ହୃଦୟରେ ବାଘ ମାମୁଁ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖଟିକୁ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଇଥାଏ । ସଂପ୍ରତି ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏ ନେଇ ସାରା ବିଶ୍ୱ ଚିନ୍ତିିତ । ଏହାର ସୁରକ୍ଷା ପରିବେଶ ସଂରକ୍ଷଣ ଲାଗି ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ନଗରୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ପରିବେଶବିତ୍ ସୁଶାନ୍ତ ସାହୁ ଆମ ରାଜ୍ୟରେ ବ୍ୟାଘ୍ର ସଂଖ୍ୟା ହ୍ରାସକୁ ନେଇ ଚିନ୍ତାପ୍ରକଟ କରିବା ସହ ଜନ ସଚେତନତା ଉଦ୍ଦେଶ୍ୟରେ ମୁରୁଜରେ ଏକ ହୃଦୟ ତିଆରି କରି ବାଘର ଛବିକୁ ସ୍ଥାନିତ କରି ଏକ ନିଆରା ବାର୍ତ୍ତା ଦେବା ପାଇଁ ପ୍ରୟାସ କରିଛନ୍ତି । ସୁଶାନ୍ତ ଏହି ଅବସରରେ କୁହନ୍ତି-ପୂର୍ବରୁ ସିଂହ ଆମ ଦେଶର ଜାତୀୟ ପଶୁ ଥିଲା । ଏବେ ବାଘ ଆମର ଜାତୀୟ ପଶୁ । ଆମ୍ଭେମାନେ ଜାଣିରଖିବା ଉଚିତ୍ ବାଘ ରହିଲେ ଜଙ୍ଗଲ ରହିବ । ଜଙ୍ଗଲ ରହିଲେ ପରିବେଶ ଓ ଜୀବଜଗତର ସନ୍ତୁଳନ ରକ୍ଷା ହୋଇପାରିବ । ନଚେତ ଜୀବଜଗତ ଲୀନ ହୋଇଯିବ । ଅନେକ ସମୟରେ ଆମେ ବାଘକୁ ମାମୁଁ ବୋଲି ସମ୍ବୋଧନ କରିଥାଉ । ଛୋଟ ପିଲାକୁ ଗପ କହିଲା ବେଳେ ପ୍ରଥମେ ବାଘ ମାମୁଁର କଥା କହି ମନ ଜିଣିଥାଉ । ଏବେ ବାଘର ନାମକୁ ନେଇ ଫିଲ୍ମ ଟାଇଟଲ ଏବଂ କାହାଣୀ ତିଆରି ହୋଇସାରିଛି । ଯଥା-ଏକ୍ ଥା ଟାଇଗର, ଟାଇଗର ଜିନ୍ଦା ହୈ । ଦେଖିବାକୁ ଗଲେ ଏବେ ସଙ୍କଟରେ ବାଘ ମାମୁଁ । ଏକ ରିପୋର୍ଟରୁ ଜଣାପଡ଼ିଛି ୨୦୧୯ରେ ଭାରତରେ ୧୧୦ଟି ବାଘ ଓ ୪୯୧ଟି କଲର ପତରିଆ ପ୍ରାଣ ହରାଇଛନ୍ତି । ୨୦୧୮ରେ ୩୪ଟି ବାଘ ଶିକାରୀ ଦ୍ୱାରା ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହା ୩୮ରେ ପହଞ୍ôଚଛି । ଅର୍ଥାତ୍ ବାଘ ଗୁଡ଼ିକ ଏବେ ଶିକାରୀଙ୍କ ଟାର୍ଗେଟରେ ରହିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ଏବେ ମହାବଳ ବାଘ କାଁ ଭାଁ ଦେଖା ଯାଉଛନ୍ତି । ଗତ ଅଢେଇ ବର୍ଷ ଭିତରେ ଆମ ରାଜ୍ୟରେ ୬୩ଟି ବାଘ ଛାଲ ଜବତ ହୋଇଛି । ସେଥିମଧ୍ୟରୁ ୬୦ଟି କଲର ପତରିଆ ଓ ୩ଟି ମହାବଳ ବାଘ ଛାଲ । ବନ ବିଭାଗର ଅପାରଗତା ଯୋଗୁ ଶିକାରୀମାନେ ବେଧଡ଼କ ଭାବେ ଶିକାର କରି ଚାଲିଛନ୍ତି । ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହନ୍ତି ଆଉ ଦିନ କେଇଟାରେ ଓଡ଼ିଶା ଜଙ୍ଗଲରୁ ବାଘ ଶୂନ୍ୟ ହୋଇଯିବ । ଓଡ଼ିଶାରେ ବିଲୁପ୍ତ ପଥରେ ଥିବା ବାଘକୁ ବଞ୍ଚାଇ ରଖିବାକୁ ହେଲେ ଉଭୟ ସରକାରୀ, ବେସରକାରୀ ଏବଂ ଜନସାଧାରଣ ହୃଦୟର ସହ ସମ୍ମିଳିତ ଉଦ୍ୟମ ଓ ସଂକଳ୍ପ ନିତାନ୍ତ ଜରୁରୀ ବୋଲି ଶ୍ରୀ ସାହୁ ଏହି ଅବସରରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ