ଫୁୁଟପାଥକୁ ମାଡ଼ିଗଲା ବ୍ରହ୍ମତାଳଧ୍ୱଜ : ଜନ୍ମବେଦୀରେ ପହଂଚି ପାରିଲେନି ଶ୍ରୀବଳଦେବଜୀଉ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ତୃତୀୟ ଦିନ ରଥ ଟଣା ବେଳେ ‘ବ୍ରହ୍ମତାଳଧ୍ୱଜ’ ରଥ ରଥଦାଣ୍ଡର ବାମ ପାଶ୍ୱର୍ ଫୁଟପାଥ୍ ଉପରକୁ ମାଡ଼ିଯାଇଛି । ଏହାଦ୍ୱାରା କେହି ଆହତ ହୋଇନଥିଲେ ମଧ୍ୟ ଫୁଟପାଥ୍ ଭାଙ୍ଗିଯାଇଛି । ଏଥି ସହ ବିଦ୍ୟୁତ ଖୁଣ୍ଟି ମଧ୍ୟ ବଙ୍କା ହୋଇଯାଇଛି । ସେହିପରି ଦୁଇଟି ରଥଦଉଡ଼ି ଛିଡ଼ିଯାଇଛି । ଯାହାଫଳରେ ଏବେ ରଥ ରଥଦାଣ୍ଡର ୫୦ପ୍ରତିଶତ ପଥ ମଧ୍ୟ ଅତିକ୍ରମ କରିପାରିନି । ଏହାଦ୍ୱାରା ପ୍ରଭୁ ଶ୍ରୀବଳଦେବଜୀଉ ଜନ୍ମବେଦୀରେ ପହଂଚି ପାରିନାହାନ୍ତି । ରଥକୁ ସଠିକ ଦିଗକୁ ଆଣିବାପାଇଁ ପାରାଦ୍ୱୀପରୁ ବଡ଼ବଡ଼ ଜଗ୍ ଆସିଛି । ଏହି ଜଗ୍ ଦ୍ୱାରା ରଥର ଦିଗ ପରିବର୍ତ୍ତନ କରି ସଠିକ ଦିଗକୁ ଆଣିବାପାଇଁ ଚେଷ୍ଟା ଚାଲିଛି । ଯଦି ଏହା ହୋଇନପାରିବ ତେବେ ସେହିଠାରୁ ପହଣ୍ଡି ବିଜେ କରାଯାଇ ଶ୍ରୀଜୀଉମାନଙ୍କୁ ଜନ୍ମବେଦୀ ତଥା ଗୁଣ୍ଡିଚା ମନ୍ଦିରକୁ ସୋମବାର ନିଆଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ରଥର ମୋଡ଼ ସଠିକ କରିବାପାଇଁ ରଥଦାଣ୍ଡରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌.ପି. ସନ୍ଦୀପ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି । ତୃତୀୟ ଦିନ ମଧ୍ୟାହ୍ନ ପ୍ରାୟ୧୨ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଶାସନ ଯୋଜନା କରିଥିଲା ରଥକୁ ନେଇ ମାଉସୀମା ମନ୍ଦିର ବା ଗୁଣ୍ଡିଚା ମନ୍ଦିର ନିକଟରେ ଲଗାଇଦେବ । ସେଥିପାଇଁ ରଥଟଣା ସହଳ ହୋଇଥିଲା । କିନ୍ତୁ ଅନଭିଜ୍ଞ ପ୍ରଶାସନିକ ପ୍ରସ୍ତୁତି, ରଥଚାଳନାରେ ତୃଟି, ରାସ୍ତା ନିର୍ମାଣରେ ତୃଟି ଯୋଗୁ ରଥର ମୋଡ଼ ବଦଳି ଯାଇ ତାହା ବାମ ପାଶ୍ୱର୍କୁ ମାଡ଼ି ଯାଇଥିଲା । ଏହାଦ୍ୱାରା ଭକ୍ତମାନେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଥିଲେ । ଏହି ଘଟଣାକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲା । ରାସ୍ତା ନିର୍ମାଣ ସଠିକ ଢଙ୍ଗରେ ହୋଇନଥିବାରୁ ରଥ ଗଡ଼ିବାରେ ସମସ୍ୟା ହେଉଛି ବୋଲି ପୂର୍ବରୁ ବିଭିନ୍ନ ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରମାଣିତ କରିଦେଲା ଯେ, ରାସ୍ତା ନିର୍ମାଣରେ ତୃଟି ରହିଛି । ଯାହା ଫଳରେ ରଥ ଫୁୁଟ୍‌ପାଥ୍ ଉପରକୁ ମାଡ଼ି ଗଲା । ଶନିବାର ରଥଟଣାରେ ତୃଟି ରହିଥିବାରୁ ସିଦ୍ଧବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୁଣା ରଥଚାଳକଙ୍କୁ ନିୟୋଜିତ କରାଯାଇଥିଲା । ସେ ନିଜର ଅଭିଜ୍ଞତା ବଳରେ ସଠିକ ଢଙ୍ଗରେ ରଥ ଚାଳନା କରିପାରିବେ ବୋଲି ପ୍ରଶାସନ ଅନୁମାନ କରିଥିଲା । କିନ୍ତୁ ରାସ୍ତାର ଯାନ୍ତ୍ରିକ ତୃଟି ଯୋଗୁ ତାଙ୍କ ଅଭିଜ୍ଞତା ମଧ୍ୟ କୌଣସି କାମ ଦେଇନଥିଲା । ଯାହା ଫଳରେ ଏହି ପରିସ୍ଥିତି ସୃଷ୍ଟି ହେଲା ବୋଲି ଆଲୋଚନା ହେଉଛି । ରଥ ମାଡ଼ିଯିବା ଯୋଗୁ ଭକ୍ତମାନଙ୍କ ମନରେ ଛନକା ପଶିଯାଇଛି । ସେମାନେ ମଧ୍ୟ ଆଉ ରଥ ଟାଣିବା ପାଇଁ ସାହସ କରିପାରୁନାହାନ୍ତି । କାରଣ ରଥ ସଠିକ ଦିଗରେ ଗଡ଼ୁନଥିବାରୁ କେତେବେଳେ ଲୋକଙ୍କ ଉପରେ ମାଡ଼ିଯିବ ସେ ନେଇ ଭକ୍ତ ଭୟଭୀତ ହୋଇପଡ଼ିଛନ୍ତି । ବୁଦ୍ଧିଜୀବୀ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲ୍ଲାରେ ୩ ବିଧାୟକ, ଓ ୨ ମନ୍ତ୍ରୀ ଅଛନ୍ତି । କିନ୍ତୁ ରଥ ଟଣା କିପରି ହେଉଛି ତାହା ସେମାନେ ତଦାରଖ କରୁନାହାନ୍ତି । ଯାହା ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ