ଶ୍ରୀ ଜଗନ୍ନାଥଙ୍କଯାତ୍ରା ଧାରାରେ ଚନ୍ଦନ ଯାତ୍ରା

ବିପିନ ବିହାରୀ ମହାନ୍ତି
ଶ୍ରୀ ଜଗନ୍ନାଥଙ୍କ ନାନା ଯାତ୍ରା ବା ମହୋତ୍ସବ ପାଳନ ହୁଏ । କେତେକଙ୍କ ମତରେ ଏହି ଯାତ୍ରା ଛପନ ବା ଅଣଷଠି ପ୍ରକାରବେଳେ ଆଉ କେତେକ ମତରେ ଏହା ବାଷଠି ପ୍ରକାର । ତେବେ ସେମାନଙ୍କ ମଧ୍ୟରେ ଦ୍ୱାଦଶ ଯାତ୍ରା ହିଁ ମୁଖ୍ୟ । ପୁନଶ୍ଚ ଭକ୍ତମାନଙ୍କ ମତରେ ବାରମାସରେ ତେର ଯାତ୍ରା: ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ.. । ଏହି ଦ୍ୱାଦଶ ଯାତ୍ରା ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ । ଏହା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଏକୋଇଶ ଦିନବ୍ୟାପୀ ଅନୁଷ୍ଠିତ ହୁଏ । ଅକ୍ଷୟତୃତୀୟା ଏକ ଶୁଭ ଦିନ । ସବୁ ଅନୁକୂଳର ଏହା ଶ୍ରେଷ୍ଠ ଦିନ । ଏହି ଦିନ ଠାକୁରଙ୍କ ଆଜ୍ଞାମାଳ ପାଇ ରଥକାଠ ଅନୁକୂଳ ହୁଏ । ଏହାମଧ୍ୟ ଭଗବାନ ପର୍ଶୁରାମ ଓ ଜୟଦେବଙ୍କର ଜନ୍ମ ତିଥି । ଏହିଦିନ ଗଙ୍ଗା ମର୍ତ୍ତ୍ୟା ଗମନ କରିଥିଲେ ଏବଂ ରେବତୀଙ୍କ ସହ ବଳଭଦ୍ରଙ୍କର ବିବାହ ହୋଇଥିଲା । ତେବେ ଚନ୍ଦନ ଯାତ୍ରା କାରଣରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ଅକ୍ଷୟତୃତୀୟାଦିନ ଶ୍ରୀ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନ ମୋହନଙ୍କ ସହିତ ଭୂଦେବୀ ଓ ଶ୍ରୀଦେବୀ ଗୋଟିଏ ପାଲିଙ୍କିରେ ଏବଂ ରାମକୃଷ୍ଣ ବେନି ମୂର୍ତ୍ତି ଭିନ୍ନ ଏକ ପାଲିଙ୍କିରେ ଚନ୍ଦନ ପୋଖରୀ ବା ନରେନ୍ଦ୍ର ପୁଷ୍କରିଣୀକୁ ନାବକ୍ରୀଡ଼ା ବା ଚାପ ଖେଳପାଇଁ ଗମନ କରନ୍ତି । ଏମାନଙ୍କ ସହିତ ପଞ୍ଚମହାଦେବ ଯଥା; ଶ୍ରୀ ଲୋକନାଥ, ଯମେଶ୍ୱର, କପାଳ ମୋଚନ, ମାର୍କେଣ୍ଡଶ୍ୱର ଓ ନୀଳକଣ୍ଠେଶ୍ୱରଙ୍କ ବିଜୟ ପ୍ରତିମାମାନ ମଧ୍ୟ ଯୋଗଦେଇଥାନ୍ତି ।
ଚନ୍ଦନ ଯାତ୍ରାର ବିଧି ନେଇ ସ୍କନ୍ଧ ପୁରାଣ ତଥା ‘ନିଳାଦ୍ରୀ ମହୋଦୟ’ରେ ଉଲ୍ଲେଖ ଅଛି: ଚନ୍ଦନ ଲେପନ ନେଇ ସ୍କନ୍ଦ ପୁରାଣ କୁହେ
“ବୈଶାଖସ୍ୟ ସିତେ ପକ୍ଷେ ତୃତୀୟାକ୍ଷୟ ସଂଜ୍ଞିକା ।
ତତ୍ର ମାଂ ଲେପୟେଦ୍ ଗନ୍ଧ ଲେପ ନୈରତି ଶୋଭନମ୍ । ।”
ସେହିପରି ନାବକ୍ରୀଡ଼ା ନେଇ ନୀଳାଦ୍ରୀମହୋଦୟରେ ବର୍ଣ୍ଣିତ ହୋଇଛି,
“ବୈଶାଖେଚ ସିତେ ପକ୍ଷେ ତୃତୀୟାୟାଂ ଜଗଦ୍ ଗୁରୋଃ
ନାବକ୍ରୀଡ଼ା ପ୍ରକୁର୍ବୀତ ସର୍ବ କାମାର୍ଥ ସିଦ୍ଧୟେ । ।”
ପ୍ରଥମେ ବିଗ୍ରହକଙ୍କୁ ନୈକାରେ ରଖି ଥରେ ପୁଷ୍କରିଣୀରେ ବୁଲାଇ ଅଣାଯାଏ ଏବଂ ନୈାକାରୁ ନେଇ ଜଳ କ୍ରୀଡ଼ା ମଣ୍ଡପରେ ଥିବା ଜଳକୁଣ୍ଡରେ ପ୍ରାୟ ତିନି ପ୍ରହର ଯାଏଁ ଜଳଶାୟୀ କରାଯାଏ । ଏ ଜଳରେ ଚନ୍ଦନ ଚର୍ଚ୍ଚିତ ହୋଇଥାଏ । ଏହାପରେ ପୂଜା ଓ ଭୋଗ ଲାଗି ହୁଏ । ଏହି ଉତ୍ସବରେ ଚାରିକୋଣ ଧରି ପୁଷ୍କରିଣୀ ମଧ୍ୟଭାଗରେ ସାତଥର କରି ପାଞ୍ଚଟି ସାତ ଭଉଁରୀ କରାଯାଏ । ଏ ଚାପ ଖେଳ ପାଇଁ ସୁସଜ୍ଜିତ ନୈାକାର ବ୍ୟବସ୍ଥା ଥାଏ । ଚାପଖେଳ ବେଳେ ନୃତ୍ୟ, ଗୀତ, ମାର୍ଦ୍ଦଳ ଏବଂ ହରିବୋଲ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ । ନୃତ୍ୟ ପରିବେଷଣରେ ଦେବଦାସୀଙ୍କ ଭୂମିକା ମଧ୍ୟ ଅଛି । ଏହି ଦେବଦାସୀ ନୃତ୍ୟକୁ ଲକ୍ଷ୍ୟକରି ଚନ୍ଦନ ଚମ୍ପୁ ରେ କବି କଣ୍ଠ ସଦାଶିବ ମିଶ୍ର ଲେଖିଛନ୍ତି :
“ତୈଲଙ୍ଗ କାହା ଳର ବୋତଥ୍ ଷୀ ତୈର ଭ୍ରଂକଷୈଃ କର୍ଣ୍ଣରସାୟ ନୈଶ୍ଚ ।
ଦେବାଙ୍ଗ ନା କଣ୍ଠ ବିମୁକ୍ତ ଗୀତଧ୍ୱନୀ ର୍ଜ ଜ୍ଜୃମ୍ଭେତ ଽଭିନୟେନ ସାର୍ଦ୍ଧମ୍ । ।
ଏ ଚାପ ଦୁଇ ଭାଗରେ ବିଭକ୍ତ: ଦିନ ଚାପ ଓ ରାତି ଚାପ ଦିନ ଚାପ ଖେଳ ପରେ ବିଗ୍ରହଙ୍କ ନିମନ୍ତେ ଉର୍ଦ୍ଦିଷ୍ଠ ରହଣି ଗୃହରେ ଅଥବା ଜଳକ୍ରୀଡ଼ା ମଣ୍ଡପରେ ବିଶ୍ରାମ ଦିଆଯାଇ ଚନ୍ଦନ ଚର୍ଚ୍ଚିତ ବେଶଲାଗି କରାଯାଏ । ଏହାପରେ ଅନୁରୂପ ରାତ୍ରି ଚାପ ପରେ ବିଗ୍ରହମାନଙ୍କୁ ମନ୍ଦିରକୁ ଫେରାଇ ଅଣାଯାଏ । ଏହିପରି ନିତିଦିନ ଏକୋଇଶ ଦିନଯାଏଁ ଚାଲେ । ଏହି ଅବସରରେ ବିଗ୍ରହଙ୍କୁ ଯାତ୍ରା ଆରମ୍ଭରୁ ଶେଷଯାଏଁ ନଟବର, ଶ୍ରୀକୃଷ୍ଣ. ରାଜାଧିରାଜ, ବନବିହାରୀ, ବସ୍ତ୍ରହରଣ, ଗୋମତୀ କୃଷ୍ଣ, ଖଟବୋଳି, ଚନ୍ଦ୍ର ନାରାୟଣ, ନାବକେଳି, ରାସମଣ୍ଡଳ, କନ୍ଦର୍ପ ରଥ, ଅଘାସୁରବଧ, ରଘୁନାଥ ଚୈତନ୍ୟ, ଗିରି ଗୋବର୍ଦ୍ଧନ, ଗିରିଧାରୀ, ବସ୍ତ୍ରହରଣ, ଚିନ୍ତାମଣି, ଗଜୋଦ୍ଧାରଣ ବେଶ ଇତ୍ୟାଦି କରାଯାଏ ।
ଏହି ସମୟରେ ପୁରୀରେ ସାହିମାନଙ୍କରେ ସୁଆଙ୍ଗ ଇତ୍ୟାଦି ସାହିଯାତ ପରିବେଶକୁ ଆହୁରି ମୁଖରିତ କରିଦିଏ । ଜଗନ୍ନାଥ ସଂସ୍କୃତି ଓ ଧର୍ମ ଓଡ଼ିଶାର ନିଜସ୍ୱ ହେତୁ ଏହାର ପୁର ପଲ୍ଲୀରେ ଅନୁରୂପ ଚନ୍ଦନ ଯାତ୍ରାମାନ ଉର୍ଦ୍ଦିଷ୍ଟ ଚନ୍ଦନ ପୋଖରୀମାନଙ୍କରେ ଅନୁଷ୍ଠିତ ହୁଏ । ଏଥିରେ ମଧ୍ୟ ରାମ, କୃଷ୍ଣ ବା ମଦନ ମୋହନଙ୍କ ବିଜେ ପ୍ରତିମାଙ୍କୁ ନୈାକା ବିହାରକୁ ନିଆଯାଏ । କେଉଁଠି କେଉଁଠି ଏହାକୁ କେନ୍ଦ୍ରକରି ଭଉଁରୀ ଯାତ୍ରା ହୁଏ । ବାଣଫୁଟେ, ସର୍କସ ପଡ଼େ ଏବଂ ନାଚ ତାମସା ହୁଏ । ସାମାଜିକ ଓ ଧାର୍ମିକ ପରମ୍ପରାରେ ଚନ୍ଦନଯାତ୍ରା ଏକ ଆକର୍ଷଣୀୟ ଏବଂ ଉପଭୋଗ୍ୟର ମାହାଲ । ଅଧ୍ୟକ୍ଷ, ଓଡି଼ଆ ଭାଷା ସଂରକ୍ଷଣ ଏବଂ ଗବେଷଣ ପ୍ରତିଷ୍ଠାନ: ବିପିନବିହାରୀ ପାଠାଗାର,
ବିକାଶ ନଗର ଜଟଣୀ,
ଶୂନ୍ୟଭାଷ ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ