ଦିଗପହଣ୍ଡିରେ  ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି ମାମଲା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ କୁ ମିଳିଛି ସଫଳତା। ଘର ଭିତରେ ପଶି ଚୋରି ଘଟଣାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚୋରି ସୁନା,ରୂପା ଅଳଙ୍କାର ଓ ନଗଦ ୪୯୭୦ ଟଙ୍କା ଏବଂ ଏକ ମୋବାଇଲ ଫୋନ କୁ ପୋଲିସ ଜବତ କରିଛନ୍ତି।ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ଭୁବନେଶ୍ୱର ନୟାପଲ୍ଲୀ ଥାନା ସାଲିଆ ସାହି ର ଶାମୁକା ଶବର ଏବଂ ତାଙ୍କ ପୁଅ ପ୍ରଦୀପ ଶବର ଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।ଥାନା ମାମଲା ନଂ.୨୮୬/୨୨ ଦଫା -୩୮୦/୪୫୪/୩୪ ଆଇ ପି ସି ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାଆ ଓ ପୁଅ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଦିଗପହଣ୍ଡି  ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗର ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଘରୁ ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ପ୍ରାୟ ୨୦ ଭରି ଓଜନର ସୁନା ଗହଣା , ରୂପା ଗହଣା ଓ ଟଙ୍କା ଚୋରି ହୋଇଥିଲା।  ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ  ନିଜ ଝିଅର ପ୍ରବେଶିକା ପରୀକ୍ଷା ନିମନ୍ତେ ଆସିକା ଯାଇଥିବା ବେଳେ ଅନ୍ୟ ଝିଅ ଜଣକ ଦିଗପହଣ୍ଡି କଲେଜ କୁ ଯାଇଥିଲେ ଏବଂ ସ୍ତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ଏକାକୀ ଘରେ ଥିଲେ । ତେବେ ଗୀତାଞ୍ଜଳି  ବାହାର ଗ୍ରୀଲ କବାଟ  ଟାଣି ୨ ୟ ମହଲାରେ ରହୁଥିବା ଅନ୍ୟ ଜଣକ ଘର କୁ କିଛି କାମ ପାଇଁ ଯାଇଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ରାସ୍ତା ପୂରା ଶୁନଶାନ୍ ରହିଥିଲା । ଯାହାର ସୁଯୋଗ ନେଇ ଲୁଟେରା ମାନେ ଭିକ୍ଷା ମାଗିବା ବାହାନାରେ ଘରେ ପଶି ଗଡରେଜ ଆଲମିରା ର ଲକର ତାଲା ଭାଙ୍ଗି ସୁନା ,  ରୂପା ଓ ନଗଦ ଟଙ୍କା ଲୁଟି ନେଇଥିଲେ । କିଛି ସମୟ ପରେ ଗୀତାଞ୍ଜଳି ତଳକୁ ଆସି ଦେଖିବା ବେଳକୁ ଆଲମାରୀ କବାଟ ଖୋଲା ରହିବା ସହ ଲକର ତାଲା ଝୁଲି ରହିଥିଲା । ଏହାପରେ ଲକର ଖୋଲି ଦେଖିବାମାତ୍ରେ ସେଥିରେ ଥିବା ୨୦ ଭରି ଓଜନର ସୁନା , ରୂପା ଅଳଙ୍କାର  ଓ ନଗଦ ୧୦ ହଜାର ଟଙ୍କା ନଥିବା ନେଇ ସ୍ବାମୀଙ୍କୁ ଖବର ଦେଇଥିଲେ ।  ଗୋବିନ୍ଦ ଦିଗପହଣ୍ଡି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିଲେ।   ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଜଣେ ବ୍ୟକ୍ତି ଙ୍କ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଲୁଟେରା ମାନେ ଘରେ ପଶି ଥିବା ଏବଂ ଘରୁ ବାହାରି ଥିବା ସ୍ପଷ୍ଟ ଭାବେ ଜଣାପଡିଥିଲା। ଏହି ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା। ପୂର୍ବତନ ଶିକ୍ଷକ ଙ୍କ ଜଣେ ନିକଟ ସମ୍ପର୍କୀୟ ଭିଡ଼ିଓ ଫୁଟେଜ ରେ ଥିବା ମହିଳା ଓ ତାଙ୍କ ପୁଅ ବ୍ରହ୍ମପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମ ଓଭର ବ୍ରିଜ ତଳେ ଅସ୍ଥାୟୀ ତମ୍ବୁ ପକାଇ ଅସ୍ଥାୟୀ ଯାଯାବର ବସ୍ତି ରେ ରହୁଥିବା ଦେଖିଥିଲେ। ଏନେଇ ସେ ଦିଗପହଣ୍ଡି ପୋଲିସ କୁ ସୂଚନା ଦେଇଥିଲେ। ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ବ୍ରହ୍ମପୁର ୪ ନଂ ପ୍ଲାଟଫର୍ମ ନିକଟ ଯାଯାବର ବସ୍ତି ରେ ଅତର୍କିତ ଚଢାଉ କରି ପ୍ରାପ୍ତ ସୂଚନା ପ୍ରକାରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପୁଅ ଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୫୦ ଗ୍ରାମ ଓଜନର ୨ ଟି ସୁନା ହାର,୩୦ ଗ୍ରାମ ଓଜନର ଲକେଟ ସହ ପୁସ୍ତା ଚେନ୍, ୨୫ ଗ୍ରାମ ଓଜନର ୨ ଟି ଚୁଡ଼ି, ୫୦ ଗ୍ରାମ ଓଜନର ୯ ଟି କାନଫୁଲ,୨୦ ଗ୍ରାମ ଓଜନର ଚିତା ମଙ୍ଗଳ ସୂତ୍ର, ୩ ଯୋଡା ରୂପା ପାଉଁଜି, ଗୋଟିଏ ରୂପା ଫରୁଆ, ୧ ରୂପା କଏନ, ୧ ପିତ୍ତଳ ଫରୁଆ ଏବଂ ମୋବାଇଲ ଫୋନ  ତାଙ୍କ ନିକଟରୁ ଜବତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ