ବିଶ୍ୱ ଭାତୃପ୍ରେମର ଉକ୍ରୃଷ୍ଟ ମାଧ୍ୟମ ଗଣମାଧ୍ୟମ

ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁ ରାଷ୍ଟ୍ରର ଗଣମାଧ୍ୟମ ଯେତେ ସ୍ୱଚ୍ଛ ଓ ମୁକ୍ତ ସେ ରାଷ୍ଟ୍ର ସେତେ ସମୃଦ୍ଧ । ବଳିଷ୍ଠ ଗଣମାଧ୍ୟମ ଯୋଗୁଁ ବିଶ୍ୱବାସୀ ଗୋଟିଏ ପରିବାରର ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି । ବିଶ୍ୱଭାତୃ ପ୍ରେମର ଉତ୍କୃଷ୍ଟ ମାଧ୍ୟମ ହେଉଛି ଗଣମାଧ୍ୟମ । ଆମ ରାଷ୍ଟ୍ର ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଆମ ରାଷ୍ଟ୍ର ଯେଉଁ ଚାରୋଟି ସ୍ତମ୍ଭ ଉପରେ ଛିଡା ହୋଇଛି, ତାହା ମଧ୍ୟରୁ ୪ର୍ଥ ସ୍ତମ୍ଭର ସାମ୍ବିଧାନିକ ମାନ୍ୟତା ଗଣମାଧ୍ୟମକୁ ମିଳିନଥିଲେ ମଧ୍ୟ ଦେଶବାସୀଙ୍କ ଇଚ୍ଛା ଶକ୍ତି ଦ୍ୱାରା ତାହା ୪ର୍ଥ ସ୍ତମ୍ଭ ଭାବରେ ପର୍ଯ୍ୟବେଶିତ । କିନ୍ତୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଗଣମାଧ୍ୟମ ପ୍ରତିଷ୍ଠିତ ହୋଇନଥିବାରୁ ଆମ ଦେଶର ଗଣମାଧ୍ୟମକୁ ତୀକ୍ଷଣ ଖଣ୍ଡାଧାର ଉପରେ ଚାଲିବାକୁ ପଡିଥାଏ । ଧୂଷର ସ୍ୱପ୍ନ ନେଇ ଗଣମାଧ୍ୟମର ପ୍ରତିନିଧି ମାନେ ନିଜର କର୍ମମୟ ଜୀବନ ଅତିବାହିତ କରିଥାନ୍ତି । ସାମ୍ବାଦିକର ଦେଶ ଓ ଜାତି ପ୍ରତି ବିଶେଷ ଗୁରୁ ଦାୟିତ୍ୱ ରହିଛି । ସାମ୍ବାଦିକ ତାର କର୍ତ୍ତବ୍ୟ ପାଳନ କରିବା ବେଳେ ବିଶେଷ ସଚେତନଶୀଳ ହେବା ଉଚିତ । ପୂର୍ବରୁ ସାମ୍ବାଦିକତାକୁ ପ୍ରବୃତ୍ତିଭାବେ ଗ୍ରହଣ କରାଯାଉଥିବାବେଳେ ଉନ୍ନବିଂଶ ଶତାବ୍ଦୀର ଅନ୍ତିମ ଭାଗରେ ସାମ୍ବାଦିକତାକୁ ଏକ ବୃତ୍ତି ଭାବରେ ଗ୍ରହଣ କରାଯାଇଥିଲା । ସ୍ୱାଧିନତାର ପରବର୍ତ୍ତୀକାଳରେ ଆମ ଦେଶରେ ସାମ୍ବାଦିକତାକୁ ଏକ ବୃତ୍ତି ଭାବରେ ଗ୍ରହଣ କରାଯାଇ ବହୁ ସାମ୍ବାଦିକଙ୍କୁ କର୍ମଜିବୀ ସାମ୍ବାଦିକ ଭାବରେ ସ୍ୱୀକୃତି ମିଳିପାରିଥିଲା । ବିଂଶ ଶତାବ୍ଦୀରେ ସାମ୍ବାଦିକତାର ଗୁଣାତ୍ମକ ବିକାଶରେ ଅଭିବୃଦ୍ଧି ଘଟିଥିଲା । ସାମ୍ବାଦିକତା ତାଲିମ ଓ ପ୍ରଶିକ୍ଷଣ ଫଳରେ ସମ୍ବାଦ ପତ୍ର ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ସାମ୍ବାଦିକତାର ପାଠ୍ୟକ୍ରମ ପ୍ରଚଳନ କରାଯାଇ ସ୍ନାତକ ତଥା ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଛି । ସାମ୍ପ୍ରତିକ ସ୍ଥିତିରେ ଏହି ଶିକ୍ଷା ପ୍ରତି ବିଶଷ ଆଗ୍ରହ ପରିଲିକ୍ଷିତ ହେଉଛି । ଯାହା ଜଣାଯାଏ ୫୯୪ ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ଚୀନ ଦେଶରେ ଛାପାକାଗଜ ଓ ମୁଦ୍ରଣ ଯନ୍ତ୍ର ଉଦ୍ଭାବିତ ହେବାର ସହସ୍ରାଦ୍ଦ ପର୍ଯ୍ୟନ୍ତ ସମ୍ବାଦ ପତ୍ରର କୌଣସି ଆବଶ୍ୟକତା ପଡିନଥିଲା । ବିଶ୍ୱ ସମ୍ବାଦପତ୍ର ଇତିହାସକୁ ଆଲୋଚନା ଓ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ୧୭୦୨ ଖ୍ରୀଷ୍ଟାବ୍ଦରେ ପ୍ରଥମ ଇଂରାଜୀ ଦୈନିକ ସମ୍ବାଦପତ୍ର ପ୍ରକାଶିତ ହୋଇଥିବା ବେଳେ ୧୭୦୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ସାପ୍ତାହିକ ଖବର କାଗଜ ଆମେରିକାର ବୋଷ୍ଟନ ସହରରୁ ପ୍ରକାଶିତ ହୋଇଥିଲା । ଏହାପରେ ୧୭୮୩ ଖ୍ରୀଷ୍ଟାବ୍ଦରେ ପେନସିଲ୍ଭନିଆରୁ ଦୈନିକ ସମ୍ବାଦ ପତ୍ର ପ୍ରକାଶ ପାଇଥିଲା । ଆମ ଦେଶରେ ପ୍ରଥମେ ବାଣିଜ୍ୟ କରିବାକୁ ଆସିଥିବା ୟୁରୋପୀୟ ମାନେ ସେମାନଙ୍କ ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର କରିବା ପାଇ ପ୍ରଥମେ ପର୍ତ୍ତୃଗୀଜ ମାନେ ସେମାନଙ୍କର ଉପନିବେଶ ସ୍ଥାପନ କରି ଧର୍ମାନ୍ତି କରଣ ପାଇଁ ଗୋଆ ଠାରେ ୧୫୫୬ ମସିହାରେ ଏକ ଛାପାଖାନା ପ୍ରତିଷ୍ଠା କରି ପତ୍ରପତ୍ରିକା ମାନ ପ୍ରକାଶ କରିଥିଲେ । ଏହା ବ୍ୟତୀତ ଇଂରେଜ ଶାସନରୁ ଭାରତ ବର୍ଷକୁ ସ୍ୱାଧିନ କରିବା ଲାଗି ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ବାଣୀକୁ ଗାଁ ଗହଳିର ଲୋକମାନଙ୍କ ମଧ୍ୟରେ ପହଞ୍ଚାଇ ସେମାନଙ୍କ ଚିନ୍ତା ଓ ଚେତନାରେ ଜାତୀୟ ଭାବଧାରା ସୃଷ୍ଟିକରି ଅହିଂସା ଆନ୍ଦୋଳନକୁ ଭାରତୀୟ ମାନେ ବ୍ରତ ଭାବରେ ଗ୍ରହଣ କରିବା ଉଦ୍ଦେଶ୍ୟରେ ଜାତିର ପିତା ପତ୍ରପତ୍ରିକା ଆରମ୍ଭ କରିଥିଲେ । ଭାରତୀୟ ମାନଙ୍କ ୧୬୭୪ ମସିହାରେ ଗୁଜୁରାଟର ଭୀମଜୀ ପରେଖ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ବମ୍ବେଠାରେ ଗୋଟିଏ ଛାପାଖାନା ବା ପ୍ରିଣ୍ଟିଙ୍ଗ୍ ପ୍ରେସ୍ ସ୍ଥାପନ କରାଯାଇ ଥିଲା । ସେତେବେଳେ ଭାରତୀୟ ଭାଷାରେ କୌଣସି ଅକ୍ଷର ମୁଦ୍ରଣ ପାଇଁ ତିଆରି ହୋଇ ପାରିନଥିଲା । ୧୭୧୨ ମସିହା ବେଳକୁ ପ୍ରଥମେ ମାଲାୟାଲମ ଓ ତାମିଲ ଭାଷାର ଶିସା ତିଆରି ଅକ୍ଷର ଉଦ୍ଭାବନ ପରେ ତାହା ଏହି ଦୁଇଟି ଭାରତୀୟ ଭାଷାରେ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୭୮୦ ମସିହା ଜାନୁୟାରୀ ୨୪ ତାରିଖରେ କଲିକତାଠାରେ ଇଷ୍ଟଇଣ୍ଡିଆ କମ୍ପାନୀର ଜଣେ କୁଶଳି କର୍ମଚାରୀ ଜେମସ୍ ଅଗଷ୍ଟ ସାହେବଙ୍କ ଦ୍ୱାରା ଭାରତର ପ୍ରଥମ ଖବର କାଗଜ ବେଙ୍ଗଲ ଗେଜେଟ ବା କାଲକାଟାଜେନେରାଲ ଆଡଭାର୍ଟାଇଜର୍ ପ୍ରକାଶ ପାଇଥିଲା । ଏହି ଦିନଟି ସମ୍ବାଦପତ୍ର ଜଗତ ପାଇଁ ଏକ ସ୍ମରଣୀୟ ଦିବସ । ତାପରେ ବର୍ଣ୍ଣଡ ମେସିଙ୍କ ଓ ପେଟିର ରିଡଙ୍କ ଦ୍ୱାରା ୧୭୮୦ରେ ଇଣ୍ଡଆ ଗେଜେଟ ପ୍ରକାଶ ପାଇଥିଲା । ସମ୍ବାଦ ପତ୍ର ପ୍ରକାଶନ କ୍ଷେତ୍ରରେ ପ୍ରଥମ ଭାରତୀୟ ମାଲିକାନାରେ ଗଙ୍ଗାଧର ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା କଲିକତାରେ ୧୮୧୬ ମସିହାରେ ବେଙ୍ଗଲଗେଜେଟ ନାମରେ ଏକ ଖବରକାଗଜ ପ୍ରକାଶିତ ହୋଇଥିଲା । ଫଳରେ ଏହା ଭାରତୀୟ ମାନଙ୍କ ପାଇଁ ଗୌରବ ଓ ସମ୍ମାନ ଆଣି ଦେଇଥିଲା । ପରାଧିନ ଭାରତରେ ସମ୍ବାଦପତ୍ର ଓ ପତ୍ରପତ୍ରିକା ପ୍ରକାଶନ କ୍ଷେତ୍ରରେ ଅନ୍ୟ ଭାଷାଭାଷି ରାଜ୍ୟ ମାନଙ୍କ ଠାରୁ ଆମ ରାଜ୍ୟ କୌଣସି ଗୁଣରେ କମ୍ ନଥିଲା । ସାଧୁ ସୁନ୍ଦର ଦାସଙ୍କ “କୁଜିବର” ପତ୍ରିକା, ୧୮୪୯ରେ ରେଭଣ୍ଡେଲେସିଙ୍କ ପ୍ରଥମ ଓଡିଆ ପତ୍ରିକା ଜ୍ଞାନାରୁଣ ପ୍ରକାଶିତ ହେବାର ଏକ ବର୍ଷ ପରେ ଏହା ବନ୍ଦ ହୋଇଯାଇ ୧୮୫୦ ମସିହାରେ ଅରୁଣଦୟ ନାମକ ଏକ ପତ୍ରିକା ମିଶନାରୀ ମାନଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହା ପରେ ୧୮୬୬ ମସିହା ଅଗଷ୍ଟ ମାସରେ ଗୌରୀଶଙ୍କର ରାୟଙ୍କ ଦ୍ୱାରା କଟକରୁ ଉତ୍କଳ ଦୀପିକା ନାମକ ଏକ ଓଡିଆ ସମ୍ବାଦପତ୍ର ଓଡିଆଙ୍କ ମାଲିକାନାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ୧୮୬୮ ମସିହାରେ ଫକୀର ମୋହନ ସେନାପତି ଓ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ମିଳିତ ଉଦ୍ୟମରେ ବାଲେଶ୍ୱରରୁ ସମ୍ବାଦ ବାହିକା ପ୍ରକାଶିତ ହୋଇଥିଲା । ଓଡିଶାରେ ନଅଙ୍କ ଦୁର୍ବିକ୍ଷର କରୁଣ ଚିତ୍ର ଉତ୍କଳ ଦିପିକାରେ ପ୍ରତିଫଳିତ ହୋଇଥିଲା । ଓଡିଆ ବାସୀଙ୍କ ନ୍ୟାର୍ଯ୍ୟ ଦାବୀକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା କ୍ଷେତ୍ରରେ ଏହି ସମ୍ବାପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେହିପରି ଫକୀର ମୋହନ ନାପତିଙ୍କ ଦ୍ୱାରା ୧୮୬୮ ମସିହାରେ ପ୍ରକାଶିତ ସମ୍ବାଦ ବାହିକା ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଓଡିଶାରୁ ପ୍ରକାଶ ପାଉଥିବା ପତ୍ରପତ୍ରିକା ଓ ସମ୍ବାଦ ପତ୍ରଗୁଡିକ ଓଡିଆ ଜାତି, ଓଡିଶା ରାଜ୍ୟ, ଓଡିଆ ଭାଷା, ସାହିତ୍ୟ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ଉତ୍ସର୍ଗୀ କୃତ ଥିଲେ । ଯେଉଁ କେତେ ଜଣ ମହାମନୀଷିଗଣ ଓଡିଶାରେ ଓଡିଆ ଭାଷାରେ ସମ୍ବାଦ ପତ୍ର ପ୍ରକାଶ କରି ସାମ୍ବାଦିକତା ମୂଲ୍ୟ ବୋଧ ସମ୍ପର୍କରେ ଶିକ୍ଷା ଦେଇଥିଲେ ସେହିମହାନ ବ୍ୟକ୍ତି ମାନଙ୍କ ମଧ୍ୟରୁ କର୍ମବୀର ଗୌରୀଶଙ୍କର ରାୟ, ବାଗ୍ମୀ ବିଶ୍ୱନାଥ କର, ଲାଲା ଜଗମୋହନ ରାୟ, ବିଚିତ୍ରା ନନ୍ଦ ଦାସ, ଶଶୀଭୂଷଣ ରଥ, ପ୍ରଚାରକ ଅନନ୍ତ ମିଶ୍ର, ନୀଳମଣି ବିଦ୍ୟାରତ୍ନ, ଗୋପବନ୍ଧୁ ଦାସ, ଡକ୍ଟର ରାଧାନାଥ ରଥ, ଡକ୍ଟର ହରେକୃଷ୍ଣ ମହତାବ, ଶ୍ରୀ ହର୍ଷ ମିଶ୍ର, ବାଳ କୃଷ୍ଣ କର, ବିଚିତ୍ରା ନନ୍ଦ କରଙ୍କ ସମେତ ପତ୍ରପତ୍ରିକା ଓ ସମ୍ବାଦ ପତ୍ର ଜଗତର ମହାମନୀଶ ମାନେ ଆଜି ସମସ୍ତଙ୍କ ନିକଟରେ ସ୍ମରଣୀୟ । ପୂଜ୍ୟ ପୂଜାର ଅଗ୍ରଗଣ୍ୟ । ସଦାସର୍ବଦା ସେମାନଙ୍କୁ ସ୍ମରଣ କରିବା । ପ୍ରଣାମ ଜଣାଇବା ଆମ୍ଭ ମାନଙ୍କର ନୈତିକ କର୍ତ୍ତବ୍ୟ । ଓଡିଶାରୁ ପ୍ରକାଶ ପାଉଥିବା ସେତବେଳର ସମ୍ବାଦପତ୍ର ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ଓ ନିଆଁଖୁଣ୍ଟ ପରି ସମାଲୋଚନା ମୂଳକ ପତ୍ରିକା ଏବଂ ଅନ୍ୟାନ୍ୟ ସମ୍ବାଦପତ୍ରର କାର୍ଯ୍ୟଧାରାକୁ ବିଶ୍ଳେଷଣ କଲେ ଜଣାପଡେ ଏହି ସମ୍ବାଦପତ୍ର ଗୁଡିକ କେତେବେଳେ ସ୍ୱଚ୍ଛ ଦର୍ପଣଟିଏ ସଭଳି ସମାଜର, ଶାସନର ପ୍ରତିବିମ୍ବ ଦେଖାଇଛନ୍ତି ଓ ଆଉ କେତେବେଳେ ଉତ୍ତଳ ଜବକାଚ ଭଳି ଅନୁସନ୍ଧାନର କୀରଣକୁ ତିକ୍ଷ୍ମତର କରି ଶାସନର ଓ ପ୍ରଶାସନର ଅଳିକନ୍ଦିରେ ନିଆଁ ଲଗାଇ ଦେଇଛନ୍ତି । ସମ୍ବିଧାନର ତିନୋଟି ସ୍ତମ୍ଭ ତାର ଭୂମିକା ନିର୍ବାହ କରୁଥିବା ବେଳେ ଗଣମାଧ୍ୟମ ତାର ପ୍ରମୁଖ ଭୂମିକା ନିର୍ବାହ କରିବାରେ ବେଶ ସଚେତନ । ଅବଶ୍ୟ ଗଣମାଧ୍ୟମ ତାର ସ୍ୱଧର୍ମ ପାଳନ ଠିକ୍ ଭାବରେ କରୁଛିକି ନାହିଁ ତାହା ପ୍ରକୃତରେ ଆଲୋଚ୍ୟ ବିଷୟ । ତଥାପି ଏ ଠାରେ ଦୃଢତାର ସହ କୁହାଯାଇ ପାରେ ଯେ ଗଣମାଧ୍ୟମର ବହୁବିଧି ସମସ୍ୟା ଓ ତୃଟି ବିଚ୍ୟୁତି ସତ୍ତେ୍ୱ ଗଣମାଧ୍ୟମ ତାର କର୍ତ୍ତବ୍ୟ ନିର୍ବାହ କରିଆସୁଛି । ଆମ ଦେଶର ଯେତେ ସବୁ ଅନ୍ୟାୟ, ଅନୀତି, ଦୁର୍ନୀତି, କ୍ଷମତାର ଅପବ୍ୟବହାର ହୋଇଛି ସେସବୁର ପର୍ଦ୍ଦାଫାସ୍ କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମସ୍ତ ଅପଯଶ କାର୍ଯ୍ୟକଳାପର ବିବରଣୀ ସମ୍ବାପତ୍ରର ପୃଷ୍ଠା ମଣ୍ଡନ କରି ଆସିଛି । ଆଉ ସମାଜର କଲ୍ୟାଣ ପାଇଁ ଉନ୍ନତି ପାଇଁ, ଶାସନ ଓ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଓ ଉନ୍ନତି ଆଣିବା ପାଇଁ ଉଚିତ ପରାମର୍ଶ ମଧ୍ୟ ଦେଇଛି । ସରକାରଙ୍କର ଜନକଲ୍ୟାଣ ଓ ମଙ୍ଗଳମୟ ଆଭିମୁଖ୍ୟ ଓ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଦେଶବାସୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସାମ୍ପ୍ରତିକ ସ୍ଥିତିରେ ଗଣମାଧ୍ୟମ ବହୁ ସଙ୍କଟର ସମ୍ମୁଖୀନ । ତା ସମ୍ମୁଖରେ ଅନେକ ଆହ୍ୱାନ । ଆଜି ଗଣ ମାଧ୍ୟମ ଦେଶ ଓ ବିଦେଶୀ କୁଚକ୍ରି ମାନଙ୍କ ଚକ୍ରବିହ୍ୱରେ ପେଷି ହୋଇଯାଇଛି । ତଥାପି ଭାରତୀୟ ସଂସ୍କୃତି ଓ ସାର୍ବଭୌମତ୍ୱ ରକ୍ଷା କ୍ଷେତ୍ରରେ ଗଣମାଧ୍ୟମ ତାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯିବା ଉଚିତ ନୁହେଁ । ଗଣମାଧ୍ୟମ ଦେଶ ଓ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଗଣ ମାଧ୍ୟମ ଜଣର ନୁହେଁ ଗଣର ।

ହଳଧର ଧୀର
ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ