ଦେଢ଼ ବର୍ଷରେ ୧୦ଲକ୍ଷ ନିଯୁକ୍ତି ଓ ଅଗ୍ନିପଥ ଯୋଜନା ଯୁବଶକ୍ତିକୁ ଆତ୍ମନିର୍ଭର କରିବ

ଅନୁଗୋଳ, (ଯୁଗାବ୍ଦ ନ୍ୟୁଜ) : ମୋଦି ସରକାର ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ସେବା, କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ କାରଣରୁ ଗରିବ ଲୋକମାନେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱକୁ ସ୍ୱୀକାର କରିଛନ୍ତି ବୋଲି ବୁଧବାର ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆୟୋଜିତ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସେବା, ସୁଶାସନ, ଗରିବ କଲ୍ୟାଣର ୮ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ମୋଦି ସରକାରଙ୍କ ସେବା ଓ କଲ୍ୟାଣ ମନ୍ତ୍ରରେ ଆଜି ବଳରାମପ୍ରସାଦରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ଡ଼ାକ୍ତରଖାନା ଲୋକାର୍ପଣ କରାଯାଇଛି । ଝାରସଗୁଡ଼ାରେ ଇଆସଆଇର ଉପ-ଆଂଚଳିକ କାର୍ଯ୍ୟାଳୟ ମଧ୍ୟ ଉଦଘାଟନ ହୋଇଛି । ଲୋକାର୍ପିତ ଡ଼ାକ୍ତରଖାନା ଓ ଉପ-ଆଂଚଳିକ କାର୍ଯ୍ୟାଳୟ ଦ୍ୱାରା ଲକ୍ଷାଧିକ ଶ୍ରମିକ ଓ କର୍ମଚାରୀ ଉପକୃତ ହେବେ । ପ୍ରଥମ ଥର ପାଇଁ ଅନୁଗୋଳ ଭଳି ଖଣିଜ ଖାଦାନ ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି । ଦେଶର ଯୁବଶକ୍ତିକୁ ଆତ୍ମନିର୍ଭର ଓ ସଶକ୍ତ କରିବା ପାଇଁ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ନିଯୁକ୍ତିର ଘୋଷଣା କରାଯାଇଛି । ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ପାଇଁ ‘ଅଗ୍ନିପଥ ଯୋଜନା’ ଆରମ୍ଭ ହୋଇଛି । ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା କରାଯାଇଛି । ଏହି ଯୋଜନା ଦ୍ୱାରା ଅନୁଗୋଳ, ଓଡ଼ିଶା ସମେତ ଦେଶର ଲକ୍ଷାଧିକ ଯୁବବର୍ଗ ନିଯୁକ୍ତିର ସୁଯୋଗ ପାଇବେ । ଦେଶର ଗରିବ, ଚାଷୀ ଭାଇ, ମାଆ ଭଉଣୀ, ଶ୍ରମଶକ୍ତି, ଜନଜାତି, ବଂଚିତ ବର୍ଗର ଲୋକ ମାନଙ୍କର ଯେଭଳି କିଛି ଅସୁବିଧା ନ ହୁଏ, ସେଥିପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ପ୍ରାଥମିକତା ଭିତିରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନଶୈଳିରେ ସମ୍ପନ୍ନତା ଆଣିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିଶନରେ ଘରକୁ ପାନୀୟ ଜଳ, କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା,ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, କୋଭିଡ୍ ସମୟରେ ଜନଧନ ଯୋଜନାରେ ସିଧା ଟଙ୍କା,ମାଗଣା ଟିକାକରଣ ଆଦି ମୋଦି ସରକାରରେ ବଡ଼ ଉପଲବ୍ଧି । ଏହି ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ସେବା, ସମର୍ପଣ ଓ ସୁଶାସନର ଚିନ୍ତା କରାଯାଉଛି । ମୋଦିଙ୍କୁ ହାତ ମୁଠା କରିବାର ଯୋଜନା କରାଯାଉଛି ବୋଲି କହିଛନ୍ତି । ଏହି ଗସ୍ତ କାଳରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ବଳରାମପ୍ରସାଦ ପଂଚାୟତ ଅମାନ୍ତପୁର ଠାରେ ନୂଆ ପୋଖରୀ ପାଇଁ ଭୂମିପୂଜନ କରିଛନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ଭାରତରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଜଳ ସଂକଟକୁ ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର କରିବାକୁ ମୋଦି ସରକାର ଯୋଜନା କରିଛନ୍ତି । ଏହି ଆଧାରରେ ପ୍ରଧାନ ଅନୁଗୋଳ ଜିଲ୍ଲାରେ ଅମୃତ ସରୋବରର ଶୁଭାରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ