ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି । ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି । ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ । ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି । ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି । ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ । ୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି । ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା । ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା । ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି । ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ