ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ

ବିପିନ ବିହାରୀ ମହାନ୍ତି
୧୯୮୬ ନଭେମ୍ବର ୨୦ ତାରିଖରେ ଜାତିସଂଘର ସାଧାରଣ ବୈଠକରେ ଶିଶୁଙ୍କର ୪ଟି ଅଧିକାର ସଂକ୍ରାନ୍ତରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏହାର ପ୍ରଥମ ଧାରାରେ କୁହଯାଇଛିଯେ ୧୮ବର୍ଷରୁ କମ୍ ବୟସ୍କ ବ୍ୟକ୍ତିହିଁ ଶିଶୁ । ଶିଶୁର ଅଧିକାରରେ ରହିଛି : ୧) ବଂଚିବାର ଅଧିକାର, (୨) ସୁରକ୍ଷା ବା ନିରାପତ୍ତାର ଅଧିକାର (୩) ସୁଶିକ୍ଷା ଅଧିକାର, (୪) ନିଜର ମତବ୍ୟକ୍ତ କରିବାର ଅଧିକାର । ଏହା ଫଳରେ ଶିଶୁଟି ସମସ୍ତ ଶୋଷଣ, ଯନ୍ତ୍ରଣା, ଭର୍ôସନା, ତା’ପ୍ରତି ଅସଦ୍‌ବ୍ୟବହାର ଇତ୍ୟାଦିରୁ ମୁକ୍ତି ପାଇପାରିବ । ଅନ୍ୟପକ୍ଷରେ ଏକ ନିଶ୍ଚିନ୍ତ ଓ ନିଶ୍ଚିତ ନିରାପତ୍ତା ଜୀବନଯାପନ ସହିତ ସୁସ୍ଥ ଏବଂ ସବଳ ଜୀବନ ସହିତ ସୁଶିକ୍ଷା ପାଇପାରିବ । ଶିଶୁର ଏହି ଅଧିକାରକୁ ଆହୁରି ସୁଗମ, ସ୍ୱଚ୍ଛଳ ଓ ପିଛିଳ ପାଇଁ ଆମ ସରକାର ୨୦୧୦ ମସିହା ଏପ୍ରିଲ ୧ ଠାରୁ ୬ରୁ ୧୪ବର୍ଷ ଯାଏଁ ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନେ ବିଦ୍ୟାଳୟ ଯିବେ । ଶିଶୁ ଶ୍ରମିକ ପ୍ରଥାରୁ ମୁକ୍ତି ପାଇବେ । ଏଥିପାଇଁ ସର୍ବଶିକ୍ଷା ଅଭିଯାନ ଆମ ଦୁଆର ଉଭା ହୋଇଛି । ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ହେଉଛି ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହାରମାନେ ଏହି ଯେ ୬-୧୪ବର୍ଷ ଶିଶୁମାନେ ନିଶ୍ଚିତ ଭାବେ ବିଦ୍ୟାଳୟକୁ ଯିବେ; ସେଠି ମାଗଣାରେ ୧୪ବର୍ଷ ଯାଏଁ ପଢ଼ିବେ ଏବଂ ସ୍ୱାସ୍ଥ୍ୟକର ପରିବେଶର ନିରୋଗଭାବେ ବଢ଼ିବେ । ଅର୍ଥାତ୍ ପୂର୍ବପରି ଏମାନେ ଶିଶୁଶ୍ରମିକ ଭାବେ ଖଟିବେ ନାହିଁ । ମୋଟ ଉପରେ ଶିଶୁ ଶ୍ରମିକ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦହେବ । ଉତ୍ତମ ନାଗରିକ ଭାବେ ନିଜକୁ ଗଢ଼ିବାକୁ ହେଲେ ପ୍ରଥମେ ନିଜକୁ ଶିକ୍ଷିତ କରାଇବାବୁ ହେବ । ଏମାନଙ୍କୁ ୬-୧୪ର୍ଷ ମଧ୍ୟରେ ଶ୍ରମ ବା ଅର୍ଥନୈତିକ ସମସ୍ୟା ସହିତ ଜଡ଼ିତ ରଖାଯିବ ନାହିଁ ।
ଶିଶୁମାନଙ୍କୁ ଶ୍ରମ ମୁକ୍ତ ରଖିବାପାଇଁ ଶିଶୁ ଶ୍ରମିକ ଆଇନ ରହିଛି । ୧୯୮୬ ଶିଶୁ ଶ୍ରମିକ ଆଇନ ଅନୁସାରେ ୧୩ଟି ବିପଜ୍ଜନକ ସଂସ୍ଥା ଓ ୫୭ଟି ବିପଦପୂର୍ଣ୍ଣ ସଂସ୍ଥାରେ ୧୪ବର୍ଷରୁ କମ୍ ବୟସର ପିଲାଙ୍କୁ ନିଯୁକ୍ତି ନିଷେଦ୍ଧ କରାଯାଇଛି । ଏମାନଙ୍କ ଭିତରେ ଅଛି ଅଟୋ ମୋବାଇଲ ଓ୍ୟାର୍କସପ୍‌, ଗ୍ୟାରେଜ, ଫାଉଣ୍ଡ୍ରି, ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତି, ତନ୍ତ୍ରଶିଳ୍ପ, ଖଣି ଖାଦାନ, ପ୍ଲାଷ୍ଟିକ ବା ଫାଇବର କାରଖାନା ଇତ୍ୟାଦି । ଅନ୍ୟାନ୍ୟ ପ୍ରକ୍ରିୟା ଭିତରେ ଅଛି ବିଡ଼ି ବା ଅଗରବତୀ ତିଆରି, ଗାଲିଚା ବୁଣିବା, ମଣି କାଟିବା, ପଲିସି , ତାଲା ତିଆରି, ଚୁଡ଼ି ପ୍ରସ୍ତୁତି, ….. ଓ ଜରି ତିଆରି ଇତ୍ୟାଦି ଅନ୍ତର୍ଭୁକ୍ତ । ଏବେ ସମସ୍ତଙ୍କ ପାଇଁ ଶିକ୍ଷାଯୋଜନାରେ ପ୍ରବର୍ତ୍ତିତ ସର୍ବଶିକ୍ଷା ଅଭିଯାନ ଶିଶୁମାନଙ୍କର ସାକ୍ଷରତା ହାର ବୃଦ୍ଧି କରିବାରେ ସହାୟକ ହେଉଛି । ଶିଶୁ ଶ୍ରମିକଙ୍କ ହାର ହ୍ରାସ କରିବାରେ ବିଦ୍ୟାଳୟ ମାନଙ୍କରେ ମାଗଣା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ମାଗଣା ଶିକ୍ଷା ଓ ପୋଷାକ ତଥା ସାଇକେଲ ଇତ୍ୟାଦି ସହାୟତା ବେଶ ଉତ୍କଣ୍ଠା ସୃଷ୍ଟି କରିଛି । ଯେଉଁ କ୍ଷେତ୍ରରେ ଶିଶୁଟିଏ ଶିକ୍ଷା ବିନିମୟରେ ଶ୍ରମ କରି ଅର୍ଥ ଉପାର୍ଜନ କରୁଛି, ସେତ ଅଣ କୁଶଳୀ ହୋଇ ରହୁଛି, ଅପରନ୍ତୁ ବିପଜ୍ଜନକ ଓ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ହେତୁ ବେଳେବେଳେ ମୃତ୍ୟୁ ମୁଖରେ ପଡ଼ୁଛି ଅଥବା ଦୁର୍ଘଟଣା କାରଣରୁ ସବୁଦିନ ପାଇଁ ପଙ୍ଗୁ ଅଥବା ବିକଳାଙ୍ଗ ସାଜି ବେକାର ହୋଇ ଭିକାରୀ ଜୀବନ ଯାପନ କରୁଛି । ଏଥିରୁ ନିବୃତ୍ତି ରଖି ଶିଶୁମାନଙ୍କୁ ଉନ୍ନତ ଭାବରେ ଗଢ଼ିବାରେ ଏବେକାର ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପୁଷ୍ଟିସାଧନ ଆଜି ସୁବିଧା ଓ ସୁଯୋଗମାନ ଯୋଗାଇ ଚାଲିଛନ୍ତି । ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦପାଇଁ ବ୍ୟବସ୍ଥାମାନ ଏବେ ଗ୍ରହଣ କରାଯାଉଛି । ସେଥିପାଇଁ ଶିକ୍ଷା, ଷ୍ଟାଇପେଣ୍ଡ, ପ୍ରୋତ୍ସାହନ, ପ୍ରେରଣା, ସ୍ୱାସ୍ଥ୍ୟ ଓ ଧନ୍ଦାମୂଳକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଅନୁଯାୟୀ ନିୟୋଜିତ ଶିଶୁମାନଙ୍କୁ ତାଙ୍କ କର୍ମସଂସ୍ଥାନରୁ ଫେରାଇଆଣି ସର୍ବଶିକ୍ଷା ଅଭିଯାନ ଅନ୍ତର୍ଭୁକ୍ତ କରାଯାଉଛି । ସେମାନଙ୍କ ଶାରୀରିକ ଯଥାର୍ଥ ବୃଦ୍ଧି ସାଧନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ବିଭିନ୍ନ ସ୍ଥାନରେ ଆବଶ୍ୟକତାକୁ ନେଇ ସ୍ୱତନ୍ତ୍ର ବିଦ୍ୟାଳୟ ମଧ୍ୟ ସ୍ଥାପନ ହେଉଛି । ଏହାସତ୍ତ୍ୱେ ଯଦି କୌଣସି ଶିଶୁ ନିୟୋଜନ ଥାଆନ୍ତି ସେଠି ପିତାମାତାଙ୍କୁ ପ୍ରବର୍ତ୍ତାଇବାକୁ ପଦକ୍ଷେପ ନିଆଯାଉଛି ଏବଂ ଶିଶୁଶ୍ରମିକ ନିୟୋଜନ କାରୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯାଉଛି । ସର୍ବଶିକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ଅଧୁନା ୬-୧୪ବର୍ଷ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆଣି ଶିକ୍ଷାଦେବାର ବ୍ୟବସ୍ଥା ତ୍ୱରାନ୍ୱିତ କରାଯାଉଛି । ଏସବୁ ସତ୍ତ୍ୱେ ଭାରତରେ ଓଡ଼ିଶାରେ ଶିଶୁ ଶ୍ରମିକ ସଂଖ୍ୟା ସର୍ବାଧିକ । ୨୦୦୩ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସେତେବେଳେ ଗଞ୍ଜାମରେ ଏହାଥିଲା ୬୫,୮୭୮ କେବଳ । ତା’ତଳକୁ ଥିଲା ମୟୁରଭଞ୍ଜ ୬୦,୪୨୪ ଶିଶୁଶ୍ରମିକ । ଏହି କ୍ରମରେ ଏବେବି ସୁନ୍ଦରଗଡ଼, କଟକ, ସମ୍ବଲପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଅନୁଗୁଳ… ଇତ୍ୟାଦି ଅଛନ୍ତି । ଓଡ଼ିଶାରେ ଗ୍ରାମାଞ୍ଚଳରେ ଅଧିକାଂଶ ଶିଶୁ ଶ୍ରମିକ ଚାଷ କାର୍ଯ୍ୟ, ଘରୋଇ ସେବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ବେଳେ ସହରମାନଙ୍କରେ ହୋଟେଲ, ଗ୍ୟାରେଜ, ଜୋତା ପଲିସ୍‌, ଦରଜୀ ଦୋକାନ, କାଚ ଗୋଦାମ, ମାଛ ଗୋଦାମ, ତେଜରାତି ଦୋକାନ ଏବଂ ଘରୋଇ ସେବାରେ ନିୟୋଜିତ ଅଛନ୍ତି । ଏତଦ୍‌ଭିନ୍ନ ବିଡ଼ି ତିଆରି, ଅଗରବତୀ ପ୍ରସ୍ତୁତି, କୋଇଲା ଓ ଲୁହାପଥର ସଂଗ୍ରହ, କବାଡ଼ି ଜିନିଷ ସଂଗ୍ରହ ଇତ୍ୟାଦିରେ ଶିଶୁମାନଙ୍କୁ ନିୟୋଜନ କରାଯାଉଛି । ଏହା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଶିଶୁଶ୍ରମିକ ଓ ଶୋଷଣ ଅନ୍ତର୍ଭୁକ୍ତ ଅଟେ । ଏପ୍ରକାର ଶୋଷଣ ପାଇଁ ଆମ ଭିତରେ ଥିବା ପୁଞ୍ଜିପତି ଏବଂ ମୁନାଫାଖୋର ଗୋଷ୍ଠୀଦାୟୀ । ଏଥିପାଇଁ ବର୍ତ୍ତମାନ ‘କ୍ୟାମ୍ପେନ୍ ଏଗ୍‌ନେଷ୍ଟ ଚାଇଲଡ଼୍ ଲେବର’ ତରଫରୁ ସଂଗ୍ରାମ ଜାରିରହିଛି । ସେହିପରି ବାଳିକା ଶ୍ରମ ନିଷେଦ୍ଧକୁ ସ୍ୱତନ୍ତ୍ର ଆଇନ ଅଛି । ଶିଶୁଶ୍ରମିକ ପ୍ରଥା ଲୋପପାଇଁ ଖାଲି ଆଇନ ଯଥେଷ୍ଟ ନୁହେଁ । ଏଥିପାଇଁ ସଚେତନତା ସୃଷ୍ଟିଦରକାର ଏବଂ ସର୍ବଶିକ୍ଷା ଅଭିଯାନର ବାସ୍ତବ ରୂପରେଖ ପାଇଁ ଆନ୍ତରିକ ପ୍ରଚେଷ୍ଟା ଦରକାର । ଏ ଦାୟିତ୍ୱ ମୋର, ଆପଣଙ୍କର ଏବଂ ସଭିଙ୍କର । ଏହା ସତ୍ୟ ଯେ ଶିଶୁହିଁ ଏ ଜାତିର ଭବିଷ୍ୟତ ଏବଂ କର୍ଣ୍ଣଧାର । ତାକୁ ଠିକ୍ ଭାବରେ ଗଢ଼ି ତୋଳିବା ଦାୟିତ୍ୱ ଆମର ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବପିନବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ