‘ମୋନା’ର କାର୍ଯ୍ୟକାରିଣୀ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ମିଳିତ ନିଶା ନିବାରଣ ଅଭିଯାନ (ମୋନା)ର କାର୍ଯ୍ୟକାରୀ ସମିତି ବୈଠକ ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବାର୍ଷିକ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆସନ୍ତା ଜୁନ ମାସ ୬ ତାରିଖ ରବିବାରରେ ଆୟୋଜନ ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି । ସମ୍ମିଳନୀ ଆୟୋଜନ ଓ ପରିଚାଳନା ପାଇଁ ବିଭିନ୍ନ କମିଟିମାନ ଗଠନ କରାଗଲା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମୁଖପତ୍ର ପ୍ରକାଶନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ’ (ଏନଏଫଏଚଏସ୍‌)-୫ର ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟ ଅନୁସାରେ ସମ୍ପ୍ରତି ଜାତୀୟ ମଦ୍ୟପାନ ହାର୧୮ ପ୍ରତିଶତଠାରୁ ଓଡ଼ିଶା ଆଗରେ ଅର୍ଥାତ ୨୯ ପ୍ରତିଶତରେ ରହିବା ସମ୍ପର୍କରେ ସଂଗଠନର ସାଧାରଣ ସମ୍ପାଦିକା ମମତା ମହାପାତ୍ର ତଥ୍ୟ ଉପସ୍ଥାପନ କରିଥିଲେ । ଏନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଦ୍ୟପାନ ହାର ବୃଦ୍ଧି ପାଇଥିବା ବେଳେ ସରକାର ମଦ ବିରୋଧି ଅବକାରୀ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ତେବେ ଆସନ୍ତା ବାର୍ଷିକ ସମ୍ମିଳନୀକୁ ସଫଳ କରିବା ଓ ନିଶା ବିରୋଧରେ ସଂଗ୍ରାମ ଜାରି ରଖିଥିବା ବ୍ୟକ୍ତି ବିଶେଷ, ମହିଳା ସଂଗଠନ ଓ ସାମାଜିକ ସଂଗଠନଙ୍କୁ ମଧ୍ୟ ସହଯୋଗ କରିବାକୁ ଏହି ବେଅଠକରେ ଅନୁରୋଧ କରାଯାଇଥିଲା । ସଙ୍ଗଠନର ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ ଓ ସମରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ସୁବ୍ରତ କର, ତ୍ରିଦୀପ ନାୟକ, ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଭାରତୀ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ, ସୀତାରାମ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ବେଣୁଧର ସାହୁ, ସ୍ମୃତି ଦାସ, ଅବନ୍ତୀ ପ୍ରଧାନ, ମୀନା ସେଠୀ, ପ୍ରଣିତା ମିଶ୍ର, ବସନ୍ତ ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୋଗେଶ ଚନ୍ଦ୍ର ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ