ଲୋକନାଥ ବିହାରରେ ସ୍ଥାନୀୟ ସମସ୍ୟା ସମ୍ପର୍କିତ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ପୌରପାଳିକାର ୨୩ନଂ ୱାର୍ଡ ଅନ୍ତର୍ଗତ ସହଦେବଖୁଣ୍ଟା ଲୋକନାଥ ବିହାର ଅଞ୍ଚଳବାସୀଙ୍କୁ ନେଇ ଗଠିତ ଶ୍ରୀଲୋକନାଥ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ସମସ୍ୟା ସମ୍ପର୍କିତ ଆଲୋଚନାଚକ୍ର ସମ୍ବର୍ଦ୍ଧନା ପର୍ବ ଶନିବାର ଅନୁଷ୍ଠିତ ହୋଇଯାଇଛି । ସୋସାଇଟିର ସଭାପତି ରାମେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବସନ୍ତ କୁମାର ପଣ୍ଡା ସ୍ଥାନୀୟ ଅଞ୍ଚଳରେ ସମସ୍ୟା ଉପସ୍ଥାପନ କରିଥିଲେ । ବିଶେଷ ଏ ଅଞ୍ଚଳରେ ଅବ୍ୟବସ୍ଥିତ ଜଳ ନିଷ୍କାସନ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା । ଶ୍ରୀଲୋକନାଥ ମନ୍ଦିର ନିକଟରୁ ଅରଡ଼ବଜାର ପର୍ଯ୍ୟନ୍ତ ମହାନାଳର ପୁନରୁଦ୍ଧାର ପାଇଁ ଏହି ବୈଠକରେ ଦାବି ହୋଇଥିଲା । ଏଥି ସହିତ ଉଚ୍ଚ ବିକିରଣ ଯୁକ୍ତ ମୋବାଇଲ ଟାୱାରକୁ ସ୍ଥାନାନ୍ତର ଓ ଏକ ବହୁମୁଖୀ କମ୍ୟୁନିଟି ହଲ ପାଇଁ ସୋସାଇଟି କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକନାଥ ବିହାର ଭଳି କଲୋନୀରେ ବାଲେଶ୍ୱରର ବହୁ ଉଚ୍ଚ ଶିକ୍ଷିତ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଆଇନଜୀବୀ, ଡାକ୍ତର ଘର କରି ରହୁଥିବା ବେଳେ ଦୀର୍ଘଦିନ ପରେ ବି ସେମାନଙ୍କ ମୌଳିକ ସମସ୍ୟ ସମାଧାନ ନ ହେବା ଆଦୌ ଶୋଭନୀୟ ନୁହେଁ । ତେବେ ନବ ନିର୍ବାଚିତ ପୌର ପରିଷଦ ସମସ୍ୟା ସମାଧାନ ନେଇ ନିଶ୍ଚିତ ଗୁରୁତ୍ୱ ଦେବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ସମ୍ମାନିତ ଅତିଥି ଭାବ ଯୋଗଦେଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ସମସ୍ୟା ସମାଧାନକୁ ପରିଷଦ ଗୁରତ୍ୱର ସହ ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ୱାର୍ଡ଼ କାଉନସିଲର ଶଶିରେଖା ମହାନ୍ତି, ୨୨ନଂ ୱାର୍ଡ କାଉନସିଲର ଦେବାଶିଷ ସିଂ, ଯୁବ ସଂଗଠକ ଭାଗବତ ସାହୁ, ବିଶିଷ୍ଟ ଶିକ୍ଷାବିତ ପଙ୍କଜ ଜେନା, ଯୋଗରେ ବିଶ୍ୱ ରେକର୍ଡଧାରୀ କର୍ଣ୍ଣେଲ ଲକ୍ଷ୍ମୀଧର ଭୁୟାଁ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସୋସାଇଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ, ଆଇନଜୀବୀ ଦେବୀପ୍ରସନ୍ନ ମହାପାତ୍ର, ଈଶ୍ୱର ଚନ୍ଦ୍ର ପଣ୍ଡା, ଇଂ ବ୍ରଜମୋହନ ନାୟକ, ହେମେନ୍ଦ୍ର ମହାପାତ୍ର, ଇଂ ହରିଶ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ବେହେରା, ତ୍ରିଲୋଚନ ପାଣିଗ୍ରାହୀ, ଗୌରାଙ୍ଗ ଚରଣ ଦାସ ପ୍ରମୁଖଙ୍କ ସମେତ ଲୋକନାଥ ବିହାରର ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।