ଆମ ଭାସ୍କର ପଠାଣି ସାମନ୍ତ
ବିପିନ ବିହାରୀ ମହାନ୍ତି
ପଠାଣି ସାମନ୍ତଙ୍କର ପୁରାନାମ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର । ଖଣ୍ଡପଡ଼ାର ସମ୍ଭାନ୍ତ ରାଜବଂଶରେ ଜନ୍ମ କାରଣରୁ ତାଙ୍କ ପ୍ରଥମ ନାମ ଥିଲା ସାମନ୍ତ ଚନ୍ଦ୍ରଶେଖର ସିଂହ । ଜ୍ୟୋର୍ତିବିଦ୍ୟାରେ ପାରଦର୍ଶିତା ଦେଖାଇଥିବା କାରଣରୁ ପୁରୀ ଗଜପତି ମହାରାଜା ତାଙ୍କ ନାମ ସହିତ ସାଙ୍ଗିଆରେ ଯୋଡ଼ିଲେ ହରିଚନ୍ଦନ ମହାପାତ୍ର ଏବଂ ଭାରତ ସରକାର ତାଙ୍କୁ ଉପାଧି ଦେଲେ ‘ମହାମହୋପାଧ୍ୟାୟ’ ଯାହାକି ନାମ ପୂର୍ବରୁ ଯୋଡ଼ାଗଲା । ପିଲାଦିନରୁ ତାଙ୍କ ପିତା ଶ୍ୟାମବନ୍ଧୁ ଓ ମାତା ବିଷ୍ଣୁମାଳୀ ତାଙ୍କୁ ଶ୍ରଦ୍ଧାରେ ନାଁ ରଖିଲେ ‘ପଠାଣି ସାମନ୍ତ’ । ଏମିତି ନାମ କରଣର ଯଥାର୍ଥ ଏହି ଯେ ସେ ତାଙ୍କ ପିତାମାତାଙ୍କର ଥିଲେ ଏକାଦଶ ସନ୍ତାନ । ତାଙ୍କ ପୂର୍ବରୁ ତାଙ୍କର ଦୁଇ ଭଉଣୀ ଏବଂ ଏକମାତ୍ର ବଡ଼ଭାଇ ମରିଯାଇଥିବାରୁ ଏବଂ ପଠାଣିଙ୍କୁ କୌଣସି ଗ୍ରହଦୋଷ ନ ଲାଗିବା କାରଣକୁ ସେ ଜଣେ ବିଧର୍ମୀ ପଠାଣକୁ ବିକି ଦେଇଥିଲେ ଏବଂ ଅପରତିଅଣିଆ ନାଁ ରଖିଥିଲେ ‘ପଠାଣି’ । ସେମିତି ମହାଦେବଙ୍କ କୃପାରୁ ଏବଂ ଲିଙ୍ଗ ପାଖରୁ ଦରାଣ୍ଡୁ ଦରାଣ୍ଡୁ ଖଣ୍ଡିଏ ଚକ୍କଣ ପଥର ପାଇ ତାଙ୍କ ମା’ ଗିଳିଦେଇଥିବାରୁ ଏବଂ ଏଥୁଅନ୍ତେ ତାଙ୍କର ପୁତ୍ର ଲାଭ କରିଥିବାରୁ ଶିବଙ୍କ ନାମାନୁସାରେ ନାଁ ରଖିଥିଲେ ଚନ୍ଦ୍ରଶେଖର । ଚନ୍ଦ୍ରଶେଖର ୧୮୩୫ ଖ୍ରୀଷ୍ଟାବ୍ଦ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିଲେ ।
ସେ ପାଞ୍ଚବର୍ଷରୁ ପାଠପଢ଼ା ଆରମ୍ଭ କରିଥିଲେ । ସାତବର୍ଷ ବେଳକୁ ବଣ୍ଣଶିକ୍ଷା, ଦଶକିଆ ପଣିକିଆ, ଗୋପିଭାଷା, ଭାଗବତ ମଥୁରା ମଙ୍ଗଳ ଓ ବିଦଗ୍ଧ ଚିନ୍ତାମଣି ଇତ୍ୟାଦି କାବ୍ୟ ଏବଂ ଅମର କୋଷରୁ କିଛି ଅଂଶ ଆୟତ କରି ନେଇଥିଲେ । ତାଙ୍କ ପିତା ଶ୍ୟାମବନ୍ଧୁ ଜଣେ ଭଲ ଗଣକ ଥିଲେ । ସେ ତାଙ୍କଠାରୁ ଜ୍ୟୋତିଷବିଦ୍ୟା ଅଧ୍ୟୟନ କରିନେଲେ । ୧୦/୧୨ବର୍ଷ ବେଳକୁ ସେ ସଂସ୍କୃତ ଶ୍ଲୋକ ମାନ ରଚନା କରି ପାରୁଥିଲେ । ଇତିମଧ୍ୟରେ ସେ ସାହିତ୍ୟ, ସଂସ୍କୃତ ବ୍ୟାକରଣ, ସ୍ମୃତି, ବେଦ, ବେଦାଙ୍ଗ ଓ କର୍ମକାଣ୍ଡ ଇତ୍ୟାଦି ଗ୍ରନ୍ଥମାନ ଆୟତ କରିନେଇଥିଲେ । ୧୫ବର୍ଷ ମଧ୍ୟରେ ସେ ଫଳିତ ଜ୍ୟୋତିଷରେ ପୁରା ପୋଖତ ହୋଇ ଗଣିତ ଜ୍ୟୋତିଷସାଧନାରେ ଅଗ୍ରଗତି କଲେ ।
ଚନ୍ଦ୍ରଶେଖର ରୂପରେ ସୁନ୍ଦର ନଥିଲେ । ଏଣୁ ତାଙ୍କ ବାହାଘର ବେଳେ ତାଙ୍କ ଶାଶୁ ତାଙ୍କ ଝିଅକୁ ବିବାହ ଦେବାରେ ରାଜି ନଥିଲେ । ସେଥିପାଇଁ ତାଙ୍କ ଗୁଣ ସୁନ୍ଦର ପରୀକ୍ଷା ନେଲାପରେ ଝିଅ ସୀତାଙ୍କୁ ତାଙ୍କ ସହିତ ବିବାହ ଦେଲେ । ସୀତାଦେବୀ ଥିଲେ ଅନୁଗୁଳୁର ରାଜବଂଶୀୟ କ୍ଷତ୍ରିୟବରସିଂହଙ୍କ କନ୍ୟା । ଏ ବିବାହର ତାଙ୍କୁ ୨୨ବର୍ଷ ବେଳେ ହୋଇଥିଲା ।
ଚନ୍ଦ୍ରଶେଖର ଉଭୟ ଫଳିତ ଓ ଗଣିତ ବିଦ୍ୟାରେ ଗଣନାରେ ପାରଙ୍ଗମ ଥିଲେ । ଶୈଶବରେ କି ଦିନ, କି ରାତି ଉଜାଗର ରହି ଆକାଶର ନକ୍ଷତ୍ର ଓ ଗ୍ରହମାନଙ୍କର ଗତିବିଧିକୁ ସ୍ୱକ୍ଷ୍ମ ଅଧ୍ୟୟନ କରୁଥିଲେ । ଏମିତିକି ଦିନବେଳେ ଶୁକ୍ର ଗ୍ରହକୁ ଦେଖିବା ଓ ଆକାଶରେ ଉଡ଼ୁଥିବା ଶାଗୁଣାଙ୍କ ସଂଖ୍ୟା ଓ ଦୂରତା ହିସାବ ସେ କରିପାରୁଥିଲେ ।
ସେ ଦୂରବୀକ୍ଷଣ ଯନ୍ତ୍ରର ବ୍ୟବହାର ଜାଣିନଥିଲେ । ଆକାଶର ନଭବସ୍ତୁ ଏବଂ ପାହାଡ଼ା ଇତ୍ୟାଦିର ଯଥାକ୍ରମେ ଗତି, ଦୂରତା ଏବଂ ଉଚ୍ଚତାମାପିବା ବା ଜାଣିବା ପାଇଁ ଏକ ପ୍ରକାର ମାନଯନ୍ତ୍ର ବ୍ୟବହାର କରୁଥିଲେ । ଏ ମାନଯନ୍ତ୍ର କହିଲେ ବାଉଁଶନଳୀ, ତ୍ରିକୋଣାକାର ତିନୋଟି ବାଉଁଶ କାଠରେ ବନ୍ଧେଇ ଏବଂ ଲିଖନ ପାଇଁ ତାଳପତ୍ର ଓ ଲେଖନୀ । ଦିନବେଳେ ଗଛର ଛାଇ ଅଧ୍ୟୟନ କରି ସେ ତିଆରି କରିଥିଲେ ସୂର୍ଯ୍ୟଘଡ଼ି ଯାହାକି ବର୍ତ୍ତମାନ ଖଣ୍ଡପଡ଼ା କଚେରୀରେ, ବଡ଼ମ୍ବା ଓ ବଡ଼ଗଡ଼ଠାରେ ଅଛି । ସେ ଗଣନା କରି କହିଥିଲେ ପୃଥବୀଠାରୁ ସୂର୍ଯ୍ୟର ଦୂରତା, ଚନ୍ଦ୍ର ଅପେକ୍ଷା ୧୫୫ଗୁଣ; ପାଦରେ ଖଣ୍ଡପଡ଼ାରୁ ପୁରୀ ଚାଲି କହିଥିଲେ ଏ ଦୁଇସ୍ଥାନର ଦୂରତ୍ୱ, ୧୫୧,୨୦୦ ପାହୁଣ୍ଡ । ସେ ବିଭିନ୍ନ ସମୟରେ ନିଜର ଗଣନା ପାଇଁ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି । ସେ ମଞ୍ଜୁସା ରାଜାଙ୍କ କହିଥିଲେ ମହେନ୍ଦ୍ର ଗିରିର ଉଚ୍ଚତା କେତେ । ମାନ୍ଦ୍ରାଜର ବଡ଼ଲାଟ୍ଙ୍କୁ କହିଥିଲେ କେବେ ଇଂଲଣ୍ଡରେ ହେବ ସୂର୍ଯ୍ୟପରାଗ, ପୁନଶ୍ଚ ସେ ନିଶ୍ଚିତ କରାଇଥିଲେ କେବେ ହେବ ଆମେରିକାରେ ଚନ୍ଦ୍ରଗ୍ରହଣ; ସେମିତି ତାଙ୍କ ଘରଠିକୁ ଆସିଥିବା ବିଦେଶୀ ପଣ୍ଡିତମାନଙ୍କୁ କହୁଥିଲେ, ସେଠାକାର ପାହାଡ଼ାର ଉଚ୍ଚତା କେତେ? ଥିବସ୍ ସାହେବଙ୍କର ୧୪ଟି ପ୍ରଶ୍ନର ଦେଇଥିଲେ ଉତ୍ତର ଏବଂ କପିଶନର କୁକ୍ ସାହେବଙ୍କ କହିଥିଲେ ସପ୍ତଶଯ୍ୟା ପାହାଡ଼ର ଉଚ୍ଚତା କେତେ? ସବୁଥିଲା ସରକାରୀ ରେକର୍ଡ଼ ଅନୁସାରେ ନିର୍ଭୁଲ ସତ୍ୟ ।
ସେ ଲେଖିଛନ୍ତି ‘ସିଦ୍ଧାନ୍ତ ଦର୍ପଣ’ ଯାହାକି ଗ୍ରହ, ନକ୍ଷେତ୍ର, ବର୍ଷ, ମାସ, ଦିନ, ବାର, ଦଣ୍ଡ, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଇତ୍ୟାଦିର ଏକ ଗଣନ ପଞ୍ଜିକା ଯାହାକୁ ଲେଖିବାକୁ ତାଙ୍କୁ ୨୦ବର୍ଷ ଲାଗିଥିଲା । ଏଥିରେ ୧୦କୋଟି ଦିବସର ଗଣନା ଅଛି । ଏହି ଗଣନାନୁସାରେ ଶ୍ରୀ ମନ୍ଦିରର ପାଞ୍ଜି କାର୍ଯ୍ୟକାରୀ ହୁଏ । ଏ ବହିରେ ୫ଟି ଅଧିକାର ଓ ୨୪ଟି ପ୍ରକାଶ ଅଛି । ଏହାର ଶ୍ଲୋକ ସଂଖ୍ୟା ୨୨୫୦ । ସିଦ୍ଧାନ୍ତ ଦର୍ପଣ ପ୍ରକାଶ ପାଇଲା ୧୮୯୯ ମସିହାରେ । ତା’ ପୂର୍ବରୁ ଇଂରେଜ ସରକାରଙ୍କ ଦ୍ୱାରା ତାଙ୍କ କୃତିତ୍ୱ ପାଇଁ ପ୍ରଶଂସିତ ହୋଇ ୧୮୯୪ ମସିହା ସେପ୍ଟେମ୍ବର ୩ ତାରିଖରେ ସେ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ ହୋଇଥିଲେ । ଏ ଉପାଧି ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ ।
ପଠାଣି ସାମନ୍ତ ଥିଲେ ଚିରରୁଗ୍ଣ ଓ ଅଭାବୀ । ତଥାପି ସାଧନା ପଥରେ ହଟି ଯାଇନଥିଲେ । ତେବେ ତାଙ୍କ ଜୀବନର ଗୋଟିଏ ଭୁଲ ଧାରଣା ଥିଲା ଯେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ଗତିଶୀଳ । ତଥାପି ଗଣନା ଠିକ୍ ।
ଏହି ଯୋଗଜନ୍ମା ମହାପୁରୁଷଙ୍କର ୧୯୦୪ ଜୁନ ୧୧ତାରିଖରେ ଇଚ୍ଛାନୁଯାୟୀ ପୁରୀରେ ମୃତ୍ୟୁହେଲା । ତାଙ୍କ ମୃତ୍ୟୁରେ ଅଭିଭୂତ ରାଧାନାଥ ଲେଖିଛନ୍ତି :
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନରଦେହେ ଥିବ ଯାବତ୍ ହୃଦୟ ।
ଧନ୍ୟତୁମେ ପଠାଣି ସାମନ୍ତ । ତୁମେ ଧନ୍ୟ ତୁମ ପାଇଁ ଏମାଟି ଧନ୍ୟ ।
ଅଧ୍ୟକ୍ଷ.
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ମୋ : ୯୯୩୮୩୪୪୧୩୮