“ବଡ ପୁଅ” – ଅନାମିକା ଦାସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ବାପା ଚାଲିଯିବା ପରେ, ସତେ ଯେମିତି ସବୁଥିରେ ଅଗ୍ରାଧିକାର ମିଳିବା ପରି ଲାଗିଲା । ବୋଉ ଗାଁରେ ସାନଭାଇ ସିତେନ୍ ପାଖେ ରହୁଥିଲା । ଆଉ ମୁଁ ମୋ କର୍ମସ୍ଥଳି ବମ୍ବେରେ ସ୍ତ୍ରୀ ଏବଂ ଝିଅ ସହ ରହୁଥିଲି । ଘରେ ରଙ୍ଗ ଦିଆ ହେଉ କି ଆମ୍ବ ତୋଟା ଲିଜ୍‌ରେ ଦିଆ କଥା ହେଉ, ବୋଉର ସବୁ କଥାରେ ମୋ ବଡ ପୁଅକୁ ପଚାର ତା’କଥା ଅନୁସାରେ କର । ସାନ ଭାଇ ଅନେକ ଥର ତା’ ଭାଉଜ ପାଖେ ଅଭିମାନ ଭରା ଅଭିଯୋଗ ବି କରେ କି, ଦେଖୁନ ଭାଉଜ ଭାଇ ବର୍ଷରେ ଦୁଇଥର ଆସୁଛି ଗାଁ କୁ ହେଲେ ଘରେ ଜିରା ଫୁଟିବ କି ସୋରିଷ, ସବୁର ନିଷ୍ପତି ବଡ ପୁଅ ଉପରେ ନିର୍ଭର । ସିତେନ୍‌ର ପୁଅ ଏକୋଇଶିଆରେ କ’ଣ ଆଇଟମ୍ ହେବ ତାହା ମଧ୍ୟ ବୋଉ ମୋର ନିଷ୍ପତିକୁ ଅଗ୍ରାଧିକାର ଦେଇଥିଲା । ମୋତେ ବି ଖୁବ୍ ଗର୍ବ ଅନୁଭବ ହୁଏ କି ଏତେ ବଡ ଉପାଧି ବଡପୁଅ ହେବାର ପାଇଛି । ବାପା ଯେତେବେଳେ ହଠାତ୍ ହୃଦ୍‌ଘାତରେ ଚାଲିଗଲେ ମୁଁ ବମ୍ବେରେ ନଥାଏ, ଅଫିସ୍ କାମରେ ଏକମାସ ଲାଗି ଆମେରିକା ଗସ୍ତରେ ଥିଲି, ଖବର ପାଇ ଆସିବାକୁ ଚେଷ୍ଟା କରିଲି, ବୋଉ ବାର-ବାର ବାହୁନି ହଉଥାଏ ବାବୁରେ ତୁ ପରା ବଡପୁଅ, ତୋ ହାତରୁ ମୁଖାଗ୍ନି ଟିକେ ନପାଇଲେ ବାପାଙ୍କୁ ମୋକ୍ଷ ମିଳିବନି । ହେଲେ ମୁଁ ଆସିପାରିନଥିଲି, ଆଉ ଦୁଇଦିନ ଅପେକ୍ଷାପରେ ସିତେନ୍ ହିଁ ମୁଖାଗ୍ନି ଦେଇଥିଲା । ମୁଁ ଆମେରିକାରୁ ଫେରି ଗାଁକୁ ଯାଇଥିଲି । ଉଦ୍ଦେଶ୍ୟ ଥିଲା ସ୍ତ୍ରୀ ଓ ଝିଅକୁ ବମ୍ବେ ଆଣିବା । ମୁଁ ଷ୍ଟେସନରୁ କାର୍‌ଟେ ଭଡା କରି ଯାଇଥିଲି, ଘର ଆଗରେ ଗାଡି ରହୁ ରହୁ ଦାଣ୍ଡ ପିଣ୍ଡାରେ ବସିଥିବା ବୋଉ ଭୋ ଭୋ ହୋଇ କାନ୍ଦି କାନ୍ଦି କହିଥିଲା ମୋ ବଡପୁଅ ଆସିଗଲା । ମୋ ସ୍ତ୍ରୀ, ସାନଭାଇର ସ୍ତ୍ରୀ ସମସ୍ତେ ଆମକୁ ତାଟକା ହୋଇ ଚାହିଁଥିଲେ । କାରଣ ବାପା ଯିବାର ଅଠରଦିନ ହେଇଯାଇଥିଲା । ହେଲେ ବୋଉ ପଦୁଟିଏ କଥା ପାଟିରୁ କାଢ଼ି ନଥିଲା, ସିତେନ୍‌ର ସ୍ତ୍ରୀ ମିତା ହାତେ ଓଢ଼ଣା ଦେଇ କହିଥିଲା ଭାଇ, ବୋଉ ସବୁ ଲୁହ ତକ ଚାପି ରଖି ସବୁଦିନ ଦାଣ୍ଡ ପିଣ୍ଡାରେ ବସୁଥିଲେ ବୋଧେ ବଡପୁଅ ଆଗରେ କହି କାନ୍ଦିବେ, ଆଉ କେହି ସତେ ଯେମିତି ତାଙ୍କ କଷ୍ଟ ବୁଝି ପାରିନଥିଲେ । ବୋଉ ସେମିତି ମୋତେ କୁଣ୍ଢେଇ ଧରି କହୁଥାଏ ବାବୁରେ ବାପା ସିନା ସେ ଭାଗ୍ୟ ପାଇଲେନି, ହେଲେ ମତେ ତୁ ହିଁ ମୁଖାଗ୍ନି ଦେବୁରେ, ମୋର ଆଉ କିଛି ଦରକାର ନାହିଁ । ମତେ ସେତେବେଳେ ଲାଗୁଥିଲା ସତରେ କୋଉ ଜନ୍ମର ପୂଣ୍ୟ ଫଳ “ବଡପୁଅ” ହୋଇ ପାଇଛି । ସିତେନ୍ ବିଲ ଆଡେ ଯାଇଥିଲା, ଆସିଲା ପରେ ଗୁଡେ ଛୋଟ ବଡ କାଗଜ ଆଣି ବସିଲା, କହିଲା ଭାଇ ତମେ ତ ଦୂରରେ ରହିଲ, ଏତେ ଗୁଡେ ଜମି-ବାଡି, ତୋଟା ଏସବୁ ମୁଁ ଏକଲା ପାରୁନି । ତମେ କହିଲେ କିଛି ଜମି ବିକ୍ରି କରି ଦେଇ ଘରର ଉପର ମହଲାଟା କରିଦିଅନ୍ତି । ତମେ ସବୁ ରିଟାୟାଡ୍ ହେଲେ କେମିତି ଚଳିବା । ବାପା ଯଦିଓ ଭଲ ଘର ଖଣ୍ଡେ କରିଯାଇଥିଲେ, ସାନ ବି କିଛି କମ୍ ପଢ଼ି ନଥିଲା, ହେଲେ, ମୁଁ ବଡ ପୁଅ ବୋଲି ମତେ ସ୍ୱତନ୍ତ୍ର ଅଧିକାର ଦେଇଥିଲେ । ଓଡିଶା ଛାଡି ବାହାରେ ନିଜ କ୍ୟାରିଅର ଗଢ଼ିବା ଲାଗି ସିତେନ୍ ବି କିଛି ପ୍ରତିବାଦ କରିନଥିଲା । ଖାଲି ବୋଉ ଯାହା ବାହୁନି ହେଇଚାଲିଥିଲା । ଗାଁ ରେ ଥାଇ ବି ବୋଉ ମୋର ପାଠୋଇ ନହେଲେ ବି ଯେମିତି ସବୁ ବୁଝି ପାରୁଥିଲା, ମୁଁ କିଛି କହିବା ଆଗରୁ ସେ ରାତିରେ ବାପା ଖାଇ ବସିଥିଲା ବେଳେ କହିଲା, ମୋ ବଡପୁଅକୁ ତ ଏତେ ବଡ ସହରକୁ ଯିବା ଲାଗି ଅନୁମତି ଦେଇଦେଲ ହେଲେ ସେ କେମିତି ଖାଇବ, ଏକୁଟିଆ ଏତେ ବଡ ସହରରେ କେମିତି ଚଳିବ, ତା’ ସ୍ତ୍ରୀ ସୁଜାତା ଯାଉ ତା’ ସହ । ସତେ ଯେମିତି ବୋଉ ଗୋଟେ ଏମିତି ଚକ୍ଷୁ ପାଇଥିଲା ସେ ମୋ ମନଭିତରେ କ’ଣ ଚାଲିଛି ବୁଝି ପାରୁଥିଲା । ଖୁସି ହୋଇ ସ୍ତ୍ରୀ କୁ ଧରି ଚାଲିଲି ବମ୍ବେ । ବର୍ଷେରେ ଦୁଇଥର ହିଁ ଆସେ ଗାଁକୁ । ସେଇ ବମ୍ବେରେ ମୋର ଝିଅ ହେଲା, ସିତେନ୍ ବୋଉକୁ ନେଇ ମୋ ପାଖେ ଛଅମାସ ଲାଗି ଛାଡି ଦେଇଥିଲା । ବୋଉ ମୋ ଝିଅକୁ ତେଲ ଘଷିଲା ବେଳେ କହୁଥାଏ ମୋ ବଡପୁଅର ଝିଅ ତୁ, ତୋ ବାପା ଭଳି ହେବୁ, ବୋଉ ନିପଟ ଗାଁର ହେଉ ବି ତା’ର ପୁଅ ଝିଅରେ କିଛି ଫରକ ନଥିଲା । ସୁଜାତା ମୋ ସ୍ତ୍ରୀ ବି ଆଶ୍ଚର୍ଯ୍ୟ ହୋଇ କହୁଥିଲା ସତରେ ବୋଉ ବହୁତ ଭଲ । ଏମିତି ଅନେକ କିଛି କଥା ଆଖି ଆଗରେ ଭାସି ଉଠୁଥିଲା । ବୋଉର ବାର୍ ବାର୍ ଗୋଟେ ଅଳି ବାବୁରେ ବାପା ଗଲେ ତୁ ଆସି ପାରିଲୁନି କିନ୍ତୁ ମୋତେ ତୁ ମୁଖାଗ୍ନି ଦବୁରେ, ତୁ ପରା ବଡ ପୁଅ, ନହେଲେ ମୁଁ ମୋକ୍ଷ ପାଇବିନି । ବଡ ବିରକ୍ତ ଲାଗୁଥିଲା ବୋଉର ସେ କଥା । ସତେ ଯେମିତି ମୁଁ ବଡପୁଅ ବୋଲି ମୋତେ ଏତେ ପାଠ ପଢ଼େଇ, ଚାକିରି କରିବାକୁ ବାହାରକୁ ଛାଡି, ମତେ ସମାଜରେ ପ୍ରତିଷ୍ଠିତ କରିବା ସବୁ କିଛି କ’ଣ ବାସ୍ ମୁଖାଗ୍ନି ଟିକେ ଲାଗି କରିଥିଲେ ବାପା-ବୋଉ । ସାନ ଭାଇକୁ ମୁଁ ଅଧା ଅଧିକାର ଦେବା ଭଳି, କହିଥିଲି ତୁ ଜମି-ତୋଟା ଘର ଯାହା ଇଛା କର, ମୋର ସବୁଥିରେ ସହମତି ଜାଣିବୁ । ଆଉ ସୁଜାତା ବି ମିତା କାନ୍ଧରେ ହାତ ରଖି କହିଥିଲା ମିତା ତମେ ଦୁଇଜଣ ଯେ ଆମକୁ କେତେ ହାଲ୍‌କା କରିଦେଉଛ, ବୋଉଙ୍କ ଦେହ ପା, ବନ୍ଧୁ ବାନ୍ଧବ ସବୁ ତ ତମେ ଦୁଇଜଣ କରୁଛ, ପୁଣି ଏମିତି ପ୍ରତି କଥାରେ ଅନୁମତି କାହିଁ ଲୋଡୁଛ? ଯାହା ଠିକ୍ ଲାଗିବ କରିବ । ମିତା ଅଭିମାନ ସ୍ୱରରେ କହିଲା, ଅପା ବୋଉ ସିନା ରାଜି ହେଲେ, ଘରେ ପରା ଆଚାର କି ବଢ଼ି ଟିକେ ପକେଇଲେ ବି ବୋଉ କହିବେ ଟିକେ ବଳେଇକି କରିଥା ମୋ ବଡ ପୁଅ ଆସିଲେ ନେଇକିଯିବ । ବାସ୍ ଆମ ଫ୍ଲାଇଟ୍ ଭୁବନେଶ୍ୱରରେ ପହଂଚି ସାରିଥିଲା, ଆଉ ବାସ ୍ ଚାରିବର୍ଷରେ ରିଟାୟାଡ୍ ହୋଇ ଗାଁକୁ ସବୁଦିନ ଲାଗି ଫେରିଆସିବି ବୋଲି ବୋଉକୁ କହିଥିଲି । ହେଲେ ମୁଁ ବମ୍ବେ ଫେରିବା ୪ ମାସ ହେଇନି ହଠାତ୍ ସୁଜାତା ଅଫିସ୍‌କୁ ଫୋନ୍ କରି କହିଥିଲା, ସିତେନ୍ ଫୋନ୍ କରିଥିଲେ ବୋଉଙ୍କ ଦେହ ବହୁତ ଖରାପ ତମକୁ ଝୁରୁଛନ୍ତି । ମୁଁ ଦ୍ୱନ୍ଦରେ ପଡିଲି ଏମିତିରେ ତ ବାସ୍ ଆର ମାସ ହିଁ ଝିଅର ଖରା ଛୁଟି ହେବ ଆଉ ଆମେ ଯିବାର ଥିଲା, ପୁଣି ଏମିତି ମଝିରେ, ହଉ ମୁଁ ବୁଝୁଛି କହି ଫୋନ୍ ରଖିଲି । ଆଉ କାମ ଭିତରେ ସଂଧ୍ୟା ଯାଏଁ ଆଉ ବୋଉକୁ ମନେ ପକେଇ ପାରିଲିନି, ଭାବିଥିଲି ରାତିରେ ସୁଜାତା ସହ କଥା ହେଇ କିଛି ଗୋଟେ କରିବି । ସଂଧ୍ୟା ରେ ଘରକୁ ଫେରୁଥିବା ବେଳେ ସିତେନ୍ ଫୋନ୍ କଲା, ଭାଇ ଶିଘ୍ର ଆସ୍ ବୋଉ ତତେ ଖୋଜୁଛି, ବୋଉର ହୃଦ୍‌ଘାତ ହୋଇଥିଲା । ମୁଁ କେମିତି ଗୋଟେ ଅନୁଭବ କଲି ବୋଉ ଡାକୁଛି ବାବୁରେ ଟିକେ ଆ’ ତୁ ପରା ମୋ ବଡ ପୁଅ । ସେଇ ସଂଧ୍ୟାରେ ହିଁ ଉଚ୍ଚା ଦରରେ ଫ୍ଲାଇଟ୍ ଟିକେଟ କରି ଏକୁଟିଆ ଭୁବନେଶ୍ୱର ହେଇ ଗାଁ ରାସ୍ତାରେ ଆଗେଇଲି । ଆଉ ବାସ୍ ୧୫ କିଲୋମିଟର ପରେ ଆମ ଘର, ଆଉ ମୋର ଭାବନା ସବୁବି ବୋଧେ ଘରେ ପହଞ୍ଚିଲେ ହିଁ ଜବନିକା ପଡିବ । ଦୂରରୁ ଘରଟି ଆମର ଝାପ୍‌ସା ଦିଶୁଥିଲା, ଭୋର ୫ଟା ହେବା ବୋଧେ ଗୋଟେ ବଡ ଗାଡି ବି ଦେଖାଗଲା । ଯେତେ ଯେତେ ପାଖକୁ ବଢ଼ୁଥିଲି ଗାଡିଟି ସ୍ପଷ୍ଟ ଦେଖାଯାଉଥିଲା, ସେ ଗାଡି ପଛରେ ଏ କ’ଣ ଲେଖା ହେଇଛି “ଶେଷ ଯାତ୍ରା….” ତା’ମାନେ କ’ଣ ବୋଉ ଆଉ ନାହିଁ? ମୁଁ କାର୍‌ରୁ ଦୌଡି ଘର ଭିତରକୁ ଗଲି, ମୋ ବୋଉ ଶୋଇଯାଇଛି ଚିରନିଦ୍ରାରେ । ସିତେନ୍‌, ମିତା ପାଖ ପଡୋଶୀ ବୋଧେ କାନ୍ଦି କାନନ୍ଦି ଥକି ପଡି ପଥର ପରି ବୋଉ ଚାରିପଟେ ବସିଛନ୍ତି, ବୋଉ ମୁହଁଟି ଦିଶୁଥିଲା, କାନକୁ ବାବୁରେ ଡାକ ଶୁଭୁଥିଲା । ସିତେନ୍ କହିଲା ଭାଇ ବୋଉ କାଲି ଦିନ ଦୁଇଟାରୁ ଗଲାଣି, ରାଣ ଦେଇଥିଲା ତତେ ନ କହି ବାସ ଦେହ ଖରାପ କହି ଡାକିବୁ, ଆଉ ମୋ ବଡପୁଅ ଆସିଲେ ହିଁ ମୁଁ ମଶାଣି ଯିବି, ମୁଖାଗ୍ନି ଦେବାର ଅଧିକାରଟା ତା’ର । ଆଜି ପ୍ରଥମ ଥର ଲାଗିଲା ଏ କି ଅଧିକାର । ସଙ୍ଗେ ସଙ୍ଗେ ମାଲ ଭାଇ କୋକେଇ ବାନ୍ଧି ଦେଲେ, ଯେମିତି ଯେମିତି ବତେଇଲେ ମୁଁ କରି ଚାଲିଲି । କୋକେଇ ଉଠାଇବା ବେଳକୁ ପାଖ ଘର ମାଉସୀ ଲୁହା କଂଟାଟେ ଦେଲେ କହିଲେ ପୁଅ ଏଇଟା ଅଂଟାରେ ଖୋସିଦିଅ, ମୁଖାଗ୍ନି ଦେଇ ପଛକୁ ଫେରି ଚାହିଁବନି, ସିଧା ସ୍ନାନ କରି ଘରକୁ ଚାଲି ଆସିବ । ଆଶ୍ଚର୍ଯ୍ୟ ଲାଗୁଥିଲା ମୋ ବୋଉ କ’ଣ ମୋତେ ଡରେଇବ ଯେ ମୁଁ ଲୁହା କଂଟା ରଖିବି? ତଥାପି ଶେଷ ଯାତ୍ରା ଗାଡିରେ ବୋଉକୁ ରଖି ମୁଁ ଡ୍ରାଇଭର ପାଖେ ବସିଲି । ଗାଁ ତ ଅଧା ସହର ହେଇ ସାରିଥିଲା, ସେଥିଲାଗି ମଶାଣି ବି ଆଉ ପାଖରେ ନାହିଁ । କୋଡିଏ-ବାଇଶ କିଲୋମିଟର ପରେ ମାଶାଣି । ସାନଭାଇ, ଆଉ କିଛି ବନ୍ଧୁ ଶେଷଯାତ୍ରା ଗାଡିର ଆଗରେ ପଛରେ ଦୁଇଚକିଆ ଗାଡିରେ ଚାଲିଥାନ୍ତି । ମୋ ମନରେ ବିରକ୍ତ ଭାବ ଆସୁଥିଲା ଶେଷ ଯାତ୍ରା ଗାଡି ଚାଳକ ଉପରେ, ସତେ ଯେମିତି ସାଇକେଲ୍ ଚଳାଉଛି । ଆଉ ରହିପାରିଲିନି କହିଲି ଟିକେ ଜୋର୍‌ରେ ଚଲାଉନ, ସେ ଗୋଟେ ତାତ୍ସଲ୍ୟ ହସ ହସି କହିଲା ବାବୁ ଜୋର୍‌ରେ ଚଳାଇଲେ ମା’ଙ୍କ ଦେହ ଏକଡ ସେକଡ ହେବନି! ମୁଁ ସଙ୍ଗେ ସଙ୍ଗେ ପଛକୁ ଅନେଇଲି ବୋଉ ସେମିତି ଶୋଇଛି । ଡ୍ରାଇଭର କହିଲା ଚିନ୍ତା କରନ୍ତୁନି ଆଜ୍ଞା ଭଲ ସେ ବନ୍ଧା ହେଇଛି ବଡିଟା, ଆଉ ମୁଁ ଆଠ ବର୍ଷ ହେଲା ଏଇ କାମ କରୁଛି, କାଲି ତ ସକାଳୁ ରାତି ଭିତରେ ତିନିଟା ବଡି ନେଇଛି ଏଇ ଗାଡିରେ । ମଶାଣି ପହଂଚିଲା ବେଳକୁ ପୁରା ସକାଳ, ବୋଉକୁ ଟିକେ ଆଖି ପୁରେଇ ଦେଖିଲି, ସେପଟେ କାଠ ସଜଡା, ଘିଅ, ବ୍ରାହ୍ମଣ ସବୁ ରେଡି ହୋଇସାରିଥିଲେ, ବୋଉକୁ ନେଇ ସେଇ କାଠ ଗଦା ଉପରେ ଶୁଆଇ ଦିଆଗଲା । ମୋତେ ଯେମିତି ବୋଉ କହୁଥିଲା ବାବୁ ରେ ମୁଁ ତ ଗଦିରେ ଶୁଏ, ଏ କାଠ ମୋତେ କଷ୍ଟ ହଉଛି, ମୁଁ କାନ୍ଦି ନଥିଲି, ବଡପୁଅ ପରା ମୋର ଅନେକ କର୍ତ୍ତବ୍ୟ, ବ୍ରାହ୍ମଣ ମନ୍ତ୍ର ପଢ଼ା ପଢ଼ି ସାରି କେହି ଜଣେ ମୋ ହାତରେ ଜଳନ୍ତା ମଶାଲଟିଏ ଧରେଇ ଦେଇ କହିଲେ ମା’ଙ୍କୁ ମୁଖାଗ୍ନି ଦିଅନ୍ତୁ । ଆଉ ସିଧା ମଶାଣୀ ବାହାରକୁ ଚାଲିଯିବେ, ଫେରି ଦେଖିବେନି । ଆଉ ମୋତେ ବୋଉର ମୁହଁ ଦିଶୁନଥିଲା । ଧୂଆଁ ନୁହେଁ, ମୋ ଆଖି ଲୁହରେ ମୋ ବୋଉ ଆଉ ଦିଶୁନଥିଲା । ନା ମୁଁ ପାରିବିନି, ମୋ ବୋଉ, ମୋ ଦେହରେ ଛୋଟ ଘା’ ଟେ ଦେଖି ପାରେନି, ସ୍କୁଲ ଗଲାବେଳେ ଖରାଦିନେ ଛୁଟି ବେଳକୁ ଛତାଟେ ଧରି ସ୍କୁଲ ଆଗରେ ଠିଆ ହେଇଥାଏ, ଭାତରେ ଦୁଇ ଚାମଚ ଦେଶୀ ଘିଅ ଦେଇ କି ବି ତା’ମନ ମାନେନି, ଆଉ ଆଜି ମୁଁ ସେଇ ବୋଉ ଉପରେ ଦେଶୀ ଘିଅ ଢ଼ାଳି, ତାକୁ ନିଜ ହାତରେ ନିଆଁ କେମିତି ଲଗେଇବି, ଆତ୍ମା ମୋର କାନ୍ଦି ଉଠିଲା, ଖୁବ୍ କାନ୍ଦିଲି, ନିଜକୁ ପ୍ରଥମ ଥର ଧୀକାର କରୁଥିଲି, ବଡ ପୁଅ ହେବା ତ ଗୋଟେ ଅଭିଶାପ । ମୁଁ ଦାୟିତ୍ୱ ନାଁରେ ଗର୍ବ କରୁଥିଲି, ହେଲେ ଆଜି ମୁଁ ପୁରା ଦୁର୍ବଳ ମନେ କରୁଥିଲି ଜଣେ ବନ୍ଧୁ ମୋତେ ଭିଡି ନେଇ ବୋଉ ମୁହଁରେ ସେ ମସାଲଟି ରଖେଇ ଦେଲେ । ମୁଁ ସତରେ ଦଣ୍ଡେ ବି ଦେଖିବାର ସାହସ କରିପାରିଲିନି ବୋଉ ଜଳି ଯାଉଥିଲା, ଆଉଁ ମୁଁ ହିଁ ସେ ହତଭାଗ୍ୟ ବଡପୁଅ ମୋ ବୋଉକୁ ଜାଲି ଦେଲି, ଏକା ମୁହାଁ ହେଇ ମଶାଣିରୁ ବାହାରୁଥିଲା ବେଳେ ଅଂଟାରୁ ଲୁହା କଂଟା କାଢ଼ି ଫିଙ୍ଗିଦେଲି । ମୋ ବୋଉ କ’ଣ ପ୍ରେତ ଯେ ମୋତେ ଡରେଇବ? ବାର୍ ବାର କହୁଥିଲି ସତରେ ବଡପୁଅ ହେବା ଗୋଟେ ଅଭିଶାପ… ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ