ବାଲେଶ୍ୱର ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନନୀୟ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ), ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଓଡିଶା ସରକାର ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଧେ, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ଅନୂସୟା ପ୍ରଧାନ, ମାନ୍ୟବର ସୋର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅଜୟ କୁମାର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ବୈଠକ ପ୍ରାରମ୍ଭରେ ମଂଚାସୀନ ମାନ୍ୟବର ମନ୍ତ୍ରୀ, ସାଂସଦ ବିଧାୟକ ଓ ଅତିଥିମାନଙ୍କୁ ଫୁଲତୋଡା ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିବା ବେଳେ ସେମାନେ ଏହି ଅବସରରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରସ୍ତାବ ରଖିବା ସହିତ ମୂଲ୍ୟବାନ୍ ପରାମର୍ଶ ପ୍ରଦାନ କରିଥିଲେ । ଏହା ପରେ ପୂର୍ବ ବୈଠକର ବିବରଣୀ ସମ୍ବନ୍ଧରେ ସମ୍ୟକ ସୂଚନା ଦିଆଯିବା ସହିତ ଏଜେଣ୍ଡାୱାରୀ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷା ବିଭାଗ ସମ୍ବନ୍ଧୀୟ ଆଲୋଚନା କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ସ୍ଥିତି ସମ୍ପର୍କରେ ତଥ୍ୟ ରଖିଥିଲେ । ୫-ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଗୃହରେ ସଦସ୍ୟମାନେ ମତ ରଖିଥିଲେ । ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ପରିବେଶ, ଭିତିଭୂମି ନିର୍ମାଣ ଓ ଶିକ୍ଷକ-କର୍ମଚାରୀ ନିଯୁକ୍ତିରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନଥିବା ଉପସ୍ଥିତ ସଭ୍ୟ-ସଭ୍ୟାମାନେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ସେମାନେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଆଲୋଚନାରେ ବିଶେଷଜ୍ଞ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଅଭାବ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାରୁ ଏ ଦିଗରେ ବିଶେଷ ବ୍ୟବସ୍ଥା କରିବାକୁ ସଦସ୍ୟ-ସଦସ୍ୟାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସିନ୍ଧେ ବିଭାଗୀୟ ଅଧିକାରୀମାନଙ୍କୁ ଏସବୁର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସମ୍ପ୍ରତି ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମଗୁଡିକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ରାସ୍ତା ମରାମତି କାମ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯିବା ଏବଂ ନୂତନ ପ୍ରକଳ୍ପ କାମ ଆରମ୍ଭ ପାଇଁ ଗୃହରେ ଆଲୋଚନା ହୋଇଥିଲା । ଏଥି ସହିତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟସବୁ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବାଲେଶ୍ୱର ଉତର ଓଡିଶାରେ ପ୍ରମୁଖ ସହର ହୋଇଥିବା ବେଳେ ଏଠାରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ଅନୂସୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।