ଚନ୍ଦନ ଯାତ୍ରାରେ ଉତ୍ସବମୁଖର ବାଲେଶ୍ୱର : ମୀର୍ଜାପୋଖରୀରେ ଦର୍ଶକଙ୍କ ଭିଡ଼

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା । ଆବାହମାନ କାଳରୁ ଚାଲି ଆସିଥିବା ଏହି ପରମ୍ପରାକୁ ଲୋକେ ବେଶ ଶ୍ରଦ୍ଧା ଭକ୍ତିର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଶ୍ରୀଜଗନ୍ନାଥ ସଂସ୍କୃତିରେ ଚନ୍ଦନଯାତ୍ରାକୁ ପୁରୀରେ ଅକ୍ଷୟ ତୃତୀୟାଠାରୁ ବୁଦ୍ଧ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଚନ୍ଦନ ଯାତ ଓ ଚାପକେଳି ଅନୁଷ୍ଠିତ ହୋଇଥାଏ । ଅନୁରୂପ ଭାବେ ଓଡ଼ିଶାର ପ୍ରମୁଖ ସ୍ଥାନମାନଙ୍କରେ ଶ୍ରୀରାଧାକୃଷ୍ଣଙ୍କ ବିଗ୍ରହକୁ ଶୋଭାଯାତ୍ରାରେ ନେଇ ପୋଖରୀ ଓ ନଦୀରେ ଚାପକେଳି କରାଯାଇଥାଏ । ଏହିକ୍ରମରେ ସହର ସମେତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ ଦିନିଆ, ୫ ଦିନିଆ, ୩ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ବେଳେ ଚଳିତ ଚନ୍ଦନ ଜାତକୁ ଲୋକେ ବେଶ ହର୍ଷଉଲାସରେ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୧୦ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ସହରର ମିର୍ଜାପୋଖରୀ ଚନ୍ଦନ ଯାତ୍ରା ବେଶ ଯାକଜମକରେ ଚାଲିଥିବା ପରିଲକ୍ଷିତ ହୋଇଛି । ମାଣିଖମ୍ବ, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଉତ୍ସବ । ପ୍ରତି ସଂଧ୍ୟାରେ ଘଣ୍ଟଘଣ୍ଟା, ଭଜନ କୀର୍ତ୍ତନ ତଥା ଶୋଭାଯାତ୍ରା ରେ ଶ୍ରୀରାଧାକୃଷ୍ଣ ବିଗ୍ରହଙ୍କ ନାବକୁ ନିଆଯାଇ ଓ ନାବକେଳି ଅନୁଷ୍ଠିତ ହେଉଛି । ଚନ୍ଦନ ଯାତ୍ରାରେ ଲାଗିଥିବା ମେଳାରେ ଜିଲା ଓ ଜିଲା ବାହାରୁ ବହୁ ଦୋକାନୀ ଆସି ନିଜର ପସରା ମେଲାଇଥିବା ବେଳେ ପିଲାଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି ରାମଦୋଳି । ସେହିପରି ଆୟୋଜିତ ହେଉଥିବା ବିଭିନ୍ନ ସାଂସ୍କୃତିକ ମେଳାରେ ଲୋକଙ୍କୁ ଦୀର୍ଘ ସମସୟ ଧରି ବାନ୍ଧି ରଖୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଭଜନ ଓ ଭକ୍ତିଗୀତର କାର୍ଯ୍ୟକ୍ରମ, ଡ୍ୟାନ୍ସ, ସଙ୍ଗୀତ ବିଚିତ୍ରା ବା ମେଲୋଡ଼ି କାର୍ଯ୍ୟକ୍ରମକୁ ଦର୍ଶକ ବେଶ ମନଭରି ଉପଭୋଗ କରୁଛନ୍ତି । ସଂଧ୍ୟାଠାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଗହଳି ଲାଗି ରହୁଛି । ଏନେଇ ଟାଉନହଲ ଛକରୁ ଲୋକ ଗଳହଳି ଲାଗିଛି । ମେଳାରେ ଶାନ୍ତି ଶୃଙ୍ଗଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟବାପକ ବ୍ୟବସ୍ଥା କରାଯାଇଛି । ସିନେମାଛକଠାରୁ ଆରମ୍ଭ କରି ଟାଉନହଲ ଛକ, ଏମିତିକି ମିର୍ଜା ପୋଖରୀ ଚତୁପାଶ୍ୱର୍ର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି । ଉତ୍ସବ କମିଟି ସଭାପତି କାଉନସିଲର ପଦ୍ମଲୋଚନ ଲେଙ୍କା ଓ ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ସବୁକିଛି ଠିକଠାକ ଚାଲିଥିବା ଳକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ