ପୂର୍ବତଟ ରେଳପଥ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନର ରେଳମଣ୍ଡଳ ପ୍ରବନ୍ଧକ (ଡିଆର୍‌ଏମ୍‌) ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପାରଳାଖେମୁଣ୍ଡି ରେଳଷ୍ଟେସନର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପାରଳାର ବିଭିନ୍ନ ସଂଗଠନ ପକ୍ଷରୁ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶତପଥୀଙ୍କୁ ସ୍ମାରକପତ୍ର ଦିଆଯାଇଥିଲା । ପାରଳାବାସୀଙ୍କ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଅବଗତ ହୋଇ ଡିଆର୍‌ଏମ୍ କହିଥିଲେ ଯେ, ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ ପାରଳାଖେମୁଣ୍ଡି ରେଳଷ୍ଟେସନ ସମେତ ନୈପଡା, ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳପଥର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୂର୍ବରୁ ରେଳବାଇ ବୋର୍ଡକୁ ପ୍ରସ୍ତାବ ଦିଆହୋଇଛି । ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଥିବା ରେଳ ବଜେଟରେ ଏହି ପୂର୍ବ ପ୍ରସ୍ତାବକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହା ନିଶ୍ଚିତ ଭାବେ ଗ୍ରହଣ ହୋଇ ରେଳ ବୋର୍ଡ ପକ୍ଷରୁ ମଞ୍ଜୁରପ୍ରାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହେବ । ବର୍ତ୍ତମାନ ଗତ ଦେଢବର୍ଷ ଧରି କୋଭିଡ୍ ମହାମାରୀ ଯୋଗୁଁ ଭାରତ ବର୍ଷରେ ଅନେକ ଟ୍ରେନର ଚଳାଚଳ ବନ୍ଦ ରହିଛି । ଯେଉଁଟା କି କମ୍ ଡିମାଣ୍ଡ ସହ ରାଜସ୍ୱ ଆଦାୟ ମଧ୍ୟ କମ୍ ରହିଛି । ଏ ଦିଗରେ ପୁଣି ସମୀକ୍ଷା କରାଯାଇ ଅତି ଜରୁରୀ ଓ ଡିମାଣ୍ଡ ଥିବା ଟ୍ରେନ୍‌କୁ ପୁଣି ଚଳାଚଳ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଯେଉଁସବୁ ମୌଳିକ ସମସ୍ୟା ଯଥା ପ୍ଲାଟଫରମର ଉଚ୍ଚତା ବୃଦ୍ଧି, ପାନୀୟ ଜଳ, ପରିବେଶ, ଡ୍ରେନେଜ୍ ସମେତ ତୃତୀୟ ଲାଇନ ସମସ୍ୟା ରହିଛି ତାହା ସବୁ ନିକଟରେ ସେସବୁ ସମସ୍ୟାର ସମାଧାନ କରାଯିବ । ଗୁଣୁପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ରେଳପଥର ସମ୍ପ୍ରସାରଣ ସମ୍ପର୍କରେ ଡିଆର୍‌ଏମ୍ ଶ୍ରୀ ଶତପଥୀ କହିଛନ୍ତି ଯେ, ଏହା ବର୍ତ୍ତମାନ ଓଡିଶା ସରକାରଙ୍କ ନିଷ୍ପତ୍ତି, ଏହି ପ୍ରସ୍ତାବ ଜାରି ରହିଥିବା ସହ ଜମି ଅଧିଗ୍ରହଣ ମଧ୍ୟ ଚାଲିଥିବାର କହିଥିଲେ । ଡିଆର୍‌ଏମ୍ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶତପଥୀଙ୍କ ସମେତ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଅଖିଲେଶ୍ୱର କୁମାର ତ୍ରିପାଠୀ ଏବଂ ବରିଷ୍ଠ ମଣ୍ଡଳ ଅପରେସାନାଲ ପ୍ରବନ୍ଧକ ଜି.ସୁନୀଲ କୁମାର ପ୍ରମୁଖ ଉଚ୍ଚସ୍ତରୀୟ ବୈଷୟିକ ଅଧିକାରୀମାନେ ଗସ୍ତରେ ଆସିଥିଲେ । ଏହି ରେଳ ମଣ୍ଡଳ ପ୍ରବନ୍ଧକଙ୍କ ଗସ୍ତ ଓ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ