କୁମ୍ଭସ୍ନାନ

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ବିପିନ ବିହାରୀ ମହାନ୍ତି
ବିଶ୍ୱର ସବୁ ଆଧ୍ୟାତ୍ମିକ ମେଳା ମଧ୍ୟରେ ଭାରତର କୁମ୍ଭସ୍ନାନ ଓ କୁମ୍ଭମେଳା ହେଉଛି ଅନ୍ୟତମ ଏବଂ ସ୍ୱତନ୍ତ୍ର । ଏ କୁମ୍ଭ ମହାସ୍ନାନ ଭାରତର ୪ ଗୋଟି ସ୍ଥାନରେ ହୁଏ । ଏମାନେ ହେଲେ ଉଜ୍ଜୟିନୀର ସିପ୍ରା ନଦୀରେ ଗ୍ରୀଷ୍ମଋତୁରେ, ନାସିକର ଗୋଦାବରୀ ନଦୀରେ ବର୍ଷାଋତୁରେ, ପ୍ରୟାଗ(ଆହ୍ଲାବାଦ)ର ତ୍ରିବେଣୀ ଠାରେ ଶୀତଋତୁରେ ଏବଂ ହରିଦ୍ୱାରର ଗଙ୍ଗା ନଦୀ ଶରତ ଋତୁରେ ପଡ଼ିଥାଏ । ସାଧାରଣତଃ ଭାରତର ତୀର୍ଥ କ୍ଷେତ୍ରଗୁଡ଼ିକ ବିଶେଷ ଭାବରେ ସମୁଦ୍ର ବା ନଦୀଭିତିକ । ବିଶ୍ୱାସ ଯେ, ଏସବୁ ତୀର୍ଥକ୍ଷେତ୍ରରେ ଯୋଗ ବେଳା ନେଇ ସ୍ନାନ କଲେ ମଣିଷ ପାପ ରହିତ ରୁହେ ଏବଂ ଏଥିନିମନ୍ତେ ମୋକ୍ଷପ୍ରାପ୍ତି ହୁଏ । କୁମ୍ଭମେଳା ବା କୁମ୍ଭସ୍ନାନ କେବେ ଠାରୁ ଆରମ୍ଭ ହୋଇଛି ତାହା ନିଶ୍ଚିତ ଭାବରେ କୁହାଯାଇପାରିବ ନାହିଁ । ତେବେ ଅତୀତ ପୃଷ୍ଠାରୁ ଏବଂ ସ୍କନ୍ଧପୁରାଣ ଇତ୍ୟାଦିରୁ ଯାହା ଜଣାପଡ଼େ ଦେବାସୁରମାନଙ୍କ ମଧ୍ୟରେ ଏକଦା ସମୁଦ୍ର ମନ୍ଥନ କାରଣରୁ ଏହାର ସୃଷ୍ଟି ହୋଇଥିଲା ।
ଏକଦା ଶ୍ରୀବିଷ୍ଣୁ କଚ୍ଛପ ରୂପରେ ପିଠିରେ ମନ୍ଦରଗିରିକୁ ଧାରଣ କରି ଦେବାସୁରଙ୍କ ସାହାଯ୍ୟରେ ବାସୁକୀ ନାଗକୁ ରଜ୍ଜୁ ରୂପରେ ନେଇ ସମୁଦ୍ର ମନ୍ଥନ କରିଥିଲେ । ଏଥିରୁ ୧୪ ଗୋଟି ରତ୍ନ ପ୍ରାପ୍ତ ହୋଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମଟି ହଳାହଳ ବିଷ । ହଳାହଳ ବିଷକୁ ଜଗତହିତାର୍ଥେ ଶିବ ପାନ କରି ହେଲେ ନୀଳକଣ୍ଠ ଏବଂ ଶେଷରେ ମନ୍ଥନରୁ ମିଳିଥିବା ଅମୃତକୁ ନିଜର କରିବାରେ ଦେବଶୁରଙ୍କ ମଧ୍ୟରେ ହେଲା ସଂଗ୍ରାମ । ଦେବଗଣଙ୍କ ଇଙ୍ଗିତରେ ଇନ୍ଦ୍ରପୁତ୍ର ଜୟନ୍ତ ସେ ଅମୃତ କୁମ୍ଭକୁ ଆକାଶକୁ ଉଠାଇନେଲେ । ଏହାଦେଖି ଦ୍ୱୈତଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଆଦେଶରେ ଅସୁରମାନେ ଅମୃତ କଳସକୁ ହାସଲ କରିବା ପାଇଁ ଜୟନ୍ତଙ୍କ ଅନୁଧାବନ କଲେ । ଦେବତା ଓ ଅସୁରଙ୍କ ମଧ୍ୟରେ ବାରଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା । ଯୁଦ୍ଧ ସମୟରେ ଅମୃତ କଳସ ପୃଥିବୀର ଚାରିଗୋଟି ସ୍ଥାନରେ ଝିଟିକି ପଡ଼ିଥିଲା । ସେଗୁଡ଼ିକ ହେଲା-ପ୍ରୟାଗ,ହରିଦ୍ୱାର,ଉଜ୍ଜୟିନୀ ଏବଂ ନାସିକ । ଦେବାସୁରଙ୍କ ଏହି ସଂଗ୍ରାମ ୧୨ଦିନ ଚାଲିଥିବାରୁ ଏବଂ ଦେବତାମାନଙ୍କର ଏକବର୍ଷ ପୃଥିବୀ ଲୋକର ୧୨ ବର୍ଷ ସହିତ ସମାନ ହୋଇଥିବାରୁ ୧୨ ବର୍ଷରେ ଥରେ ଲେଖାଏଁ ଏହି ୪ଗୋଟି ସ୍ଥାନରେ କୁମ୍ଭଯୋଗ ପଡ଼ିଥାଏ ।
୧୨ବର୍ଷରେ ଥରେ କୁମ୍ଭଯୋଗର କାରଣ ହେଲା- ଦେବାସୁର ସଂଗ୍ରାମ ସମୟରେ ଯେଉଁ ସ୍ଥାନରେ ଯେଉଁ ଗ୍ରହ ଯୋଗରେ ଅମୃତ ପତିତ ହୋଇଥିଲା, ସେହି ଗ୍ରହ ଯୋଗରେ ସେହି ସ୍ଥାନରେ କୁମ୍ଭଯୋଗ ହୋଇଥାଏ । ସୂର୍ଯ୍ୟ ୧୨ ମାସରେ ୧୨ ରାଶିର ଭ୍ରମଣ କରି ଗୋଟିଏ ରାଶିଚକ୍ର ପୁରା କରିଥାନ୍ତି । କିନ୍ତୁ ବୃହସ୍ପତି ୧୨ ବର୍ଷରେ ଗୋଟିଏ ଥର ଏହି ବାରରାଶିର ରାଶିଚକ୍ରର ଭ୍ରମଣ କରିଥାନ୍ତି । ତଦନୁସାରେ ଗୋଟିଏ ରାଶିକୁ ପୁଣି ଥରେ ଆସିବା ପାଇଁ ତାକୁ ୧୨ ବର୍ଷ ସମୟ ଲାଗେ । ବୃହସ୍ପତିଙ୍କ ଏହି ରାଶିଭ୍ରମଣ ଆଧାରରେ ସେହିଭଳି ବିଶେଷ ଗ୍ରହଯୋଗରେ ୧୨ବର୍ଷରେ ଥରେ ଲେଖାଏଁ ୪ ସ୍ଥାନରେ କୁମ୍ଭପର୍ବର ଆୟୋଜନ ହୋଇଥାଏ । ପ୍ରତିବର୍ଷ ମାଘ ମାସରେ ଚନ୍ଦ୍ର ଏବଂ ସୂର୍ଯ୍ୟ ମକର ରାଶିରେ ଥାଆନ୍ତି । ତେଣୁ ମାଘମେଳା ବା ମାଘସ୍ନାନ (କଳ୍ପବାସ) ପ୍ରତିବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ବୃହସ୍ପତି ୧୨ ବର୍ଷରେ ମିଳିତ ହେଉଥିବାରୁ କୁମ୍ଭଯୋଗ ୧୨ ବର୍ଷରେ ପଡ଼େ ।
ଯେତେବେଳେ ବୃହସ୍ପତି କୁମ୍ଭରାଶିରେ ଅବସ୍ଥାନ କରିଥାନ୍ତି ଏବଂ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ସେତେବେଳେ ଗଙ୍ଗାନଦୀର ହରିଦ୍ୱାର ଠାରେ, ବୃହସ୍ପତି ମେଷ ରାଶିରେ ଏବଂ ଚନ୍ଦ୍ରସୂର୍ଯ୍ୟ ମକରରାଶିରେ ଅବସ୍ଥାନ କରୁଥାନ୍ତି ସେ ସମୟରେ ପ୍ରୟାଗ ଠାରେ, ସୂର୍ଯ୍ୟ ମେଷ ରାଶିରେ ଏବଂ ବୃହସ୍ପତି ସିଂହରାଶିରେ ଥିବା ସମୟରେ ଉଜ୍ଜୟିନୀରେ ଏବଂ ସୂର୍ଯ୍ୟ ତଥା ବୃହସ୍ପତି ଉଭୟ ସିଂହରାଶିରେ ଅବସ୍ଥାନ କରୁଥିବା ସମୟରେ ନାସିକ ଠାରେ କୁମ୍ଭ ଯୋଗ ହୋଇଥାଏ । ଏହିଭଳି ଯୋଗ ପ୍ରତ୍ୟେକ ସ୍ଥାନରେ ୧୨ବର୍ଷରେ ଥରେ ପଡ଼ୁଥିବାରୁ ପ୍ରତି ୧୨ ବର୍ଷରେ ଥରେ ଏହି ସ୍ଥାନମାନଙ୍କରେ ପୂର୍ଣ୍ଣ କୁମ୍ଭ ପର୍ବ ଅନୁଷ୍ଠିତ ହୋଇଥାଏ । କେବଳ ହରିଦ୍ୱାର ଏବଂ ପ୍ରୟାଗରାଜ ଠାରେ ୬ ବର୍ଷରେ ଥରେ ଅର୍ଦ୍ଧକୁ୍‌ମ୍ଭ ମେଳା ଅନୁଷ୍ଠିତ ହୁଏ ।
ଯେଉଁଠି କୁମ୍ଭଯୋଗ କାରଣରୁ କୁମ୍ଭସ୍ନାନ ହୁଏ, ସେଠାରେ ବହୁ ବହୁଲୋକଙ୍କର ସମାଗମ ହେଲେ ତାହାକୁ କୁମ୍ଭମେଳା କୁହାଯାଏ । ଦେଖାଯାଇଛି ଯେ ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଅରୁଣାଚଳଠାରୁ ଆରମ୍ଭ କରି କଚ୍ଚ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷର କୋଣ ଅନୁକୋଣରୁ ତଥା ବିଦେଶରୁ ଶ୍ରଦ୍ଧାଳୁମାନେ ଏକତ୍ର ହୁଅନ୍ତି ଏଠାରେ । ଜାତ-ପତି, ମତ-ପନ୍ଥ, ସଂପ୍ରଦାୟ, ଭାଷା, ପ୍ରାନ୍ତ, ଉଚ୍ଚ-ନିଚ୍ଚ, ନାରୀ-ପୁରୁଷ ସମସ୍ତ ଊର୍ଦ୍ଧ୍ୱରେ ଏଠି ସମସ୍ତେ ଥାନ୍ତି ଏକାକାର । ବୁଡ଼ସ୍ଥଳରେ ବୁଡ଼ ପକାଇ ଜନ୍ମଜନ୍ମାନ୍ତରର ପାପରୁ ମୁକ୍ତ ପାଇଁ ଓ ଏଥିଅନ୍ତେ ମୋକ୍ଷପଥରେ ଆଗେଇଯିବା ପାଇଁ ତଥା ଅମୃତର ସନ୍ଧାନରେ ମଜ୍ଜିଯାଆନ୍ତି ସମସ୍ତେ । ବିଭିନ୍ନ ସାଧୁସନ୍ଥମାନଙ୍କର ଏଠି ଯେଉଁ ଭିଡ଼ ହୁଏ ସେମାନଙ୍କ ମଧ୍ୟରେ ଥାନ୍ତି ୧୩ଟି ଆଖଡ଼ାର ଶ୍ରଦ୍ଧାଳୁମାନେ । ସେମାନେ ହେଲେ- ଶୈବ, ବୈଷ୍ଣବ, ଯୋଗୀ,ସନ୍ନ୍ୟାସୀ, ସାଧୁ, ସନ୍ଥ, ଧର୍ମାଚାର୍ଯ୍ୟ, ବୈରାଗୀ, ନାଗା, କବିରପନ୍ଥୀ, ବୌଦ୍ଧ, ଜୈନ ଓ ଶିଖ୍ ଇତ୍ୟାଦି ଆଖଡ଼ା ସଂପ୍ରଦାୟର । ଏ ସମସ୍ତେ ଏଠି ଏକାକାର । ଭାରତର ବିବିଧ ସଂସ୍କୃତି, ସଂସ୍କାର ଓ ସନାତନ ପରମ୍ପରାର ଅପୂର୍ବ ସଂଗମରେ ଅବଗାହନ କରି ନୃତ୍ୟକୁ ଧନ୍ୟ ମନେକରନ୍ତି ସେମାନେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏଠି ସାଧୁସନ୍ଥମାନଙ୍କର ଭଜନ,କୀର୍ତନ ଏବଂ ବିଭିନ୍ନ ପ୍ରକାର ସଂଘୀୟ କାର୍ଯ୍ୟାନୁଷ୍ଠାନ ଲାଗି ରହିଥାଏ । ଏଠି ସାଧୁମାନଙ୍କର ସଂଘୀୟ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ହେଉଛି ନାଗା ସନ୍ନ୍ୟାସୀ । ମଠ, ମନ୍ଦିର ତଥା ଧର୍ମରକ୍ଷା ପାଇଁ ଏ ନାଗା ସାଧୁମାନେ ସୈନିକ ଭଳି ସଂଘର୍ଷ କରିଥାନ୍ତି । ତେଣୁ ଏମାନଙ୍କ ମଠ ଆଶ୍ରମାଦି ଅନୁଷ୍ଠାନକୁ ଆଖଡ଼ା କୁହାଯାଏ । ସାମରିକ ପ୍ରଶିକ୍ଷଣ ଠାରୁ ମଧ୍ୟ କଠିନ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ଦିଆଯାଇଥାଏ । ଏଇ ମଠ ମନ୍ଦିର ତଥା ଧର୍ମରକ୍ଷା ପାଇଁ କେବେ କେବେ ସେମାନଙ୍କ ଦ୍ୱାରା ନିଜର ତଥା ଅନ୍ୟର ପ୍ରାଣହାନୀ ପର୍ଯ୍ୟନ୍ତ ଘଟିଥାଏ । ତେଣୁ ସେସବୁ ପାପରୁ ମୁକ୍ତି ନିମନ୍ତେ ସେମାନେ କୁମ୍ଭଯୋଗରେ ସ୍ନାନ କରିଥାନ୍ତି ଏବଂ ସେମାନଙ୍କୁ ପ୍ରଥମସ୍ନାନର ଅଧିକାର ସମ୍ମାନ ଦିଆଯାଇଥାଏ । ଏମାନେ କେଉଁଠାରେ ଥାନ୍ତି, କେଉଁଠୁ ଆସନ୍ତି ଏବଂ କୁମ୍ଭମେଳା ପରେ ପୁଣି କେଉଁଠିକୁ ଫେରିଯାନ୍ତି ତାହାର ଟିକିନିଖି ଠିକଣା କେହି ରଖିନାହିଁ । ଏମାନେ ସଂପୂର୍ଣ୍ଣ ଉଲଗ୍ନ ଅଥବା ସ୍ୱଳ୍ପ ବସ୍ତ୍ରାବୃତ, ସଂପୂର୍ଣ୍ଣ ଶରୀରରେ ଭସ୍ମଲେପନ କରିଥାନ୍ତି । ବିଭୂତି ସେମାନଙ୍କର ବସ୍ତ୍ର । ଲମ୍ବା ଜଟାଜୁଟ ସହିତ ରୁଦ୍ରାକ୍ଷମାଳା, କେହି ତ୍ରିଶୂଳ, ଖଡ଼୍‌ଗ ଆଦି ବା ଚିମୁଟାଯୁକ୍ତ ଯାହାକି ଧୂନି ଜାଳିବା ପାଇଁ ଏବଂ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ ଧାରଣ କରିଥାନ୍ତି । ଏଠାରେ ସୂଚାଇ ଦେଉ ଯେ କେବଳ କୁମ୍ଭମେଳା ଅବସରେ ଏ ନାଗା ସାଧୁମାନଙ୍କର ଦର୍ଶନ ମିଳିଥାଏ । ମଠ ମନ୍ଦିର ତଥା ଧର୍ମରକ୍ଷା ନିମନ୍ତେ ଏହି ନାଗା ସନ୍ନ୍ୟାସୀଙ୍କର ସୃଷ୍ଟି ବୋଲି ବିଶ୍ୱାସ କରାଯାଏ । କଠୋର ଧର୍ମଚର୍ଯ୍ୟ ବ୍ରତ ସହିତ କଠିନ ଶାରୀରିକ ପ୍ରଶିକ୍ଷଣ କରାଯିବା ପରେ ଏମାନଙ୍କୁ ନାଗା ଦୀକ୍ଷା ଦିଆଯାଏ । ସନ୍ନ୍ୟାସୀ ଦୀକ୍ଷାରେ ନିଜେ ନିଜର ଶ୍ରାଦ୍ଧ ଦେଇପାରନ୍ତି ଏମାନେ ।
ନାଗାସାଧୁମାନଙ୍କ ବ୍ୟତୀତ ଏଠାରେ ଅନେକ ଅଦ୍ଭୁତ ସାଧୁ ବା ଆଖଡ଼ାବାଲାଙ୍କୁ ଦେଖିବାକୁ ମିଳିଥାଏ । କେହି କେହି ସାଧୁ ଊର୍ଦ୍ଧ୍ୱବାହୁ ହାତକୁ ଉପରକୁ ଟେକି ଦିନସାରା ରହିଥିବା ଦେଖାଯାଏ ତ, କେହି କେହି ନବସି ନଶୋଇ ସାଷ୍ଟାଙ୍ଗ ଛିଡ଼ା ହେବାର ଦେଖାଯାଏ । ଅଥବା ଆଉ କେହି ନିଜର ଚାରିକଡ଼ରେ ଅଗ୍ନିସଂଯୋଗ କରି ମଝିରେ ବସି ତପସ୍ୟା ସାଧନ କରୁଥିବା ଦେଖାଯାଏ । ଆଉ କେଉଁଠି କୋଉ ସାଧୁ କଂଟାକୁ ନିଜର ଶଯ୍ୟା କରି ତାରି ଉପରେ ଶୋଇଥାନ୍ତି ତ’ ଆଉ କେହି ମାଟି ଭିତରେ ନିଜର କିଛି ଅଂଶ ପୋତି ରହିଥାନ୍ତି । ସଂପୂର୍ଣ୍ଣ ମେଳା କ୍ଷେତ୍ରରେ ସାଧୁମାନଙ୍କର ଏମିତି କିଛି ସାଧନା ଥାଏ । କେଉଁଠି ବି କେହି କେହି ଧୂନି ଲଗାଇ ତ୍ରିଶୂଳ ଆଦି ସଂସ୍ଥାପନ କରିଥାନ୍ତି ତ ଆଉ କେହି ଭିନ୍ନ ରୂପରେ ଥାନ୍ତି । ସମଗ୍ର କୁମ୍ଭସ୍ନାନ ସ୍ଥାନଟି ସତ୍‌ସଙ୍ଗ, ହରିକଥା,ଦାନ,ଶ୍ରବଣ,ଯାନ ଏହିପ୍ରକାର କାର୍ଯ୍ୟକ୍ରମରେ ମୁଖରିତ ଥାଏ ।
ସାହିସ୍ନାନ : ପୂର୍ବ ନିର୍ଦ୍ଧାରିତ କ୍ରମରେ ସାଧୁ ବା ଶ୍ରଦ୍ଧାଳୁମାନେ ଯେଉଁ ପ୍ରକାରେ କୁମ୍ଭ ସ୍ନାନ କରନ୍ତି ତାକୁ ସାହିସ୍ନାନ କୁହାଯାଏ । ଯେମିତିକି ପ୍ରଥମେ ନାଗା ସାଧୁମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥାଏ । ସାହିସ୍ନାନ ରାଜା କିମ୍ବା ମହାରାଜାଙ୍କର ନୁହେଁ କେବଳ ଏଇ ଆଖଡ଼ାର ଏହା ଏକ ବିଶେଷ ଆକର୍ଷଣ । ପ୍ରମୁଖ ସ୍ନାନଦିବସ ବା ସାହିସ୍ନାନ ପାଇଁ ନିର୍ଦ୍ଧାରିତ ଦିବସ ମାନଙ୍କର ୧୦ ନାମୀ ସଂପ୍ରଦାୟର ଯେଉଁ ୧୩ଟି ପ୍ରମୁଖ ଆଖଡ଼ା ରହିଛି ସେହି ଆଖଡ଼ା ଅନ୍ତର୍ଗତ ସାଧୁସନ୍ଥ ଏବଂ ଅନୁଗାମୀମାନେ ବିଶାଳ ଶୋଭାଯାତ୍ରାରେ ସ୍ନାନଘାଟକୁ ବିଜେ କରିଥାନ୍ତି । ଆଖଡ଼ାର ସାଧୁସନ୍ଥମାନେ ସୁସଜ୍ଜିତ ଘୋଡ଼ା, ହାତୀ, ଓଟ, ରଥ ତଥା ବିଭିନ୍ନ ବାହନମାନଙ୍କରେ ବିଭିନ୍ନ ପ୍ରକାର ବାଜା, ଛତ୍ର, ଚାମର,ପୁଷ୍ପମାଳା ଆଦିରେ ଅତ୍ୟନ୍ତ ସୁସଜ୍ଜିତ ଶୋଭାଯାତ୍ରାରେ ନିଜ ନିଜ ଆଖଡ଼ା ସ୍ଥାନରୁ ସ୍ନାନଘାଟ ପର୍ଯ୍ୟନ୍ତ ଯାଇଥାନ୍ତି । ରାସ୍ତାରେ ଶ୍ରଦ୍ଧାଳୁମାନେ ପୁଷ୍ପବୃଷ୍ଟି ସହ ଶଙ୍ଖଧ୍ୱନି ଓ ଜୟ ଜୟକାରରେ ସେମାନଙ୍କୁ ସ୍ୱାଗତ କରୁଥାନ୍ତି । ଆଖଡ଼ା ପରିଷଦ ଦ୍ୱାରା ନିର୍ଦ୍ଧାରିତ କ୍ରମ ଅନୁସାରେ ଗୋଟିଏ ପରେ ଗୋଟିଏ ଆଖଡ଼ାର ସାଧୁମାନେ ସ୍ନାନ କରୁଥାନ୍ତି ।
କୁମ୍ଭ ମହିମା : ବିଷ୍ଣୁ ପୁରାଣରେ ଲେଖାଅଛି ଯେ,
“ଅଶ୍ୱମେଧ ଯଜ୍ଞ ସହସ୍ରାଣି ବାଜପେୟ ଶତାନି ଚ ।
ଲକ୍ଷ୍ୟଂ ପ୍ରଦକ୍ଷିଣା ଭୂମେଃ କୁମ୍ଭ ସ୍ଥାନେନ ତତ୍ ଫଳଂ ।ା”
ଅର୍ଥାତ୍ ଏକ ହଜାର ଅଶ୍ୱମେଧ ଯଜ୍ଞ, ଏକଶହ ବାଜପେୟ ଜାଗ ଏବଂ ୧ଲକ୍ଷ ଥର ପୃଥିବୀ ପରିକ୍ରମା କରିବାରେ ଯେତିକି ଫଳ ମିଳିଥାଏ, ଥରେ ମାତ୍ର କୁମ୍ଭ ଯୋଗରେ ସ୍ନାନକଲେ ସେତିକି ଫଳପ୍ରାପ୍ତ ହୁଏ । କୁହାଯାଏ ଯେ, କୁମ୍ଭ ସ୍ନାନ ସମୟରେ ସେହି ନଦୀରେ ୪ କିଲୋମିଟର ପର୍ଯ୍ୟନ୍ତ ଜଳ ଅମୃତମୟ ହୋଇଯାଏ ଏବଂ ସେହି ସମୟରେ ତେତିଶିକୋଟି ଦେବତା ଛଦ୍ମବେଶରେ ସେଠାରେ ଦିବାରାତ୍ରି ଉପସ୍ଥିତ ଥା’ନ୍ତି । ଏଣୁ କୁମ୍ଭସ୍ନାନ ଯୋଗରେ ଶ୍ରଦ୍ଧାଳୁମାନେ ଦେବସାଙ୍ଗରେ ପାପମୁକ୍ତ ହୋଇ ମୋକ୍ଷପ୍ରାପ୍ତି ହୁଅନ୍ତି ।
କୁମ୍ଭସ୍ନାନ ପ୍ରୟାଗରାଜ-୨୦୧୯ : ସଂପର୍କିତ କିଛି ତଥ୍ୟ
ପ୍ରମୁଖ ସ୍ନାନଯୋଗ ଓ ପର୍ବ :
(୧)୧୫ ଜାନୁଆରୀ (ଆରମ୍ଭ ଦିନ) ମକରସଂକ୍ରାନ୍ତି, (୨)୨୧ ଜାନୁଆରୀ ପୌଷପୂର୍ଣ୍ଣିମା,
(୩) ୪ ଫେବୃୟାରୀ ମୌନୀ ଅମାବାସ୍ୟା, (୪)୧୦ ଫେବୃୟାରୀ ବସନ୍ତ ପଂଚମୀ, (୫) ୪ ମାର୍ଚ୍ଚ ମହାଶିବରାତ୍ରି ।
କୁମ୍ଭ ୨୦୧୯ ସମ୍ବନ୍ଧୀୟ କିଛି ତଥ୍ୟ ଏବଂ ବ୍ୟବସ୍ଥା :
(କ) ଚଳିତବର୍ଷ ସ୍ନାନରେ ପାଖାପାଖି ୧୪ କୋଟି ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ସମାଗମ । ବୁଡ଼ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ୪୫ ସେକେଣ୍ଡ ଅନୁମତି ।
(ଖ) ବୁଡ଼ ପାଇଁ ମେଳାକୁ ମିଳିଛି ଅନ୍ତର୍ଜାତୀୟ ସ୍ୱୀକୃତି । (ଗ) ପ୍ରଥମଥର ପାଇଁ କିନ୍ନରମାନଙ୍କୁ ମିଳିଛି ବୁଡ଼କୁ ସ୍ୱୀକୃତି । ପ୍ରଥମଥର ପାଇଁ ୧୯୨ଟି ଦେଶର ମିଶନ ପ୍ରମୁଖମାନଙ୍କର ଭ୍ରମଣ ବ୍ୟବସ୍ଥା । ୫ହଜାରରୁ ଅଧିକ ପ୍ରବାସୀ ଭାରତୀୟମାନଙ୍କର ଆଗମନର ଅଟକଳ ।
ସରକାରଙ୍କ ତରଫରୁ ଆବଶ୍ୟକୀୟ ପ୍ରସ୍ତୁତି :
ପ୍ରୟାଗର ସଙ୍ଗମର ନିକଟରେ ୩୨୦୦ ହେକ୍ଟର ଜମି ଉପରେ କୁମ୍ଭମେଳାର ଆୟୋଜନ, ୨୦ଟି ସେକ୍ଟରରେ ବିଶାଳ ତମ୍ବୁ ନଗରୀର ବ୍ୟବସ୍ଥା, ୪୦,୭୦୦ ଏଲ୍‌ଇଡି ଲାଇଟ୍‌ର ବ୍ୟବସ୍ଥା, ୧୨୨୫୦୦ ଶୌଚାଳୟର ବ୍ୟବସ୍ଥା, ୨୦ ହଜାର ଡଷ୍ଟବିନ୍‌ର ବ୍ୟବସ୍ଥା, ୪ ହଜାରରୁ ଅଧିକ ପ୍ରିମିୟମ ଟେଣ୍ଟସିଟି, ୪୨ଟି ସ୍ଥାନରେ ଗାର୍ଡି ପାର୍କିଂ ବ୍ୟବସ୍ଥା, ୩୦ଟି ଅସ୍ଥାୟୀ ତୋରଣ ବ୍ୟବସ୍ଥା, କୁମ୍ଭମେଳା ପାଇଁ ୨୮ ଶହ କୋଟି ଟଙ୍କାର ପ୍ରାବଧାନ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ