ୟୁପି ବିଧାନସଭା ନିର୍ବାଚନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଜୀଙ୍କ ନେତୃତ୍ୱାଧୀନ ସରକାର ଗରିବ, ମହିଳା, ଯୁବ ଏବଂ ପଛୁଆ ବର୍ଗଙ୍କ ପାଇଁ ସମର୍ପିତ ରହିଛି ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଉତରପ୍ରଦେଶ ବିଧାନସଭା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅବସରରେ କହିଛନ୍ତି ଉତରପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୨ ଉତରପ୍ରଦେଶ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ୫୭ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏଥର ଦଳ ପକ୍ଷରୁ ୨୧ ଜଣଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି । ପ୍ରାର୍ଥୀ ଚୟନରେ ଯୁବ ବର୍ଗଙ୍କ ସମେତ ସବୁ ବର୍ଗକୁ ଧ୍ୟାନ ଦିଆଯାଇଛି । ନିର୍ବାଚନରେ ଉତରପ୍ରଦେଶର ପ୍ରାୟ ୧୫ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରିବା ବେଳେ ଏହି ନିର୍ବାଚନରେ ପ୍ରଜାତନ୍ତ୍ରର ବିଜୟ ସୁନିଶ୍ଚିତ ହେବ । ୨୦୧୪ରୁ ନରେନ୍ଦ୍ର ମୋଦି ବୃହତ ଜନଆସ୍ଥା କାରଣରୁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ନେଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସମ୍ମୁଖରେ ଏକ ପ୍ରତିବଦ୍ଧତା ରଖିଲେ । ଆମ ସରକାର ଗରିବ, ମହିଳା, ଯୁବ ଓ ପଛୁଆ ବର୍ଗଙ୍କ ପାଇଁ ସମର୍ପିତ ରହିବ । ଆମ ସରକାର “ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ସରକାର” । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗରିବ କଲ୍ୟାଣର ଏକ ନୂଆ ବିଶ୍ୱାସ ଦେଶ ସାମ୍ନାରେ ଅଛି । ୨୦୧୭ରେ ଉତରପ୍ରଦେଶରେ ସ୍ଥିତି ଚିନ୍ତାଜନକ ଥିଲାବେଳେ ସେତେବେଳେ ବିଜେପିର ପ୍ରମୁଖ ପ୍ରସଙ୍ଗ ଥିଲା ୟୁପିକୁ ଗୁଣ୍ଡାରାଜ ଓ ଭ୍ରଷ୍ଟାଚାରରୁ ମୁକ୍ତ କରିବା । କିନ୍ତୁ ସରକାର ଗଠନ ପରେ ମୋଦି ଓ ଯୋଗୀ ଆଦିତ୍ୟନାଥ ସରକାର ଗତ ୫ ବର୍ଷରେ ୟୁପିବାସୀଙ୍କୁ ଗୁଣ୍ଡାରାଜ ଓ ଦଙ୍ଗା ମୁକ୍ତ ଶାସନ ଦେଇଛନ୍ତି । ୟୁପିରେ ଘରେ ଘରେ ନଳ ଯୋଗେ ପାଣି ପହଁଚିଛି । ସୌଭାଗ୍ୟ ଯୋଜନାରେ ବିଜୁଳି ଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ପହଁଚିଛି । ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବା ସୁବିଧା ଦିଆଯାଇଛି । କୋଭିଡ଼୍ ସମୟରେ ଗରିବ କଲ୍ୟାଣ ଯୋଜନାରେ ମାଗଣା ଖାଦ୍ୟାନ୍ନ ଉପଲବ୍ଧ କରାଯାଇଛି । ଅନୁରୂପ ଭାବରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନରେ ୟୁପିରେ ନୂଆ ମେଡ଼ିକାଲ କଲେଜ, ବିଶ୍ୱବିଦ୍ୟାଳୟ ଖୋଲୁଥିବା ବେଳେ ପୂର୍ବାଂଚଳ ଏକ୍ସପ୍ରେସ ଭଳି ସଡ଼କ ପଥ ଓ ବୃହତ ଏୟାରପୋର୍ଟର ନିର୍ମାଣ ହେଉଛି । ଏଥିପାଇଁ ୟୁପିରେ ନୂଆ ଉତ୍ସାହ ଓ ଆଶା ଦେଖାଯାଇଛି । ଏଠାରେ ବିଜେପି କଲ୍ୟାଣକାରୀ, ସର୍ବସ୍ପର୍ଶୀ, ସମ୍ବେଦନଶୀଳ ସରକାର ଭାବେ ଉଭା ହୋଇଛି । ୨୦୧୭ ନିର୍ବାଚନରେ ୟୁପିବାସୀ ବିଜେପିକୁ ଅଭୁତପୂର୍ବ ଆଶୀର୍ବାଦ କରିଥିଲେ । ୟୁପିର ସର୍ବସମାଜ ୩୦୦ରୁ ଅଧିକ ସିଟରେ ବିଜେପିକୁ ଆଶୀର୍ବାଦ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଏହି ସମସ୍ତ ପ୍ରସଙ୍ଗକୁ ନେଇ ୟୁପିବାସୀ ପୂର୍ବ ଭଳି ବିଜେପିକୁ ୩୦୦ରୁ ଅଧିକ ସିଟ୍ ଦେଇ ଜିତାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ