ପ୍ରସିଦ୍ଧ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ଶୁଭାରମ୍ଭ

ହିଞ୍ଜିିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶନିବାର ଠାରୁ ମହାଆଡ଼ମ୍ବର ସହ ଭକ୍ତିମୟ ପରିବେଶରେ ଶୁଭାରମ୍ଭ ହୋଇଛି । ଯାତ୍ରାର ପ୍ରଥମ ଦିବସ ରାଜ ପରିବାର ଓ ରଙ୍ଗଣିବାଡର ମିଳିତ ସହଯୋଗ ଓ ପାଟଣା ସାହି ପକ୍ଷରୁ ପାଳନ କରାଯାଇଛି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସକାଶେ ସୁ ଊଚ୍ଚ ତୋରଣ, ରଙ୍ଗ ବେରଙ୍ଗର ବାନାତୋରଣ ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । ଶନିବାର ପ୍ରାତଃହରୁ ମାନସିକଧାରୀ ଶ୍ରଦ୍ଧାଳୁ ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, କାଚରା, ଖଟବିଦ୍ୟା, ମେହେନ୍ତର ଆଦି ବିଭିନ୍ନ ରଙ୍ଗ ବେରଙ୍ଗ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ । ଗ୍ରୀଷ୍ମର ପ୍ରକୋପ ଦିନ ତମାମ ଜାରୀ ରହିବା ସତ୍ୱେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ଶହ ଶହ ଭକ୍ତ ,ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବଡରଙ୍ଗଣି ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା ।ପୌର ପରିଷଦ ପକ୍ଷରୁ ସହରର ସ୍ୱଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଆକର୍ଶଣୀୟ କଳାକୁଞ୍ଜ ଦେଖିବା ସକାଶେ ପ୍ରବଳ ଜନସମାଗମ ଲାଗି ରହିଥିଲା ।କଳାକୁଞ୍ଜ ମଧ୍ୟରେ ରାମ, ହନୁମାନ, ସୀତା, ପର୍ଶୁରାମ, ଜରା ଶବର,ଦାନ ବୀର ରାଜା ହରିଶ୍ଚନ୍ଦ୍ର, ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ଆଦି ପ୍ରତିମୂର୍ତ୍ତି ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ ହେବା ସହ କିଛି କୌତୁକିଆ ଦୃଶ୍ୟ ଓ ଜନସଚେତନତା ଚିତ୍ରପଟ ମଧ୍ୟ ସ୍ଥାନେ ସ୍ଥାନେ ସ୍ଥାପନ କରାଯାଇଛି। ଅସମ୍ଭବ ଭିଡ଼଼କୁ ନଜରରେ ରଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଯାତ୍ରା ଉପଲକ୍ଷେ ଲୋକଙ୍କ ଆଗମନରୁ କିଛି ରୋଜଗାର କରିବା ଆଶା କରି ବିଭିନ୍ନ ସାହି ବସ୍ତିରେ ନାନା ରକମର ଖେଳଣା,ଚୁଡି, ବାରମଜା, ଘରକରଣା ସାମଗ୍ରୀ ଦୋକାନ ଓ ପସରା ଖୋଲା ଯାଇଛି । ବିଳମ୍ବିତ ରାତିରେ ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ବାଦ୍ୟ ବାଜଣା ଓ ପଟୁଆରରେ ନଗର ପରିକ୍ରମା କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଭୋଗ ଅର୍ପଣ କରି ପ୍ରଭୁଙ୍କୁ କୃପା ଭିକ୍ଷା କରିଥିଲେ। ରବିବାର ଦ୍ଵିତୀୟ ଦିବସରେ କେଉଟବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯିବା ସହ ରାତ୍ର ସମୟରେ ବାଣ ଯାତ୍ରା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ