ପୋଙ୍ଗଲ ଓ ମକର

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ପୋଙ୍ଗଲ ଓ ମକର ମୁଖ୍ୟତଃ ଏକ କୃଷି ଭିତ୍ତିକ ଅମଳ ପର୍ବ । ଏହି ପର୍ବରେ କୃଷିକୁ ପ୍ରଭାବିତ କରୁଥିବା ଇନ୍ଦ୍ର ଓ ସୂର୍ଯ୍ୟ ଦେବତାଙ୍କ ସହ ଗୋ’ ଜାତି ପ୍ରତି ଏକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଏ । ମକର ସଂକ୍ରାନ୍ତି ଅବସରେ ପୋଙ୍ଗଲ ଓ ‘ମକର’ ପର୍ବ ପାଳିତ ହୁଏ । ଦକ୍ଷିଣ ଭାରତରେ ବିଶେଷ କରି ତାମିଲନାଡ଼ୁରେ ଏହି ପର୍ବଟିକୁ କୁହନ୍ତି ‘ପୋଙ୍ଗଲ’ । ‘ପୋଙ୍ଗଲ’ ମକର ମଂକ୍ରାନ୍ତି ଘରର ପ୍ରଥମ ଦିନ ‘ଥାଇ’ରୁ ଆରମ୍ଭ ହୁଏ । ଏହା ଇଂରାଜୀ ମାସ ଗଣନାରେ ପ୍ରତିବର୍ଷ ଜାନୁୟାରୀ ୧୩ ବା ୧୪ରେ ପଡ଼େ । ବେଳେବେଳେ ଦିନେ ଓଳିଏ ବ୍ୟତିକ୍ରମ ରୁହେ ।
ପୋଙ୍ଗଲର ପ୍ରସ୍ତୁତି ପର୍ବ :
ପୋଙ୍ଗଲ ଅବସରେ ତାମିଲନାଡ଼ୁରେ ଲୋକମାନେ ନିଜ ନିଜ ଘର ଏବଂ ଏହାର ପରିବେଶକୁ ବେଶ୍ ସଫା ସୁତୁରା, ପରିଷ୍କାର ଏବଂ ପରିଚ୍ଛନ୍ନ ରଖନ୍ତି । ଘରର ପୁରୁଣା ଜିନିଷ ଯାହା ଅଦରକାରୀ ଏବଂ ଅନ୍ୟାନ୍ୟ ଆଜେବାଜେ ଜିନିଷକୁ ଫୋପାଡ଼ି ଦିଅନ୍ତିବା ନିଆଁ ଲଗାଇ ଦିଅନ୍ତି । ତା’ ସ୍ଥାନରେ ନୂଆ ଆସନ ଓ ନୂଆ ବାସନ ଇତ୍ୟାଦି କିଣିଥାଆନ୍ତି । ସଂପୂର୍ଣ୍ଣ ଧାର୍ମିକ ଭାବନାରେ ସାତ୍ତ୍ୱିକତା ସହିତ ପୂଜାର୍ଚ୍ଚନା କରନ୍ତି । ଘରକୁ ସୁନ୍ଦର ଭାବେ ଫୁଲ ଏବଂ ଆମ୍ବ ତୋରଣ ଇତ୍ୟାଦିରେ ସଜ୍ଜାଇ ଥାଆନ୍ତି । ନିଜେ ସମସ୍ତେ ନୂତନ ବସ୍ତ୍ର ପିନ୍ଧନ୍ତି ।
ଭୋଗୀ ପୋଙ୍ଗଲ : :
ପୋଙ୍ଗଲ ଚାରିଦିନ ବ୍ୟାପୀ ପାଳନ କରାଯାଏ । ଏହାର ପ୍ରଥମ ଦିନକୁ କୁହନ୍ତି ‘ଭୋଗୀ’ । ଭୋଗୀରେ ଇନ୍ଦ୍ର ଦେବତାଙ୍କର ପୂଜା କରାଯାଏ । ସେ ଶସ୍ୟ ଉତ୍ପାଦନକାରଣକୁ ବର୍ଷା କରନ୍ତି ଓ ମାଟିର ଉର୍ବରତା ବଢ଼ାନ୍ତି । ତେଣୁ ଏ ପର୍ବ ପର୍ବଟି ତାଙ୍କପ୍ରତି ଧନ୍ୟବାଦ ସୂଚକ ପର୍ବ ଅଟେ । ଏହିଦିନ ନୂଆ ଚାଉଳ ବା ତା’ ଚୁନାରେ ସୁସ୍ୱାଦ ଭୋଜନ ପ୍ରସ୍ତୁତ କରି ପ୍ରଥମେ ଠାକୁରଙ୍କୁ ଅର୍ପଣ କରାଯାଏ । ପରେ ପରିବାର ସଦସ୍ୟଙ୍କ ସହ ଅନ୍ୟମାନଙ୍କୁ ପରିବେଷଣ କରାଯାଏ । ଏହି ଖାଦ୍ୟକୁ କୁହନ୍ତି ‘ମିଷ୍ଠ ପୋଙ୍ଗଲ’ ବା ‘ସରକରାଇ ପୋଙ୍ଗଲ’ । ‘ସରକରାଇ’ ଶର୍କରାକୁ ଜାତଶବ୍ଦ, ଯାହାର ଅର୍ଥ ମିଠା । ଓଡ଼ିଶା ନୂଆ ଖାଇ ପରି ଏହିଦିନ ତାମିଲ ପରିବାରଙ୍କ ପାଇଁ ଏକତ୍ରୀକରଣ ବା ସମବେତ ହେବାର ଏକ ଦିବସ ।
ସାଇ ପୋଙ୍ଗଲ :
ପୋଙ୍ଗଲର ଦ୍ୱିତୀୟ ଦିବସକୁ କୁହନ୍ତି ‘ସାଇପୋଙ୍ଗଲ’ ବା ‘ମାତୁପୋଙ୍ଗଲ’ । ଏହି ଦିବସଟି ସୂର୍ଯ୍ୟ ଦେବତାଙ୍କ ପୂଜାପାଇଁ ଉଦ୍ଦିଷ୍ଟ । କାରଣ ତାଙ୍କ କାରଣରୁ ସେମାନଙ୍କ ଶସ୍ୟ କ୍ଷେତ୍ର ଆଲୋକପାଏ; ଇନ୍ଦ୍ର ବର୍ଷନ୍ତି । ଏହି ଦିନ ଦୁଆରବନ୍ଧମାନଙ୍କରେ ଆମ୍ବପତ୍ର ତୋରଣ ବନ୍ଧାଯାଏ । ଦୁଆର ସାମ୍ନାରେ କଦଳୀ, ନଡ଼ିଆ ଚାରା ଏବଂ ଆଖୁ ଇତ୍ୟାଦି ପୋତାଯାଏ । ଘରର ଚଟାଣମାନଙ୍କରେ ସ୍ତ୍ରୀ ଲୋକମାନେ ଧଳା ଓ ରଙ୍ଗୀନର ମୁରୁଜରେ ରଂଗୋଲିମାନ ଆଙ୍କିଥାନ୍ତି । ଘରର ବାସନକୁସନ, ଆମ୍ବପତ୍ର, ହଳଦି ପତ୍ର ଓ ଆଖୁଖଣ୍ଡମାନଙ୍କ ଦ୍ୱାରା ସଜ୍ଜିତ କରିଥାଆନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି ଏବଂ ନାନା ଖାଦ୍ୟକୁ ପ୍ରସ୍ତୁତ କରିଥାଆନ୍ତି । ପୂର୍ବ ଦିନପରି ଏଦିନ ସଜଧାନର ଚାଉଳକୁ ଗୁଣ୍ଡକରି ନୂଆ ତମ୍ବା ବାସନ ବା ମାଟିର ହାଣ୍ଡିରେ ସୁବାସିତ ମସଲା, କ୍ଷୀର ଓ ସର ଇତ୍ୟାଦି ପକାଇ ଯେଉଁ କ୍ଷୀରୀ ପ୍ରସ୍ତୁତହୁଏ ତାହାହିଁ ପୋଙ୍ଗଲ । ଏହାକୁ ପ୍ରଥମେ ସୂର୍ଯ୍ୟଙ୍କୁ ସମର୍ପଣ ପରେ ଅନ୍ୟମାନଙ୍କ ସେବାରେ ଲାଗେ ।
ମାତୁ ପୋଙ୍ଗଲ :
ପୋଙ୍ଗଲ ତୃତୀୟ ଦିବସଟିକୁ ‘ମାତୁ ପୋଙ୍ଗଲ’ କୁହାଯାଏ । ମାତୁ କହିଲେ ‘ଗୋ’ଜାତିଙ୍କୁ ବୁଝାଏ । ନିଜ ନିଜ ଗୃହର ପୋଷାଜୀବ ବିଶେଷକରି ଚାଷକୁ ପ୍ରଭାବିତ କରୁଥିବା ଗାଈ ଓ ବଳଦ ଇତ୍ୟାଦିଙ୍କ ପୂଜା କରାଯାଏ । ଏମାନେ କୃଷକର ସାଥୀ । ଗାଈ କ୍ଷୀରଦିଏ । ବଳଦ ଚାଷକରେ ଓ ଗାଡ଼ିଟାଣେ । ଉଭୟ କ୍ଷେତକୁ ଗୋବର ସାର ଯୋଗାନ୍ତି । ଏହିଦିନ ଏମାନଙ୍କୁ ପୂର୍ଣ୍ଣବିଶ୍ରାମ ଦିଆଯାଏ । ସେଦିନ ସେମାନଙ୍କୁ ଭଲଭାବରେ ଗାଧୋଇ ଦିଆଯାଏ । ତାଙ୍କ ଶିଙ୍ଗକୁ ଘଷି ଚିକ୍‌କଣ କରି ଦିଆଯାଏ । ତାଙ୍କ ବେକରେ ଘଣ୍ଟି-ଘାଘୁଡ଼ି ଓ ଫୁଲମାଳ ପକାଇ ଦିଆଯାଏ; ସୁମିଷ୍ଠ ଖାଦ୍ୟ ସହ ଆଖୁ ଓ ଅନ୍ୟାନ୍ୟ ଫଳ ଖାଇବାକୁ ଦିଆଯାଏ । ‘ଗୋ’ଜାତି’ ବ୍ୟତୀତ ଏଖାଦ୍ୟ ଅନ୍ୟାନ୍ୟ ପଶୁପକ୍ଷୀମାନଙ୍କ ପାଇଁ ବାହାରେ ମଧ୍ୟ ରଖିଦିଆଯାଏ ।
କାନୁମ୍ ପୋଙ୍ଗଲ :
ପୋଙ୍ଗଲର ଏହି ତୃତୀୟ ଦିବସକୁ ‘କାନୁମପୋଙ୍ଗଲ’ ବା ‘ଦର୍ଶନ ପୋଙ୍ଗଲ’ କୁହନ୍ତି । କାରଣ ଏହିଦିନ ସେମାନେ ବନ୍ଧୁବାନ୍ଧବ ଘରକୁ ଦର୍ଶନ ବା ବୁଲିବାକୁ ଯାଆନ୍ତି । ଏହିଦିନ କନିଷ୍ଠମାନେ ଜ୍ୟେଷ୍ଠମାନଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଆଶୀର୍ବାଦ ଭିକ୍ଷା କରନ୍ତି । ଜ୍ୟେଷ୍ଠମାନେ ସେମାନଙ୍କୁ ଆଶୀର୍ବାଦ ଦେବା ସହ କିଛି କିଛି ଉପହାର ମଧ୍ୟ ପ୍ରଦାନ କରନ୍ତି ।
ମନୋରଂଜନ :
ପୋଙ୍ଗଲରେ ସମସ୍ତେ ଏକତ୍ର ମଉଜ ମଜଲିସ୍ କରନ୍ତି । ମନୋରଂଜନ ପାଇଁ ସ୍ଥାନେ ସ୍ଥାନେ ଷଣ୍ଢ ଲଢ଼େଇ ଓ ଅନ୍ୟାନ୍ୟ ଉପଭୋଗ୍ୟ କାର୍ଯ୍ୟକ୍ରମ ରଖିଥାନ୍ତି । ଏହିଦିନ କାହାକୁ ‘ଦାନ-ଧର୍ମ’ ଓ ‘ଭୋଜନ-ଦକ୍ଷିଣା ଦେବା’ ପୋଙ୍ଗଲ ପାଳନ କରୁଥିବା ଲୋକମାନଙ୍କର ଏକ ବିଶେଷ୍ୟ ଲକ୍ଷଣ ।
ସମସ୍ୟାର ସମାଧାନ ଓ ସମ୍ପର୍କ ସ୍ଥାପନ:
ପୋଙ୍ଗଲ ଅବସରେ ତାମିଲମାନଙ୍କ ମଧ୍ୟରେ ଥିବା ପୂର୍ବର ସମସ୍ତ ମାନ, ଅଭିମାନ, କଳି, ତକରାଳ ଓ ଶତ୍ରୁତା ତୁଟେ ଏବଂ ସଂଶୋଧିତ ରୂପେ ପୁର୍ନମିଳନ ଘଟେ । ସେମାନେ ପୁଣି ନୂତନ ସୁଖଶାନ୍ତି, ସୋହାର୍ଦ୍ଦ୍ୟ, ମୈତ୍ରୀ ତଥା ଭାଇଚରା ସଂପର୍କରେ ନିଜ ନିଜକୁ ସାମିଲ କରିନିଅନ୍ତି ଏବଂ ଆଗାମୀ ପୋଙ୍ଗଲକୁ ଅପେକ୍ଷା କରିବସନ୍ତି ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ