ଚୈତ୍ର ହିଙ୍ଗୁଳା ଯାତ୍ରା

ବିିପିନ ବିହାରୀ ମହାନ୍ତି
ଚୈତ୍ର ମାସ ମଙ୍ଗଳବାରେ ମା’ ମଙ୍ଗଳା ଏବଂ ହିଙ୍ଗୁଳାଙ୍କୁ ପଣାଦେଇ ପୂଜାର୍ଚ୍ଚନାରେ କରାଯାଏ । ମା’ ମଙ୍ଗଳା ବସନ୍ତ ଏବଂ ହଇଜା ରୋଗରୁ ରକ୍ଷାକାରୀ ବୋଲି ଧାର୍ମିକ ବିଶ୍ୱାସ । ସେହିପରି ହିଙ୍ଗୁଳା ଅଛନ୍ତି ଗୃହବିବାଦ ଦୂରୀକରଣର ଦେବୀ । ସେ ମଧ୍ୟ ସୁଖ ଓ ଶାନ୍ତି ପ୍ରଦାୟିନୀ ଦେବୀ ।
ଦଶ ମହାବିଦ୍ୟାର ଆଦ୍ୟାଶକ୍ତି ହେଉଛନ୍ତି ମହାକାଳୀ । ହିଙ୍ଗୁଳା ହେଉଛନ୍ତି ମହାକାଳୀଙ୍କର ଭିନ୍ନ ରୂପା । ସେ ଅଗ୍ନିସମ୍ଭୂତା, ସେହି ଧୂମାବତୀ ଏବଂ ଦଶ ମହାବିଦ୍ୟାର ଦେବୀଗଣ । ସେ ହିଁ ଅଗ୍ନି ଭିତରେ ନିଜକୁ ଲୁଟାଇ ରଖି ମାୟାମୃଗ ସାଜି ରାବଣ ହସରେ ଧରା ଦେଇଥିବା ମାୟା ସୀତା, ସେ ପୁଣି ଅଯୋଧ୍ୟାକୁ ଫେରି ଅଗ୍ନିପରୀକ୍ଷା ଦେଇଥିବା ସୀତା । ଅର୍ଥାତ୍ ସେ ଅଗ୍ନିରୂପା । ତାଙ୍କୁ ଏପରି କହିବାର ଅର୍ଥ ଏହି ଯେ ଅଗ୍ନିର ଦାହିକା ଶକ୍ତି ସହ ଏକାକାର ହୋଇଯିବାର ମହାଭାବ । ସେ ଆଦ୍ୟାଶକ୍ତି ସଦା ବର୍ତ୍ତମାନ- ଦଶଦିଗ ପାଇଁ, ଆତ୍ମାରୁ ପରମାତ୍ମା ଏବଂ ସର୍ବୋପରି ସେ ସବୁରି ଊର୍ଦ୍ଧ୍ୱରେ ।
ପୁରାଣ ମତେ ସ୍ୱାମୀ ଶିବଙ୍କୁ ଦକ୍ଷଯଜ୍ଞଙ୍କୁ ନିମନ୍ତ୍ରଣ ନଥିଲା । ତଥାପି ସତୀ ଗଲେ । ସେଠି ଶିବଙ୍କ ପ୍ରତି ପିତାଙ୍କ ଅନ୍ୟାୟ ଆଚରଣ ଓ ଅପମାନ ସହିନପାରି, ସେ ଯକ୍ଷକୁଣ୍ଡରେ ଆତ୍ମହତ୍ୟା କଲେ । ଏହା ଜାଣିପାରି ଶିବ କ୍ରୋଧାନ୍ୱିତ ହୋଇ ସେଠାକୁ ଯାଇ ଧ୍ୱଂସର ତାଣ୍ଡବ ଲୀଳା ଆରମ୍ଭ କରିଦେଲେ ଏବଂ ସତୀଙ୍କ ଶବ ଧରି ଇତସ୍ତତଃ ବୁଲିବାକୁ ଆରମ୍ଭ କରିଦେଲେ । ଏହା ଦେଖି ବାସୁଦେବ ସୁଦର୍ଶନ ଚକ୍ର ପେଶି ସତୀଙ୍କ ଶରୀରକୁ ଛେଦିଦେଲେ । ଏହିପରି ଏହା ୫୧ଟି ଖଣ୍ଡ ଓ ୨୬ ଉପଖଣ୍ଡ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଲା । ଏହି ସ୍ଥାନଗୁଡିକ କ୍ରମଶଃ ପାଲିଟିଗଲେ ଶକ୍ତିପୀଠ । ବିଶ୍ୱାସ କରାଯାଏ ଯେ ମା’ଙ୍କର ମସ୍ତକ ପଡ଼ିଥିଲା ପାକିସ୍ତାନର ବେଲୁଚିସ୍ଥାନରେ ଥିବା ହିଙ୍ଗୁଳା ବା ହିଙ୍ଗଲାଜ୍‌ରେ । ଏଠାରେ ମା’ ହିଙ୍ଗୁଳା ରୂପେ ପୂଜା ପାଆନ୍ତି । ଏହା ହିଁ ପ୍ରଥମ ଶକ୍ତିପୀଠ । ତାଙ୍କର ଦକ୍ଷିଣ ପାଦର ଚାରି ଆଙ୍ଗୁଳି କଲିକତାର କାଳିଘାଟରେ ପଡ଼ିଥିଲା । ଯେଉଁଠି ସେ କାଳୀ ରୂପେ ପୂଜା ପାଆନ୍ତି । କଣ୍ଠ ପଡ଼ିଥିଲା ଅମରକଣ୍ଟକରେ; ଯୋନି ପଡ଼ିଥିଲା ଆସାମର କାମାକ୍ଷାରେ ଏବଂ କିଛି ଚର୍ମାଂଶ ପଡ଼ିଥିଲା କଟକରେ ।
ପ୍ରଥମ ଶକ୍ତିପୀଠ ପାକିିସ୍ତାନର ବେଲୁଚିସ୍ଥାନରେ ଅବସ୍ଥିତ । ଏହା ହିଙ୍ଗୁଳା ମନ୍ଦିର ରୂପେ ଖ୍ୟାତ । ଏହା ମକ୍ରାନ୍ ବା ମରକାନ୍ ପର୍ବତ ଉପରେ ଅବସ୍ଥିତ । ଏଠାରୁ ଲକ୍ଷ ଲକ୍ଷ ହିନ୍ଦୁ ଓ ମୁସଲ୍‌ମାନ ଭକ୍ତମାନେ ଆସନ୍ତି । ସେ ଉଭୟ ଧର୍ମର ଦେବୀ । ପାହାଡ଼ ଉପରେ ଏକ ଲମ୍ବା ପର୍ବତ ଗୁମ୍ଫାରେ ଦେବୀ ଅବସ୍ଥାନ କରନ୍ତି । ଏକ ମୁହାଁ ରାସ୍ତା, ନଇଁ ନଇଁ ଯିବାକୁ ହୁଏ । ଦେବୀ ସିନ୍ଦୁରରେ ନାଲି ପାଟବସ୍ତ୍ର ଯୁକ୍ତ ଏବଂ ରକ୍ତବର୍ଣ୍ଣ ଅର୍ଥାତ୍ ହେଙ୍ଗୁବର୍ଣ୍ଣା । ଏଣୁ ହିଙ୍ଗୁଳା ଏଠାରେ ଶକ୍ତି ହିଙ୍ଗୁଳା ଏବଂ ଭୈରବ ହେଉଛନ୍ତି ଭୀମଲୋଚନ । ପାକିସ୍ତାନରେ ହିଙ୍ଗୁଳାଦେବୀଙ୍କୁ ‘ନାନୀ’ ଏବଂ ଏ ତୀର୍ଥସ୍ଥାନକୁ ‘ନାନୀକି ହଜ୍‌’ ବୋଲି କୁହାଯାଏ । ଏଠାର ତୀର୍ଥଯାତ୍ରାକୁ ‘ହଜ୍‌’ କୁହାଯାଏ । ଏଠାକାର ପୁରୋହିତଙ୍କୁ ‘ଛଡ଼ିଦାର’ କୁହନ୍ତି । ଏଠି ଦେବୀଙ୍କୁ ଲାଲକପଡ଼ା, ଅଗରବତୀ, ଅତର ଓ ଶିରିଣି ସମର୍ପଣ କରାଯାଏ । ଏ ମନ୍ଦିର ପ୍ରତି ହିନ୍ଦୁ ଓ ମୁସଲମାନମାନେ ସମାନ ଗୁରୁତ୍ୱ ଦିଅନ୍ତି ଏବଂ ରକ୍ଷଣାବେକ୍ଷଣ ପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାମାନେ ତତ୍ପର ଥାଆନ୍ତି । ଏଥିପାଇଁ ହିନ୍ଦୁ ମାନସିକତା ଉପରେ କୌଣସି ପ୍ରତିକୂଳ ଚାପ ପକାଯାଏନି ।
କରାଚିରୁ ଏହି ମନ୍ଦିରର ଦୂରତ୍ୱ ୧୬୦ ମାଇଲ୍ । କ୍ୱେଟା ଯାଏଁ ରାଜପଥ, ତେଣିକି ସଂକୀର୍ଣ୍ଣ ଓ ଦୁର୍ଗମ । ତଥାପି ଭକ୍ତଙ୍କ ଭିଡ଼ ।
ଏ ଯାଗାକୁ ନେଇ ଏକ କାହାଣୀ ଅଛି । ତ୍ରେତୟାଯୁଗରେ ‘ଦିଚାତାର’ ନାମରେ ଜଣେ ସୂର୍ଯ୍ୟବଂଶୀ ରାଜା ଥିଲେ । ତାଙ୍କର ପଡ଼ୋଶୀ ରାଜ୍ୟ ଥିଲା ଚୀନ୍ । ରାଜାଙ୍କର ଦୁଇପୁତ୍ର ଥିଲେ- ହିଙ୍ଗୋଳ ଓ ସୁନ୍ଦର । ଏହି ସମୟରେ ଚୀନ୍‌ରେ ଜଣେ ଚନ୍ଦ୍ରବଂଶୀ ରାଜା ଥିଲେ । ସେମାନେ ଥିଲେ ଶିବଭକ୍ତ । ରାଜକୁମାର ସୁନ୍ଦର ଚୀନ୍‌କୁ ଆକ୍ରମଣ କରି ହତ୍ୟା ଓ ଲୁଣ୍ଠନ କଲେ । ଏଥିରେ ଉତ୍ତ୍ୟକ୍ତ ଏବଂ ଅସନ୍ତୁଷ୍ଟ ପ୍ରଜାମାନେ ଶିବଙ୍କୁ ଗୁହାରି କଲେ ଏବଂ ଶିବ ଗଣେଶଙ୍କୁ ପଠାଇ ସୁନ୍ଦରଙ୍କୁ ହତ୍ୟା କଲେ । ଏଥିରୁ ହିଙ୍ଗୋଳ କ୍ରୋଧାନ୍ୱିତ ହୋଇ ତପସ୍ୟା କଲେ ଏବଂ ତପସ୍ୟାରେ ବର ପାଇଲେ ଯେ ତାଙ୍କର ଯେଉଁଠି ମୃତ୍ୟୁ ହେବ, ସେଠି ସୂର୍ଯ୍ୟକିରଣ ପଡ଼ୁନଥିବ । ପରେ ସେ ଯୁଦ୍ଧ କରି ବହୁ ରାଜ୍ୟ ଜୟ କରି ଘୋର ପାପ ବି କଲେ । ଦେବୀ ତାଙ୍କୁ ତ୍ରିଶୂଳ ସାହାଯ୍ୟରେ ସୂର୍ଯ୍ୟ କିରଣ ପଡ଼ୁନଥିବା ତାଙ୍କ ଗୁମ୍ଫା ଭିତରେ ହତ୍ୟା କଲେ । ଅଥଚ ହିଙ୍ଗୋଳର ଅନୁରୋଧ କ୍ରମେ ସେ ସ୍ଥାନଟିର ନାମ ରଖିଥିଲେ- ହିଙ୍ଗଳ । ଏହି ହିଙ୍ଗଳ ହିଁ ଶକ୍ତିରେ ହିଙ୍ଗଲାଜ୍ ତୀର୍ଥ ।
ଓଡ଼ିଶାରେ ୫୧ଟି ଶକ୍ତିପୀଠ ମଧ୍ୟରୁ ଅନୁଗୋଳ ଜିଲ୍ଲାର ଗୋପାଳ ପ୍ରସାଦ ଗ୍ରାମରେ ଏବଂ ଯାଜପୁର ଜିଲ୍ଲାର ‘ଶଙ୍ଖଚିଲ୍ଲା’ ଗ୍ରାମରେ ମା’ ହିଙ୍ଗୁଳାଙ୍କ ମନ୍ଦିର ଅଛି । ଏହି ଦୁଇ ସ୍ଥାନରେ ମା’ ଅଗ୍ନିରୂପା । ତାଳଚେରର ହିଙ୍ଗୁଳା ଦେବୀଙ୍କ ସହ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ରନ୍ଧନର ସଂପର୍କ ଅଛି । ଏଇଠୁ ମା’ ଅଗ୍ନିରୂପା ଶ୍ରୀମନ୍ଦିର ଯିବା ପରେ ପ୍ରଥମ ଅଗ୍ନି ସଂଯୋଗରେ ପ୍ରଥମ ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା ।
ଶୁଣାଯାଏ ଶଙ୍ଖଚିଲ୍ଲାରେ ମା’ଙ୍କର ଆବିର୍ଭାବ କାହାଣୀ ପଛରେ ଏକ ରହସ୍ୟମୟ କିମ୍ବଦନ୍ତୀ ଅଛି । ଏଠି କୁଆଡ଼େ ଦିବା ଅଗ୍ନିରେ ବାରମ୍ବାର ନିଆଁ ଲାଗିଲା । ଲୋକେ ଅତିଷ୍ଠ ହୋଇପଡ଼ିଲେ । ଶେଷରେ ମା’ ସ୍ୱପ୍ନାଦେଶ ଦେଲେ ଯେ ତାଙ୍କର ପୂଜା ହେଉ । ତାହା ହିଁ ହେଲା । ସେ ପ୍ରଥମେ ଏକ ବରଗଛରେ ଅବସ୍ଥାନ କଲେ । ପରେ ଗ୍ରାମବାସୀମାନେ ତାଙ୍କ ପାଇଁ ଏକ ମନ୍ଦିର କଲେ । ଏଠି ମଧ୍ୟ ପାଖରେ ଭୈରବୀ ପୂଜା ପାଆନ୍ତି । ଭୈରବୀ ଯେଉଁଠି ଭୈରବ ସେଇଠି ।
ଖାଲି ଓଡ଼ିଶା କି ଭାରତ ମଧ୍ୟ ନୁହେଁ, ମା’ ମହାକାଳୀ ଆଦ୍ୟାଶକ୍ତି ହିଙ୍ଗୁଳା ପୃଥିବୀର ଅନ୍ୟ ଦେଶରେ ମଧ୍ୟ ପୂଜା ପାଆନ୍ତି । ସେମାନେ ଦଶମହାବିଦ୍ୟା ମଧ୍ୟରୁ ଜଣେ ଅଥବା ଅଷ୍ଟଚଣ୍ଡୀମାନଙ୍କ ମଧ୍ୟରୁ ଜଣେ ହିସାବରେ ପୂଜା ପାଆନ୍ତି । ଅଷ୍ଟଚଣ୍ଡୀ- ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଉମା, ଉଗ୍ରତାରା, ଧୂମାବତୀ, କାଳୀ, ଶିବହତ୍ରୀ ବା ଚଣ୍ଡିକା ଆକାରରେ ପୂଜା ପାଆନ୍ତି ।
ଚୈତ୍ର ମଙ୍ଗଳବାରରେ ସେ ମଙ୍ଗଳାଙ୍କ ପରି ପୂଜା ପାଆନ୍ତି । ତେବେ ଚୈତ୍ରମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀରେ ମା’ଙ୍କର ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ । ମା’ ହିନ୍ଦୁଳା ସେଦିନ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି । ତାଙ୍କ ପାଇଁ ସମସ୍ତେ ସମାନ । ସେ ଅଗ୍ନିରୂପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି ଏବଂ ଏ ଦର୍ଶନ ଓ ପୂଜା ୨୧ ଦିନ ଧରି ଚାଲେ । ପୂର୍ବେ ଦେବୀଙ୍କ ପାଖେ ବଳିପ୍ରଥା ଥିଲା । ଏବେ ତାହା ଲୋପ ପାଇଛି । ବଳି ପରିବର୍ତ୍ତେ ଦେବୀଙ୍କୁ ବିଭିନ୍ନ ପତ୍ର, ଫୁଲ, ଫଳ, ଦୁଧ, ମହୁ, ଉଖୁଡ଼ା ଇତ୍ୟାଦି ଭୋଗ କରାଯାଏ । ପୂଜାର ନବମ ଦିନ ଶିତୁଳା ବା ଶୀତଳା ଯାତ୍ରା ପାଳନ ହୁଏ । ଏହି ଦିନରେ ଏକ ଚାନ୍ଦୁଆ ଲାଗିହୁଏ । ତଳେ ନିଆଁ । କିନ୍ତୁ ଏ ନିଆଁ ଚାନ୍ଦୁଆକୁ ସ୍ପର୍ଶ କରେ ନାହିଁ । ଯଦି କରେ ତେବେ କୌଣସି କୋଣ ଏହାର ପୋଡ଼ିଯାଏ । ତେବେ ବିଶ୍ୱାସ କରାଯାଏ ସେ ବର୍ଷ ସେ ଦିଗରେ ଭଲ ଫସଲ ହୁଏ ।
ହିଙ୍ଗୁଳାଙ୍କୁ ନେଇ ଯାତ୍ରା – ଏହାକୁ ହିଙ୍ଗୁଳା ଯାତ୍ରା ବା ପାଟଣା ଯାତ୍ରା କୁହାଯାଏ । ଏହା ମହାବିଷୁବ ସଂକ୍ରାନ୍ତି ସହ ଜଡ଼ିତ । ବିଶ୍ୱାସ ପାପୀମାନଙ୍କୁ ବିନାଶ, ପାଇଁ ମା’ ହିଙ୍ଗୁଳା ଏ ପୃଥିବୀକୁ ଅଗ୍ନିରୂପା ଏବଂ ଅଗ୍ନିସମ୍ଭୁତା ଅବତୀର୍ଣ୍ଣ ହୋଇଥାନ୍ତି । ହିଙ୍ଗୁଳାଙ୍କୁ ନେଇ ପ୍ରତି ଘରେ ହିଙ୍ଗୁଳା ପଣାର ପ୍ରଚଳନ ଅଛି । ହିଙ୍ଗୁଳାଙ୍କୁ ନେଇ ଦଣ୍ଡଯାତ୍ରା । ଏ ଭକ୍ତମାନେ ହିଁ ପାଟୁଆ । ଦିନସାରା ଏମାନେ ଗାଁ ଗାଁ ବୁଲି ସାରି ନଦୀ ବା ପୋଖରୀରେ ଗାଧୁଆ ସାରନ୍ତି । ରାତିକୁ ଦଣ୍ଡନାଚ । ସେମିତିରେ ଠାକୁରାଣୀଙ୍କ ଉପରେ ବିଶ୍ୱାସ ରଖି ବାଦ୍ୟଧ୍ୱନି ମଧ୍ୟରେ ନିଆଁରେ ଓ କଣ୍ଟାରେ ଚାଲନ୍ତି ଅଥବା ଖଣ୍ଡାଧାରରେ ଛିଡ଼ା ହୁଅନ୍ତି । ସେମାନଙ୍କ କାର୍ଯ୍ୟାନୁସାରେ ବିଭିନ୍ନ ପାଟୁଆରେ ବିଭକ୍ତ ହୋଇଥାନ୍ତି । ଯଥା- ନିଆଁ ପାଟୁଆ, କଣ୍ଟା ପାଟୁଆ ବା ଖଣ୍ଡା ପାଟୁଆ କୁହାଯାଏ । ଏ ପ୍ରକାର ପର୍ବ ମୟୂରଭଞ୍ଜ ଓ କେନ୍ଦୁଝରରେ ଉଡ଼ା ପରବ ଆକାରରେ ପାଳନ କରାଯାଏ । ଏହିଦିନ ବନ୍ଧୁନଯୁକ୍ତ ପକ୍ଷୀମାନଙ୍କୁ ସେମାନେ ମୁକ୍ତ କରିଥାନ୍ତି । ଅର୍ଥାତ ପକ୍ଷୀମାନଙ୍କୁ ଉଡ଼ାଇ ଥାନ୍ତି । ହିନ୍ଦୁଳା ଅଗ୍ନିରୂପା ବା ଅରୂପା । ଏଣୁ ଯଥାର୍ଥରେ ରାଧାନାଥ ମହାଯାତ୍ରାରେ କହିଛନ୍ତି- ‘ଚିତ୍ରାପିତ ପ୍ରତିମା ଯେସନେ, ସିଙ୍ଗଡ଼ ତଟନୀ ଧୌତ ଅଙ୍ଗାର ପ୍ରାନ୍ତରେ, ପବିତ୍ର ହିଙ୍ଗୁଳା ପୀଠେ ଜଳିଉଠେ, ଆଚମ୍ବିତ ବିଶ୍ୱଶିଖା ନିଦାଘ ନିଶୀଥେ । ଆସନ୍ତୁ ସେ ହିଙ୍ଗୁଳାଙ୍କର ଶରଣ ପଶିବା ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ