ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ : ସୂଚନା ଦେଲେ ୫ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ “ପିଲାଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଆକ୍ସନଏଡ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଘାସିରାମ ପଣ୍ଡା, ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ଅନୁପମା ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀ, ଜିଲ୍ଲା ବାଲ୍ୟ ବିବାହ ସଂଯୋଜିକା ଶକୁନ୍ତଳା ଦାସଙ୍କ ସମେତ ଶ୍ରମ ବିଭାଗ, ଶିକ୍ଷା ବିଭାଗ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ବାଲ୍ୟ ବିବାହ କ୍ଷେତ୍ରରେ ସମ୍ପ୍ରତି ଜିଲ୍ଲାର ସ୍ଥିତି ଓ ଜିଲ୍ଲାରୁ ବାଲ୍ୟ ବିବାହକୁ ଦୂର କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସମନ୍ୱିତ ଉଦ୍ୟମରେ ଜିଲ୍ଲାରୁ ବାଲ୍ୟ ବିବାହକୁ ଦୂର କରିବା ପାଇଁ ସମସ୍ତେ ମତ ରଖିଥିଲେ । ବିଦ୍ୟାଳୟ ସ୍ତରରେ ଗଣ ଶପଥପାଠ, ଗ୍ରାମ କଲ୍ୟାଣ ସମିତି ଜରିଆରେ ଗ୍ରାମସ୍ତରୀୟ ଓ ଧାର୍ମିକ ଅନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି ପାଇଁ ଏଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବାଲ୍ୟ ବିବାହ ସୂଚନା ଆସିଲା ମାତ୍ରେ ଚାଇଲ୍ଡଲାଇନ୍‌, ପୋଲିସ୍‌, ଶିଶୁ ସୁରକ୍ଷା ୟୁନିଟ୍‌, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପ୍ରତ୍ୟେକ ବାଲ୍ୟ ବିବାହକୁ ରୋକିବା ଯେପରି ସୁନିଶ୍ଚିତ କରାଯାଇପାରିବ ସେଥି ନିମନ୍ତେ ଏହି ଅବସରରେ ନିଷ୍ପତି ନିଆଯାଇଥିଲା । ଜିଲ୍ଲାରେ ବାଲ୍ୟବିବାହ ହେଉଥିବା ନେଇ ଠିକ୍ ସମୟରେ ସୂଚନା ପ୍ରଦାନ କଲେ ସୂଚନାପ୍ରଦାନକାରୀଙ୍କୁ ୫ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଥିଲା । ଆଗାମୀ ଦିନରେ ବାଲ୍ୟବିବାହ ମୁକ୍ତ ଗ୍ରାମକୁ ଏକ ଅଭିଯାନ ଭାବେ ଆଗେଇ ନେବା ପାଇଁ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ କୁନ୍ତଳା କୁମାରୀ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ