ସବୁ ଡାକ୍ତରଙ୍କୁ ବନ୍ଦ କରି ରଖିଲେ ଅଧିକ୍ଷକ : ୫ଘଂଟା ଧରି ଅଚଳ ହେଲା ହସ୍ପିଟାଲ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୂରଭଂଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ମେଡିକାଲରେ ଦୀର୍ଘ ସମୟ ଠପ୍ ହୋଇଗଲା ସ୍ୱାସ୍ଥ୍ୟସେବା । ଉପଜିଲ୍ଲାପାଳ ଓ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ମେଡିକାଲରେ ଚିକିତ୍ସା ସେବା ପୁଣିଥରେ ଆରମ୍ଭ ହୋଇଛି । ଦୀର୍ଘ ୫ ଘଂଟା ଧରି ସ୍ୱାସ୍ଥ୍ୟ ସେବା ଅଚଳ ହୋଇଯାଇଥିଲା । ଏପରିକି ଏମର୍ଜେନ୍ସୀ ରୋଗୀ ସେବା, ସବୁ ବିଭାଗର ଓପଡି ବନ୍ଦ ରହିଥିଲା । ଏହି ସମୟରେ ମେଡିକାଲ ଅଧିକ୍ଷକ ସମସ୍ତ ଡାକ୍ତରଙ୍କ ନେଇ ଏକ କଠୋରୀରେ ବସି ରହିଥିଲେ । ଫଳରେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ମେଡିକାଲକୁ ଆସିଥିବା ରୋଗୀ ହନ୍ତସନ୍ତ ହୋଇଥିଲେ । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳକୁ ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ଆସି ପୋଲିସକୁ ଡକାଇଥିଲେ । ଉପଜିଲ୍ଲାପାଳ, ଏସଡିପିଓ, ଥାନାଧିକାରୀ ଓ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ରୋଗୀ ସେବା ସ୍ୱାଭାବିକ ହେଉଛି । ଚର୍ଚ୍ଚା ହେଉଛି, ମେଡିକାଲର ଅବ୍ୟବସ୍ଥା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବାରୁ ରାଗି ଯାଇ ଏପରି ସାଂଘାତିକ ନିଷ୍ପତି ନେଇଥିଲେ ମେଡିକାଲ ଅଧିକ୍ଷକ । ଆଉ ତାଙ୍କୁ ସମର୍ଥନ ଜଣାଇ ମେଡିକାଲର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବାକୁ ଅଚଳ କରିଦେବାକୁ ରାଜି ହୋଇଥିଲେ । ଏବେ ମେଡିକାଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ନିଜ ଦାୟିତ୍ୱ କୁ ସଠିକ ଢଙ୍ଗରେ ପରିଚାଳନା କରିପାରୁନଥିବା ନିଜ ଅପାରଗତା କୁ ଲୁଚେଇବାକୁ ଯାଇ ମେଡିକାଲ ଅଧିକ୍ଷକ ଙ୍କୁ ସ୍ୱାସ୍ଥ୍ୟସେବାକୁ ଅଚଳ କରିଦେବା କ୍ଷମତା ତାଙ୍କୁ କିଏ ଦେଲା? ଏହି ସମୟରେ କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଗିଡି ଅଘଟଣ ଘଟିଥିଲେ, କିଏ ହୋଇଥାନ୍ତା ଉତରଦାୟୀ? ମେଡିକାଲର ଅବ୍ୟବସ୍ଥା ଖବର ପ୍ରସାରଣକୁ ନେଇ ଯଦି ଅଧିକ୍ଷକ ଅସନ୍ତୁଷ୍ଟ ଥିଲେ, ଅବ୍ୟବସ୍ଥା ଦୂର କରିବା ଦିଗରେ ପଦକ୍ଷେପ ନନେଇ ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ କାହିଁକ ମନ ବଳାଇଲେ? ପୂର୍ବରୁ ମଧ୍ୟ ମେଡିକାଲ ଅଧିକ୍ଷକ ବିଭିନ୍ନ ସମୟରେ ରୋଗୀ ସମ୍ପର୍କୀୟ, ମେଡିକାଲ ଷ୍ଟାଫ, ଗଣମାଧ୍ୟମ ପ୍ରତିନିଧି ଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଦୁର୍ବ୍ୟବହାର ପ୍ରଦର୍ଶନ କରିବା ର ବହୁତ ଘଟଣା ସାମ୍ନା କୁ ଆସିଛି ତଥାପି ଉଚ୍ଚ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛନ୍ତି କଣ ପାଇଁ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ