ଭାରତକୁ ଆଣ୍ଟି-ଡୋପିଂ ବିଜ୍ଞାନରେ ଆତ୍ମନିର୍ଭର କରିବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ଜାତୀୟ ଡୋପିଂ ଟେଷ୍ଟିଂ ଲାବୋରେଟରୀ (ଏନ୍‌ଡିଟିଏଲ) ସ୍ୱଦେଶୀ ଜ୍ଞାନ କୌଶଳରେ ଛ’ଟି ବିରଳ ରାସାୟନିକ ପଦାର୍ଥ ବିକଶିତ କରିଛି । ନିଷିଦ୍ଧ ଶକ୍ତି ବର୍ଦ୍ଧକ ମାଦକ ଦ୍ରବ୍ୟ ସେବନକୁ ଠାବ କରିବାରେ ଏହି ରାସାୟନିକ ପଦାର୍ଥ ବିଶେଷ ସହାୟକ ହେବ । ପ୍ରସ୍ତୁତ ରାସାୟନିକ ସାମଗ୍ରୀଗୁଡିକ ଖାଣ୍ଟି ଓ ଡୋପ ଟେଷ୍ଟିଂରେ ଏହାର ଆବଶ୍ୟକତା ଅଧିକ ହୋଇଥାଏ । ୱାଡା ଆକ୍ରେଡିଟେଡ (ମାନ୍ୟତା ପ୍ରାପ୍ତ)ପରୀକ୍ଷାଗାର ଗୁଡିକ ଆଣ୍ଟି ଡୋପିଂ ଟେଷ୍ଟକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ପରୀକ୍ଷା ଦ୍ୱାରା ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ନିମନ୍ତେ କ୍ରୀଡାବିତ୍‌ଙ୍କ ପାଇଁ କଠୋର କଟକଣା ରହିଛି । ଏନଡିଟିଏଲ ଛ’ ମାସରୁ କମ୍ ସମୟ ମଧ୍ୟରେ ଏହି ରାସାୟନିକ ସାମଗ୍ରୀ ପ୍ରସ୍ତୁ୍‌ତ କରିଛି । ଏଥିରେ ଗୁଆହାଟୀ ସ୍ଥିତ ନାଇପର (ନେସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫର୍ମାସ୍ୟୁଟିକାଲ ଏଡୁକେଶନ ଆଣ୍ଡ ରିସର୍ଚ୍ଚ), ସିଏମ୍‌ଆଇଆର ଏବଂ ଜାମ୍ମୁର ଆଇଆଇଆଇଏମ୍ (ଭାରତୀୟ ସମନ୍ୱିତ ଭେଷଜ ପ୍ରତିଷ୍ଠାନ) ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି । ଏନଡିଟିଏଲର ପଞ୍ଚଦଶ ପରିଚାଳନା କମିଟି ବୈଠକ ଅବସରରେ ଏହି ବିରଳ ରାସାୟନିକ ପଦାର୍ଥକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ ଏବଂ କ୍ରୀଡା ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।  ଏହି ସଫଳତା ସହିତ ଏନ୍‌ଡିଟିଏଲ ବିଶ୍ୱର ଅଳ୍ପ କେତେକ ପରୀକ୍ଷାଗାର ମଧ୍ୟରେ ସ୍ଥାନ ପାଇଛି,ଯେଉଁଠି ଏଭଳି ବିରଳ ରାସାୟନିକ ପଦାର୍ଥ ପ୍ରସ୍ତୁତ ହେଉଛି । ଏହି ସଫଳତା ସମ୍ପର୍କରେ ଏହି ପଦାର୍ଥ ପସ୍ତୁତ କରିବାରେ ଅକ୍ଳାନ୍ତ ପରିଶ୍ରମ କରି ସଫଳତାର ଅଜର୍ନ କରିଥିବା ତିନି ପ୍ରତିଷ୍ଠାନର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଧନ୍ୟବାଦର ପାତ୍ର । “ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସେ କହିଛନ୍ତି ଯେ କ୍ରୀଡା କ୍ଷେତ୍ରରେ ଏହି ରାସାୟନିକ ପଦାର୍ଥର ଆବଶ୍ୟକତା ଅତି ଅଧିକ ଏବଂ ୱାଡା ମାନ୍ୟତାପ୍ରାପ୍ତ ସବୁ ଟେଷ୍ଟିଂ ଲାବରେଟୋରୀରେ ଏହା ରହିବା କଥା । କିନ୍ତୁ ଏହା ବିରଳ ଶ୍ରେଣୀର ରାସାୟନିକ ସାମଗ୍ରୀ ହୋଇଥବାରୁ ସବୁ ୱାଡା ଲାବୋରେଟୋରୀରେ ଏହା ସହଜରେ ମିଳେ ନାହିଁ । ଆଣ୍ଟି ଡୋପିଂ ଟେଷ୍ଟରେ ଏହା ବ୍ୟବହୃତ ହୋଇଥାଏ । ଏଯାଏ ଭାରତ ଅଷ୍ଟ୍ରେଲିଆ ଓ କାନାଡାରୁ ଏହି ସାମଗ୍ରୀ ଆମଦାନୀ କରୁଥିଲା । ଏବେ ଆମ ଦେଶରେ ଏହା ଉତ୍ପାଦିତ ହେଉଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏ କ୍ଷେତ୍ରରେ ପୂରଣ କରିଛି । ଭାରତ ଖୁବ୍ ଶୀଘ୍ର ଅନ୍ୟାନ୍ୟ ଦେଶକୁ ଏହି ରାସାୟନିକ ସାମଗ୍ରୀ ରପ୍ତାନୀ କରିବ ବୋଲି ସେ କହିଛନ୍ତି । ରେଫରେନ୍ସ ମ୍ୟାଟେରିଆଲ ଭାବେ ପରିଚିତ ଏହି ରାସାୟନିକ ସାମଗ୍ରୀକୁ ସମଗ୍ର ବିଶ୍ୱର କ୍ରୀଡା ପରୀକ୍ଷାଗାର କ୍ରୀଡାବିତଙ୍କ ଦ୍ୱାରା ନିଷିଦ୍ଧ ମାଦକଦ୍ରବ୍ୟ ଓ ଔଷଧସେବନକୁ ଚିହ୍ନଟ କରିବାରରେ ବ୍ୟବହାର କରିଥାନ୍ତି । ଏହି ସାମଗ୍ରୀର ଉପଲବ୍ଧତା କ୍ରୀଡାଜଗତ ପାଇଁ କଲ୍ୟାଣକର ହେବ ଏବଂ ସବୁ ଦେଶ ଆଣ୍ଟିଂ ଡୋପିଂ ଟେଷ୍ଟକୁ ସୁଦୃଢ କରି କ୍ରୀଡା କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ଓ ନୈତିକତା ରକ୍ଷା କରିବାର ସୁଯୋଗ ପାଇବେ । ଏହା ମଧ୍ୟ ଆନ୍ତର୍ଜାତିକ ସହଯୋଗ ବଢାଇବ । ଗତବର୍ଷ ଏହି ସାମଗ୍ରୀର ପ୍ରସ୍ତୁତି ପାଇଁ ଗବେଷଣା ଆରମ୍ଭ ହୋଇଥିଲା । ଏଥିପାଇଁ ଏନ୍‌ଡିଟିଏଲ ଭାରତର ଅନ୍ୟ ଦୁଇଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରି କାମ ଆରମ୍ଭ କରିଥିଲା । ଏଥିରେ ମୋଟ ୨୦ଟି ଏଭଳି ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବାକୁ କାମ ଆରମ୍ଭ ହୋଇଥିଲା ଏବଂ ସେଥିରୁ ଛ’ଟିରେ ସଫଳତା ମିଳିଛି । ଆସନ୍ତା ୨-୩ବର୍ଷ ମଧ୍ୟରେ ଅବଶିଷ୍ଟ ରାସାୟନିକ ପଦାର୍ଥ ଉତ୍ପାଦିତ ହେବ ବୋଲି କହିଛନ୍ତି । କ୍ରୀଡା କ୍ଷେତ୍ରକୁ ନିଷିଦ୍ଧ ମାଦକ ଦ୍ରବ୍ୟ ପ୍ରଭାବରୁ ମୁକ୍ତ କରିବା ସହ କ୍ରୀଓ ଔଷଧ ସେବନରୁ ନିବୃତ ରଖିବାକୁ ୱାଡା ପକ୍ଷରୁ କଠୋର ପଦକ୍ଷେପମାନ ଗ୍ରହଣ କରାଯାଇଛି । ଭାରତ ସହିତ ୱାଡାର ସବୁ ସଦସ୍ୟ ରାଷ୍ଟ୍ର ଏହି ନିୟମକୁ ପାଳନ କରୁଛନ୍ତି । କିନ୍ତୁ ନିଷିଦ୍ଧ ମାଦକଦ୍ରବ୍ୟକୁ କ୍ରୀଡାବିତ୍‌ଙ୍କ ପରିସ୍ରା ଓ ରକ୍ତରୁ ଠାବ କରିବା ଅତି ଜଟିଳ ପ୍ରକ୍ରିୟା । ସେଥିପାଇଁ ବିଭିନ୍ନ ବିରଳ ରାସାୟନିକ ପଦାର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ମଧ୍ୟ ୱାଡା ପକ୍ଷରୁ ବିଶ୍ୱର ବଛା ବଛା ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରିଛି । ନିଷିଦ୍ଧ ମାଦକଦ୍ରବ୍ୟ ଓ ଶକ୍ତିବର୍ଦ୍ଧକ ସେବନ କ୍ରୀଡା କ୍ଷେତ୍ରରେ ଏକ ଦଣ୍ଡନୀୟ ଅପରାଧ । ଏହାକୁ ସେବନ କରି ଧରାପଡିଲେ କ୍ରୀଡାବିତ୍‌ଙ୍କୁ ବାସନ୍ଦ କରିବାର କଠୋର ନିୟମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ