ୱାରା ଗିରଫ ହେବାର ଦୁଇ ସପ୍ତାହ ପରେବି ତାଙ୍କ ବିରୋଧରେ ସ୍କୁଲ ପକ୍ଷରୁ କୈାଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରତାପ ପାଢୀ, ସରୋଜ ରଥ, ରାମକୃଷ୍ଣ ପଟ୍ଟନାୟକ, ସରିତା ମଳିକ, ରୀତା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀମାନେ କହିଛନ୍ତି ଯେ ସ୍କୁଲ ପକ୍ଷରୁ ସଂପୃକ୍ତ ଅଭିଯୁକ୍ତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ପୂର୍ବକ ତାଙ୍କ ବିରୋଧରେ ଆଇନଗତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଉନାହିଁ । ସ୍କୁଲ ଓ ପ୍ରଶାସନ ସେହି ଅସାଧୁ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସଂପୃକ୍ତ ଗିରଫ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗକାରୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ