ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ ଫର୍ମାଟ ସଂଶୋଧନ ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ ଫର୍ମାଟ ସଂଶୋଧନ କରାଯିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ ସତ୍ୟପାଠ ଫର୍ମାଟରେ ଦୁଇଜଣ ସାକ୍ଷୀଙ୍କ ସ୍ୱାକ୍ଷର କରିବା ପାଇଁ ନିର୍ଦେଶ ରହିଛି । ଏହା ଅନାବଶ୍ୟକ ବୋଲି ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ପକ୍ଷରୁ କୁହାଯାଇଛି । କାରଣ ସତ୍ୟପାଠକାରୀ ଯାହା ତଥ୍ୟ ଦେବେ ତାହା ଭୁଲ ପ୍ରମାଣିତ ହେଲେ ସେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି । ଯଦି ତଥ୍ୟ ଭୁଲ ପ୍ରମାଣିତ ହୁଏ ତେବେ ସେହି ଦସ୍ତାବିଜରେ ସ୍ୱାକ୍ଷର କରିଥିବା ସାକ୍ଷୀ ଦୁଇଜଣ ବିନା କାରଣରେ ଦଣ୍ଡିତ ହେବେ । ଦ୍ୱିତୀୟରେ ଏହି ସତ୍ୟପାଠ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ହୋଇଥିବା ବେଳେ ଏହାକୁ ଜଣେ ଆଇନଜୀବୀଙ୍କ ଦ୍ୱାରା ଚିହ୍ନଟ ପରେ ନୋଟାରୀ କିମ୍ବା ମ୍ୟାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସତ୍ୟପାଠ କରାଯାଉଥିବାରୁ ଏଥିରେ ସାକ୍ଷୀ ଦୁଇଜଣଙ୍କ ସ୍ୱାକ୍ଷର ଅନାବଶ୍ୟକ ବୋଲି କୁହାଯାଇଛି । ତେଣୁ ଏସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମୀକ୍ଷା କରାଯାଇ ଏକ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରାଯିବାକୁ କଂଗ୍ରେସ ପଛୁଆ ବର୍ଗ ବିଭାଗ ପକ୍ଷରୁ ରାଜ୍ୟ କଂଗ୍ରେସ ପଛୁଆ ବର୍ଗ ବିଭାଗ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ ଓ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ସଭାପତି ତଥା ଆଇନଜୀବୀ ବିଧୁଭୂଷଣ ମହାନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏହି ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ