ଓଡ଼ିଶାର ଜାତୀୟ ପର୍ବ : ରଜ

ବିପିନ ବିହାରୀ ମହାନ୍ତି

ରଜ ହେଉଛି ମାଟି ମା’ ପୂଜାର ଏକ ପର୍ବ ଓ ପରମ୍ପରା । ଏହା କୃଷ୍ଣଭିତ୍ତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱ ପୂର୍ଣ୍ଣ ମନୋରଂଜନର ଅନୁଷ୍ଠାନ ବା କାର୍ଯ୍ୟକ୍ରମ । ହଜାର ହଜାର ବର୍ଷତଳୁ ବୈଦିକ ଯୁଗରୁ ବଳିଆସୁଥିବା ପ୍ରକୃତି ପୂଜାର ଏକ ନିଦର୍ଶନ ହେଉଛି ଏ ଧାତ୍ରୀ ପୂଜା:ରଜ । ରଜ କହିଲେ ନାରୀ ଯୋନିରୁ ନିସୃତର ରସ ବା ରକ୍ତ । ନାରୀଟିଏ ୠତୁମତୀ ବା ରଜସ୍ୱଳା ହେଲେ ପରବର୍ତ୍ତୀ ସ୍ତରରେ ପ୍ରଜନନ ବା ସୃଜନର ପ୍ରତିଶ୍ରୁତି ଦିଏ । ଏହା ପ୍ରତିଟି କିଶୋରୀ, ବର୍ତ୍ତମାନ ପ୍ରାପ୍ତ ବାଳିକା ବା ନାରୀ ପାଇଁ ସତ୍ୟ । ଏ ବସୁଧା ଏକ ନାରୀ, ମାଟିମା’ । ଏ ମାଟିମା’ ଆଦ୍ୟଆଷାଢ଼ରେ ପ୍ରଥମ ବର୍ଷଣରେ ହୁଏ ରଜସ୍ୱଳା ବା ୠତୁମତୀ । ଏହି ସମୟରେ ଏ ମାଟିରୁ ନିସ୍ତୃତ ହୁଏ ଏକ ତରଳ ପଦାର୍ଥ ୠତୁସ୍ରବା ନାରୀଟିଏ ପରି ଏବଂ ଉର୍ବରତା ଆଣେ ପରବର୍ତ୍ତୀ ମାଟି କର୍ଷଣ ଓ ବୀଜ ବପନର ଅନୁକୂଳ ଅବସ୍ଥା ।
ରଜସୂଳା ନାରୀଟିଏ ଏହି ସମୟରେ ସଂପୂର୍ଣ୍ଣ ବିଶ୍ରାମ ନିଏ । ଖୁସିବାସି, ମଉଜ ମଜଲିସ୍ ଓ ଭଲ ଖାନାପିନାରେ କଟାଏ ଏ ତିନିଦିନ । ଚତୁର୍ଥ ଦିନ ଗାଧୋଇପାଧୋଇ ଶୁଦ୍ଧିହୁଏ । ତାପରେ ସ୍ପର୍ଶ ଯୋଗ୍ୟ ଓ ହୁଏ ପ୍ରଜନନ କ୍ଷମ । ନାରୀଟିଏ ପାଇଁ ଯାହା ସତ୍ୟ, ତାହା ଧରିତ୍ରୀ ପାଇଁ ସତ୍ୟ । ଏଣୁ ତିନିଦିନ ଧରିତ୍ରୀର ରଜସ୍ୱଳା କାରଣରୁ କର୍ଷଣ ବା ଧର୍ଷଣ କରାଯାଏ ନାହିଁ । ତା’ ପ୍ରତି ସମସ୍ତ ଅତ୍ୟାଚାର ମନା । ମାଟିମା’ର ରଜସ୍ୱଳାକୁ ଗୁରୁତ୍ୱ ଓ ସମ୍ମାନ ଦେଇ ଆମେ ପାଳୁ ରଜପର୍ବ ।
ରଜ କୌଣସି ବ୍ରତ, ଓଷା, ଉପବାସ କି ଧାର୍ମିକ ଅନୁଷ୍ଠାନ ନୁହେଁ । ଏହା ଏକ ପର୍ବ । ବିଷ୍ଣୁ ପୁରାଣ ଅନୁସାରେ ଚତୁର୍ଦ୍ଦଶୀ, ଅଷ୍ଣମୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ପଡ଼ୁଥିବା ପୂଜାପାର୍ବଣକୁ ‘ପଞ୍ଚପର୍ବ’ ବୋଲି କୁହାଯାଏ । ରଜ ମିଥୁନ ବା ଆଷାଢ଼ ସଂକ୍ରାନ୍ତି ଦିନ ପଡ଼େ । ଏଣୁ ଏହାପର୍ବ । ଅନ୍ୟାନ୍ୟ ପର୍ବ ଗୁଡ଼ିକ ମାତ୍ର ଗୋଟିଏ ଦିନ ପାଳିତ ହେଉଥିବା ବେଳେ ରଜପର୍ବ ମୁଖ୍ୟତଃ ତିନିଦିନ ପାଳିତ ହୁଏ । ମିଥୁନ ସଂକ୍ରାନ୍ତିର ପୂର୍ବଦିନହିଁ ପହିଲି ରଜ, ସଂକ୍ରାନ୍ତିହିଁ ମଧ୍ୟରଜ ଏବଂ ସଂକ୍ରାନ୍ତି ବାସୀକୁ ଭୂଇଁ ନହଣ ବା ଭୂମି ଦହନ କୁହାଯାଏ । ରଜପୂର୍ବଦିନକୁ ସଜବାଜ ଦିନବୋଲି କୁହାଯାଏ । ସ୍ଥଳ ବିଶେଷରେ ଏହାକୁ ପାଣିବସା’ ବା ‘ପାଣିଅଣା’ ବୋଲି କୁହାଯାଏ । ରଜବାସି ଅର୍ଥାତ ମିଥୁନ୍ ୩ୟ ଦିନକୁ ପଞ୍ଚମରଜ ବା ବସୁମତୀ ସ୍ନାନ ବୁଡ଼ କୁହାଯାଏ । ଏମିତିରେ ରଜ ପାଞ୍ଚଦିନ ବୋଲି ମଧ୍ୟ ଧରାଯାଏ ।
ରଜତିନିଦିନ ନାରୀମାନଙ୍କୁ ଗୃହକର୍ମ ଜନିତ ଶ୍ରମରୁ ନିବୃତ୍ତି ଦିଆଯାଉଥବବାରୁ ‘ସଜବାଜ’ ଦିନ ସ୍ତ୍ରୀଲୋକମାନେ ରଜ ତିନିଦିନ ପାଇଁ ସମସ୍ତକାମ ଯଥା ପରିବାକଟା, ବଛାକୁଟା, ପାଣିଅଣା, ବଟାବଟି, ମସଲାପ୍ରସ୍ତୁତି ରଜମୁଢ଼ି ଇତ୍ୟାଦି ଭଜାଭଜି, ପିଠାପାଇଁ ବଟାବଟି ଏବଂ କିଛି ପିଠାପଣା ଛଣା ଛଣିକରି ରଖି ଦେଇଥାଆନ୍ତି ।
ବାଳିକା, କିଶୋରୀ, ତରୁଣୀ, ଭୁଆସୁଣୀ ବା ବିବାହିତ । ନାରୀମାନଙ୍କ ପାଇଁ ଏହା ଏକ ଆନନ୍ଦର ପର୍ବ । ସେମାନେ ନିଜକୁ ନୂଆବସ୍ତ୍ରରେ ସୁନ୍ଦରଭାବରେ ସଜାଇ, ଅଳଙ୍କାରରେ ଭୂଷିତ କରାଇ, ପାରମ୍ପରିକ ହଳଦୀରେ ମୁହଁ ମାଖି, କଜ୍ୱଳରେ ଆଖିକୁ ରଂଜିତ କରି, ଗୋଡ଼ରେ ଅଳତା ଲଗାଇ ଅଥବା ଆଧୁନିକ ପ୍ରସାଧାନ ସାମଗ୍ରୀରେ ମାଖିମୁଖି ନିଜକୁ ଲୋଭନୀୟ ଶୋଭନୀୟ, ଆକର୍ଷଣୀୟ ଓ ଗ୍ରହଣୀୟ ପାଇଁ ଦେଖାଇ ହେଉଥାନ୍ତି ।
ଏହି ତିନିଦିନ ଝିଅ ବୋହୂମାନେ ବିଶେଷକରି ନିତିଦିନିଆ ଆହାର ଭାତଡ଼ାଲି ଉପରେ ନିର୍ଭର ନକରି ପିଠାପଣା ଓ ଫଳମୂଳ ଉପରେ ନିର୍ଭର କରିଥାନ୍ତି । ପିଠାଭିତରେ ପୁରଦିଆ ରଜମଣ୍ଡା, ରଜକାକରା, ରଜଏଣ୍ଡୁରୀ, ରଜର ଛେନା ଓ ଲାଉପୋଡ଼, ରଜଆରିଶା ଇତ୍ୟାଦି ପ୍ରଧାନ । ଫଳରେ ଆମ୍ବ, ପଣସ, ସପୁରୀ, ଲିଚୁ, ସପେଟା ଓ କଦଳୀ ଇତ୍ୟାଦି ପ୍ରଧାନ । ସେମିତିରେ ରଜପଣା, ରଜ ଘାଣ୍ଟ । ବୋହୂଘରୁ ଆସିଥିବା ରଜଭାର ଯାହାକି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ, ତହିଁକୁ ଅଦା, ଯୁଆଣି, ଗୁଜୁରାତି ଓ ଲବଙ୍ଗ ଦିଆ ମୁଆଁ ଭୂଜାରୁ ଆରମ୍ଭକରି ଯାହାକିଛି, ସବୁର ସ୍ୱତନ୍ତ୍ରତା ଅଛି । ପରିବାରର ପୁରୁଷ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ପାଇଁ ମାଛ ମାଂସ ତରକାରୀର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । ରଜର ବଡ଼ ସୁଆଦିଆ ମୁଖବାସ:ରଜପାନ । ଏକଥା ଆମେ ଜାଣିଛେ ଯେ, ଝିଅଟିଏ ପ୍ରଥମକି ଇତୁମତୀ ହେଲେ, ସେ ତିନିଦିନ ପାଇଁ ପୂର୍ଣ୍ଣ ବିଶ୍ରାମରେ ରୁହେ । ଗାଧୋଇବା ଦିନ ବନ୍ଧୁବାନ୍ଧବଙ୍କୁ ଲୋଡ଼ାଯାଏ, ଭୋଜିଭାତ ହୁଏ । ତାହାହିଁ ହୁଏ ରଜରେ । ଘରକୁ ଘର ବନ୍ଧୁବାନ୍ଧବ ଧରି ବୁଲାବୁଲି, ଖିଆପିଆ ଓ ପିଠାପଣା ଦେଣ ନେଣ ହୁଏ । କେହି କେହି ଦେଶରୁ ଭ୍ରମଣ ବା ତୀର୍ଥଭ୍ରମଣରେ ବି ଯାଆନ୍ତି । କେହିକେହି ଝିଅ ଜୋଇଁକୁ ନିମନ୍ତ୍ରଣ କରିଥାନ୍ତି ବା ଜୋଇଁ ଡ଼ାକରା କରନ୍ତି ।
ରଜରେ ନାରୀ ଜାତିପ୍ରତି ବହୁକଟକଣା ଅଛି । ଯେମିତି କଦଳୀ ବାସୁଙ୍ଗା ଅଥବା ଗୁଆ ଖୋଳପା ଲଗାଇ ଚାଲିବା, ସଂଧ୍ୟା ପୂର୍ବରୁ ଖାଇବା, ଅନୁଢ଼ା କୁମାରୀମାନେ ରଜସ୍ୱଳା ହେଲେ ପିଠା ଓ ଫଳଖାଇ ଆଗାମୀ ନାରୀତ୍ୱର ତାଲିମ ନେବା ଇତ୍ୟାଦି ବହୁକଥା ଅଛି ।
ସବୁଠୁ ବଳାଏ ମନୋରଞ୍ଜନ କାର୍ଯ୍ୟକ୍ରମ । ବିଶେଷକରି ବୟସ୍କମାନେ ଏହି ତିନିଦିନ ତାସ୍‌, କ୍ୟାରମ୍‌, ପଶା ଇତ୍ୟାଦିରେ ମାତିଥିବା ବେଳେ କିଶୋର ମାନେ ଗାଁ ଦାଣ୍ଡରେ ବାଗୁଡ଼ି ତ’, ଯୁବକମାନେ ନାଟ, ତାମସା, ପାଲା, ସୁଆଙ୍ଗ, ଦାସକାଠିଆ ବା ଥିଏଟର ନେଇ ବ୍ୟସ୍ତ ଥାଆନ୍ତି । ସବୁଠୁ ବଳାଏ କୁମାରୀମାନଙ୍କ ଦୋଳିଖେଳ ସାଂଗକୁ ଦୋଳିଗୀତ ଯାହାକି ବେଶ୍ ଉପଭୋଗ୍ୟ । କପାଳରେ ଚନ୍ଦନ ଓ ଅଗୁରୁର ଟିପାମାରି, ପାଟିରେ ପାନଜାକି, ଓଷ୍ଠରେ ଲିପ୍‌ଷ୍ଟିକ୍ ଦେଇ, ନିଜକୁ ସଜେଇ, ଦୋଳିରେ ବସାଇ ଓ ଉସାଇ ଯେଇଁ ମନମତାଣିଆ ଗୀତ ଗାଆନ୍ତି, ସେଥିରୁ କିଛି ଏଠାରେ ଉପସ୍ଥାପନା କଲୁ ।
ଞ୍ଚ ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ ।
ଞ୍ଚ ରଜ ଦୋଳି କଟକଟ, ମୋଭାଇ ମୁଣ୍ଡରେ ସୁନା ମୁକୁଟ, ଦିଶୁଥାନ୍ତି ଝଟଝଟ ।
ଞ୍ଚ ଢେମଣା ଛାଡ଼ିଲା କାତି, ପୁରୁଷସିନାଲୋ ଭ୍ରମର ଜାତିଲୋ, ନୂଆ ଖୋଜୁଥାନ୍ତି ନିତି ।
ଞ୍ଚ ବାଜିଲା ତେଲିଙ୍ଗିବାଜା ରସିକ ଯେ ଜାଣେ, ସ୍ନେହର ମଜାଲୋ ସେ ସିନା ମୋମନରଜା ।
ଞ୍ଚ କାଳୀଗାଈ ଦୁଗ୍ଧ କ୍ଷୀରୀ, ନୂଆପୀରତିରେ ମଉଜ ଭାରି ଗୋ ପୁରୁଣାଟି ନିମ୍ବପରି ।
ଞ୍ଚ ନିମ୍ବର ବୁକେ ଚନ୍ଦନ, ଦେବତାଗଢ଼ିଲା ନାରୀ ଜୀବନ ଲୋ ଦେଲା ତହିଁ ଯଉବନ ।
ଞ୍ଚ ସାଉଁଟିଲି ବିଲ ଘଷି, କିମ୍ପାଇ ରାଧିକା ବସିଲା ୠଷିଲୋ, ଫୁଲଶେଯ ହେଲା ବାସି ।
ଞ୍ଚ ମଇଁଷି ସିଙ୍ଗରେ ଖସା, ମଉସା ପୁଅଟା ଏଡ଼େ ସାହସା ଲୋ, ମୋତେ କଲା ଲୋକ ହସା ।
ଞ୍ଚ ବଇଁଶୀ ବାଜିଲା କୁଞ୍ଜେ ବଡ଼କଥା ବଡ଼ ଘରକୁ ସାଜେଲୋ, । ଛୋଟଙ୍କର ଛାଟ ବାଜେ’ ।
ଞ୍ଚ ଜାରା ମାରିଦେଲା ବାଣ, ଯାହାଠାରେ ଯା’ର ମିଶିଛି ମନଲୋ, ସେହିଜାଣେ ତା’ର ଗୁଣ ।
ଞ୍ଚ ବାଉଁଶ ପତର ସରୁ, ତୋତେ ନେଇଯିବି ସମ୍ବଲ ପୁରୁଲୋ, ଧାନ କଟା କଟି ସରୁ ।
ପ୍ରେମ, ପ୍ରଣତି, ପ୍ରୀତି, ପ୍ରତାରଣା, ପ୍ରତୀକ୍ଷା, ଶଙ୍କା, ଆଶଙ୍କା, ଭୀତି, ଭ୍ରମ ଏବଂ ଶଠତା ଇତ୍ୟାଦିକୁ ନେଇ ଗଢ଼ିଉଠିଛି ଏଇ ରଜଦୋଳି ଗୀତ । ବେଳେବେଳେ ଏଥିରୁ କିଛି କଟୁକ୍ତି ହେଲେହେଁ, ଏମାନେ ଯେ ସତ୍ୟ ଉପରେ ଆଧାରିତ ଏବଂ ଶ୍ରୁତି ମଧୁର ଏକଥା କେହି ଅସ୍ୱୀକାର କରିବେନାହିଁ । ଏଦୋଳିଗୀତ ଗୁଡ଼ିକ କିଛି କବିଙ୍କ ଦ୍ୱାରା ସୃଷ୍ଟି ହେଲେହେଁ, ଦୋଳିଖେଳବେଳେ ଆବେଗ ଓ ଉତ୍କଣ୍ଠାକୁ ନେଇ ଏଗୁଡ଼ିକ କିଶୋରୀ ବା ନାରୀକଣ୍ଠର ସ୍ୱତଃପ୍ଲୁତ ତତ୍‌କ୍ଷାଣିକ ସୃଷ୍ଟି । ରଜଦୋଳି ଖେଳ ସହିତ କୁମାରୀ କନ୍ୟାମାନଙ୍କର ଅନ୍ୟ ଖେଳଗୁଡ଼ିକ ହେଲା ପୁଚି, ଦଉଡ଼ି ଡ଼ିଆଁ, ଚକଚକା ଭଉଁରୀ, ଗୋଡ଼ି ବା ଟାକୁଆ ଘର ଖେଳ । ରଜ ଦୋଳିଗୀତି ପରି ଏଗୁଡ଼ିକର ସ୍ୱତନ୍ତ୍ର ଗୀତ ଅଛି ଯେମିତି : ଠିଆ ପୁଚିନାରଙ୍ଗ, ଗୋଡ଼ଦିଟା ସାରଙ୍ଗ….. ଇତ୍ୟାଦି ।
ରଜ ତିନିଦୀନ ଯଥାବିଧି ପାଳନ କରାଯାଏ । ରଜବାସୀ ବସୁମତୀ ସ୍ନାନ ବା ଠାକୁରାଣୀ ବୁଡ଼ । ଏହି ଦିନ ଭୂମି ଉପରେ ଖଣ୍ଡିଏ ଯାଗା ଚିକକ୍‌ଣ କରି ଗୋବରରେ ଲିପି ହଳଦୀ ପାଣି ସିଞ୍ଚନ କରାଯାଏ । ତା’ଉପରେ ଅଗୁର, ଚନ୍ଦନ ଓ କଜ୍ୱଳ ଇତ୍ୟାଦି ଦେଇ ପ୍ରକୃତି ମାତାକୁ ରୂପାୟିତ କରାଯାଏ ଏବଂ ପିଢ଼ାଉପରେ ଯଥା ସାମଗ୍ରୀ ରଖି ପୂଜାକରାଯାଏ । ସେଦିନ ପାହାନ୍ତାରୁ ଉଠି କାନ୍ଥରେ ଚକ୍‌ଖଡ଼ିଗାର ଏବଂ ଘରର ବାହ୍ୟ ପରିବେଶକୁ ଗୋବରରେ ଲିପି ବା ଗୋବର ପାଣି ଛିଞ୍ôଚ ଶୁଦ୍ଧିକରାଯାଏ । ବିଶ୍ୱାସ, ଏପରି କରିବା ଦ୍ୱାରା ଘରେ ଲମ୍ବା ଜନ୍ତୁ ପଶିବେ ନାହିଁ ।
କୁହାଯାଇଛି:ଯଥା ଦେହେ ତଥା ଦେବେ । ଜଗନ୍ନାଥ ଓଡ଼ିଆ ଜାତିର ଆରଧ୍ୟ ଲୌକିକ ଦେବତା । ଓଡ଼ିଆ ହିନ୍ଦୁ ପରିବାରର ସମସ୍ତ ନୀତି, ନିୟମ, ପରମ୍ପରା ଓ ଚଳଣି ଜଗନ୍ନାଥ ସଂସ୍କୃତି ସହିତ ନିହିତ । ଏଣୁ ଜଗନ୍ନାଥଙ୍କ ପାଇଁ ଯାହା ସତ୍ୟ ଏ ଓଡ଼ିଆ ପାଇଁ ତାହାହିଁ ସତ୍ୟ । ଜଗନ୍ନାଥ ମଧ୍ୟ ଏ ସଂକ୍ରାନ୍ତି ଚଳନ ଓ ଗ୍ରହକୁଟର ଶିକାର ହୁଅନ୍ତି ଠିକ୍ ଆମପରି । ମିଥୁନ ସଂକାନ୍ତି ଚଳଣରେ ମଧ୍ୟ ସେହିପ୍ରଭାବଥାଏ । ଗ୍ରହମାନଙ୍କର କୁପ୍ରଭାବ ପାଇଁ ମନ୍ଦିରରେ ମଧ୍ୟ ପୂଜାପାଠ ହୁଏ ଏବଂ ଅନୁରୂପ ଉତ୍ସବ ପାଳିତ ହୁଏ ।
ରଜ କେବଳ ଚିତ୍ତଭିନୋଦନକାରୀ ଏକ ପର୍ବ ନୁହେଁ । ଏହା ସହିତ ପ୍ରକୃତି ଉପାସନା, ଈଶ୍ୱରବିଶ୍ୱାସ ଧର୍ମ ଦର୍ଶନ, ସାହିତ୍ୟ ସଂସ୍କୃତି ଓ ବିଜ୍ଞାନ ନିହିତ ଅଛି । ମାଟିବିନା ଜୀବନ ବିପର୍ଯ୍ୟସ୍ତ ।ଏଣୁ ମାଟିହିଁ ପୂଜ୍ୟ । ଏହାହିଁ ପ୍ରକୃତିପୂଜା । ପୂଜା ଏକ ଧର୍ମ-ଧାରଣାର ପାରମ୍ପରିକ ଈଶ୍ୱର ବିଶ୍ୱାସ, ରଜପାଳନର ସମସ୍ତ ନିହିତ ସତ୍ୟହିଁ, ଏହାର ଦର୍ଶନ, ରଜସ୍ୱଳା ନାରୀକୁ ସ୍ପର୍ଶ ନକରି ବନାମ ମାଟିମା’କୁ କର୍ଷଣ ନକରିବା, ୠତମତୀ ଦିବସପରେ ସ୍ନାନ କରିବା, ହଳଦୀ ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରସାଧନ ବ୍ୟବହାର କରିବା, ଏ ସବୁକିଛି ସ୍ୱାସ୍ଥ୍ୟ ପ୍ରଦାୟକ । ସେମିତି ସାପୁଆ ଗୋବର ଲିପା ବା ଗୋବରପାଣି ପକାଇବା ଇତ୍ୟାଦି ବିଜ୍ଞାନ ସମ୍ମତ କାରଣ ଏହାଦ୍ୱାରା ସାପ ବର୍ଷାଦିନେ ଗାତରେ ପଶେ ନାହିଁ ଯେତେେବେଳ ତା’ ଗାତରେ ପାଣି ପଶିଥାଏ । ଗୋବରରେ ନାଇଟ୍ରିକ ଏସିଡ଼ି ଥାଏ ଯାହାର ବାସ୍ନାରେ ସାପ ଘରେ ପଶେ ନାହିଁ । ସେହିପରି ଚକଖଡ଼ି ଏକ ବିଶୋଧକ ନିବାରକ । ରଜର ଦୋଳିଗୀତ, ସୁଆଙ୍ଗ, ଦାସକାଠିଆ, ପାଲା, ଓ ଥିଏଟର ଇତ୍ୟାଦି ଆମ ସାହିତ୍ୟ, ଶିଶୁ ସାହିତ୍ୟ ବା ଲୋକ ସାହିତ୍ୟ, ଖେଳକୁଦ ଇତ୍ୟାଦି ଶାରୀରିକ ବ୍ୟାୟମ । ଫଳଭକ୍ଷଣ ପ୍ରକାରନ୍ତରେ ଉପାସ ସ୍ୱାସ୍ଥ୍ୟପ୍ରଦାୟକ, ‘ଆନନ୍ଦମହୋତ୍ସବ’ ସାମାଜିକ ଚଳଣି, ଏକତା, ଭାତୃଭାବ ଓ ବନ୍ଧୁତ୍ୱର ନିଦର୍ଶନ । ଏଣୁ ଏମିତି ଦେଖିଲେ ରଜର ବହୁମୁଖୀ ପ୍ରଭାବ ଅଛି ।
ରଜ ଓଡ଼ିଶା ଓ ଓଡ଼ିଆ ହିନ୍ଦୁଜାତିର ଜାତୀୟ ପର୍ବ । ଯିଏ ଯୁଆଡ଼େ ଥାଆନ୍ତୁ ନା’ କାହିଁକି, ଏହି ରଜ ତିନିଦିନ ସମସ୍ତେ ଘରକୁ ଫେରନ୍ତି ଏବଂ ସପରିବାରେ ଓ ସବାନ୍ଧବେ, ଆତ୍ମୀୟମାନଙ୍କ ଗହଣରେ କଟାନ୍ତି ରଜ; କରନ୍ତି ମଉଜ ଏବଂ ହୁଅନ୍ତି ନାନା ସଜବାଜ ।
ଦୁଖଃ ଯେ, ଆଉ ସେକାଳ ପଖାଳ ନାହିଁ । ଏବେ ସବୁ କୃତ୍ରିମ । ଗାଁରେ ଆଉନାହିଁ ଆମ୍ବତୋଟା; ନାହିଁ ଦୋଳି ଖେଳ ଓ ଦୋଳିରୀତ । ମଉଜ ମଜଲିସ୍ କଥା ଛାଡ଼ । ନାଚ ଗୀତସୁଆଙ୍ଗ ଓ ପାଲା ଇତ୍ୟାଦି ଏବେ ଯେମିତି ମଇଳା ପାତ୍ରରେ । ଘରେ ଘରେ ବାପପୁଅରେ, ଭାଇଭାଇରେ, ବନ୍ଧୁବାନ୍ଧବରେ ସଂପର୍କରେ ତିକ୍ତତା; କୃଷି ଏବେ ଅଣଦେଖା । ଗ୍ରାମ୍ୟ ପରିବେଶ ପ୍ରଦୂଷିତ; ଅବକ୍ଷୟ ସଂସ୍କୃତି ଓ ପରମ୍ପରା । ସତେକ’ଣ ସବୁଦିନ ପାଇଁ ଏହା ପାଲଟି ଯିବ ଆକାଶୀ କୁସୁମ ! ତଥାପି ସେହି ପୁରୁଣା ଗୀତର ସ୍ୱର ନିନାଦି ଉଠେ ହୃଦତନ୍ତ୍ରୀରେ: ବନସ୍ତେ ଡ଼ାକିଲା ଗଜ …. ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ମୋ: ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ