ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବ୍ୟାପାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଗୁରୁତ୍ୱ ଦୃଷ୍ଟିରୁ ଏ ବିଷୟରେ ମିଳିତଭାବେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ରିକ୍ସର ଏହି ଉଚ୍ଚସ୍ତରୀୟ ବୈଠକ ଏ କ୍ଷେତ୍ରରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏବେ ପାରମ୍ପରିକ ଇନ୍ଧନର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରି କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଊର୍ଜାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହିତ ବିକାଶ ପ୍ରକ୍ରିୟାକୁ ନିରନ୍ତର କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଅଧିକ । ଏହି ଉଚ୍ଚସ୍ତରୀୟ ବୈଠକରେ ଚୀନର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହୁଆଙ୍ଗ ରନ୍କି ଅଧ୍ୟକ୍ଷତା କରିଥିଲେ । ଏଥିରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦିର ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଅଙ୍ଗୀକାରବଦ୍ଧ ଏବଂ ସମୂଳର ଯଥାର୍ଥ ଉପଯୋଗ କରି ଅପଚୟ ରୋକିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ହାସଲ କରିବାରୁ ଉଦ୍ୟମ କରୁଛି । ଭାରତର ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ଗ୍ରହଣ କରିସାରିଛି । ଅକ୍ଷୟଶକ୍ତି, ସହନଯୋଗ୍ୟ ବସବାସ, ଅତିରିକ୍ତ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ୍ (ଅଙ୍ଗାର ନିଃଶୋଷଣ ବ୍ୟବସ୍ଥା) ସୃଷ୍ଟି, ବିକଳ୍ପ ଇନ୍ଧନଯୁକ୍ତ ପରିବହନ ବ୍ୟବସ୍ଥାକୁ କ୍ରମଶଃ ପରିବର୍ତ୍ତନ, ଇ-ମବିଲିଟି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବା ଆଦି ଭାରତ ଗ୍ରହଣ କରିଥିବା କେତେକ ବଳିଷ୍ଠ ପଦକ୍ଷେପର ଉଦାହରଣ ବୋଲି ମନ୍ତ୍ରୀ କହିଥିଲେ । ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରି ଭାରତ କିପରି ଅର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟା ବଢାଇବାରେ ସଫଳ ହେଉଛି ମନ୍ତ୍ରୀ ତାହାର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ବିକାଶଶୀଳ ଦେଶମାନଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ବିଭିନ୍ନ ବିଷୟ ଉପରେ ନିର୍ଭର କରେ । ଏହା ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ଧନାଢ୍ୟ ସଂସ୍ଥା ଆବଶ୍ୟକ ଅର୍ଥ, ଟେକ୍ନୋଲୋଜି ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ୟୁଏନ୍ଏଫସିସି ଓ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଯେଉଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତଦନୁସାରେ ଏହା କରାଯିବା ଉଚିତ ବୋଲି ସେ କହିଛନ୍ତି । ଗ୍ଲାସଗୋ ନିଷ୍ପତ୍ତି ଏବଂ କୋପ୍-୨୬ ପ୍ରେସିଡେନ୍ସି ଦ୍ୱାରା ପ୍ରକାଶିତ ଜଳବାୟୁ ମୁକାବିଲା ବିତ୍ତଯୋଗାଣ ଯୋଜନା ଫଳରେ ଏହି ଅର୍ଥ ଯୋଗାଣ ଓ ଟେକେ୍ନୋଲୋଜି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହେବା ଘେନି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି । ଏହି ବୈଠକରେ ବିକ୍ସ ରାଷ୍ଟ୍ର ସମୂହର ପରିବେଶ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ଅଙ୍ଗୀକାର ପ୍ରକାଶ କରିଥିଲେ । ଆହୁରି ମଧ୍ୟ ସହଯୋଗର ବିଷୟବସ୍ତୁ ଓ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି । ବୈଠକ ଶେଷରେ ଜାରି ମିଳିତ ଘୋଷଣା ନାମରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜ ନିଜ ମଧ୍ୟରେ ନୀତି ଅଦଳବଦଳ (ପଲିସି ଏକ୍ସଚେଞ୍ଜ) କରିବା ସହିତ ସହଯୋଗକୁ ଅଧିକ ନିବିଡ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ