ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଆସିବାରୁ ଅବ୍ୟାହତି : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଦେଶରେ କରୋନା ମହାମାରୀର ତୃତୀୟ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ କରୋନାର ତୃତୀୟ ଲହର ପରିପ୍ରେକ୍ଷୀରେ ଗର୍ଭବତୀ ମହିଳା କର୍ମଚାରୀ ଓ ଦିବ୍ୟାଙ୍ଗ କର୍ମଚାରୀମାନେ ନିଜ ନିଜ ଦପ୍ତରକୁ ଆସିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ସାମୟିକଭାବେ ଅଫିସ ଆସିବାରୁ ଅବ୍ୟାହତି ଦିଆଯାଇଛି । ତେବେ ସେମାନେ ଅଫିସ ପାଇଁ ଉପଲବ୍ଧ ରହିବେ ଏବଂ ଘରୁ କାମ କରିବେ । ସେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାରୁ ସାମୟିକ ଭାବେ ଅବ୍ୟାହତି ଦିଆଯାଇଛି । ଯେ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ବିଜ୍ଞପ୍ତି ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ସବୁ ଅଧିକାରୀ ଓ କର୍ମଚାରୀ ଅଫିସ ଆସିବାର ଆବଶ୍ୟକତା ନାହିଁ । ଅଣ୍ଡର ସେକ୍ରେଟାରୀ ସ୍ତରରୁ ତଳେ ଥିବା ସବୁ ପଦର ସରକାରୀ ଅଧିକାରୀମାନଙ୍କ ସଂଖ୍ୟାକୁ ଏହି ସଂକ୍ରମଣ ସମୟରେ ଅଫିସରେ ଉପସ୍ଥିତିକୁ ବାସ୍ତବ ସଂଖ୍ୟାର ୫୦ ଶତାଂଶକୁ ହ୍ରାସ କରାଯାଇଛି । ଅବଶିଷ୍ଟ ୫୦ଭାଗ କର୍ମଚାରୀ ଘରୁ କାମ କରିବେ । ଏଥିପାଇଁ ସବୁ ବିଭାଗ ପକ୍ଷରୁ ଆବଶ୍ୟକ ରୋଷ୍ଟର ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବ। ଡ. ସିଂହ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ/ କର୍ମଚାରୀମାନେ ଅଫିସକୁ ଆସୁନାହାନ୍ତି ଏବଂ ଘରୁ କାମ କରୁଛନ୍ତି ସେମାନଙ୍କୁ ସବୁ ସମୟରେ ଟେଲିଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ଉପଲବ୍ଧ ରହିବାକୁ ପଡିବ । ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢୁଥିବାରୁ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସରକାରୀ ବୈଠକମାନ ଯଥାସମ୍ଭବ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ନିହାତି ଦରକାର ନ ଥିଲେ ଆଗନ୍ତୁକମାନଙ୍କ ସହିତ କର୍ମଚାରୀ / ଅଧିକାରୀମାନଙ୍କ ବ୍ୟକ୍ତିଗତ ବୈଠକକୁ ବାତିଲ କରାଯାଇଥିବା ସେ କହିଛନ୍ତି । ସରକାରୀ ଅଫିସ ପରିସରରେ ଗହଳି ଦୂର କରିବା ପାଇଁ କର୍ମଚାରୀଙ୍କ ନିମନ୍ତେ ଦୁଇପ୍ରକାରର କାର୍ଯ୍ୟ ସମୟ (ଷ୍ଟାଗର ଟାଇମ୍) ଧାର୍ଯ୍ୟ କରାଯାଇଛି । ଗୋଟିଏ ନିର୍ଘଣ୍ଟ ଅନୁସାରେ କିଛି କର୍ମଚାରୀ ପୂର୍ବାହ୍ନ ନ ଟା ୩୦ରୁ ଆସି ସନ୍ଧ୍ୟା ୫ଟା ୩୦ଯାଏ ଓ ଅବଶିଷ୍ଟ କର୍ମଚାରୀ ଦିନ ୧୦ଟାରୁ ଆସି ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ କାମ କରିବେ ବୋଲି ସେ କହିଛନ୍ତି । ଇତିମଧ୍ୟରେ କୋଭିଡ ନିୟମ ପାଳନ କରିବାକୁ କାର୍ମିକ ବିଭାଗ ପକ୍ଷରୁ ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିରେ ବାରମ୍ବାର ହାତ ସଫା/ ସାନିଟାଇଜ କରିବା, ଫେସ୍ମାସ୍କ /ଫେସ କଭର ପରିଧାନ ଏବଂ ସାମାଜିକ/ ଶାରୀରିକ ଦୂରତ୍ୱ ରକ୍ଷା କରିବା ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଦପ୍ତରର ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା ସହିତ ଏହାକୁ ଠିକ୍ଭାବେ ସାନିଟାଇଜ୍ କରିବା, ଯେଉଁ ସ୍ଥାନକୁ ଲୋକେ ଅଧିକ ସ୍ପର୍ଶ କରୁଛନ୍ତି ତାହାକୁ ବାରମ୍ବାର ସାନିଟାଇଜ୍ ଓ ସଫା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ତାଙ୍କ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଓ ପରାମର୍ଶ ଚଳିତ ଜାନୁୟାରୀ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାଛଡା ନିୟମିତ ଭାବେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକସ୍ଥଳେ ପରିସ୍ଥିତି ଅନୁସାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ