ମାଲବାହି ରେଳ ଧକ୍କା ଦେଲା ହାତୀ ପଲକୁ : ଗୋଟିଏ ମାଈ ହାତୀ ସହ ୨ ଛୁଆ ହାତୀ ମୃତ

ଯୋଡା, (ସମୀର କୁମାର ଦାସ) :-ଚମ୍ପୁଆ ରେଞ୍ଜରୁ ହାତୀ ପଲ ନିପାତ ହେବାକୁ ବସିଲେଣି । ବାରମ୍ବାର ରେଳ ଧାରଣାରେ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିକାର କରାଯାଇପାରୁନାହିଁ । ଫଳରେ ଗୁରୁବାର ସନ୍ଧ୍ୟାରେ ବାଂଶପାଣି ବେହେରା ହାଟିଂ ନିକଟ ରେଳ ଧାରଣାରେ ଏକ ୨୨ ଟିକିଆ ହାତୀ ପଲ ରେଳଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଏହି ଧକ୍କାଟି ଏତେ ତୀବ୍ରତର ଥିଲା ଯେ, କେତେକ ହାତୀ ରେଳ ଧାରଣା ଉପରୁ ଏଣେତେଣେ ଛିଟିକି ହୋଇପଡିଥିଲେ । ତେବେ ଗୋଟିଏ ମାଈ ହାତୀ ଏବଂ ୨ ଛୁଆ ହାତୀ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ହାତୀ ରେଳ ଧାରଣା କଡ଼ରେ ଥିବା ଡ୍ରେନରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଛୁଆ ହାତୀଟିର ରାତି ୧ଟା ସମୟରେ ମୃତ୍ୟୁହୋଇଥିବା ବେଳେ ମାଈହାତୀଟି ଭୋର ୫ ଟା ସମୟରେ ମୃତ୍ୟୁ ବରଣ ହୋଇଥିବା ଖବର ହସ୍ତଗତ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ମାନେ ଥିବା ବେଳେ ମୃତ ହାତୀଙ୍କୁ ଜେସିବି ଲଗାଇ ଗାତ ଖୋଳି ପୋତିବାର ବ୍ୟବସ୍ଥା କରାଯାଇଛି । ତେବେ ଟ୍ରେନ ଦୁର୍ଘଟଣା ହୋଇଥିବା ବେଳେ ବ୍ୟବଚ୍ଛେଦ କରିବାର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି ଡିଏଫଓ । ସୁଚନାଯୋଗ୍ୟ,ପୂର୍ବରୁ ଠିକ୍ ସେହି ସ୍ଥାନରେ ଅନେକ ଗୁଡିଏ ହାତୀ ଦୁର୍ଘଟଣାରେ ମୃତାହତ ହୋଇଥିବା ବେଳେ ଉକ୍ତ ସ୍ଥାନକୁ ବନବିଭାଗ ହସ୍ତି ଚଳ ପ୍ରଚଳ ସ୍ଥାନ ଭାବେ ଚିହ୍ନଟ କରି ବ୍ୟାରିକେଟ ଦେବାର ବ୍ୟବସ୍ଥା ଅଦ୍ୟବଧି କରିନାହାନ୍ତି । ଏହି ୨୨ ଟିକିଆ ହାତୀ ପଲ ଦୀର୍ଘ ଏକ ସପ୍ତାହ ଧରି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଥିବା ବେଳେ ବନ ବିଭାଗ ସେମାନଙ୍କ ପ୍ରତି ନିଘାନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ପରିବେଶବିତମାନେ ନିିନ୍ଦା କରିଛନ୍ତି । ସୂଚନାରୁ ଜଣାପଡିଛି ଚମ୍ପୁଆ ରେଞ୍ଜ ଯୋଡା ସେକସନ ଅନ୍ତର୍ଗତ ଘଟଣା ଠାରୁ ଅନତି ଦୂରରେ ବିଚାକୁଣ୍ଡି ଜଙ୍ଗଲରେ ଏହି ହାତୀ ପଲ ୧୩ ତାରିଖ ଠାରୁ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ଖଣି ଓ ଉଗ୍ର ଶିଳ୍ପାୟନ ଯୋଗୁଁ ବ୍ୟାପକ ଜଙ୍ଗଲ ଅବକ୍ଷେୟ ଫଳରେ ଖାଦ୍ୟଭାବ ଦେଖାଦେଇଥିବାରୁ ଏହି ହାତୀ ପଲ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । କେତେକ ଖଣିରେ ସେମାନଙ୍କ ଚଳପ୍ରଚଳ ସ୍ଥାନକୁ ଅବରୋଧ କରାଯାଇ ଖଣି ଖନନ କରାଯାଉଥିବାରୁ ସେମାନେ ଜନବସତୀ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ବନବିଭାଗର ଖାମଖିଆଲ ନୀତି ଏହି ଦୁର୍ଘଟଣାର ମୁଳ କାରଣ ବୋଲି ଜଣାପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ