କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଠାରେ ପୋଲିସର ଦମନଲୀଳା ବିରୋଧରେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି ସେକ ଅମିରୁଦ୍ଦିନ, ସେବାଦଳ ପ୍ରମୁଖ ଅଶୋକ ରାଉତ, ରାଜ୍ୟ ଦଳିତ ସେଲ ସଂପାଦକ ବିବେକ ନାୟକ, ପଛୁଆ ବର୍ଗ ନେତା ଅମର ବିଶ୍ୱାଳ , ଦିଲ୍ଲୀପ ଜେନା, ଶରତ ସାହୁ, ଦେବାଶିଷ ଦାସ, ନାରାୟଣ ମଲ୍ଲିକ, ବନମାଳି ମଲ୍ଲିକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକର ଢିକିଆ ପଂଚାୟତରେ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପାଚେରୀ ନିର୍ମାଣ ବେଳେ ଗଣତାନ୍ତ୍ରୀକ ଉପାୟରେ ଆନ୍ଦୋଳନରତ ଆନ୍ଦୋଳନକାରୀଙ୍କୁ ପୋଲିସର ଦମନଲୀଳା ଘଟଣାକୁ ପାର୍ଟି ଦୃଢ ନିନ୍ଦା କରିଛି । ଏଥିସହିତ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଅମାନୁଷିକ ଭାବେ ଲାଠି ଚାର୍ଜ କରିବା ଏବଂ ଡାକ୍ତରଖାନାରେ ଚିକିତ୍ସା କରାଇବା ପରିବର୍ତେ ଆନ୍ଦୋଳନକାରୀଙ୍କ ନାମରେ ମିଥ୍ୟା ମକଦ୍ଦମା ଦାୟର କରିବା ଘଟଣାର ପ୍ରତିବାଦରେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି । ସଭ୍ୟ ସମାଜରେ ପୋଲିସର ଆନ୍ଦୋଳନକାରୀଙ୍କ ପ୍ରତି ଏଭଳି ଜୁଲମକୁ ଦୃଢ ଭାବରେ ନିନ୍ଦା କରିଛି ଜନଶକ୍ତି ପାର୍ଟି ।


