୨୫ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଚର୍ଚ୍ଚାର ସର୍ବାଗ୍ରେ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଆସନ୍ତା ୨୫ ତାରିଖରେ ହେବ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ନିର୍ବାଚନ । ଜିଲ୍ଲା ପରିଷଦର ଏହି ଦ୍ୱିତୀୟ ହଟ୍ସିଟ୍ରେ କିଏ ବସିବ ତାହାକୁ ନେଇ ଗତ ୧୫ ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ବିଭିନ୍ନ ଛକ ସ୍ଥାନ, ରାଜନୈତିକ ଚା ଖଟି ଇତ୍ୟାଦିରେ ଗୋଟିଏ ଚର୍ଚ୍ଚା କିଏ ହେବ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଏହି ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ । କାରଣ ରଶ୍ମିରଞ୍ଜନ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ତଥା ପ୍ରଖ୍ୟାତ ବିଜୁ ପ୍ରେମୀ ଶିକ୍ଷକ ନେତା ଭଜକୃଷ୍ଣ ରାଉତଙ୍କ ସୁପୁତ୍ର । ସେହିପରି ରଶ୍ମିରଞ୍ଜନ ଏବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଗୁଡ୍ ବୁକରେ ଅଛନ୍ତି । କେବଳ ସେତିକି ନୁହେଁ ରଶ୍ମିରଞ୍ଜନ ଜିଲ୍ଲାର ୩୨ ଆସନ ମଧ୍ୟରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସର ଅନନ୍ତ ସ୍ୱାଇଁଙ୍କ ଠାରୁ ୧୦ ଜହାର ୩୦ ଖଣ୍ଡ ଭୋଟ ଅଧିକ ପାଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ଏବେ ରଶ୍ମିରଞ୍ଜନଙ୍କୁ ସମସ୍ତେ ମହା ଧନୁର୍ଧାରୀ ଅର୍ଜୁନଙ୍କ ସହ ତୁଳନା କରୁଛନ୍ତି । କାରଣ ମହାଭାରତରେ ଯେପରି ଅର୍ଜୁନଙ୍କ ବିକଳ୍ପ ନାହିଁ ଠିକ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ପାଇଁ ରଶ୍ମିରଞ୍ଜନଙ୍କ ବିକଳ୍ପ ନାହିଁ । ଏହାର ପ୍ରମୁଖ କାରଣ ହେଉଛି ଏହି ଜୋନରେ ରଶ୍ମିରଞ୍ଜନଙ୍କୁ ୧୦ ହଜାର ଭୋଟରେ ହରାଇବା ପାଇଁ ବିରୋଧୀମାନେ ଲାଗି ପଡିଥିଲେ । ହେଲେ ଜଣେ ଆଦର୍ଶ ଶିକ୍ଷକଙ୍କ ପୁତ୍ର ଯେ ଅର୍ଜୁନଙ୍କ ପରି ମହାନ ଧନୁର୍ଧର ହୋଇଥିବେ ଏହାକୁ କେହି ଆକଳନ କରିପାରିଲେ ନାହିଁ । ଅର୍ଜୁନ ଯେପରି ଗୋଟିଏ ବାଣ ନିକ୍ଷେପ କଲେ ଗପନ ପବନ ପ୍ରକମ୍ପିତ ହୋଇ ଉଠେ ଠିକ ସେହିପରି ରଶ୍ମିରଞ୍ଜନ ପ୍ରମାଣିତ କରିଦେଲେ ଯେ ବିରୋଧୀ କୌରବ ସେନା ପରି ପାଣ୍ଡବ ସେନାର ମହାନ ଧନୁର୍ଧର ଅର୍ଜୁନଙ୍କ ସହ ଯେତେ ପ୍ରତିଯୋଗିତା କଲେ ମଧ୍ୟ ତାଙ୍କ ସମକକ୍ଷ ହୋଇ ପାରିବେ ନାହିଁ । ଠିକ ସେହିପରି ରଶ୍ମିରଞ୍ଜନଙ୍କୁ ହରାଇବା ପାଇଁ ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ ତାହା ନିଷ୍ପ୍ରଭ ହୋଇଗଲା । ଏହାର କାରଣ ହେଉଛି ରଶ୍ମିରଞ୍ଜନଙ୍କ ବାପା ଭଜକୃଷ୍ଣ ରାଉତ ହେଉଛନ୍ତି ଜଣେ ଆଦର୍ଶ ଶିକ୍ଷକ । ଏହାସହ ସେ ଜଣେ ବିଜୁ ପ୍ରେମୀ ଶିକ୍ଷାବିତ । ଭଜକୃଷ୍ଣ ରାଉତଙ୍କ ଘରକୁ ବିଜୁ ପଟ୍ଟନାୟକ ଆସିଥିଲେ । ବିଜୁ ବାବୁ ଯେଉଁ ଖଟରେ ବିଶ୍ରାମ ନେଇଥିଲେ ତାହାକୁ ଆଜି ପର୍ଯ୍ୟନ୍ତ ରଶ୍ମିରଞ୍ଜନଙ୍କ ବାପା ଭଜକୃଷ୍ଣ ରାଉତ ସାଇତି ରଖିଛନ୍ତି । ତେଣୁ ରଶ୍ମିଙ୍କୁ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦରେ ବସାଇବା ପାଇଁ ଜିଲ୍ଲାବାସୀ ଦଳ ହାଇକମାଣ୍ଡଙ୍କ ନିକଟରେ ଦାବି କରିଛନ୍ତି ।