୨୦ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ରକ୍ତଦାତା ସୋମନାଥ ପ୍ରସାଦ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-୨୦ଜଣ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ସେମାନଙ୍କୁ ଆସନ୍ନ ବିପଦରୁ ରକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସହରର ରକ୍ତଦାତା ସୋମନାଥ ପ୍ରସାଦ ଦାସ । ସେ କେବଳ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନ କରନ୍ତି । କୌଣସି ଗର୍ଭବତୀ ମହିଳାଙ୍କ ଜଟିଳ ଅସ୍ତ୍ରୋପ୍ରଚାର ଆବଶ୍ୟକ ପଡିଲେ କେନ୍ଦ୍ରାପଡ଼ା ବ୍ଲଡ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଖୋଜାପଡିଥାଏ । କାରଣ ସେ ଗର୍ଭବତୀମାନଙ୍କୁ ରକ୍ତ ଦେବାକୁ ପସନ୍ଦ କରିଥାନ୍ତି । ଏହି ସ୍ୱେଚ୍ଛାସେବୀ ରକ୍ତଦାତା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ବାସିନ୍ଦା ସୋମନାଥ ପ୍ରସାଦ ଦାସ । ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କୁହନ୍ତି ଯେ ମୁଁ ଯେତେବେଳେ କଲେଜରେ ପାଠ ପଢୁଥିଲି ସେତେବେଳେ ଜଣେ ଗର୍ଭବତୀ ମହିଳାଙ୍କ ରକ୍ତର ଆବଶ୍ୟକତା ପଡିଲା । ମୋର ବ୍ଲଡ ଗ୍ରୁପ ଏବି(+) ପଜିଟିଭ । ଯଦି ମହିଳାଙ୍କୁ ଏହି ଗ୍ରୁପର ରକ୍ତ ଦିଆ ନ ଯିବ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯିବ ଓ ଆବଶ୍ୟକ ପଡିଲେ ତାଙ୍କର ମୃତ୍ୟୁ ହୋଇପାରେ ବୋଲି ଡାକ୍ତର କହିଥିଲେ । ଏହି ଘଟଣାକୁ ନେଇ ଏବି ପଜିଟିଭ ଥିବା ରକ୍ତଦାତାଙ୍କ ଖୋଜା ପଡିଥିଲା । ତାଙ୍କର ଜଣେ ସାଙ୍ଗ ଏ ସମ୍ପର୍କରେ ତାଙ୍କୁ ଖବର ଦେଇଥିଲେ । ତାଙ୍କ ସାଙ୍ଗ ଏ ସମ୍ପର୍କରେ ତାଙ୍କୁ କହିବା ପରେ ସେ ରକ୍ତ ଦେବାକୁ ଆଗେଇ ଯାଇଥିଲେ । ଫଳରେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ରହିଥିଲେ । ସେହି ଦିନରୁ ସେ ଶପଥ ନେଇଥିଲେ ଯେ ଗର୍ଭବତୀ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରକ୍ତ ଦାନ କରିବେ ବୋଲି । ସେବେଠାରୁ ୨୦ ଜଣ ଗର୍ଭବତୀ ମହିଳାଙ୍କୁ ସୋମନାଥ ରକ୍ତଦାନ କରିଛନ୍ତି । ଆଗକୁ ଅଧିକ ସଂଖ୍ୟକ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଗୁରୁତର ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ରକ୍ତଦାନ କରିବା ଉଚିତ । ହେଲେ ଗର୍ଭବତୀଙ୍କୁ ରକ୍ତଦାନ କଲେ ଉଭୟ ମା’ ଓ ଶିଶୁଙ୍କ ଜୀବନ ବଞ୍ଚି ଯିବ । ଏହି ଲକ୍ଷ ନେଇ ସେ ଗର୍ଭବତୀଙ୍କୁ ରକ୍ତଦାନ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସୋମନାଥ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି । ସୋମନାଥ ଏବେ ଏକ ଘରୋଇ ମୋବାଇଲ ସର୍ଭିସିଂ ସେଣ୍ଟରର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ