ଚିତା ଲାଗି ଅମାବାସ୍ୟା

ବିପିନ ବିହାରୀ ମହାନ୍ତି
ଓଡ଼ିଶାର ହିନ୍ଦୁ ପର୍ବପର୍ବାଣୀଗୁଡ଼ିକ ଧାର୍ମିକ ଚେତନା, ସାମାଜିକ ବ୍ୟବସ୍ଥା ତଥା ଚଳଣି ଏବଂ କୃଷି ଇତ୍ୟାଦିକୁ ଭିତ୍ତିକରି ପାଳିତ ହୁଏ । ଏ ଦୃଷ୍ଟିରୁ ଚିତାଲାଗି ଅମାବାସ୍ୟା ଉଭୟ ଧାର୍ମିକ ଏବଂ କୃଷି ଭିତ୍ତିକ ଅଟେ ।
ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ରକରି ପାଳିତ ହୁଏ । ଜଗନ୍ନାଥ ଓଡ଼ିଆ ହିନ୍ଦୁ ଜାତିର ଇଷ୍ଟ ଓ ଗଣଦେବତା, ତାଙ୍କୁ ନେଇ ବର୍ଷ ସାରା ଯାତ୍ରା ବା ମମହୋତ୍ସବ ଚାଲିଥାଏ । ଏଣୁ କଥାରେ କୁହାଯାଏ ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ୍ରା ହୁଏ ।
ଶ୍ରୀ ମନ୍ଦିରରେ ବିଜେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସେମାନଙ୍କ ଦୈନନ୍ଦିନ ଭୂଷଣରେ ମଥାର କପାଳରେ ସ୍ୱର୍ଣ୍ଣଚିତା ପରିଧାନ କରିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ତ୍ୟାଗକରି ଦେବସ୍ନାନ ମଣ୍ଡପକୁ ସ୍ନାନଯାତ୍ରା ପାଇଁ ବିଜେ କରନ୍ତି । ସେତେବେଳେ ସ୍ନାନଯାତ୍ରାକୁ ବିଜେ ପୂର୍ବରୁ ଏହି ସ୍ୱର୍ଣ୍ଣଚିତାମାନଙ୍କୁ ସେମାନଙ୍କ ଠାରୁ ଅପସାରଣ କରି ନିଆଯାଇ ଭଣ୍ଡାର ଘରେ ସାଇତି ରଖାଯାଏ । ଜିଉମାନେ ସ୍ନାନ ମଣ୍ଡପରୁ ଅଣସର ଘରକୁ ପନ୍ଦରଦିନ ପାଇଁ ବିଜେ କରନ୍ତି । ଆଷାଢ଼ ଅମାବାସ୍ୟା ଦିନ ଜିଉମାନଙ୍କର ନିବଯୌବନ ବେଶ ଓ ଦର୍ଶନ ହୁଏ । ଏହି ଦିନ ମଧ୍ୟ ନେତ୍ରୋତ୍ସବ ପାଳିତ ହୁଏ । ପ୍ରତିପଦ ଦିନ ଉଭା ଯାତ୍ରା ଏବଂ ଦ୍ୱିତୀୟା ତିଥିରେ ଶ୍ରୀ ଗୁଣ୍ଡିଚା ଯାତ୍ରା ହୁଏ । ଶ୍ରୀ ଗୁଣ୍ଡିଚାଠାରୁ ପୁନଶ୍ଚ ମନ୍ଦିର ପ୍ରତ୍ୟାବର୍ତ୍ତନ ଯାଏଁ ଜିଉମାନେ ଏଗାର ଦିନ ମନ୍ଦିର ବାହାରେ ରୁହନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅପସାରିତ ହୋଇଥିବା ଚିତାମାନେ ଦୀର୍ଘ ଦେଢ଼ମାସ ପରେ ଶ୍ରାବଣ ଅମାବାସ୍ୟା ଦିନ ପୁନଶ୍ଚ ଲାଗି ହୁଏ । ଏହାକୁ ଚିତାଲାଗି ବା ମନ୍ଦିରର ଚିତ୍ରକ ପର୍ବ କୁହନ୍ତି । ଏହା ମଧ୍ୟ ମହା ସମାରୋହରେ ପାଳିତ ହୁଏ । ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପାରମ୍ପରିିକ କ୍ରିୟା ଅଛି ।
ଉକ୍ତଦିନ ସକାଳ ଧୂପ ବସିଥିବା ବେଳେ ଭଣ୍ଡାର ମେକାପ ଭଣ୍ଡାର ଘରେ ସାଇତା ରଖାଯାଇଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବାହାର କରାଯାଇଥିବା ଜିଉମାନଙ୍କ ଚିତାକୁ ଆଣି ଦେଉଳ କରଣକୁ ଦିଅନ୍ତି । ସେ ସୁନାରୀମାନଙ୍କୁ ଡାକି ଚିତାଗୁଡ଼ିକୁ ମାଜି ମୁଜି ଉଜ୍ଜ୍ୱଳ କରନ୍ତି । ଭୋଗ ମଣ୍ଡପ ଧୂପ ଘରେ ଠାକୁରମାନଙ୍କର ମଇଲମ କରାଯାଏ । ଏହି ସମୟରେ ବାଡ଼ଗ୍ରାହୀ ଦଇତାପତି ଘୋଡ଼ା ଉପରେ ଉଠି ଜିଉମାନଙ୍କ ଚିତା ନେଇ, ସୁଦୁ ସୁଆର ଦେଇଥିବା ଓଷ ଚିତାଗୁଡ଼ିକରେ ଦିଅନ୍ତି; ପାଟରା ଦେଇଥିବା ପାଟ ଡୋରମାନ ଚିତାରେ ବାନ୍ଧନ୍ତି ଓ ଶ୍ରୀମୁଖ ଲାଗି କରନ୍ତି । ବଡ଼ ଠାକୁର ବଳଭଦ୍ରଙ୍କୁ ନୀଳାଖଚିତ, ସୁଭଦ୍ରାଙ୍କୁ ଲାଲ ପାନ୍ନା ଖଚିତ ଏବଂ ଜଗନ୍ନାଥଙ୍କୁ ଶୁଭ୍ର ହୀରା ଖଚିତ ସୁବର୍ଣ୍ଣଚିତା ଲାଗି କରାଯାଏ । ଏହାପରେ ଠାକୁରମାନଙ୍କର ମହାସ୍ନାନ କରାଯାଏ । ଏହି ଉତ୍ସବ ଚୋଳ ଗଙ୍ଗଦେବ ସମୟରୁ ଅର୍ଥାତ୍ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ପାଳିତ ହୋଇ ଆସୁଅଛି ।
ଏହିଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କୁହନ୍ତି । ଉକ୍ତ ଦିନ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆ ହିନ୍ଦୁଘରେ ଚିତଉପିଠା ପ୍ରସ୍ତୁତ ହୋଇ ଦେବଦେବୀଙ୍କୁ ସମର୍ପଣ କରାଯାଏ ଏବଂ ବିଶେଷକରି ବରୁଣ ଦେବତାଙ୍କୁ ପୂଜା କରାଯାଏ । କାରଣ ତାଙ୍କ କୃପାବଳରେ ଭଲ ପାଣିପାଗ ଏବଂ ଭଲ ଫସଲ ଅମଳ ହୁଏ । ଘର ଓ ମନ୍ଦିରରେ ସର୍ବତ୍ର ଏ ପର୍ବ ପାଳିତ ହୁଏ ବୋଲି ଏହାକୁ ଚିତାଲାଗି ପର୍ବ କୁହନ୍ତି । ଘରେ ଏହି ପିଠା ମଧ୍ୟ ପିତୃପୁରୁଷଙ୍କୁ ସମର୍ପିତ ହୁଏ । କଥାରେ ଅଛି : ଚିତ୍ରକ ପିଷ୍ଠକୈ ଦେବ ଓ ପିତୃପୂଜ୍ୟ । ଅର୍ଥାତ୍ ଚିତଉପିଠା ଦେବତା ଓ ପିତୃ ପୁରୁଷମାନଙ୍କୁ ସମର୍ପଣ ପୂର୍ବକ ଶ୍ରାଦ୍ଧ ଇତ୍ୟାଦି ପୁଣ୍ୟ କର୍ମ କର ।
ଏହି ପର୍ବଟି କୃଷି ପାଇଁ ସମର୍ପିତ । ଏହିପର୍ବ ପାଳନରେ କିଛିଟା ତାତ୍ପର୍ଯ୍ୟ ଅଛି । ଚାଷକାମରେ କଢ଼ାଣ, ଦୋକଡ଼ ଏବଂ ଓକଡ଼ କେତେ କଥା ଆମେ ଜାଣୁ । ଯେତେ ଚଷିବ, ସେତିକି ଚାଷର କାଟ୍‌ତି ବଢ଼ିବ । ଚାଷପାଇଁ ଜମିକୁ ପୂର୍ବ ପ୍ରସ୍ତୁତି କରାଯାଏ । ଏମିତିକି କଥିତ ଅଛି : ମାଘର ଚାଷ ସୁନାର କଷ । ବୈଶାଖରେ ଅକ୍ଷୟ ତୃତୀୟା ଦିନ ଧାନବୁଣା ଅନୁକୂଳ ହୁଏ । ଜ୍ୟେଷ୍ଠ ଶେଷ ବା ଆଷାଢ଼ ଆରମ୍ଭରେ ଦ୍ୱିତୀୟ ପର୍ବ ରଜ ପାଳିତ ହୁଏ । ରଜପରେ ବର୍ଷା । ପ୍ରବାଦ ସତ୍ୟଟିଏ ଅଛି :
‘ଆଷାଢ଼ କଢ଼ାଣ ନାମକୁ ଶ୍ରାବଣେ କଢ଼ାଣ ଧାନକୁ ।’
ଅର୍ଥାତ୍ ଶ୍ରାବଣ ମାସରେ କଢ଼ାଣଟି ଚାଷପାଇଁ ଅନୁକୂଳ ।
ପୁନଶ୍ଚ ଧାନଚାଷ ଦୁଇ ପ୍ରକାର । ବୁଣାଧାନ ଏବଂ ରୋପଣ ଧାନ । ବୁଣାଧାନ ବୈଶାଖରୁ ଆରମ୍ଭ । ରୋପଣ ଧାନ ଶ୍ରାବଣରେ । ରୁଆଧାନ ଥୁଆ । ଏଣୁ କୁହାଯାଏ :
ଶ୍ରାବଣେ ପୁର, ଭାଦ୍ରବେ ବାର
ଏହା ମଧ୍ୟରେ ଯେତେ ପାର ।
ଅର୍ଥାତ୍ ଶ୍ରାବଣ ପୁରାମାସ ଏବଂ ଭାଦ୍ରବ ବାରଦିନ ଯାଏଁ ଯେତେ ରୋପୁଛ ରୋପ । ଭଲ ଅମଳ ପାଇବ । ଏହା ବେଉଷଣ ପରେ ବଛା ଓ ଖେଳାର ଋତୁ । ଏହାପରେ ଧାନ ପିଲାଏ ଏବଂ ବଢ଼େ । ଏହିସବୁଥିପାଇଁ ଶୁଭମନାସୀ ଚଷାପୁଅ ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରେ । ଏହା ଭାଗବତ ମତେ ମୁଖ୍ୟତଃ ଭୂମିପୂଜା :
ଅନାଦି କାମେ ଯା’ର ଚିନ୍ତା
ସେବେ ଅଦିତି ଦେବମାତା
ଯେବା ସର୍ବଦା ପୁଷ୍ଟିକାମୀ
ସର୍ବଲକ୍ଷଣେ ପୂଜେ ଭୂମି ।ା(୨,୩,୫)
ମୁଖ୍ୟତଃ ଏହି ପର୍ବରେ ଚିତଉପିଠା ଗୃହିଣୀମାନେ ପ୍ରସ୍ତୁତ କରନ୍ତି ଏବଂ ଏହି ପିଠାକୁ ଧାନ କ୍ଷେତ୍ରରେ ଏମିତିକି ବାଡ଼ି ବଗିଚାରେ ଫସଲ କିଆରୀରେ ମାଟି ମା’ ପାଇଁ ସମର୍ପଣ କରି ପୋତନ୍ତି । ତା’ ସହିତ ଠାକୁର ବା ଇଷ୍ଟଦେବତାମାନଙ୍କୁ ଭୋଗ କରନ୍ତି ।
ଅନ୍ୟ ଏକ କାରଣରେ ଏହି ସମୟରେ ଜମିରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି । ଏମାନେ ଚାରାସବୁ କାଟି ପକାନ୍ତି । ପୁନଶ୍ଚ ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବା ଆଣ୍ଠେଇ ବିଲ ବାଛିବା ହାତ ଓ ଗୋଡ଼ର କାମ । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ ଇତ୍ୟାଦି କାଟି ଦିଏ । ଏହି ଦୁଇଟିରୁ ରକ୍ଷା କରିବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷ ଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠାପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠୁ ନିବୃତ୍ତ ନିଅନ୍ତି । କାହାଣୀ ଓ ପରମ୍ପରା ଅନୁଯାୟୀ ସେଦିନ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପକରି ବାପଭାଇ ଓ ବନ୍ଧୁବାନ୍ଧବମାନଙ୍କର ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କୁ ଅନୁରୋଧ କରନ୍ତି :-
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ, ମୋବୋଉ ଗୋଡ଼ କାଟିବୁ ନାହିଁ, ମୋ ଭାଇ ଗୋଡ଼ କାଟିବୁ ନାହିଁ; ମୋ ଅପା ଗୋଡ଼ କାଟିବୁ ନାହିଁ…. ଆମ ଫସଲ କାଟିବୁ ନାହିଁ ।
ଏଥିପାଇଁ ଗେଣ୍ଡାମାନଙ୍କର ଦେବୀ ଗେଣ୍ଡେଇଷୁଣୀଙ୍କୁ ଏହି ଅବସରରେ ପୂଜା କରନ୍ତି ।
ପିଠାକୁ ପାଣିକୁ ଫିଙ୍ଗିବା ଓ ଜମିରେ ପୋତିବା ସତ । ତେବେ କେତେକ ଯାଗାରେ ଭୂମିପୂଜା ପିଠାକୁ କୋଡ଼ିକୁ ପଲମ ରୂପେ ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଅବଶ୍ୟ ଦେଶକେ ଫାଙ୍କ୍ ଓ ନଈକେ ବାଙ୍କପରି କିଛି କିଛି ବ୍ୟତିକ୍ରମ ଥାଏ । ତେବେ ଘର, ମନ୍ଦିର ଓ ଚାଷ ଜମିଯାଏ ସବୁଠି ଚିତଉପିଠା ସମର୍ପଣ । ଏବେ ଜାଣିବା ଏ ଚିତଉପିଠା କ’ଣ? କେମିତି ହୁଏ ଏ ପିଠା? ସ୍ୱାଦ କେମିତି ଯାର?
ସ୍ୱାଦ ବିଷୟରେ କୁହାଯାଇଛି ଯେ :
ଚିତଉ ପିଠା,
ଯେମିତି ଖାଇଲେ ସେମିତି ମିଠା ।
ଏ ପିଠା ପାଇଁ ଚାରି ପାଞ୍ଚଘଣ୍ଟା ଅରୁଆ ଚାଉଳକୁ ବତୁରାଯାଏ । ଖଦଡ଼ା ନରଖି ଚିକ୍କଣକରି ବଟାଯାଏ । ପ୍ରତି ୨୫୦ ଚାଉଳ ପାଇଁ ଗୋଟିଏ ମଧ୍ୟମ ଧରଣର ନଡ଼ିଆର ରସ ଦିଆଯାଏ । କୋରା ନଡ଼ିଆ ମଧ୍ୟ ଦିଆଯାଇପାରେ । ନଡ଼ିଆରସ ଓ ବଟା ଚାଉଳର ମିଶ୍ରଣକୁ ପିଠୋଉ କୁହନ୍ତି । ଏହାପରେ ପଲମ ଚୁଲିରେ ତତାଯାଏ । ପଲମ ଗରମ ହେଲା ପରେ ଭାଗ ମାପରେ ପିଠୋଇ ଢ଼ାଳି ତାଟିଆ ଆଧାରରେ ଆବଶ୍ୟକମତେ ବହଳା ବା ପତଳା କରି ବଛେଇ ଦିଆଯାଏ । ତହିଁ ଉତ୍ତାରୁ ମାଟିସରା ଘୋଡ଼ାଇ ଓଦାକନା ପକାଇ ଦିଆଯାଏ । ଆବଶ୍ୟକ ମତେ ମଝିରେ ମଝିରେ କନା ଉପରେ ପାଣି ବି ଛାଟି ଦିଆଯାଏ । ଏମିତି କିଛି ସମୟପରେ ପିଠା ହୋଇଯାଏ ଏବଂ ଏହାକୁ ପିଠାଖଡ଼ିକା ଦ୍ୱାରା ସାମାନ୍ୟ ଚାପଦେଇ କେଞ୍ôଚ ବାହାର କରାଯାଏ । ଏହା ଫୁଲ୍‌କା ହୋଇଥାଏ । ଏହା ଚିତ୍‌ବରଗ ପ୍ରସ୍ତୁତି ବୋଲି ଅଥବା ଚାଉଳ ଚିତାରୁ ପ୍ରସ୍ତୁତ ବୋଲି ଏହାକୁ ଚିତଉ କୁହନ୍ତି । ଏହା ନରମ ଓ ସୁସ୍ୱାଦୁ । ଏଥିରେ ଚିନି ବା ଗୁଡ଼ ପଡ଼େ ନାହିଁ କି ଦୁଇପଟ ସେକା ଯାଏନାହିଁ । ଏହାହେଉଛି ସାଧା ଚିତଉ । ଏଥିପାଇଁ ପଲମରେ ତେଲ ଲଗାଯାଏ ନାହିଁ, ପାଣି କନା ବୁଲାଯାଏ । ଚିତଉ ଏକ ସେକାପିଠା ।
ନଡ଼ିଆ ଗୁଡ଼ରେ ବି ଚିତଉ କରାଯାଏ । ମାତ୍ର ଏହା ସାଧାପରି କଅଁଳ ଏବଂ ଫୁଲକା ନୁହେଁ । ଚିତଉ ଅନେକ ପ୍ରକାର : ଚକୁଳି, ସରୁଚକୁଳି, ବୁଢ଼ା ଚକୁଳି ଏବଂ ଛୁଞ୍ôଚପତ୍ର ଚକୁଳି । ଚିତଉ ଚକୁଳିର ଅନ୍ୟନାମ ଚିତଉପିଠା । ଚକୁଳିରେ ବିରିମିଶିଲେ ବିରି ଚକୁଳି । ଜଳେଶ୍ୱର ଅଞ୍ଚଳରେ ତାଳ ଚକୁଳି ଚିତଉର ପ୍ରଚଳନ ଅଛି । ଚିତଉ ସହିତ ଆମିଷ ଭୋଜନ ନୁହେଁ, ଡାଲମା କିମ୍ବା ଘାଣ୍ଟ ତରକାରୀ ଏହା ଯୋଡ଼ି ।
ଖାଇବାଠାରୁ ଖୁଆଇବାର ମହତ୍ୱ ଶିଖିଛି ଓଡ଼ିଆ । ଏଇଥିପାଇଁ ସେ ପିଠା କେବଳ ନିଜ ପାଇଁ କରେ ନାହିଁ । କାହାର ଆତିଥ୍ୟ ପାଇଁ କରେ । ଅତିଥି ଦେବ ଭବୋ । ସେ ବାଣ୍ଟେ, ଖୁଆଏ କାହାକୁ; ଏଥିରେ ତା’ର ଆତ୍ମ ସନୋଷ ଅଛି ।
ଉପର ଧର୍ମ ଦେବତା ତଳେ ମା’ ବସୁଧା ବିଦ୍ୟମାନ । ଏହାର ପୂଜା ଚିତାଲାଗି ଅମାବାସ୍ୟା ।
କର୍ମକ୍ଲାନ୍ତ ଜୀବନରେ ସାମୟିକ ଅବକାଶ ପାଇଁ ତଥା ସମାଜ ଗଠନରେ ଆମ ପର୍ବପର୍ବାଣୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ