ଅଗ୍ନିପଥ ଯୋଜନା ସାମରିକ ବାହିନୀକୁ ଦୁର୍ବଳ କରିବ

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରତିରକ୍ଷା ବିଭାଗର ଅଗ୍ନିପଥ ଯୋଜନାରେ ଚାରିବର୍ଷିଆ ନିଯୁକ୍ତି ନିଷ୍ପତ୍ତିର ବିଭିନ୍ନ ଦିଗକ ନେଇ ଏକ ଆଲୋଚନାଚକ୍ର ସ୍ଥାନୀୟ ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏଥିରେ ଅଧ୍ୟକ୍ଷତା ସହ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଦୃଢ଼ ସମାଲୋଚନା କରିଛନ୍ତି । ବିଭିନ୍ନ ସାମାଜିକ ଓ ଗଣସଂଗଠନର ପ୍ରତିନିଧିଙ୍କ ସମେତ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀ ଆସୋସିଏସନ୍‌ର ରାଜ୍ୟ ନେତା ମହେଶ୍ୱର ବେହେରା, ଧୀରେନ୍ଦ୍ର କୁମାର ପଣ୍ଡା ଓ ଚୌଧୁରୀ ୟୁ.କେ. ଦାସ ଯୋଗଦେଇ ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି ପ୍ରତିଟି ଦିଗ ଉପରେ ଆଲୋଚନା କରିଥିଲେ । ମାତ୍ର ୪ବର୍ଷ ପାଇଁ ସେନାବାହିନୀରେ ନିଯୁକ୍ତି ଏକ ପ୍ରହସନ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ବେକାର ଯୁବଶକ୍ତିକୁ ଭ୍ରମିତ କରିବା ପାଇଁ ଏହା ଉଦ୍ଦିଷ୍ଟ ଓ ଏହା ଦ୍ୱାରା ଦେଶର ସାମରିକ ବାହିନୀ ଦୁର୍ବଳ ହେବ ବୋଲି ସେମାନେ କହିଥିଲେ । ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପୂର୍ବତନ ସାମରିକ କର୍ମଚାରୀ ସଂଘର ଆହ୍ୱାନରେ ଦେଶବ୍ୟାପୀ ଏହି ଯୋଜନାକୁ ବିରୋଧ କରାଯାଉଥିବା ବେଳେ ଏହାକୁ ସବୁ ମହଲରୁ ସମର୍ଥନ ଜଣାଇବାକୁ ବକ୍ତାମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ, ରାଜକିଶୋର ଲେଙ୍କା, ଇଂ. ହୃଷିକେଶ ସାହୁ, ଶାନ୍ତନୁ ଦାସ, ବାସନ୍ତୀ ସାମଲ, ଭରତଚନ୍ଦ୍ର ସେଠୀ, ନିର୍ମଳ ନାୟକ, ବନ୍ଦନା ବିଶ୍ୱାସ, ମନୋଜ ମାଝୀ, ଯତୀନ ପାତ୍ର, ଶରତ ଚନ୍ଦ୍ର ଦଳାଇ, ପ୍ରେମରଂଜନ ପାତ୍ର, ରମେଶ ଚନ୍ଦ୍ର ଜେନା ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଏଥିରେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଏ ସମ୍ପର୍କରେ ଆସନ୍ତା ୨୦ ତାରିଖ ଶନିବାର ଦିନ ୧୦ଟାରେ ଷ୍ଟେସନ୍ କ୍ଲବ୍ ସଭାଗୃହରେ ଆୟୋଜିତ ହେବାକୁ ଥିବା ପରିବର୍ଦ୍ଧିତ ଆଲୋଚନାଚକ୍ର ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ ଓ ଶ୍ରମିକ ନେତାଙ୍କ ପକ୍ଷରୁ ନିବେଦନ କରାଯାଇଛି । ଶେଷରେ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ