ଭକ୍ତ-ଭଗବାନଙ୍କ ମହାମିଳନର ଅନନ୍ୟ ପରମ୍ପରା : ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-କୋଭିଡ କଟକଣା ଉଠଯିବା ପରେ ଭକ୍ତ ଓ ଭଗବାନଙ୍କ ମହାମିଳନର ଅନନ୍ୟ ପରମ୍ପରା ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ସବୁଠି ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୀର୍ଘ ଦୁଇବର୍ଷ ଧରି ସୃଷ୍ଟି ହୋଇଥିବା ଦୂରତା ଶୁକ୍ରବାର ପରିସମପ୍ତି ଘଟିଛି । ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ଭଳି ସମଗ୍ର ବିଶ୍ୱରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସହର ସମେତ ବାଲେଶ୍ୱର ଜିଲାରେ ଆନନ୍ଦର ସହିତ ରଥଟଣା ଅନୁଷ୍ଠିତ ହୋଇଯାଇଛି । ସହରଠାରୁ ଗାଁ’ଗହଳି ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ରଥଯାତ୍ରାରେ ସମଗ୍ର ବାଲେଶ୍ୱର ଜିଲ୍ଲା ଆଜି ଜଗନ୍ନାଥମ୍ର ହୋଇ ଉଠିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ଭକ୍ତମାନେ ରଥକୁ ମାଉସୀ ଘରକୁ ଟାଣି ଟାଣି ନେଉଥିବା ଲକ୍ଷ୍ୟ କରାଯାଇଛି । ବାଲେଶ୍ୱର ସହରର ବାଣ୍ଠିଆ ଶ୍ରୀଜଗନ୍ନାଥ ମନ୍ଦିରରେ ବିଶେଷ ନୀତିପୂଜା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ତିନିଦିଅଁଙ୍କ ରଥାଋଢ଼ ପରେ ଟାଉନଥାନା ଅଧିକାରୀ ଗୋପାଲକୃଷ୍ଣ କର୍ଣ୍ଣ ଛେରା ପହଁରା କରିଥିଲେ । ପରେ ଭକ୍ତମାନେ ଅତ୍ୟନ୍ତ ଆନନ୍ଦର ସହ ରଥକୁ ଟାଣି ନେଇଥିଲେ ସିନେମାଛକ ସ୍ଥିତ ମାଉସୀଘର ଅଭିମୁଖେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ରଥାଋଢ଼଼ ଦିଅଁଙ୍କୁ ଦର୍ଶନ ସହିତ ରଥ ଟଣାରେ ସକ୍ରିୟ ସହଯୋଗ କରିଥିଲେ । ଆନ୍ତର୍ଜାତିକ କୃଷ୍ଣ ଦର୍ଶନ ଗବେଷଣାତ୍ମକ ଆଧ୍ୟାତ୍ମିକ ଅନୁଷ୍ଠାନ ‘ଇସ୍କନ’ର ବହୁ ସଦସ୍ୟ ଏଥିରେ ଯୋଗଦେଇ ଭଜନ କୀର୍ତ୍ତନ କରିଥିଲେ । ଘଣ୍ଟଘଣ୍ଟା,ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ବାଲେଶ୍ୱର ସହରରେ ଏକ ଭାବାବେଗ ପରିବେଶ୍ ଅନୁଭୁତ ହୋଇଥିଲା । ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ଅନୁରୂପ ଭାବେ ବାଲେଶ୍ୱର ସହର ଉପକଣ୍ଠ ବାଲିଆ ବୃନ୍ଦାବନ ଶାସନ ଶ୍ରୀଜଗନ୍ନାଥ ମନ୍ଦିର, ଆଜିମାବାଦ ଜଗନ୍ନାଥ ମନ୍ଦିର, ପୁଲିସ ଲାଇନ ଜଗନ୍ନାଥ ମନ୍ଦିର, ଝାଡ଼େଶ୍ୱର ଜଗନ୍ନାଥ ମନ୍ଦିର, ସୁଏଲପୁର ଜଗନ୍ନାଥ ମନ୍ଦିର, ମଣ୍ଡଳବଜାର ଜଗନ୍ନାଥ ମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ